Unknown

 

 

 

 

 

 

 

 

 

 

 

ସ୍ୱପ୍ନ ଦୀର୍ଘଶ୍ୱାସ

ଉଜ୍ଜ୍ୱଳ ପାଢ଼ୀ

 

ନିଜକଥା

 

ସାହିତ୍ୟିକ କୃତି ମାତ୍ରେ ଭାଷା ମାଧ୍ୟମରେ ସମାଜର ଏକ ସଘନ ସକେନ୍ଦ୍ରିକ ସଂକେତ । ଭୟ, ଅସହାୟତା, ନିଃସଙ୍ଗତା ଇତ୍ୟାଦି କାରଣରୁ ମଣିଷ ଭିତରେ ଅକୁହା ଆବାଜ ଯାହା ବରଫ ପରି ଜମାଟ ବାନ୍ଧି ରହି ଯାଇଥାଏ, ସାର୍ଥକ ସାହିତ୍ୟିକ କୃତି ଏହି ଜମାଟକୁ ଖୋଳି ତାଡ଼ି, ତା ତଳେ ଥିବା ଚେତନା ସୋତକୁ ପୁନଃ ପ୍ରବାହିତ କରାଏ । ନୋବେଲ ପୁରସ୍କାର ବିଜେତା ଉଇଲିୟମ୍‌ ଫକନରଙ୍କ ମତରେ, ‘‘ମହାନ୍‌ ଉପନ୍ୟାସ ପ୍ରବହମାନ ସମୟକୁ ନିଜ ପୃଷ୍ଠାମାନଙ୍କ ଭିତରେ ବାନ୍ଧିନିଏ, ଏବଂ ପଚାଶ, ଷାଠିଏ ବର୍ଷପରେ ଯେତେବେଳେ ତାହା ପଠିତ ହୁଏ ସେତେବେଳେ ଆବଦ୍ଧ ସମୟ ସଚେତ ହୋଇ ପୁଣି ବହିବା ଆରମ୍ଭ କରେ’’ । ଏହି ଭକ୍ତି ଅନ୍ୟ ମହାନ୍‌ କୃତିମାନଙ୍କ ପାଇଁ ବି ପ୍ରଜୁଯ୍ୟ । ବ୍ୟାସଙ୍କ ମହାଭାରତ କିମ୍ବା ସେକ୍‌ସପିଅରଙ୍କ ‘ହେମଲେଟ’, ଲିଖିତ ଯୁଗର ପାଠକ ଓ ଦର୍ଶକ ଯେପରି ବୁଝିଥିଲେ, ଏଇନେ ଆମେ ସେଇୟା ବୁଝୁ ନା ଅନ୍ୟ କିଛି ? ମନେହୁଏ ମୌଳିକ ଅର୍ଥ ସେମିତି କିଛି ବଦଳି ଯାଇନାହିଁ । ମଣିଷର ମୂଳ (ଆର୍କିଟାଇପ) ଛବି, ସେଇ ସଂଶୟ (ଟ୍‌ ବି ଅର୍‌ ନଟ୍‌ ଟୁ ବି) ମୁଖ୍ୟତଃ ସେଇୟା ରହିଚି । କୁରୁକ୍ଷେତ୍ର, ଦୁର୍ଯୋଧନ, ଦୁଃଶାସନାଦି ନାମ ଚାରିତ୍ରିକ ଗୁଣର ସଂକେତ ହୋଇଯାଇଚି । ପାଠକ ଓ ଶ୍ରୋତା ସବୁ ଯୁଗରେ ନିଜ ଅନୁଭବର ପ୍ରାସଂଗିକତା ଭିତରେ ଏହି ଅର୍ଥକୁ ଖୋଜି ବାହାର କରି ଅନ୍ୟାୟର ବିରୁଦ୍ଧରେ ନିଜ ଅନ୍ତରରେ ସମ୍ବେଦନା ଅନୁଭବ କରୁଚି ।

 

ମଣିଷ ସମେତ ସାଗ ଜୀବଜଗତ କାୟିକମାନସିକାଦି ମୁକ୍ତି (Freedom)ର ସନ୍ଧାନରେ ଯେ ଏଯାବତ୍‌ ବିବର୍ତ୍ତିତ ହୋଇ ଚାଲିଚି, ଏହା ଏକ ବୈଜ୍ଞାନିକ ସତ୍ୟ । ମଣିଷ କଥା ଛାଡ଼, କୌଂଚ ପକ୍ଷୀର ବଂଚିବା ସ୍ୱାଧୀନତା କବଳିତ ହେବା ଦେଖି ତ ବାଲ୍ମିକୀ ଏକ ଅପୂର୍ବ ମହାକାବ୍ୟ ସୃଷ୍ଟି କରିଗଲେ, ଆଉ ଏଇନେ ସମାଜରେ ମଣିଷର ତ ସେଭଳି ଅବସ୍ଥା । ଏଇଠି ମନେପଡ଼େ ହିନ୍ଦୀ ଉପନ୍ୟାସ ସମ୍ରାଟ ପ୍ରେମଚାନ୍ଦଙ୍କ ଏକ ଭକ୍ତି, ‘‘ମୁଁ ସାହିତ୍ୟକୁ କେବଳ ମନୋରଞ୍ଜନ ବା ବିଳାସର ବସ୍ତୁ ମନେ କରି ନାହିଁ । ମୋ ମୂଲ୍ୟାୟନରେ କେବଳ ତାହା ସାହିତ୍ୟ ଯେଉଁଥିରେ ଉଚ୍ଚ ଚିନ୍ତା, ସ୍ୱାଧୀନତାର ଭାବ–ଓ ଜୀବନ ସତ୍ୟର ଆଲୋକ ଥିବ; ଯାହା ଆମ ଭିତରେ ଗତି, ସଂଘର୍ଷ ଓ ଅଶାନ୍ତଭାବ ଜାଗ୍ରତ କରାଇବ; ଆମକୁ ଶୋଇ ରହିବା ଅବସ୍ଥାକୁ ନେଇ ଆସିବ ନାହିଁ–’’ । ଅବଶ୍ୟ ଏହା କେବଳ ଆକସ୍ମିକ ନୁହେ ଯେ ଆଧୁନିକ ଉପନ୍ୟାସ ସାହିତ୍ୟର ଅନେକାଂଶ ପ୍ରେମଚାନ୍ଦ ‘ଫକୀରମୋହନଙ୍କ ଭଳି ସ୍ରଷ୍ଟାମାନଙ୍କ ସୃଷ୍ଟି ଚେତନାକୁ ଭୁଲି, ନଗ୍ନତା, ହିଂସାଦି ମସଗଯୁକ୍ତ ଫର୍ମୁଗ ତଥା ତତୋଽଧିକ ଉତ୍ତେଜକ ମଲାଟମାନଙ୍କ ଜରିଆରେ ପାଠକପାଠିକାଙ୍କ ଶସ୍ତା ମନୋରଞ୍ଜନ ପାଇଁ ହିଁ ବ୍ୟସ୍ତ । ସୁଖର କଥା ଏହି ଯେ କତିପୟ ଚିନ୍ତାଶୀଳ ପାଠକ, ପ୍ରକାଶକ ଓ ଲେଖକମାନଙ୍କ ଆନ୍ତରିକତା ହେତୁ ‘‘କଥାଟିଏ କହୁଁ’’ ଶୈଳୀ ଓ ‘‘ମନ ବିକା କିଣା’’ ପ୍ଲଟର ପରିସର ବାହାରେ କିଛି ନୂତନ ଶୈଳୀ ଯୁକ୍ତ ‘‘ଉଚ୍ଚ ଚିନ୍ତା, ସ୍ୱାଧୀନତାର ଭାବ’’ ବ୍ୟଂଜକ ସୃଷ୍ଟିର ଉଦ୍ୟମଟି ଜାରି ରହିଚି ।

 

‘ସ୍ୱପ୍ନ ଦୀର୍ଘଶ୍ୱାସ’ ଉପନ୍ୟାସଟି ସଂପର୍କରେ ଏତିକି କହିହେବ ଯେ ଏଥିରେ କିଛିଟା ଅକୁହା ଆବାଳକୁ ଜମାଟବନ୍ଧା ବରଫ ତଳୁ ଖୋଜିବା ଉଦ୍ୟମ କରାଯାଇଚି । ଶୈଳୀ ମୋର ଗତ ଉପନ୍ୟାସ ‘ସମୟ ନିସ୍‌ତରଂଗ’ ଭଳି (ଏବଂ ତାହାର ପୃଷ୍ଠା ୫୪ । ୫୫ ରେ ବର୍ଣ୍ଣିତ) ମିଶ୍ରିତ ତରଙ୍ଗ (Mixed Waves) ରୀତିର । କେନ୍ଦ୍ର ଚରିତ୍ର ଅରୁଣ କୌଣସି ବ୍ୟକ୍ତିର ସାମ୍ନାସାମ୍ନି ହେବା କିମ୍ବା ନିଗେଳାରେ ଥିବାବେଳେ ଅନ୍ୟ ଚରିତ୍ର ଓ ଘଟଣା, ସମୟର ବାଡ଼ ନମାନି ତା ମନର ତରଙ୍ଗ ଅନୁଯାୟୀ ପ୍ରତିଫଳିତ ହୋଇଚନ୍ତି । କୃତିଟିର ପ୍ରାରମ୍ଭିକ ସଫଳତା ତ ପାଠକମାନଙ୍କ ହାତରେ; ଏବଂ ଫକନ୍‌ର ଯେଉଁ ପଚାଶ, ଷାଠିଏ ବର୍ଷ ପରର କଥା କହିଚନ୍ତି, କିମ୍ବା ତଦୁର୍ଦ୍ଧ ସମୟର, ବିଷ୍କରକ ତ ମହାକାଳ ସେ ଯାହାହେଉ କଳ୍ପନାରେ ସୁଦୂର ଭବିଷ୍ୟତ ଭିତରକୁ ଚାଲିଯିବା ଅପେକ୍ଷା ଏଇନେ ମୋ ଚାରିଆଡ଼େ ଥିବା, ଏବଂ ବହୁଦିନ ବ୍ୟାପୀ ଚାଲିଥିବା ଏକ ଗ୍ରସ୍ତ କାର୍ଯ୍ୟକ୍ରମ ଭିତରେ ଏ ବହିଟିକୁ ଲୋକଲୋଚନକୁ ଆଣିବାରେ ସମସ୍ତ ଉଦ୍ୟମ କରିଥିବା ସର୍ବଶ୍ରୀ ଭଗୀରଥି ନେପାଳ, ଡ. ଭାବଗ୍ରାହୀ ମିଶ୍ର, ଉମେଶ ଧଳ, ଜଗଦୀଶ ପଟ୍ଟନାୟକ, ନୀଳୟ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ନାୟକ, ପ୍ରଦ୍ୟୁମ୍ନ ଦାଶ, କୈଳାସ ତ୍ରିପାଠୀ, ଶ୍ରୀମତୀ ଦାଶ, ସରୋଜିନୀ ଦାଶ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରି ନିଜକଥାଟି ସାଙ୍ଗ କରେ ।

 

ଭୁବନେଶ୍ୱର

ବିନୀତ

ଦଶହରା : ୧୯୮୨ ।

ଲେଖକ

☆☆☆

 

 

 

 

 

 

 

 

 

 

 

 

 

ସ୍ୱପ୍ନ ଦୀର୍ଘଶ୍ୱାସ

 

ନିଦ ଭାଙ୍ଗିଯିବା ପରେ ଅରୁଣ ଝର୍କା ଦେଇ ବାହାରକୁ ଚାହିଁଲା । ଝର୍କା ଦେଇ ଖରା ଆସି ଶେଯରେ ଲୋଟି ପଡ଼ିଥିଲା । ଫିବୃଆରୀ ସକାଳର ହାଲୁକା ଥଣ୍ଡା ପରିବେଶ ଭିତରେ ଏଇ ଖରାର ନରମ ପରଶ ଏକ କୋମଳା କିଶୋରୀ ହାତର ପରଶର ଉପମା ତା ମନରେ ଆଣିଦେଲା-। ସେ ଅନୁଭବ କଲା, ମନର ଏଇ ଭାବନାରେ ତା ଓଠର କଳିକାଟି ଯେମିତି ଫୁଟି ଉଠିଲା ଏବଂ ସେଇ ଫୁଟନ୍ତା ଫୁଲର ସୁରଭି ଯେପରି ତା ମୁହଁସାରା ବିଞ୍ଚି ହୋଇଗଲା ମୁହୂର୍ତ୍ତକ ପାଇଁ-। ତାପରେ ସେ ମନେ ମନେ ନିଜକୁ କହିଲା–ଧେତ୍‌ ଏଇ ଓଠ–ଫୁଲ ହସ–ସୁରଭି ଆରତୀ ଓଠର ହସରେ ଦେଖୁ ଦେଖୁ ଅଜାଣତରେ ନିଜ ହସ ପାଇଁ ବ୍ୟବହାର କରି ଦେଇଛି । ଆରତୀର ହସ ସହ କ’ଣ ତା ହସର ତୁଳନା କରାଯାଇ ପାରେ ?

 

ଏପରି ଶବ୍‌ଦହୀନ ଚିନ୍ତାମାନଙ୍କ ଭିତରେ ସେ ଅନୁଭବ କଲା କେହି ଯେମିତି ତା ଭିତରେ କହୁଛି–ଆବେ ଉଠ୍‌, ଅନେକ ଦଉଡ଼ା ଦଉଡ଼ି, ଅନେକ କାମ ଯେ ଅଛି । ଏଇ ଆବାଜ ଶୁଣି ଉଠିଯିବ କି ନା, ଆଉ କିଛି ସମୟ ଏପରି ଚିନ୍ତାମାନଙ୍କ ସହ ଖେଳିବା ଆନନ୍ଦଟା ଉପଭୋଗ କରିବ ? ଏମିତି ଭାବୁ ଭାବୁ ତା ଦୃଷ୍ଟି ଚାଲିଗଲା ସାମ୍ନାର ଖୋଲା ପଡ଼ିଆଟି ଦିଗରେ ।

 

ଘର ଆଗରେ ଈଶ୍ୱରଙ୍କ ଆଶୀର୍ବାଦ ଭଳି ସେଇ ଛୋଟ ପଡ଼ିଆଟି । ହଁ, ‘‘ଗଡ୍‍ ମେଡ୍‍ ଦ କଣ୍ଟ୍ରି ଆଣ୍ଡ ମ୍ୟାନ ମେଡ୍‍ ଦ ଟାଉନ୍‌’’ ଭଳି ପିଲା ଦିନେ କେବେ ପଢ଼ିଥିବା ଏକ ଇଂରାଜୀ ପଂକ୍ତି ଅନୁଯାୟୀ ସାମ୍ନାର ଏଇ ପଡ଼ିଆଟିର ଗଛଲତା ଗୁଳ୍ମାଦି ନିଶ୍ଚୟ ତା ପାଇଁ ଭଗବାନଙ୍କ ଆଶୀର୍ବାଦ । ନହେଲେ ଏଇ ସହର ଓ ତା ଆଖପାଖରେ ସୁବ୍ୟଗ୍ର ପରିମିତ ଭୂମି ପାଇଁ ଅନେକ କନ୍ଦଳ, ଅନେକ ଚକ୍ରାନ୍ତ, ଅନେକ ଜାଲିଆତି ପଟ୍ଟା ଘୁସରିସ୍‌ପତର ଗତାଗତି କାରବାର, ତଳସୋପାନରୁ ସର୍ବୋଚ୍ଚ ସୋପାନ ଯାଏଁ ଅମଲାତନ୍ତ୍ର କଳଟିରେ ସବୁଠି ତୈଳ, ତଣ୍ଡୁଳ, ବସନ ଭୂଷଣ, ଅର୍ଥାଦିର ଦିଆନିଆ ସତ୍ୱେ, ସହରର ଉପାନ୍ତ ଅଞ୍ଚଳର ଏହି ଛୋଟ ପଡ଼ିଆଟି ତା ନିଜର ନିଃସଙ୍ଗ ମୁହୂର୍ତ୍ତମାନଙ୍କରେ ଭାବର ଆଦାନପ୍ରଦାନ ପାଇଁ କିପରି ରହିଯାଆନ୍ତା ? କେହି କେହି କହନ୍ତି ଯେ ଏଇ ଅଞ୍ଚଳରେ ଦିନେ ଏକ ଷ୍ଟୁଡ଼ିଓ ହେବ; ଏବଂ ପଡ଼ିଆଟିକୁ ବହୁଗୁଣ ମୂଲ୍ୟରେ ବିକ୍ରୟ କରିବା ଉଦ୍ଦେଶ୍ୟରେ ତାର ମାଲିକ ତାକୁ ବିକ୍ରୟ କରୁ ନାହାନ୍ତି ।

 

ସେ ଯାହାହେଉ ଏଯାଏଁ ପଡ଼ିଆଟି ଭିତରକୁ ଯେ ଇଟା, ମାଟି, ବାଲି, ଚୂନ, ସୁରକି, ଲୁହାଛଡ଼ ଇତ୍ୟାଦି ପ୍ରବେଶ କରିପାରି ନାହିଁ, ଏହା ତା ପାଇଁ କମ୍‌ ଭାଗ୍ୟର ବିଷୟ ନୁହେ । ମନର ଅନେକ କ୍ଳାନ୍ତ, ଭାରାକ୍ରାନ୍ତ ଅବସରରେ ସେଇଆଡ଼େ ଟିକିଏ ଚାହିଁଦେଲେ ମନଟା ସବୁଜ ହୋଇ ଆସେ । ପଡ଼ିଆର ଏକ ଅଂଶରେ ଛୋଟ ଛୋଟ ପିଲାମାନେ ଖେଳୁଥିବା ଦୃଶ୍ୟ ଦେଖି ମନରେ ଥିବା ଉଦାସୀନତା କ୍ରମେ ଆନନ୍ଦରେ ପରିଣତ ହୋଇଯାଏ । ଆଖପାଖର ଲୋକେ ସରକାରଙ୍କୁ ଏକ ଦରଖାସ୍ତ ଦେଇଛନ୍ତି ଯେ ଜମି ମାଲିକ ଠାରୁ ଜମି କିଣି ଏହି ଜାଗାଟିକୁ ପିଲାଙ୍କ ପାଇଁ ପାର୍କ କରି ଦିଆଯାଉ । ସେଇ ଶୁଭବୁଦ୍ଧି ପାଇଁ ସେମାନେ ଅବଶ୍ୟ ଧନ୍ୟବାଦାହିଁ; କିନ୍ତୁ ଏଯାଏଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ ।

 

ସବୁଜ ପଡ଼ିଆଟିର ଫୁଲମାନଙ୍କ ଚଉଦିଗ ଏଇନେ ପ୍ରଜାପତିମାନଙ୍କ ଭିଡ଼ । ସକାଳର ଝଳମଲ ଖଗରେ ଏହି ପରିବେଶଟିକୁ ଅରୁଣ ସତୃଷ୍ଣ ନୟନରେ ଚାହେଁ । ଏମିତି ସମୟରେ ତାର ମନେହୁଏ ଦୁନିଆଟା । ନୈସର୍ଗିକ ଭାବେ ଜୀବନ୍ତ । କିନ୍ତୁ ଅନେକ ଦିନ, ବେଳେବେଳେ ବହୁ ସପ୍ତାହ ଧରି, ତାର ଏହି ବିଷୟରେ ଭାବିବା ପାଇଁ ବେଳ ହୁଏ ନାହିଁ । ସେ ସକାଳୁ ଉଠି ଛୁଟେ ଧନୁରୁ ତୀର ଛୁଟିବା ଭଳି କେଉଁ ଏକ ଅଜଣା ଲକ୍ଷ୍ୟରେ । କ’ଣ ସେଇ ଲକ୍ଷ୍ୟ ? କ’ଣ ତା ଜୀବନର ସ୍ୱପ୍ନ, ତା ଆଦର୍ଶ ? କେତେବେଳେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସମଧର୍ମୀ ବନ୍ଧୁମାନଙ୍କ ମେଳରେ ଅନେକ କିଛି କରିବା ପାଇଁ ସେ ପରିକଳ୍ପନା କରେ, ଆଉ କେତେବେଳେ ବୃଦ୍ଧ ପିତାଙ୍କ କଠୋର ନିର୍ଦ୍ଦେଶର ତାଡ଼ନାରେ ସେ ଦଉଡ଼େ ବଞ୍ଚିବା ସମ୍ବଳ ଜୁଟାଇବା ପାଇଁ । ଅନେକଦିନ ଧରି ଭୁଲିଯାଏ ଗଛ, ଫୁଲ, ପ୍ରଜାପତି ଶିଶୁମାନଙ୍କ ଏହି ଦୃଶ୍ୟ । ଏଥିପାଇଁ ବେଳେ ବେଳେ ତା ମନରେ ଦୁଃଖ ବି ହୁଏ । ସେ ଭାବେ କାହିଁକି ଏମିତି ହୋଇଥାଏ ? ପିଲାଦିନେ ପାଣି ସୁଅରେ ଭସେଇଥିବା କାଗଜର ନୌକାଗୁଡ଼ିକ, ସମୟର କ୍ରମିକ ପ୍ରବାହ ଭିତରେ ଏତେ ଚଞ୍ଚଳ କାହିଁକି ଓଲଟି ଯାଏ ଏବଂ ତା ସହ ଶେଷ ହୋଇଯାଏ କିମ୍ବା କ୍ରମେ ହଜିଯାଏ ମଣିଷ ଭିତରେ ଥିବା ସରଳ ଭାବେ ମୁଗ୍‍ଧ ଆତ୍ମହରା ହୋଇଯିବା ପ୍ରବଣତା ଟିକକ ? ଅରୁଣ ଭାବେ......

 

ତା ଭାବନାର କଣ୍ଠରୋଧ କରିଦେବା ପାଇଁ, ଆତ୍ମହରା ସେଇ ମୁହୂର୍ତ୍ତଟିରେ ହଜି ନ ଯିବା ପାଇଁ ପାଖ କୋଠାଘରର କାନ୍ଥ ଘଡ଼ିଟା ଯେମିତି ତାକୁ ସତର୍କ କରିଦିଏ । ଆଃ, ବେଳ ଯେ ହୋଇ ଆସିଲାଣି । ଅରୁଣ ଉଠି ଧାଏଁ ଗାଧୁଆ ଘରକୁ । ଚଞ୍ଚଳ ବାହାରି ପଡ଼ିବାକୁ ହେବ ଏଇନେ-। ଦାନ୍ତଘଷା, ଗାଧୁଆ ଇତ୍ୟାଦି ନିତ୍ୟକର୍ମ ସାରି ପେଣ୍ଟ ସାର୍ଟ ପିନ୍ଧି ବାହାରିବା ପାଇଁ ତାକୁ ଅଧିକ ସମୟ ଲାଗେନି ।

 

ଘରୁ ବାହାରିବା ବେଳେ ବାପାଙ୍କ ସହ ମୁହାଁମୁହିଁ ହୋଇଯାଏ । ବୃଦ୍ଧ ଶଶଧର ବାବୁଙ୍କ ହାତରେ ସଉଦା ଆଣିବା ସେଇ ପୁରୁଣା ବ୍ୟାଗ୍‌ଟି ଅରୁଣ ଦେଖେ । ତାକୁ ଦେଖି କିଛି ଭାବିବା ଭଳି ଦଣ୍ଡେ ସେ ଠିଆ ହୋଇ ଯାଆନ୍ତି । ତାପରେ କହନ୍ତି–ଭୁବନ ବାବୁଙ୍କ ଅଫିସରେ ଟିକିଏ ବୁଝି ଆସିବୁ, ତୋ ଦରଖାସ୍ତଟା କ’ଣ ହେଲା ? ସେ ମୋର ଛାତ୍ର ଥିଲା । କିଛି ସାହାଯ୍ୟ କରିପାରେ । ତା’ଛଡ଼ା ତୋର ତ ସେଇ ଚାକିରି ପାଇଁ ଯୋଗ୍ୟତା ବି ଅଛି । –ହଁ, ଆଉ କେଉଁଠି ଉଦ୍ୟମ କରୁଛୁ-?

 

–ହଁ ବାପା, ମୁନିସିପାଲଟି ଠାରୁ ଆରମ୍ଭ କରି ସମସ୍ତ ପ୍ରାଇଭେଟ୍‌, ପବ୍ଲିକ ସେକ୍‌ଟର ଅଫିସ, ସଚିବାଳୟ, ଅନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ ସବୁଠି ତ ଘୁରି ବୁଲୁଛି ।

 

–ଦେଖ୍‌, କିଛି ଗୋଟେ କରିବାକୁ ହେବ, ଆମେ ଆଉ ଅଧିକ ଦିନ ଏମିତି ଚଳି ପାରିବାନି । ବଡ଼ଟା ଯଦି ଥାଆନ୍ତା–କୁଆଡ଼େ ଯେ କେଉଁଠି ହଜିଗଲା । ଚିଠି ପତ୍ରଟିଏ ବି ଆସୁନାହିଁ–କହୁ କହୁ ବାପା ଓହ୍ଲାଇ ଯାଆନ୍ତି ବାରଣ୍ଡାରୁ ତଳକୁ ।

 

ଅରୁଣ ବାପାଙ୍କୁ ରାସ୍ତା ଛାଡ଼ିଦିଏ । ତା’ପରେ ସେ ବାରଣ୍ଡାକୁ ତଳକୁ ଓହ୍ଲାଇ ଆଗରେ ଯାଉଥିବା ବାପାଙ୍କ ଗତି ଲକ୍ଷ୍ୟକରେ । ପଦକ୍ଷେପ ଆଗଭଳି ସେମିତି ଆଉ ଦୃଢ଼ ନୁହେ । ସ୍ୱାଧୀନତା ଆନ୍ଦୋଳନ ବେଳେ ଅର୍ଥାତ୍‌ ୧୯୪୭ ଆଗରୁ ତାଙ୍କୁ ଯେଉଁମାନେ ଦେଖିଛନ୍ତି ସେମାନଙ୍କ ମୁହଁରୁ ସେ ବାପାଙ୍କ ବିଷୟରେ ଅନେକ ଶୁଣିଛି । ସେ ଏହି ଆନ୍ଦୋଳନ ସହ ଅତି ନିବିଡ଼ ଭାବେ ଯୁକ୍ତଥିଲେ । ଏପରିକି ଏଇ କେଇବର୍ଷ ତଳର ସେଇ ମଣିଷଟାକୁ ଅରୁଣ ଆଉ ଦେଖି ପାରୁନି ବାପାଙ୍କ ଭିତରେ । ତଥାପି ବେଳେ ବେଳେ ସୁପ୍ତ ସିଂହ ଜାଗି ଉଠିବା ଭଳି ତାଙ୍କ ଭିତରୁ ସେଇ ମଣିଷଟା ଗର୍ଜି ଉଠେ–

 

ଏଇ ସେଦିନର ସେ ଘଟଣାଟି । ତାଙ୍କର ଜଣେ ସାଙ୍ଗ ଦୀନବନ୍ଧୁ ବାବୁ ଆସିଥିଲେ । ସେ ଥିଲେ ବାପାଙ୍କ ସ୍ୱଦେଶୀ ଆନ୍ଦୋଳନ ବେଳର ସହକର୍ମୀ ମଧ୍ୟ । ଦୀନବନ୍ଧୁ ବାବୁ କହିଲେ–ସ୍ୱଦେଶୀ ଆନ୍ଦୋଳନରେ ଯେଉଁମାନେ ଥିଲେ, ଜେଲ ଭୋଗିଥିଲେ ସେମାନଙ୍କୁ ପେନ୍‌ସନ୍ ମିଳୁଚି, ଆମେ ଦରଖାସ୍ତ ଦେବା । ଗଗତେ କେମିତି ଏକ ରକମ ଅଭିମାନରେ ଫାଟି ପଡ଼ି ବାପା ଚିତ୍କାର କରିଥିଲେ–କେଉଁ ସ୍ୱାଧୀନତା ? କ୍ଷୁଧୁତ ପାଇଁ ଖାଦ୍ୟ ନାହିଁ, ଲଜ୍ଜା ନିବାରଣ ପାଇଁ ବସ୍ତ୍ର ଖଣ୍ଡେ ଗାଁ ଗହଳରେ ସ୍ତ୍ରୀ ମାନେ ପାଉନାହାନ୍ତି–ଯାହା ହାସିଲ ନହେବା ଯାଏଁ ନିଜେ ଆଣ୍ଠୁ ଯାଏଁ ହି ମୋଟା ଲୁଗା ପିନ୍ଧିବା ଆଦର୍ଶ ଗାନ୍ଧୀଜୀ ବରି ନେଇଥିଲେ–ଅଗଣିତ ମଣିଷଙ୍କ ମୁଣ୍ଡ ଉପରେ ଛାତଟିଏ ନାହିଁ, ଘରେ ଘରେ ବେକାର, ଏଇ ସ୍ୱାଧୀନତା ପାଇଁ କଣ ଆମେ ଲଢ଼ିଥିଲେ ଏବଂ ଏଭଳି ଏକ ପେନ୍‌ସନ୍‌ ନେବା ଆଶାରେ ? ପେନ୍‌ସନ୍‌ ନେବା ଅପେକ୍ଷା ବରଂ ଆଉ ଥରେ ଅଣ୍ଟା ଭିଡ଼ି ବାହାରି ପଡ଼ ଅନ୍ୟ ଏକ ସଂଗ୍ରାମ ପାଇଁ–ଦେଶସେବା ନାମରେ ଦେଶଟାକୁ ଏଇ ଭିତରେ ଶୋଷଣ କରି, ସାଗ ଦେଶର ସଂପଦକୁ ବାଣ୍ଟିକୁଣ୍ଟି ଖାଲ ଚାଲିଥିବା ଅନ୍ୟ ଏକ ଶୋଷକ ନ୍ୟସ୍ତସ୍ୱାର୍ଥୀ ଟାଉଟର ମାନଙ୍କ କବଳରୁ ଏ ଦେଶକୁ, ଦେଶର ଅଜ୍ଞ ଅନଭିଜ୍ଞ ଅଶିକ୍ଷିତ ଜନତାକୁ ମୁକ୍ତ କରିବା ପାଇଁ । ତାପରେ ଯାଇ ପେନ୍‌ସନ୍ ନେବା ନ ନେବା ପ୍ରଶ୍ନ ଉଠିପାରେ ।

 

ବାପା ଦଣ୍ଡେ ଅଟକି ଯାଇ ପରେ ଉଲ୍ଲସିତ ହେବାଭଳି କହି ଚାଲିଲେ–ଶୁଣ ଦୀନବନ୍ଧୁ ! ମୁଁ ଖୁସି ଯେ ତରୁଣ ଭଳି ପୁଅଟିଏ ପାଇଚି । ତରୁଣ କିଏତ ଜାଣିଥିବ—ମୋ ବଡ଼ ପୁଅ । ଦୁଃଖ ହୁଏ ଘରଟା ପୁରା ଛାଡ଼ି ଦେଲା–କିନ୍ତୁ ଗର୍ବ ବି ହୁଏ । ଆଜି ଏଇଠି କାଲି ସେଇଠି–ଦେଶର କେଉଁ କୋଣରେ ସେ ଏଇନେ ଅଛି ଆପଣ ଜାଣିପାରିବେ ନାହିଁ । କିନ୍ତୁ କାମ କରୁଛି–ଲୋକଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ଜାଗୃତ କରାଉଛି । ଶେଷ ଚିଠିରେ ଲେଖିଥିଲା–ବାପା ମୋ ଆଶା ଛାଡ଼ିଦିଅ । ମୁଁ ଘର ପାଇଁ କିଛି କରିପାରିବି ନାହିଁ । ଦେଶର ଅବସ୍ଥା ତ ତମେ ଭଲ ଭାବେ ଜାଣ । ଗୋଟାଏ ପୁଅକୁ ଦେଶ ପାଇଁ ଛାଡ଼ିଦିଅ । କିଛି କରୁ କିମ୍ବା ମରୁ । ତମେ ଥିଲା ରାଜନୈତିକ ସ୍ୱାଧୀନତାର ସଂଗ୍ରାମୀ । ଆମେମାନେ ଅର୍ଥନୈତିକ ଓ ସାମାଜିକ ସଂଗ୍ରାମ କରିଚାଲିଛୁ । ଯେତେବେଳେ ଘରର କିମ୍ବା ନିଜର ଅଭାବ ତମକୁ ବିଚଳିତ କରିବ, ସେତେବେଳେ ବାପା ମନେ ପକାଅ ତମଠୁ ଅଧିକ ଅସୁବିଧା ଓ ଅଭାବ ଭିତରେ ସଢ଼ୁଥିବା ଦେଶର ଅଗଣିତ ଅନ୍ୟମାନଙ୍କ କଥା । ଏସବୁ କଥା ବାପା, ଦିନେ ତ ତମ ମୁଖରୁ ଶୁଣି ମୁଁ ମଣିଷ ହୋଇଛି, ଆଜି ବୟସ ବିତିଗଲା ବୋଲି ତମେ ସବୁ ଭୁଲି ଯାଇଥିବ କି ଯେ ମୁଁ ତମକୁ ଏସବୁ ମନେପକାଇ ଦେବି ?

 

ବାପାଙ୍କ କଣ୍ଠ ପ୍ରାୟ ବାଷ୍ପାକୁଳ ହୋଇ ଆସିଥିବା ହେତୁ ସେ ଆଉ ଅଧିକ କିଛି କହି ପାରି ନଥିଲେ । ତାପରେ କହିଲେ–ସତରେ ଦୀନବନ୍ଧୁ ବାବୁ ଠିକ୍‌ କରି କହ ଦେଖି, ମୁଁ କଣ ଏଇନେ ଅସୁବିଧାରେ ପଡ଼ିଥିଲେ ମଧ୍ୟ ଏଭଳି ପୁଅ ପାଇଁ ଦୁଃଖ ଅନୁଭବ କରିବି ? ଆମେତ ସ୍ୱାଧୀନତା ପାଇଁ ଲଢ଼ିଥିବା ସେମାନେ ଦେଖିଛନ୍ତି । ଆମ ଆଦର୍ଶରେ ଯଦି ଅନୁପ୍ରାଣିତ ହୋଇ ସେମାନେ କିଛ କରି ପାରନ୍ତି–ଆମେମାନେ ତ ପ୍ରାୟ ଅଥର୍ବ । ଏଇ ହେତୁ ବେଳେବେଳେ ତରୁଣ ଫାଇଁ ମନରେ ଗର୍ବ ହୁଏ । କିନ୍ତୁ ଏହି କଥା ଘରେ ମୁଁ କାହାକୁ କହେନାହିଁ । ସେମାନେ ତ ଚାହାଁନ୍ତି ପୁଅ ତାଙ୍କୁ ଏଇ ବୟସରେ ସାହାଯ୍ୟ କରନ୍ତା । ସମସ୍ତେ ନିଜ ନିଜ ଦୃଷ୍ଟି କୋଣରୁ ଯୁକ୍ତି କରିଥାଆନ୍ତି-। କାହାକୁ କଣଟେ ବୁଝେଇବ ? ଆଜି ବୁଝେଇବ ତ କାଲି ପୁଣି ସେଇ କଥା । ମୁଁ କିନ୍ତୁ ଦୁଃଖ କରୁନି । ହଁ, ଏଇ ବୟସରେ ଆଉ ଟିକିଏ ଶ୍ରମ କରିବାକୁ ହେବ–କିନ୍ତୁ ତମର ଏହି ପେନ୍‌ସନ୍‌ ପ୍ରସ୍ତାବରେ ମୁଁ ରାଜି ନୁହେ । ବରଂ ଯେତିକି ସାମର୍ଥ୍ୟ ଅଛି ସେତିକି ସାହାଯ୍ୟ କରିବା ଏହି ସଂଗ୍ରାମୀମାନଙ୍କୁ ।

 

ଅରୁଣ ଭାବି ଭାବି ଚାଲିଲା । ଏଇନେ ଘର ଚଳେ ବାପାଙ୍କ ଟ୍ୟୁସନରେ । ଦୁଇ ଓଳି ବାପା ଟ୍ୟୁସନ୍‌ କରନ୍ତି । ସେ ମଧ୍ୟ ଗୋଟାଏ ଟ୍ୟୁସନ କଲେ । ଆଉ ଗୋଟେ ଦୁଇଟି ଟ୍ୟୁସନ ମିଳିଲେ ସେ କରନ୍ତା । କିନ୍ତୁ ଅନେକେ ତ ତା ଭଳି ବେକାର ଏବଂ ଅଧିକାଂଶ ତା ଭଳି ଗରିବ । ଏଣୁ ଟ୍ୟୁସନ୍‌ ପାଇବା ପାଇଁ ଅନେକ ପ୍ରତିଦ୍ୱନ୍ଦିତା ରହିଛି–

 

ଅରୁଣ ଜାଣେ ବାପାଙ୍କ ବ୍ୟବହାରଟା ବାହାରୁ ଏକ ରକମ କଠୋର ଜଣାପଡ଼ିଲେ ବି ଭିତରୁ ସେ ସେଇଭଳି ନୁହନ୍ତି । ବଡ଼ଭାଇଙ୍କ ନିକଟରୁ ଚିଠି ଆସେ ତା ନିକଟକୁ–ଡାକରେ ନୁହେ, କୌଣସି ବିଶ୍ୱସ୍ତ କର୍ମୀଦ୍ୱାରା । ବାପା ଏହା ଜାଣନ୍ତି । କିନ୍ତୁ କିଛି ନ ଜାଣିଲା ଭଳି ରହି ଯାଆନ୍ତି । ବାପା ଏ ଦିଗରେ ଏ ରକମ ଅଭିମାନୀ । ତାଙ୍କ ଅଭିମାନ ହେଉଛି–ତରୁଣ ସିନା ମତେ ବୁଢ଼ାଦିନେ ସମ୍ଭାଳିବ ନାହିଁ, ତା ବୋଲି ଚିଠିଟିଏ ଦେବନି ? –ବର୍ଷେ ଦିବର୍ଷରେ ଅନ୍ତତଃ ଥରେ ମୁହଁଟା ଦେଖାଇ ଯାଆନ୍ତା ନାହିଁ ?

 

ବେଳେ ବେଳେ ମନ ଅସ୍ଥିର ହୋଇଗଲେ ବାପା ଅରୁଣକୁ ପଚାରନ୍ତି–ଏଇ ଭିତରେ ତରୁଣ ଚିଠି ଦେଇଛି ? ଅରୁଣ ମୁଣ୍ଡ ହଲାଏ । ବାପା ପଚାରନ୍ତି–ଘର କଥା କିଛି ପଚାରିଛି ? ଅରୁଣ ଜାଣେ ଯେ, ଅଭିମାନରେ ବାପା ‘‘ମୋ କଥା’’ ନ କହି କହନ୍ତି ଘର କଥା । ଅରୁଣ କହେ–ଆପଣଙ୍କ କଥା ଅନେକ ପଚାରିଛି । ଅଭିମାନୀ ବାପା କହନ୍ତି ନାହିଁ–କଣ ଲେଖିଛି ଚିଠିଟା ଆଣିଲୁ-। କହନ୍ତି–ହଁ, ମତେ ଏଯାଏଁ ଚିଠିଟିଏ ଦେଲା ନାହିଁ ।

 

ଥରେ ଏମିତି କଥା ହେଉ ହେଉ ଅରୁଣ କହି ପକାଇଲା–ବାପା, ଗୋଟେ କଥା କହିବି କିଛି ଭାବିବ ନାହିଁତ ।

 

–ନା, ଭାବିବି ଆଉ କ’ଣ ? ବାପା କହିଲେ ।

 

–ଭାଇ ତମକୁ ଚିଠିଦେଉ ନାହାନ୍ତି କାହିଁକି ତାର କାରଣ ମୁଁ ପଚାରିଥିଲି । ସେ ଲେଖିଥିଲେ ପୋଲିସ, ଗୁଇନ୍ଦା ଇତ୍ୟାଦି ସବୁତ ତାଙ୍କ ପଛେ ପଛେ । ତମ ଠିକଣାରେ ଚିଠି ଦେଲେ ସେମାନେ ଯଦି ତାହା ଜାଣି ପାରନ୍ତି, ତାହେଲେ ଏହି ବୃଦ୍ଧ ବୟସରେ ପୁଣି ତମକୁ ଜେଲ୍‌ ଦଣ୍ଡ କିମ୍ବା ଅନେକ ଯାତନା ଭୋଗିବାକୁ ପଡ଼ିବ ।

 

–ଆଉ ତତେ ଚିଠି ଦେଲେ ଗୁଇନ୍ଦା, ପୁଲିସ ଛାଡ଼ି ଦେବେ ? ଲେଖିଛି–ତୁ’ତ ଯୁବକ । ଦେଶପାଇଁ କିଛି ନିର୍ଯ୍ୟାତନା ଏଇନେ ଭୋଗି ପାରିବୁ । କିନ୍ତୁ ବାପା ଯେ ଅନେକ ଭୋଗିଛନ୍ତି । ଏଇ ବୟସରେ ଆଉ ନୁହେ–

 

–ଟୋକାଟା ଏଯାଏଁ ତା ବାପାକୁ ଚିହ୍ନି ପାରିଲା ନାହିଁ । ଆରେ ଏମିତି ଡରିମରି ବଞ୍ଚିବା ଅପେକ୍ଷା, ନଖାଇ ନପିଇ ହଇରାଣ ଡହଳ ବିକଳ ହୋଇ ଶେଷ ନିଶ୍ୱାସ ଛାଡ଼ିବା ଅପେକ୍ଷା ଲଢ଼ି ଲଢ଼ି ଗୁଳି ଚୋଟରେ ଏକାଥରେ ମରିବା କଣ ଭଲ ନୁହେଁ । ତାପରେ ଦୀର୍ଘଶ୍ୱାସଟିଏ ଛାଡ଼ି ବାପା କହିଲେ–ହଉ ଯା, ଚିଠି ପାଇବା ବେଳେ ଖୁବ୍‌ ସାବଧାନ । ଏଇ ଚିଠି ସବୁ ପଢ଼ିବା ପରେ ଜାଳିଦେବୁ । କିଏ ଜାଣେ କେତେବେଳେ କେଉଁ କଥା ।

 

ବାପାଙ୍କ ଶିଥିଳ ପଦକ୍ଷେପ ପଛରେ ଯାଉ ଯାଉ ଅରୁଣ ଭାବିଲା–କିନ୍ତୁ ସ୍ନେହର ବଡ଼ ଭାଇଙ୍କ ଚିଠିସବୁ ଜାଳି ଦେଇ ହେବ କିପରି ? ନା, ସେ ସବୁ ଚିଠି ଅତି ଗୋପନରେ ସାଇତି ରଖିଚି । ସେ ସବୁ ପଢ଼ୁ ପଢ଼ୁ ସେ ଅନେକ ସମୟରେ ଖୁବ୍‌ ଉତ୍ସାହିତ ହୋଇପଡ଼େ–ଯେମିତି କିଛି ରାସ୍ତା ପାଉ ନଥିବା ଲୋକେ ରାସ୍ତା ପାଇଗଲେ ନିଜକୁ ଉତ୍ସାହିତ ମନେ କରିଥାଏ । ଭାଇଙ୍କ ଶେଷ ଚିଠିଟା ଏଇଭଳି ଥିଲା–

 

ଅରୁଣ, ଏହା ହୁଏତ ତୋ ପାଖକୁ ମୋର ଶେଷ ଚିଠି । ତୋ ହାତରେ ଏହା ପହଞ୍ଚିବା ବେଳକୁ ମୁଁ ଓ ମୋର କେତେଜଣ ସାଥି ଏଇ ସଂସାରରୁ ବିଦାୟ ନେଇ ସାରିଥିବୁ । ମୁଁ ଜାଣେ ଆମର କିଛି ତୃଟି ରହି ଯାଇଥିଲା–ଷ୍ଟ୍ରାଟାଜି ଓ ଟେକ୍‌ଟିକଲ ଲାଇନ ଧରିବା ବେଳେ । କିନ୍ତୁ ମୋର ବିଶ୍ୱାସ ଯେ ଆମେ କେଇ ଜଣ ଛଡ଼ା ଅନ୍ୟ ଯେଉଁମାନେ ରହିଯିବେ, ସେମାନେ ଏଇ ତୃଟି ସବୁରୁ ଅନେକ କିଛି ଶିକ୍ଷା ଲଭିବେ ଏବଂ ପରବର୍ତ୍ତୀ କାଳରେ ଅନେକ ବ୍ୟକ୍ତି ଏଇ ରାସ୍ତାରେ ଅଧିକ ସୁଯୋଗ ସୁବିଧା ସହ ଆଗେଇ ପାରିବେ । ଯେଉଁଦିନ ସମସ୍ତେ ଏହି ଆଦର୍ଶ ବୁଝିନେବେ ସେଦିନ ଠାରୁ ଆମ ଆଦର୍ଶ ଫଳପ୍ରସୂ ହେବ । ଯୁଗେ ଯୁଗେ ଆଜିର ବିଦ୍ରୋହୀ ତ କାଲିର ଦେଶପ୍ରେମୀ ଭାବେ ପରିଚିତ । ଏବଂ ଆମ ପାଖରେ ଦୃଢ଼ ହୃଦବୋଧ ଓ ଆତ୍ମବିଶ୍ୱାସ ଅଛି ଯେ କୌଣସି ସ୍ୱାର୍ଥ ସାଧନ ପାଇଁ ଆମେ ଏହି ପନ୍ଥା ଧରି ନାହୁଁ । ଭ୍ରଷ୍ଟାଚାର, ଦୁର୍ନୀତି, ଲୋକଙ୍କ ଅଭାବ ଅନାଟନ, ଦେଶସେବା ଲୋକହିତ ଇତ୍ୟାଦି ନାମରେ ଭଣ୍ଡାମି, ଏସବୁ ବିରୁଦ୍ଧରେ ସଂଘବଦ୍ଧ ଭାବେ ଦେଶର ଯୁବଶକ୍ତିକୁ ଅନେକ କିଛି କରିବାର ଅଛି । ହଁ, ତୋ ଭିତରେ ବି ଏହି ଆଦର୍ଶର ଜୀବାଣୁ ସବୁ ଅଛି ମୁଁ ଜାଣେ । କେବଳ ନିଜେ ବୁଝିଗଲେ ହେବନାହିଁ, ସମସ୍ୟାଟି ହେଲା ଅଧିକରୁ ଅଧିକ ଲୋକଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଏଥିରେ ସାମିଲ କରାଇବା । ଲୋକଙ୍କ ସାହଚର୍ଯ୍ୟ ଓ ସହାନୁଭୂତି ଅପରିହାର୍ଯ୍ୟ । ବିଶ୍ୱାସ ଓ ନିଷ୍ଠା ବ୍ୟତୀତ ଫେସନ୍‌ ପାଇଁ ବିପ୍ଳବ କରାଯାଏ ନାହିଁ । ଆଜି ତମେମାନେ ସମସ୍ତେ ଯାହା କରିବ, କାଲି ତାହା ହେବ ସମାଜ ଓ ଦେଶର ଭବିଷ୍ୟତ । ଜୀବନର ଏଇ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ବି ଆମମାନଙ୍କ ମନରେ ଦୁଃଖ, ସନ୍ଦେହ କିମ୍ବା ଆଶଙ୍କାର ଲେଶ ଚିହ୍ନ ନାହିଁ । ଏଣୁ କେହି ଭାବ–ବିହ୍ୱଳତା କିମ୍ବା ଶୋକର ବଶବର୍ତ୍ତୀ ହେବ ଏହା ମୁଁ ଚାହେଁ ନାହିଁ–କଠୋର ଭାବେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ । ଶରୀରର ମୃତ୍ୟୁ, ମୃତ୍ୟୁ ନୁହେ–ଆଦର୍ଶର ମୃତ୍ୟୁ ଓ ନିଷ୍କ୍ରିୟତା ତ ପ୍ରକୃତ ମୃତ୍ୟୁ । ମୃତ୍ୟୁ ପରେ ଆମେ ଯିବୁ କେଉଁଠିକୁ ? ଆମର ଆସକ୍ତି ତ ପଡ଼ି ରହିଛି ତମମାନଙ୍କ ପାଖରେ—ଏଇ ସମାଜ ଦେଶ ପାଖରେ ନୂତନ ଏକ ସ୍ୱପ୍ନର ସାର୍ଥକତା ପାଖରେ । ଏଣୁ ବହୁବାର ଜନ୍ମ ହେବୁ ତମ ଗହଣରେ । ବ୍ୟକ୍ତିଗତ ଭାବେ ଅବଶ୍ୟ ତୋ ଆଗରେ ଦୁଇଟି ସମସ୍ୟା ପରିବାର ପ୍ରତି ଓ ଆନ୍ଦୋଳନ ପ୍ରତି । ମୋର ବିଶ୍ୱାସ ତୁ ଉପଯୁକ୍ତ ପନ୍ଥା ନିର୍ଣ୍ଣୟ କରି ପାରିବୁ । ଏଣୁ ଉପଦେଶାଦି ନିରର୍ଥକ । —ବାପା, ମାଁ କିମ୍ବା ସିପ୍ରାକୁ ଏହି ବିଷୟରେ କିଛି ଜଣାଇବା ଆବଶ୍ୟକ ନାହିଁ ।

 

ଅରୁଣ ବାପା ଓ ବଡ଼ଭାଇ ବିଷୟରେ ଏମିତି ସବୁ ଭାବୁ ଭାବୁ ପହଞ୍ଚିଗଲା ଟ୍ୟୁସନ୍‌ କରିବା ଘରଟି ନିକଟରେ ।

 

ଏହି ଟ୍ୟୁସନ୍‌ ଘରଟି ନିକଟରେ ପହଞ୍ଚିଲେ ଅରୁଣର ମିଜାଜ ଅନେକ ସମୟରେ ଗରମ ହୋଇଯାଏ । ବାପ ଓ ଭାଇଙ୍କ ସହ ଜଡ଼ିତ ବିଭିନ୍ନ ଚିନ୍ତା ମନରେ ନେଇ, ଏହି ଘରଟି ନିକଟରେ ପହଞ୍ଚି ଅରୁଣ ଏଇହେତୁ ସ୍ଥିର କରେ ଯେ ସେ ଆଜି ଅଧିକ ସମୟ ନ ପଢ଼ାଇ ଫେରିବ ।

 

ପ୍ରକୃତରେ ଅନେକ ସମୟରେ ଅଳକା ନାମ୍ନୀ ଏହି ଛାତ୍ରୀଟି ଅରୁଣକୁ ଅଣନିଶ୍ୱାସୀ କରିଦିଏ ଏଣୁ ତେଣୁ ବାଜେ ଗପି । ମାସ ଆରମ୍ଭରେ ନିୟମିତ ମିଳିଯାଉଥିବା ଅପେକ୍ଷାକୃତ ମୋଟା ଟ୍ୟୁସନ ଫି’ଟା ତାମନର ଅସହ୍ୟ ଭାବନା ବ୍ୟକ୍ତି ହେବାରେ ପ୍ରତିବନ୍ଧକ ହୁଏ । ଛାତ୍ରୀଟି ଅତ୍ୟଧିକ ସିନେମା ଖୋର । ଅଧିକାଂଶ ଟ୍ୟୁସନ୍‌ ଟାଇମରେ ନଥାଏ; ଏବଂ ଯେଉଁ କିଛି ସମୟ ପଢ଼ାବହି ଧରି ବସିବାକୁ ବାଧ୍ୟ ହୁଏ, ଏଣୁ ତେଣୁ ପ୍ରଶ୍ନ ପଚାରି ସମୟ ବରବାଦ କରେ । ପ୍ରଶ୍ନ ସବୁ ପ୍ରାୟ ସିନେମା ନାୟକ ନାୟିକାଙ୍କୁ ନେଇ । ଯେମିତି ଏଇ କେଇ ଦିନ ତଳେ ପଚାରିଲା—ସାର୍‌, ସାର୍‌ ହେମାମାଳିନୀ ବିବାହିତ ଧର୍ମେନ୍ଦ୍ରକୁ ଏଭଳି ଲୁଚାଛପା ବିବାହ କରି କଣ ଭଲ କାମକଲା ?

 

–ଦେଖ ଏଇ ପଢ଼ା ସମୟରେ ଏସବୁ କଥା କଣ ଦର୍କାର, ଅରୁଣ କହିଲା ।

 

–ନା ସାର୍‌, ମୁଁ ଏକଥା ପଚାରନ୍ତି ନାହିଁ ଯେ ଆପଣଙ୍କ ଚେହେରାଟିତ ଅନେକଟା ଧର୍ମେନ୍ଦ୍ରଭଳି । କିନ୍ତୁ ସାର୍‌ ! କିଛି ଭାବିବେନି, ଆପଣ ଯଦି ବ୍ୟାୟାମ ନ କରନ୍ତି ମୋଟା ହୋଇଯିବେ । ପଚାଶବର୍ଷ ପାଖାପାଖି ହେଲେ କଣ ହେଲା ଧର୍ମେନ୍ଦ୍ର ଏ ଯାଏଁ ଖୁବ୍‌ ବ୍ୟାୟାମ କରେ । ଇଚ୍ଛା ହେଉଥିଲା ଅରୁଣର ଯେ ଗାଲରେ ଚଟକଣାଟିଏ ଥୋଇ ଦେବ । କିନ୍ତୁ ଯଦି ଅଳକା ଡା ଡାଡି ମମ୍ମିଙ୍କୁ କିଛି କହି ଏଇ ଟ୍ୟୁସନ୍‌ ଚାକିରିଟା ନଟ୍‌ କରିଦେବ ? ଟୁସନ୍‌ଟା ତ ଜୀବନଯାତ୍ରା ପାଇଁ ନିତାନ୍ତ ଆବଶ୍ୟକ ।

 

ଏଭଳି ଝିଅକୁ ପଢ଼ା ଭିତରକୁ ଟାଣିଆଣିବା ଖୁବ୍‌ କଷ୍ଟକର କାମ । ପଢ଼ା ଆରମ୍ଭରୁ ଶେଷଯାଏଁ ଅନେକ ଏଣୁ ତେଣୁ ବାଜେ ପ୍ରଶ୍ନ–କେବଳ ପଢ଼ାଟା ଆଗେଇ ନ ଦେବା ପାଇଁ । ଏଣୁ ଅନେକ ସତର୍କତା ସହ ତାକୁ ପଢ଼ା କାମ ଚଳେଇବାକୁ ହୁଏ ।

 

ଆଜିବି ଏଇଭଳି ଉଦ୍ୟମ କରି ଗମ୍ଭୀର ଭାବେ ବ୍ରାଉନିଂଙ୍କ ‘ପ୍ୟାଟ୍ରିଅଟ’ କବିତାଟି ପଢ଼େଇବା ଆରମ୍ଭ କଲା ସେ–ଇଟ୍‌ ଓ୍ୱାଜ ଗେଜସ୍‌ ଗେଜସ୍‌ ଅଲ ଦ ଓୟେ.... ।

 

ଉଚ୍ଚ ଏକ ଯାଗାରୁ କାଚ ପାତ୍ରଟିଏ ପଡ଼ିଯାଇ ଟୁକୁରା ଟୁକୁରା ହୋଇଯିବା ବେଳେ ଯେଉଁଭଳି ଶବ୍ଦ ହୁଏ, ସେଭଳି କଣ୍ଠସ୍ୱରରେ ଅଳକା ଅବଶ୍ୟ ପଚାରିଥିଲା–ସାର୍‌, ଆଜି ବୋଧେ ଆପଣଙ୍କ ମନ ଭଲ ନାହିଁ ?

 

ଏହାର କିଛି ଉତ୍ତର ନ ଦେଇ ପଢ଼ାକାମ ଚାଲୁରଖି ପ୍ରାୟ ଏକ ଘଣ୍ଟାପରେ ହାତଘଡ଼ି ଦେଖୁ ଅରୁଣ ଉଠିପଡ଼ିଲା ।

 

ତାକୁ ଆଜି ଅନ୍ତତଃ ଦୁଇଟା ଜାଗାକୁ ଯିବାକୁ ହେବ–ବାପାଙ୍କ ଛାତ୍ର ଭୁବନବାବୁଙ୍କ ନିକଟକୁ ଏବଂ ଜଣେ ମିନିଷ୍ଟର ଲମ୍ବୋଦରବାବୁଙ୍କ ନିକଟକୁ । ବାପା ତାଙ୍କ ଛାତ୍ରକୁ ଏକ ବ୍ୟକ୍ତିଗତ ପତ୍ର ବି ଲେଖି ସାରିଥିଲେ । ଲମ୍ବୋଦରବାବୁଙ୍କୁ ତ ଗତ ନିର୍ବାଚନବେଳେ ସେ ବ୍ୟକ୍ତିଗତ ଭାବେ ଯେଭଳି ସାହାଯ୍ୟ କରିଛି, ତାହା ତାଙ୍କର ଭାଷାରେହିଁ ‘‘କେବେ ଭୁଲି ହେବନାହିଁ’’ । ଏ ଦୁଇଟି ଯାଗାକୁ ଯଦି କେଉଁଠି ଚାକିରିଟିଏ ମିଳିଯାଏ, ତାହେଲେ କିଛିଦିନ ମାଁ ବାପାଙ୍କ ମନରେ ଟିକିଏ ଶାନ୍ତି ଆଣିପାରିବ । ଏଇ ବୟସରେ ରୋଗା ବାପାଙ୍କୁ ଏଭଳି ଖଟୁଥିବା ସେ ଆଉ ଦେଖିପାରିବନି-। ଭଉଣୀଟାର ବାହାଘର କଥା ତ ଅଛି । ତରୁଣ ଭାଇ ବି ତ ବହୁବାର ଜଣାଇଛନ୍ତି ଚିଠିରେ ସେ ସବୁ ଦେଖିଚାହିଁ କରିବୁ । ଅନ୍ତତଃ ସିପ୍ରାଟାର ବାହାଘର ହେବାଯାଏଁ ତାକୁ ଦେଖିଚାହିଁ ଚଳିବାକୁ ହେବ–ନ ହେଲେ ଭଲ ପାତ୍ରଟିଏ ଜୁଟିବନି ।

 

ଏଇ ଦୁଇଟି ଜାଗାର କାମ ଯଦି ସରିଯାଏ, ସେ ମାନସୀ ଅପା ନିକଟକୁ ଯିବ । ତା ସହ ଦେଖା ହେଲା ଗୋଟାଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକ ସିଦ୍ଧାନ୍ତ ଗ୍ରହଣ କରିବ ସେ । ଏହି ସିଦ୍ଧାନ୍ତ ନ ନେବାଯାଏଁ ଯେମିତି ଏକ ଯନ୍ତ୍ରଣାରୁ ମୁକ୍ତି ସେ ପାଇ ପାରିବ ନାହିଁ ।

 

ଏମିତି ଭାବି ଭାବି ଉଠିଯିବା ବେଳେ ଅଳକା ଆଡ଼ୁ ପୁଣି ଏକ ପ୍ରଶ୍ନ ହେଲା–ଆପଣଙ୍କ ଦେହ ବୋଧେ ଭଲ ନାହିଁ ? ଆଖି ଓ ମୁହଁରୁ ଜାଣି ହେଉଛି ।

 

ଅଳକାର କଣ୍ଠସ୍ୱରରୁ ଏଥର ଖୁବ୍ ଆନ୍ତରିକତା ଥିବା ଜଣାଗଲା । ଏହି ଆନ୍ତରିକତା ପାଇଁ ମନେ ମନେ ତାକୁ ଧନ୍ୟବାଦ ଦେଇ ଅରୁଣ କହିଲା–ନା, ସେମିତି କିଛି ଅସୁସ୍ଥତା ନାହିଁ ଯେ ମନରେ କିଛି ଜରୁରୀ ଚିନ୍ତା ଅଛି । ତା ପରେ ସେ ବାହାରକୁ ଚାଲି ଆସିଲା । ଅଳକା ଯେ ସେଇ ଜରୁରୀ ଚିନ୍ତା ସବୁ କ’ଣ ଜାଣିବା ପାଇଁ ପ୍ରଶ୍ନ ପଚାରିଲାନି ସେଥିପାଇଁ ମଧ୍ୟ ସେ ଆଜି ଧନ୍ୟବାଦାର୍ହା-

 

ରାସ୍ତାକୁ ଆସିବା ପରେ ତାର ପ୍ରଥମ ଚିନ୍ତାହେଲା ଭୁବନବାବୁଙ୍କ ନିକଟକୁ ଆଗେଯିବ ନା ଲମ୍ବୋଦରବାବୁଙ୍କ ନିକଟକୁ । ଲମ୍ବୋଦରବାବୁ ଜଣେ ମିନିଷ୍ଟର । ଏଣୁ ତାଙ୍କ ନିକଟକୁ ଯିବା ହିଁ ଭଲ । ନିର୍ବାଚନ ପରେ ମିନିଷ୍ଟର ହେବା ଦିନଠୁ ବ୍ୟକ୍ତିଗତ କିଛି ପାଇଁ ସେ ଏଯାଏଁ ତାଙ୍କ ନିକଟରେ ହାତ ପାତିନି । ଅବଶ୍ୟ ଅନ୍ୟ ଯିବା ଲୋକଙ୍କଠୁ ଶୁଣିଚି ଯେ ସେ ଆଉ ଆଗଭଳି ନାହାନ୍ତି । ଯେଉଁମାନେ ଯାଇଛନ୍ତି ସେମାନେ ନିରାଶ ହୋଇ ଫେରିଛନ୍ତି । ତଥାପି ଯାଇ ଦେଖେ । ତା ଜୀବନରେ ସୁସମ୍ବାଦ ସଂଖ୍ୟା ତ ଅତିକମ ଏବଂ ଅଳ୍ପ କ୍ଷଣସ୍ଥାୟୀ ହୋଇ ଏ ଯାଏଁ ରହି ଆସିଛି । ବିଭିନ୍ନ ପରୀକ୍ଷାରେ ପାଶ, ବଡ଼ଭାଇ ତରୁଣର ଜେଲଖାନାରୁ ସାମୟିକ ଖଲାସ, କିମ୍ବା ଆରତୀ ସହ କଟେଇଥିବା କେତେଟା ସୁନ୍ଦର ମୁହୂର୍ତ୍ତ ମଧ୍ୟ ତ ଖବରକାଗଜରେ ପଢ଼ିବା ଖବର ଭଳି ସାମୟିକ ଭାବେ ହିଁ ତାଜା । ଏତେ ପାଶ କରିବି ସେ ବେକାର, ଭାଇ ଜେଲଖାନାରୁ ମୁକ୍ତି ପାଉ ପାଉ ପୁଣି ଜେଲ କିମ୍ବା ପଳାୟନ, ଶେଷରେ ସାମ୍ଭାବ୍ୟ ମୃତ୍ୟୁ ଏବଂ ଆରତୀ ସହ ତା ସମ୍ପର୍କ ବି ଆଜି ଏକ ସଙ୍କଟରେ ।

 

ଲମ୍ବୋଦରବାବୁଙ୍କ କୋଠୀ ନିକଟରେ ପହଞ୍ଚି ଦୁଇ ଓଠ ମଧ୍ୟରେ ଜଳୁଥିବା ସିଗାରେଟ୍‌ଟି ଫିଙ୍ଗି ଦେଲା ଅରୁଣ । ନାଁ ତାଙ୍କ ଆଗରେ ଏଇନେ ସିଗାରେଟ୍‌ ଫୁଙ୍କିବା ଉଚିତ ହେବନି, ଯଦିଓ ନିର୍ବାଚନ ଦିନମାନଙ୍କରେ ଦୁହେଁ ମୁହାଁ ମୁହିଁ ବସି ସିଗାରେଟ୍‌ ଫୁଙ୍କୁଥିଲେ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନେକ ବିଚାର କରୁଥିଲେ । ତା ଭଳି କର୍ମୀମାନଙ୍କ ପାଇଁ କେବଳ ପାନ ସିଗାରେଟ୍‌ କାହିଁକି ଚର୍ବ୍ୟଚୋଷ୍ୟ ଲେହ୍ୟପେୟ ଇତ୍ୟାଦିର ସମସ୍ତ ବ୍ୟବସ୍ଥା ବ୍ୟକ୍ତିଗତଭାବେ ସେ ବୁଝୁଥିଲେ । କିନ୍ତୁ ଯାହାହେଲେ ବି ଏଇନେ ମିନିଷ୍ଟର ତ । କାରଣ ନିର୍ବାଚନ ଆଗରୁ ଓ ନିର୍ବାଚନ ବେଳେ ମନ୍ତ୍ରୀମାନଙ୍କର ସାମାଜିକ ଓଜନ ଯାହାଥାଏ, ତାହା ବହୁଗୁଣ ବଢ଼ିଯାଏ ନିର୍ବାଚନ ପରେ ।

 

ଅରୁଣ ସିଡ଼ି ଦେଇ ଉପରକୁ ଉଠେ । ନିର୍ବାଚନ ଆଗରୁ ଅବଶ୍ୟ ଏଭଳି ଘରେ ରହୁ ନଥିଲେ ଲମ୍ବୋଦର ବାବୁ । ଏପରିକି ତାଙ୍କ ବାପା ବଡ଼ ବାପା କେହି ଏଭଳି ଘରେ ନଥିଲେ । ଲମ୍ବୋଦର ବାବୁଙ୍କ ବାପା କୁଆଡ଼େ ସ୍ୱାଧୀନତା ସଂଗ୍ରାମ ବେଳେ ପତାକା ଧରି ‘‘ଭାରତମାତା କି ଜୟ’’ କହି ବୁଲୁଥିଲେ । ଶଶଧର ଓ ଦୀନବନ୍ଧୁ ବାବୁଙ୍କ ଭଳି ସେ ଜେଲ ଯାଇ ନଥିଲେ । ଭାରତ ସ୍ୱାଧୀନ ହେବାର ମାତ୍ର କେଇଟା ଦିନ ଆଗରୁ ଲମ୍ବୋଦର ବାବୁଙ୍କ ବାପା ଇହଧାମ ତ୍ୟାଗ କଲେ । ଦେଶ ସ୍ୱାଧୀନ ହେବା ପରେ ପରେ ଯେତେବେଳେ ଦେଶର ପଇସା ଓ କ୍ଷମତା ଦଳ ଭିତରେ ବଣ୍ଟନ ହେଲା, ଲମ୍ବୋଦରବାବୁ ଚିତ୍କାର କଲେ ଯେ ତାଙ୍କ ବାପା ଏଯାଏଁ ବଞ୍ଚିପାରିଥାନ୍ତେ, କିନ୍ତୁ କେବଳ ତାଙ୍କ ଦେଶପ୍ରେମ ଓ ଦେଶର ସ୍ୱାଧୀନତା ପାଇଁ କଠୋର ପ୍ରାଣମୂର୍ଚ୍ଛା ପରିଶ୍ରମ ଫଳରେ ହିଁ ତାଙ୍କ ଅକାଳ ମୃତ୍ୟୁ ଘଟିଲା । ବର୍ତ୍ତମାନ ବଞ୍ଚିଥିଲେ ସେ ଜଣେ ଗଭର୍ଣ୍ଣର କିମ୍ବା ମନ୍ତ୍ରୀ ହୋଇ ପାରିଥାନ୍ତେ । ଦେଶ ତାଙ୍କ ତ୍ୟାଗକୁ ମନେପକାଇବା ଉଚିତ । ଏଥିପାଇଁ ବ୍ୟକ୍ତିଗତ କିଛି ବନ୍ଧୁମାନଙ୍କୁ ନେଇ ସେ ତାଙ୍କର ଏକ ସ୍ମରଣିକା ପ୍ରକାଶ କଲେ । ସେଥିରେ ତାଙ୍କ ପିତାଙ୍କ ମହନୀୟ ଗୁଣାବଳୀ, ଦେଶର ସ୍ୱାଧୀନତାକୁ ତାଙ୍କ ଦାନ ଇତ୍ୟାଦି ଉଚ୍ଚ ପ୍ରଶଂସିତ ହୋଇ ପ୍ରକାଶିତ ହେଲା, ସଭାସମିତି ହେଲା, ଖବର କାଗଜରେ ଖବର ଛପା ହେଲା, ପିତାଙ୍କ ଜନ୍ମଦିନ ମୃତ୍ୟୁଦିବସ ଓ ଅନ୍ୟାନ୍ୟ ଜାତୀୟ ଦିବସ ଗୁଡ଼ିକରେ ମଧ୍ୟ ଅନେକ ଆତିରଞ୍ଜିତ ପ୍ରଶଂସା ପିତାଙ୍କ ବିଷୟରେ ପ୍ରକାଶିତ ହେଲା ।

 

ଏତେବେଳକୁ ସେ କଂଗ୍ରେସର ଏକ ବହୁଦିନିଆ ଓଜନଦାର ସଭ୍ୟ ହୋଇ ସାରିଥିଲେ-। ପ୍ରଥମେ ପାର୍ଟିଭିତରେ ବଣ୍ଟନ ହେଉଥିବା ଫାଇଦା ଜନକ ବିଭିନ୍ନ ପୋଷ୍ଟର ରହି ଦ୍ୱିତୀୟ ନିର୍ବାଚନଠାରୁ ସେ ଏମ୍‌.ଏଲ.ଏ. ଏବଂ ତୃତୀୟ ନିର୍ବାଚନଠାରୁ ସେ ମନ୍ତ୍ରୀ ହୋଇ ଆସିଲେ-। ମଝିରେ ଥରେ ଅନ୍ୟଦଳ ସରକାର ଗଢ଼ିବାରେ ସମର୍ଥ ହେବାରୁ ସେ ଦଳ ବଦଳେଇ, ସେଇ ଦଳଭ ବି ମନ୍ତ୍ରୀ ହୋଇଥିଲେ । ପରେ ସେଇ ଦଳ ନିଜର ଜନପ୍ରିୟତା ହରାଇବାରୁ, ଏବେ ହୋଇଥିବା ବାଇ ଇଲେକ୍‌ସନ୍‌ କେବେ ସେ ପୁଣି ଦଉଡ଼ା ଦଉଡ଼ି କଲେ କଂଗ୍ରେସ ଟିକଟ ପାଇଁ-। କିନ୍ତୁ କଂଗ୍ରେସ ଟିକଟ ନପାଇ ମଧ୍ୟ ନିର୍ବାଚନ ଲଢ଼ିଲେ । ସେତେବେଳେ ଗାଁ, ଗାଁ ଘର ଘର ବୁଲି ଆବାଳବୃଦ୍ଧ ବନିତା ସମସ୍ତଙ୍କୁ ବାପା, ମାଁ, ଭାଇ, ଭଉଣୀ କହି କାହା କାନ୍ଧରେ ହାତ ପକାଇ, କାହାକୁ ହାତଯୋଡ଼ ହୋଇ ସେମାନଙ୍କର ସବୁ କାମ କରିଦେବା ପାଇଁ ସ୍ଥତିଜ୍ଞା କରି ଜଗନ୍ନାଥଙ୍କ ମହାପ୍ରସାଦ ବାଣ୍ଟି ଅରୁଣ ଭଳି ଟୋକାମାନଙ୍କ ଦଳ ସହ ଗତିଦିନ ପ୍ରଚାରରେ ଏକାକାର କରିଦେଇ ଶେଷରେ ଅତି ଅଳ୍ପ ଭୋଟରେ ଜିତିଗଲେ ।

 

ନିର୍ବାଚନ ପରେ କୌଣସି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନପାଇବା କାରଣରୁ, ନିର୍ବାଚନ ପରେ ସବୁଦିନ ସରକାର ଗଢ଼ିବା ପାଇଁ ନିର୍ବାଚନ ବ୍ୟକ୍ତିମାନଙ୍କୁ ଦଳ ବଦଳାଇବା ଲାଗି ଟଙ୍କା ପଇସା ଗଣାଗଣି କିମ୍ବା ମନ୍ତ୍ରିତ୍ୱ, ବାଚସ୍ପତି ପଦ ଓ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇବା ଆରମ୍ଭ କରିଦେଲେ । ଲମ୍ବୋଦର ବାବୁ କଂଗ୍ରେସରେ ମିଶିବା ତ ଚାହୁଁଥିଲେ । କହିଲେ–ଅମୁକ ମନ୍ତ୍ରୀପଦ ମିଳିଲେ ସେ ଯୋଗଦେବେ । ଶେଷରେ କଂଗ୍ରେସ ପାର୍ଟି ତ୍ୟାଗ କରି ସେ ଅନ୍ୟ ପାର୍ଟିରେ ଯୋଗ ଦେବା ହେତୁ ଶୃଙ୍ଖଳା ଦୃଷ୍ଟିରୁ ଏବଂ ଅନ୍ୟ ନିଷ୍ଠାପର ନିର୍ବାଚିତମାନଙ୍କ ପାଇଁ କ୍ଷମତା ବଣ୍ଟନରେ ଉପଯୁକ୍ତ ସ୍ଥାନର ଅଭାବ ଦୃଷ୍ଟିରୁ ଏଇନେ ସେ ସେଇ ବିଭାଗର ମିନିଷ୍ଟର ହେବେ ଏବଂ ଆଗାମୀ ଏକ ବର୍ଷ ଭିତରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ଦିଆଯିବ ଏଭଳି ପ୍ରତିଶ୍ରୁତି ସେ ସରକାରୀ ଦଳର ନେତାଙ୍କଠୁ ପାଇ ମିନିଷ୍ଟର ହେଲେ ।

 

କିଛି ଲୋକ ଅବଶ୍ୟ କୁହାକୁହି ହେଲେ ଯେ ଥରେ କ୍ୟାବିନେଟ ମିନିଷ୍ଟର ହୋଇ ସାରି ଷ୍ଟେଟ ମିନିଷ୍ଟର ହେବା ଲମ୍ବୋଦର ବାବୁଙ୍କ ପକ୍ଷରେ ଉଚିତ ନଥିଲା । ଏହା ଶୁଣି ପାରି ଲମ୍ବୋଦର ବାବୁ ଜଣେ ଅନ୍ତରଙ୍ଗ ଟାଉଟରକୁ କହିଲେ–ଦେଖ ବର୍ଷ ଦୁଇଟା ଭିତରେ ମୁଁ କଣ କରୁଚି । ଯଦି ମୁଖ୍ୟ କିମ୍ବା ଉପମୁଖ୍ୟମନ୍ତ୍ରୀ ନହୁଏ ତାହେଲେ ଏଇ ସରକାରୀ ଦଳକୁ ପୁଣି ଦି ଭାଗ କରିଦେବି । ତାଙ୍କ ନିକଟବର୍ତ୍ତୀ ଜଣେ ଚାମଚା ପଚାରିଲା–ସାର୍‌–ସାର୍‌, ଦଳ ଭାଙ୍ଗିଗଲେ ଆପଣତ ପୁଣି ସରକାର ଗଢ଼ିବା ଦଳରେ ଯୋଗ ଦେଇ ପାରନ୍ତି ? ଲମ୍ବୋଦର ବାବୁ କହିଲେ–ଚୁପ୍‌ବେ, ଏସବୁ କଥା କଣ ଆଖିରେ ଆଙ୍ଗୁଠି ଗୁଂଜି ବୁଝେଇବାକୁ ହେବ ? ଯାହା ଦିନେ କରି ପାରିଥିଲି, ଆଜି କି ଆସନ୍ତାକାଲି ମଧ୍ୟ କରିପାରେ ।

 

ସେ ଯା ହେଉ ଲମ୍ବୋଦର ବାବୁ ଏଇନେ ତ ଜଣେ ଶକ୍ତିଶାଳୀ ମିନିଷ୍ଟର ।

 

ଅରୁଣ ଲମ୍ବୋଦର ବାବୁଙ୍କ କୋଠାରେ ପହଞ୍ଚୁ କଲିଂବେଲ୍‌ ଟିପି ଦେବାରୁ ଜଣେ ଲୋକ ଆସି ଆପାଦ ମସ୍ତକ ନିରୀକ୍ଷଣ କରି କହିଲା–ଆପଣ ଟିକିଏ ବସନ୍ତ । ବାବୁ ଭିତରେ ବ୍ୟସ୍ତ ଅଛନ୍ତି-। ସ୍ୱାଭାବିକ–ଅରୁଣ ଭାବିଲା, ଲମ୍ବୋଦର ବାବୁ ବ୍ୟସ୍ତ ନଥିବେତ, ବ୍ୟସ୍ତ ଶବ୍ଦଟା ଦୁନିଆରେ ଆଉ କାହାଲାଗି, କେଉଁଥି ପାଇଁ ଅଛି ?

 

ଡ୍ରଇଂରୁମ୍‌ ସୋଫା ଉପରେ ଅରୁଣ ବସି ପଡ଼ିଲା । ଆରେ, ରୁମ୍‌ଟି ଖୁବ୍‌ ସଜା ହୋଇଛିତ । କାନ୍ଥରେ ଚାରିଆଡ଼େ ଗାନ୍ଧୀ, ସୁବାସ, ନେହୁରୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ଯାଏଁ ସବୁ ଛବି ଟଙ୍ଗା ହୋଇଚି । କେଇ ଖଣ୍ଡ ଦେଶୀ ବିଦେଶୀ କ୍ୟାଲେଣ୍ଡର । ଗୋଟାଏ କ୍ୟାଲେଣ୍ଡର ଭିତରୁ ଉଡ଼ି ଯିବାକୁ ଡେଣା ମେଲାଇ ଥିବା ଏରୋପ୍ଲେନ ପାଖରେ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଉଥିବା କେଇଜଣ ଖଦଡ଼ ପୋଷାକଧାରୀ । ଗୋଟାଏ କଣରେ ଟେଲିଫୋନ, ସୁନ୍ଦର ଫର୍‌ନିଚର । ଡ୍ରଇଂରୁମ ସାମ୍ନାରେ ସରକାରୀ ଖର୍ଚ୍ଚରେ ଲାଳିତ ପାଳିତ ସୁନ୍ଦର ଉଦ୍ୟାନ ।

 

ଅରୁଣ ସାମ୍ନା ଟେବୁଲ ଉପରୁ ରଂଗିନ ଚକମକ ମଲାଟଦେଇ ମନକୁ ଆକର୍ଷଣ କରିଥିବା ଏକ ବିଦେଶୀ ମାଗାଜିନ ଉଠାଇଲା । ପ୍ରଚ୍ଛଦ ଉପରେ ମାର୍କିନ ପ୍ରେସିଡେଣ୍ଟ ଠିଆ ସହାସ୍ୟ ମୁଖରେ । ବ୍ୟାକ୍‌ କଭରରେ ଗ୍ରୀବା, କୁଣ୍ଡଳ, ସ୍ତନ ନିତମ୍ବ ଅଙ୍ଗପ୍ରତ୍ୟଙ୍ଗାଦି ସ୍ପଷ୍ଟଚର କରି ବସିଥିବା ହେୟରରିମୁଭର ବିଜ୍ଞାପନ ଯୁକ୍ତ ନଗ୍ନ ଯୁବତୀ । ମାଗାଜିନଟିକୁ ଓଲଟାଇ ସାରି ଅନ୍ୟ ଗୋଟାଏ ହିନ୍ଦୀ ମାଗାନିଜ ଓ ଦୁଇ ତିନିଟା ଖବର କାଗଜ ଉପରେ ବି ଆଖି ବୁଲାଇ ନେଲା ଅରୁଣ-

 

କେତେ ସମୟ ଏଇନେ ବସିବାକୁ ହେବ କିଏ ଜାଣେ ? ଗୋଟାଏ ସତ୍ୟ ଅବଶ୍ୟ ଅରୁଣ ନିଜ ଅଭିଜ୍ଞତା ଦେଇ ଜାଣି ସାରିଚି ଏତେ ଦିନରେ । ହଁ, ମଣିଷର ଅଭିଜ୍ଞତା ଗୁଡ଼ିକର ସମାହାର ତ ଜ୍ଞାନ ! ଅରୁଣ ଜାଣି ପାରିଚି ଯେ ଏଇ ପୃଥିବୀରେ କୌଣସି ଜିନିଷ କୌଣସି ଦିନ ସହଜେ ମିଳେନାହିଁ । କେବଳ ଦୁଇଟି ପନ୍ଥା ଅଛି । ଗୋଟାଏ ପନ୍ଥାରେ ବହୁଦିନ ତୋଷାମଦ କରି ଦେବାଲୋକର ବିଶ୍ୱାସଭାଜନ ହେବାକୁ ପଡ଼ିବ, ତାର ଅନୈତିକ ନୀଚକର୍ମ ଗୁଡ଼ିକରେ ସାହାଯ୍ୟ ଓ ସମର୍ଥନ କରିବାକୁ ପଡ଼ିବ, ବଗ କଳା କହିଲେ ହଁ ଆଜ୍ଞା, କାଉ ଧଳା କହିଲେ ହଁ ଆଜ୍ଞା, ହଁ ଆଜ୍ଞା କରିବାକୁ ହେବ । ଅନ୍ୟ ପନ୍ଥାଟି ହେଲା ଶକ୍ତିର ପନ୍ଥା, ଜବରଦସ୍ତ ଛଡ଼ାଇ ନେବାକୁ ହେବ । ଏହି ଦୁଇଟି ଯାକ ପନ୍ଥା ଯଦିଓ ଠିକ୍‌ ପନ୍ଥା ନୁହେଁ ବୋଲି ସନାତନପନ୍ଥୀ କେହି କେହି କହିଥାଆନ୍ତି, କିନ୍ତୁ ସେମାନେ ଏକ ଆଦର୍ଶର ଅନ୍ଧପୁଟୁଳି ଭିତରୁ କହିଥାଆନ୍ତି–ବାସ୍ତବତାକୁ ସାମ୍ନାସାମ୍ନି ଆଖି ତରାଟି ସେମାନେ କେବେ ଚାହିଁ ନାହାନ୍ତି ।

ଏବଂ ଅରୁଣର ମନେହୁଏ ଯେ ଏଯାଏଁ ସେ କେବଳ ପ୍ରତୀକ୍ଷା କରି ଆସିଚି; କିନ୍ତୁ ଏ ଦୁଇଟି ପନ୍ଥା ପ୍ରତି ସେ ଅବହିତ ଥିଲେ ବି, ଏ ଯାବତ୍‌ ଏଇ ରାସ୍ତାରେ ଯାଇ ପାରିନାହିଁ । କିନ୍ତୁ ଦିନକୁ ଦିନ ସେ ଯେପରି ଅସ୍ଥିର ହୋଇ ପଡ଼ୁଛି । ଅନୁଧ୍ୟାନ କରି ଦେଖିଲେ କେବଳ ମାଙ୍କ ସନ୍ତାନ ସ୍ନେହ ଓ ଆରତୀର ଭଲ ପାଇବା ଟିକକ ଛାଡ଼ିଦେଲେ ସେ ଏଇ ବାହାର ଦୁନିଆରୁ ଏଯାଏଁ କିଛି ପାଇନି, ବହୁ ଅପେକ୍ଷା ସତ୍ୱେ ।

ପିଲାଦିନର ଏକ ଘଟଣା ମନେ ପଡ଼ିଯାଏ । ଘର ବାରଣ୍ଡାରେ ବସି ମାଙ୍କ ଅନୁରୋଧରେ ଏକ ଗେରୁଆ ବସ୍ତ୍ରଧାରୀ ଦାଢ଼ୀବାଲା ବାବାଜୀ ତାର ହାତ ଦେଖୁ କହିଥିଲା ଚେଷ୍ଟାକଲେ ଏଇ ପିଲା ମାଟି ଧଇଲେ ବି ସୁନା ହୋଇଯିବ ତା ବୟସ ଆସିଲେ । ଏଇନେ ସେ ଭାବୁଚି ସେ ଏଥିରେ ଏଡ଼େ ଖୁସି ହେବାର କିଛି କାରଣ ନଥିଲା । କାରଣ ‘ଚେଷ୍ଟାକଲେ’, ‘ବୟସ ଆସିଲେ’ ଇତ୍ୟାଦି ପଦତ ଥିଲା ଅତି ସନ୍ଦେହାମୂକ । ତଥାପି ମା କେତେ ଖୁସି ହୋଇଯାଇ ନଥିଲେ ଏବଂ ସେଇ ବାବାଜୀଙ୍କୁ ଅନେକ ଦକ୍ଷିଣା ଦେଇ ସାଷ୍ଟାଙ୍ଗ ପ୍ରଣିପାତ ହୋଇଥିଲେ ।

ପ୍ରକୃତରେ ମାଁ ସେତେବେଳେ କି ସୁନ୍ଦରୀ ଥିଲେ, କେତେ ସରଳା ଦେହରେ ଚଉଡ଼ା ଲାଲ ଶାଢ଼ି , କପାଳରେ ଛୋଟ ସିନ୍ଦୁର ଟୋପା, ସୁନ୍ଥାରେ ଜଳଜଳ ସେଇ ସିନ୍ଦୁର ଦାଗ । ଆଉ ଏଇନେ, ବିଶେଷତଃ ବଡ଼ ଭାଇ ତରୁଣ ଘରୁ ଚାଲିଯିବା ପରେ, କେତେ ରୋଗା, କେତେ ବିବର୍ଣ୍ଣା ସେ ହୋଇଯାଇଛନ୍ତି । ତାଙ୍କ ମୁହଁରେ ଟିକିଏ ହସ ଆଣିବା ପାଇଁ, ମନରେ ଟିକିଏ ଆନନ୍ଦ ସଞ୍ଚାର କରିବା ପାଇଁ ସିନା ସେ ଏତେ ଦଉଡ଼ା ଦଉଡ଼ି କରୁଚି, ଏମିତି ବହୁ ଜାଗାରେ କାହାକୁ ନା କାହାକୁ ଅପେକ୍ଷା କରି ବସୁଚି, ନ ହେଲେ ଏତେବେଳକୁ ସେ ବଡ଼ ଭାଇଙ୍କ ରାସ୍ତାରେ ଯାଇ ସାରନ୍ତାଣି । ଜଣେତ ଯାଇଚି ଜନ୍ମଭୂମି ପାଇଁ ଏବଂ ତାକୁ କହି ଯାଇଚି, ବାରମ୍ବାର ଚିଠି ଲେଖି ଜଣାଇଚି–ତୁ ଦେଖି ଚାହିଁ ସବୁ କରିବୁ । କିନ୍ତୁ ଯିଏ ଜନ୍ମଭୂମି ପାଇଁ ଯାଇଥିଲା ସେତ ଏଇନେ ଆଉ ନାହିଁ । ଏଣୁ ତାକୁ ବି ହୁଏତ ଜନ୍ମଭୂମି ପାଇଁ ଚାଲି ଯିବାକୁ ହେବ । ଏଇ ଅପେକ୍ଷାର ତ ସୀମା ଅଛି–ନିଜ ବିବେକର କଥା ନଶୁଣି ଆଉ କେତେଦିନ ସେ ରହି ପାରିବ ?

 

ଶେଷରେ ଲମ୍ବୋଦରବାବୁ ଡ୍ରଇଂରୁମ୍‌ରେ ପ୍ରବେଶ କଲେ । ସାଙ୍ଗରେ ଦୁଇ ତିନି ଜଣ ଚାମଚା । ଟିକିଏ ଆଡ଼ମ୍ବର ସହ ତାଙ୍କ ଉପସ୍ଥିତି ଜଣାଗଲା ଏତେଗୁଡ଼ିଏ ପଦ ଶବ୍ଦରୁ । ଅରୁଣ ନିଜ ଭାବନା–ରାଜ୍ୟ ଭିତରୁ ବର୍ତ୍ତମାନ ଭିତରକୁ ଫେରି ଆସିଲା ।

 

–କି ଖବର ଅରୁଣ, କେତେବେଳୁ ଆସିଚ ? ପ୍ରଶ୍ନ କରି ଲମ୍ବୋଦର ବାବୁ ବସି ପଡ଼ିଲେ-। ପାଦ ପାଖର କୁକୁର ଭଳି ସେଇ ଚାମଚାମାନେ ଦାନ୍ତ ନିକୁଟେଇ ଠିଆ ହୋଇ ରହିଲେ-। ତାଙ୍କ ଆଡ଼େ ଚାହିଁ ଲମ୍ବୋଦର ବାବୁ କହିଲେ, –ତମେମାନେ ଭିତରକୁ ଯାଇ ଅପେକ୍ଷା କଲ-। ହିଁ ଯିବା ଆଗରୁ ଗେଟ୍‌ରେ କହିଦିଅ, ଏଇନେ ଯିଏ ଆସିବ ବାରଣ୍ଡାରେ ଅପେକ୍ଷା କରିବ । ଡ୍ରଇଂରୁମ୍‌କୁ କେହି ନଆସେ ।

 

ଏଇ କିଛି ସମୟ ତଳେ ଆସିଲି, ଅରୁଣ କହିଲା ।

 

–ଜାଣତ ଅରୁଣ, ବଡ଼ ବ୍ୟସ୍ତ ହୋଇ ପଡ଼ିଛି ଆଜି କାଲି । ଗୋଟାଏ ଲମ୍ୱା ରାସ୍ତା ତିଆରି ଫାଇଲ ପାଇଥିଲି । ଜନସାଧାରଣଙ୍କ ପାଇଁ ତ ନିଜକୁ ସମର୍ପି ଦେଇଚି । କିଛି କାମକରି ତ ଦେଖାଇବାକୁ ହେବ ।

 

ହଁ, ସେଦିନ ହାତ ଗୋଡ଼ଧରି ଦୁଆର ଦୁଆର ବୁଲି ଲୋକଙ୍କୁ ବାପ ମା ଭାଇ ଭଉଣୀ ସମ୍ବୋଧନ କରି ମହାପ୍ରସାଦ ବାଣ୍ଟି ଭୋଟ ପାଇଥିବା, କ୍ଷମତାର କୁଚିଟିରେ ସବୁବେଳେ ବସି ରହିବା ପାଇଁ ଦଳବଦଳ ନୀତିରେ ସର୍ଦ୍ଦାର ଏଇ ଲୋକଟା, ଜନସାଧରଣଙ୍କ ପାଇଁ ନିଜକୁ ଉତ୍ସର୍ଗ କରି ଦେଇ ନାହିଁ ତ ଆଉ କ’ଣ ? ତାର ଆଉ ସମୟ କିଭଳି ହେବ ? ସବୁବେଳେ ତ ଚାଟୁକାର ବେଢ଼ି ରହିଛନ୍ତି ତା ସମୟ ନେବା ପାଇଁ । ଦେଶଟା ଯାକତ ଏଇ ପାଗ ।

 

ଜନସାଧାରଣଙ୍କ ପାଇଁ ଲମ୍ବା ପଅ ନିର୍ମାଣର ଫାଇଲ ଚାଷ ଲାଗିଚି । ବଡ଼ଭାଇଙ୍କ ଭଳି ଅନ୍ୟ ଅନେକେ ଦେଶଟା ନୂତନ କରି ଗଢ଼ି ତୋଳିବା ପାଇଁ ଅନ୍ୟ ଏକ ପଥ ଗଢ଼ି ଚାଲିଛନ୍ତି–ଶବ ଶାଗୁଣାକୁ ବେଢ଼ି ଖାଇବା ଭଳି ଦେଶଟାକୁ ଖାଇ ଶେଷ କରି ଦେଉଥିବା ଟାଉଟରମାନଙ୍କ କବଳରୁ ଦେଶକୁ ବଞ୍ଚେଇବା ପାଇଁ ।

 

–ଅରୁଣ, ହଁ କଣ କିଛି କାମ ଅଛି ? ତା ଚିନ୍ତାକୁ ବ୍ୟାହତ କରି ପୁଣି ଭାସି ଆସିଲା ଲମ୍ବୋଦର ବାବୁଙ୍କ କଣ୍ଠସ୍ୱର ।

 

ଅରୁଣ ଲମ୍ବୋଦର ବାବୁଙ୍କୁ ଏକ ତୀକ୍ଷଣ ନଜରରେ ପରଖି ନେଲା । କଳା ଗୋଲଗାଲ ମସୃଣ ଚେହେରା । ବହୁଦିନ ଧରି ସ୍ୱାଚ୍ଛନ୍ଦ୍ୟ ଓ ବୈଷୟିକ ସଫଳତାରେ ଫୁଲିଲା ଫୁଲିଲା ଗାଲ ମୁହଁ ଅପେକ୍ଷାକୃତ ମୋଟା ମୋଟା ହାତ ଗୋଡ଼ ଆଙ୍ଗୁଠି ଏବଂ ଲମ୍ବୋଦର ନାମର ସାର୍ଥକତାଠୁ ଆଗକୁ ମାଡ଼ି ଚାଲିଥିବା ଅତ୍ୟଧିକ ଫୁଲିଲା ପେଟ, ଜୁଳୁଜୁଳିଆ ଆଖିରେ ଅସ୍ଥିର ଆଖିପତା, କୃତ୍ରିମ ହସଟିଏ ବଜାୟ ରଖିବା ଉଦ୍ୟମ କରୁଥିବା ମୁଖଭଙ୍ଗୀ, ଗଳାରେ ସୁନାର ଦୁଇପଟ ସରୁ ଚେନ ପଞ୍ଜାବୀ ଫାଙ୍କ ଦେଇ ଦେଖା ଯାଉଥିଲା ।

 

–ଆପଣଙ୍କ ଅଧୀନରେ ଥିବା ବିଭାଗରେ ଦରଖାସ୍ତଟିଏ ଦେଇ ଯାଇଥିଲି । ଲମ୍ବୋଦରବାବୁଙ୍କ ପ୍ରଶ୍ନର ଉତ୍ତରରେ ଅରୁଣ କହିଲା ।

 

ଦଣ୍ଡେ ଚୁପ୍‌ ହୋଇଗଲେ ଲମ୍ବୋଦରବାବୁ । ବୋଧ ହୁଏ କହିବା ପାଇଁ ମନେମନେ କିଛି ବାକ୍ୟ, କିଛି ପଦ ତିଆରି କରୁଥିଲେ । ତାପରେ କହିଲେ–ଜାଣତ ସବୁ ଆଜିକାଲି ଯେମିତି ଚାଲିଚି ଏଇ ସରକାରୀ କଳଷ୍ଟେଟ ମିନିଷ୍ଟରର କ୍ଷମତା ବା କେତେ ? ପାର୍ଟିକୁ ସପୋର୍ଟ କରୁଥିବା ଲୋକେ ବି ଦେଇଛନ୍ତି ଦରଖାସ୍ତ–ତା’ଛଡ଼ା ଉପର ମନ୍ତ୍ରୀ ଓ ‘ଚିଫ୍‌’ଙ୍କ ସୁପାରିଶ ଯେଉଁ ପାର୍ଟି ଲୋକ ଆଣିଥାଏ ସେଠି କରିବା ପାଇଁ କିଛି ନଥାଏ । ତେବେ ମୁଁ ନିଶ୍ଚୟ ଚେଷ୍ଟା କରିବି ତୁମ ପାଇଁ । ମୂଳକଥା ହେଲା ତୁମ ବଡ଼ଭାଇଙ୍କ ରାଜନୈତିକ ବ୍ୟାକଗ୍ରାଉଣ୍ଡ । ସେମାନେ କହୁଛନ୍ତି ପ୍ରତ୍ୟେକ୍ଷଭାବେ ନହେଲେ ବି ତମେ କୁଆଡ଼େ ତମ ଭାଇଙ୍କ ମତବାଦୀ । ଅସଲ କଥା ହେଉଚି କଣ ଜାଣ, ଯେଉଁମାନେ ଆମ ପାର୍ଟିକୁ ସିଧା ସଳଖ ଆନୁଗତ୍ୟ ଦେଖାଇଥିବା ପ୍ରମାଣ ମିଳିନାହିଁ, ସେମାନେ ସଭିଏ ବିଶେଷତଃ ଶିକ୍ଷିତ ଯୁବକମାନେ ଆମପାଇଁ ନୁହନ୍ତି ବୋଲି ଧରି ନିଆଯାଉଚି । ସେ ଯାହେଉ ଏଇନେ ଯେହେତୁ ତମ ଭାଇ ଆଉ ନାହାନ୍ତି ଏବଂ ତାହା ଏକ ଦୁଃଖର କଥା ବିଶେଷତଃ ମୋପାଇଁ, ମୁଁ ନିଶ୍ଚୟ କହିବି ତୁମ ପାଇଁ । ଏଇଟାତ ମୋ କର୍ତ୍ତବ୍ୟ; ଗତ ନିର୍ବାଚନ କଥା ମୁଁ ଭୁଲିଯାଇ ନାହିଁ ଅରୁଣ–

 

ଅନ୍ତତଃ ଗୋଟିଏ ବିଷୟରେ ଲମ୍ବୋଦର ବାବୁଙ୍କ ମନେ ମନେ ପ୍ରଶଂସା ନକରି ରହି ପାରିଲାନି ଅରୁଣ । ଶବ୍ଦ ସଜେଇବା ଓ ବାକ୍ୟ ଗଠନରେ କି ଅପୂର୍ବ କୂଟନୈତିକ କୌଶଳ । ସେ କିଛିଟା ଆଶା’ ବି କରୁଥିଲା ଏଇଭଳି ଧୂର୍ତ୍ତ ବାକ୍‌ପଟୁତା ।

 

–ପ୍ରକୃତରେ ଜାଣ ଅରୁଣ, ବେକାରୀ ଆମ ଦେଶରେ ବର୍ନିଂ–କଣ ଯେ କହନ୍ତି–ବର୍ନିଂ କୁଶ୍ଚିନ୍‌ ନା କଣ ? –ମୁଁ ଭୁଲିଯାଉଚି–ସବୁବେଳେ ତ ଲୋକଙ୍କ କାମ, ଆଉ କଣଟେ ମନେ ରହିବ-? ଲମ୍ବୋଦର ବାବୁ ପୁଣି ଆରମ୍ଭ କରିଦେଲେ ।

 

–ବର୍ନିଂ ପ୍ରବଲେମ୍‌ କଥା କହୁଛନ୍ତି ବୋଧେ, ଅରୁଣ କହିଲା ।

 

–ହଁ ପ୍ରବଲେମ୍‌ ପଦଟା ଭୁଲି ଯାଇଥିଲି । ଆଜିକାଲି କଣନା–ଦେଶର ସମସ୍ୟା ଚିନ୍ତା କରି କରି ଆଉ କିଛି ସହଜରେ ମନେ ପଡ଼ୁନାହିଁ । ସେ ଯା’ହେଉ ତମେ କଣ ଭାବୁଚ ଯେତେଲୋକ ବେକାର ସମସ୍ତଙ୍କୁ ସରକାର ଚାକିରି ଯୋଗାଇ ପାରିବେ ? ଆସ୍ତେ ଆସ୍ତେ ସବୁ ହେବ । କିନ୍ତୁ ଆଉ କିଛି ବର୍ଷ ଆମକୁ କ୍ଷମତାରେ ରହିବାକୁ ଦିଆଯାଉ–ଆମ ହାତମୁଠା ଟାଣ ହେଉ । ଆଗାମୀ ଦୁଇ କିମ୍ବା ତିନୋଟି ପ୍ଲାନ୍‌ ପରେ ଅର୍ଥାତ୍‌ ଏଇ ଶତାବ୍ଦୀ ଶେଷ ଆଡ଼କୁ ସବୁ ଠିକ୍‌ ହୋଇ ଯାଇଥିବ । ହଁ ତୁମ କଥାଟା କିନ୍ତୁ ମୋ ମନରେ ରହିଲା, ଅରୁଣ–ତୁମ ଚାକିରି ପାଇଁ ମୁଁ ଅଲବତ୍‌ ଲଢ଼ିବି–

 

ଅରୁଣ କହିବାକୁ ଚାହୁଁଥିଲା ଯେ ୧୯୪୭ଠାରୁ ଦୀର୍ଘ ତିରିଶ ପଞ୍ଚତିରିଶ ବର୍ଷ ତ ଲମ୍ବୋଦରବାବୁ ତୁମେ ଗୋଟିଏ ନା ଗୋଟାଏ ଉଚ୍ଚ ପ୍ରାଇଜ୍‌ ପୋଷ୍ଟରେ ରହିଚ, ମନ୍ତ୍ରୀପଦରେ ରହିଚି ଅନ୍ୟୁନ ପଚିଶ ବର୍ଷ; ଆଉ କୋଡ଼ିଏ ବର୍ଷ ପୁଣି ଦରକାର ନିଜର ସର୍ବଗ୍ରାସୀ ଅର୍ଥ–ପଦ କ୍ଷୁଧାର ତୀକ୍ଷଣ୍‌ ନଖଦନ୍ତରେ ଦେଶଟାକୁ ଝୁଣି ଖାଇଦେବା ପାଇଁ ? ଅରୁଣ କିନ୍ତୁ ମନର କ୍ଷୁବଧ୍‌ ଚିନ୍ତା ମନରେ ରଖ୍‌ ସେଠୁ ଉଠି ପଡ଼ିଲା । କହିଲା–ତା ହେଲେ ମୁଁ ଆସୁଛି, ଆଜ୍ଞା—

 

–ହଁ, ମଝିରେ ମଝିରେ ଏମିତି ଆସୁଥିବ–ମୁଁ ଆଜି ମନ୍ତ୍ରୀପଦରେ, କାଲିକି କ୍ୟାବିନେଟ୍‌ ମନ୍ତ୍ରୀ ହେବ; ମୁଖ୍ୟ, ଉପମୁଖ୍ୟ ମନ୍ତ୍ରୀ ବି ହୋଇପାରେ–ତା ବୋଲି ଲୋକଙ୍କ ଯା ଆସ ରହିବା ଉଚିତ । କେତେହେଲେ ଲୋକ ପ୍ରତିନିଧିତ । ଆସୁଥିବ ଅରୁଣ–ଏମିତି ଆସୁଥିବ ବୁଝିଲ–ଯାଏ ଦେଖେ, ସେମାନେ ଭିତରେ ଅପେକ୍ଷା କରିଥିବେ । ତମ କଥା କିନ୍ତୁ ମନରେ ରହିଲା–

 

ଲମ୍ବୋଦରବାବୁ ଭିତରକୁ ଚାଲିଗଲେ । ଅରୁଣ ଠିକ୍‌ ଜାଣେ ଯେ ତା କଥା ଆଉ ଏଇନେ ଲମ୍ବୋଦର ବାବୁଙ୍କ ଚିନ୍ତାର ବିଷୟ ନଥିବ ଯେହେତୁ ଦିନକୁ ଶହ ଶହ ଲୋକଙ୍କୁ ଏଭଳି ମିଛ ସାନ୍ତ୍ୱନା ଦେବା ହିଁ ତାଙ୍କ ଉନ୍ନତିର ମୂଳ ବୋଲି ସେ ଜାଣନ୍ତି ।

 

ଅରୁଣ ଗେଟ୍‌ ନିକଟକୁ ଆସିବା ବେଳେ ଗୋଟାଏ ସୁନ୍ଦର ଗାଡ଼ି ଭିତରକୁ ପ୍ରବେଶ କରିବା ପାଇଁ ଗେଟ୍‌ ଖୋଲା ହେଉଥିଲା । ଏତେବଡ଼ ଗାଡ଼ିଟା ଖାଲି । କେବଳ ଫ୍ରଣ୍ଟ ସିଟ୍‌ରେ ଲମ୍ବୋଦରବାବୁଙ୍କ ବଡ଼ ଝିଅ ଡଲି ଏକ ପୌରୁଷଦୀପ୍ତ କୁକୁରକୁ କୋଳରେ ଧରି ଗାଡ଼ି ଚଳାଉଥିଲା-। ଡଲି ଅତ୍ୟାଧୁନିକ । କୌଣସି ପୁରୁଷର ଦାସ ହୋଇ ରହିବା ସେ ଚାହୁଁ ନଥିବା ହେତୁ ଏଯାଏଁ ସେ ଅବିବାହିତା । ରେଡ଼ିଓ ଷ୍ଟେସନ୍‌ରେ ବେସୁରା କଣ୍ଠରେ ଗୀତ ଗାଇବି ‘ଏ’ କ୍ଲାସ ରେଡ଼ିଓ ଆର୍ଟିଷ୍ଟ ନାମରେ ଚିହ୍ନିତ । ଥରେ ରେଡ଼ିଓ ଷ୍ଟେସନର କେଉଁ ଆର୍ଟିଷ୍ଟ ସହ କିଛି ଦିନ ସେ କେଉଁ ଆଡ଼େ ଚାଲିଯାଇଥିବା ଖବର ପ୍ରଚାର କରିଥିବା ହେତୁ ଜଣେ ଖବରକାଗଜ ରିପୋର୍ଟର ବିରୁଦ୍ଧରେ ମାନହାନୀ ମକଦ୍ଦମା ହୋଇଥିଲା । ମକଦ୍ଦମା ଅନେକ ଦିନ ଚାଲିବା ପରେ କିନ୍ତୁ ବାଦୀପକ୍ଷ ହାରି ଯାଇଥିଲେ । ତାପରେ ଶୁଣାଯାଉଥିଲା ଡଲି ଦେବୀ ଉପର କୋର୍ଟକୁ ଯିବେ–କିନ୍ତୁ କୌଣସି କାରଣରୁ ସେ ଆଉ ଉପର କୋର୍ଟକୁ ଯାଇ ନଥିଲେ । ଲମ୍ବୋଦରବାବୁ କିମ୍ବା ଡଲିଦେବୀଙ୍କୁ ଭଲ ପାଉ ନଥିବା ଖଳ ଲୋକ ଅନ୍ୟ ଏକ ଗୁଜ୍ଜବ ପ୍ରଚାର କରନ୍ତି ଯେ ଡଲିର କୁକୁର ପ୍ରେମ ଅତି ନିବିଡ଼, ଅତି ଅନ୍ତରଙ୍ଗ । ଘରେ ଥିବା ଦୁଇଟିଯାକ ପୌରୁଷଦୀପ୍ତ କୁକୁରମାନଙ୍କ ଭିତରେ ଗୋଟିଏ କିମ୍ବା ଅନ୍ୟଟି ସବୁବେଳେ ତାଙ୍କ ଦେହକୁ ଲାଗି ରହିଥିବେ । ଏପରିକି ଧଳା କୁକୁରଟି ରାତିରେ ତାଙ୍କ ଶେଯରେ ନ ଶୋଇଲେ ତାଙ୍କୁ ନିଦ ହୁଏନା । କିନ୍ତୁ ଖଳ ଲୋକମାନଙ୍କ ଏହି ଭକ୍ତି ସବୁର ପ୍ରମାଣ କଣ ? ଏଇ ଖବର ତ କୌଣସି ଖବର କାଗଜରେ ଏଯାଏଁ ଲିଖିତ ଆକାରରେ ବାହାରିନାହିଁ ଏବଂ ଏହା ଉପରେ ମାନହାନି ମକଦ୍ଦମା ହୋଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇନି । ଏଣୁ ଏହାକୁ ଅଭିସନ୍ଧିମୂଳକ କିମ୍ବା ରାଜନୈତିକ ଚାଲ ବୋଲି ଆପାତତଃ ଧରି ନିଆଯାଉ ।

 

ମନର ଏସବୁ ଚିନ୍ତା ନେଇ ରାସ୍ତାଉପରେ ଚାଲୁ ଚାଲୁ ଅରୁଣର ମନେ ପଡ଼ିଯାଏ ତା ଚିଠିର ଉତ୍ତରରେ ପାଇଥିବା ବଡ଼ଭାଇଙ୍କ ଚିଠିର କେଇ ପଂକ୍ତି—ବୁଝିଲୁ ଅରୁଣ ଦେଶର ଜନଗଣ ଜାଗିବାକୁ ହେବ–ଜନଗଣ ସବୁ ବୁଝନ୍ତିରେ, ଜନଗଣ ହିଁ ତ ଦେଶର ଚାଳିବା ଶକ୍ତି । କଥା ହେଉଛି, ବୁଝନ୍ତି ଟିକିଏ ଡେରିରେ । ଦାରିଦ୍ର୍ୟ ଓ ନିରକ୍ଷରତା ଏ ଦେଶର ଦୁଇଟି ବଡ଼ ଶତ୍ରୁ । କାମାଲ ପାଶା ଯଦି ଗୋଟିଏ ଦଶନ୍ଧି ଭିତରେ ସମଗ୍ର ତୁର୍କୀକୁ ଶିକ୍ଷିତ କରି ଦେଇ ପାରିଲେ, ତିନି ଦଶନ୍ଧିରେ ମଧ୍ୟ ତାହା ଏଇଠି ହୋଇ ପାରିନି କାହିଁକି ? ଲୋକ ଶିକ୍ଷିତ ହୋଇ ଯିବା କିଏ ଚାହେଁ ? ମହାପ୍ରସାଦ ଛୁଆଁଇକି ଟଙ୍କା ଦେଇତ ଆଉ ଭୋଟ ନେଇ ହେବନି । ଶିକ୍ଷିତ ଲୋକ ମହାପ୍ରସାଦ ବି ନେବ, ଟଙ୍କା ବି ନେବ ଅଥଚ ଉଚିତ ଜାଗାରେ ଭୋଟ ଦେବ । ଅର୍ଥନୀତି ଓ ଶିକ୍ଷାନୀତିକୁ ନେଇ ଏଥର ଦେଶରେ ବିପ୍ଳବ ହେବ । ବିପ୍ଳବ ତ ସତତ ସବୁଦେଶରେ ଲାଗିରହିଛି, ବିପ୍ଳବ ନାମରେ ଭୟଭୀତ ହୋଇଯିବାର କିଛି କାରଣ ନାହିଁ । କେବଳ ସେଇମାନେ ହିଁ ଭୟଭୀତ ହୁଅନ୍ତି ଯେଉଁମାନେ ଦେଶର ବର୍ତ୍ତମାନ ଅବସ୍ଥାରୁ ଫାଇଦା ମାରି ବସିଛନ୍ତି । ସମୟ ଆସିଲେ ଲୋକେ ଠିକ୍‌ ବୁଝିବେ–ମୂଳସୁତ୍ରଗୁଡ଼ିକ ବୁଝିବା ପାଇଁ ସମୟ ଲାଗିବତ । ଭଗତସିଂ, ଚନ୍ଦ୍ରଶେଖର କିମ୍ବା ବାଜିରାଉତ ପ୍ରଭୃତି ଯେଉଁଦିନ ବିପ୍ଳବର ଝଣ୍ଡା ଉତ୍ତୋଳନ କଲେ ସେଦିନ ହିଁ ତ ଦେଶ ସ୍ୱାଧୀନ ହୋଇ ଗଲାନାହିଁ । ଗାନ୍ଧୀଜୀ ଯେଉଁଦିନ ସଂଗ୍ରାମର ଆହ୍ୱାନ ଦେଲେ ସେଦିନ ହିଁ ସ୍ୱାଧୀନତା ଆସିଗଲା ନାହିଁ । ଦେଶ ଚାହେଁ କିଛି ତ୍ୟାଗ, କିଛି ବଳି । ଯିଏ ପ୍ରଥମେ ଏସବୁ କଥା ଆରମ୍ଭ କରିବ ତାକୁ ସର୍ବସ୍ୱ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ମୋର ଏଇଠି ଏସବୁ ଲେଖିବାର ମର୍ମ ହେଲା ମୁଁ ତୋ ବଡ଼ ଭାଇ ବୋଲି ତୋ ଉପରେ କିଛି ଚପାଇ ଦେବା ଚାହେଁନି । ଯଦି ତୋର ହୃଦ୍‌ବୋଧ ନହୁଏ ତାହେଲେ ତୁ ଘର ପାଇଁ କିଛି କର । କିନ୍ତୁ ମୋର ବିଶ୍ୱାସ ତୋଭଳି ଦେଶ–ସଚେତନଯୁବକ ଦିନେ ନା ଦିନେ ସବୁ ଛାଡ଼ି ପଳାଇ ଆସିବାକୁ ବାଧ୍ୟ ହେବୁ । ମୁଁ ତତେ ଡାକରା ଦେଉନି । ଡାକରା ଦେଉଥିଲେ ତୁ ଆସି ସାରନ୍ତୁଣି । ଘରକୁ ସମ୍ଭାଳେ କିମ୍ବା ଦେଶକୁ ସମ୍ଭାଳେ–ଯାହା ତୋ ଦୃଦୟ କହୁଛି କରେ । ପ୍ରଥମେ ନିଜକୁ ଚିହ୍ନେ । ସ୍ୱାମୀ ବିବେକାନନ୍ଦ କହୁଥିଲେ–ମନ ଓ ହୃଦୟ ଭିତରେ ଯଦି ଦ୍ୱନ୍ଦ୍ୱ ହୁଏ, ହୃଦୟର ଆବାଜ ହିଁ ଶୁଣିବାକୁ ହେବ ଏବଂ ନେତାଜୀ ସୁବାସ ବୋଷ ସବୁବେଳେ ‘ଜୟ ପ୍ରଭୁ ବିବେକାନନ୍ଦ’ କହି କାର୍ଯ୍ୟ ଆରମ୍ଭ କରୁଥିଲେ । ଏମାନଙ୍କ ଜୀବନରୁ ଅନେକ କିଛି ଶିଖିବାର ଅଛି । ତ୍ୟାଗୀ ଦେଶଭକ୍ତମାନଙ୍କ ଜୀବନୀ ଅଧ୍ୟୟନ କର ସେମାନଙ୍କ ଜୀବନ ଓ ବାଣୀର ମର୍ମ ହୃଦୟରୁ ଅନୁଭବ କରି କାର୍ଯ୍ୟରେ ଦେଖାଅ ।

 

ବଡ଼ଭାଇଙ୍କ ଚିଠି ସବୁ ଏମିତି । ମନରେ କି ନିସ୍ୱାର୍ଥପର ସ୍ୱର୍ଗୀୟ ଚିନ୍ତା ଆଣିଦିଏ । ଭୁବନବାବୁଙ୍କ ଅଫିସ ଆଡ଼େ ଯାଉ ଯାଉ, ଅରୁଣର ମନେହେଉଥିଲା ତା ଆଖି ଆଗରେ ବଡ଼ଭାଇଙ୍କ ଧୀର ସ୍ଥିର ଶାନ୍ତ ମୁହଁଟି ଯେମି ନାଚି ନାଚି ତାକୁ ବାଟ ଦେଖାଇ ଚାଲିଛି ଅଜଣା ଅଥଚ ସୃଦୁଢ଼ ଏକଲକ୍ଷ୍ୟ ଦିଗରେ ।

 

ଭୁବନବାବୁଙ୍କ ଅଫିସରେ ପହଞ୍ଚିଲା ବେଳକୁ ସମୟ ଦିନ ଗୋଟାକୁ ବଳିଯାଇଥିଲା । ବୋଧହୁଏ ଲଞ୍ଚଟାଇମ । ଭୁବନବାବୁଙ୍କ ନେମପ୍ଲେଟ ଲାଗିଥିବା କୋଠରୀ ନିକଟରେ ଚପରାସିଟା ନଥିଲା–ହୁଏତ ଭୁବନବାବୁ ତାକୁ କେଉଁଠିକି ପଠାଇ ଦେଇଥିବେ, କିମ୍ବା ଆଉ କିଛି କାମରେ ସେ ଯାଇଥିବ । ଅରୁଣ ଭାବିଲା ଭିତରେ ପଶିଯିବ, ନା ଚପରାଶି ଆସିବା ଯାଏଁ ଅପେକ୍ଷା କରିବ । ହଁ, ବାପାଙ୍କର ତ ଛାତ୍ର; ଭିତରେ ପଶିଯିବ । କିଏ ଜାଣେ ଚପରାଶିଟା କେତେବେଳେ ଆସିବ କିମ୍ବା ମୋଟେ ଆସିବ କି ନାହିଁ ।

 

କବାଟ ଖୋଲି ଭିତରେ ପଶିଲା ଅରୁଣ । ସିଧା ଯାଇ ଠିଆ ହୋଇଗଲା ଭୁବନବାବୁଙ୍କ ଟେବୁଲ ସାମ୍ନାରେ । ଭୁବନବାବୁ ଏକ ଚିଠି ଡାକୁଥିଲେ ସାମ୍ନାରେ ବସିଥିବା ମହିଳା ଷ୍ଟେନୋକୁ । ତାକୁ ଦେଖି ଟିକିଏ ରୁଢ଼ ଭାବେ ପଚାରିଲେ–

 

–ଆପଣ ?

 

–ମୋ ନାମ ଅରୁଣ–ଶଶଧରବାବୁଙ୍କ ପୁଅ ।

 

–ଆପଣ ଟିକିଏ ବାହାରେ ଅପେକ୍ଷା କରନ୍ତୁ । ମୁଁ ଡକେଇବି ।

 

ଅରୁଣ ଚାଲିଯିବା ପରେ ଭୁବନବାବୁ ଷ୍ଟେନୋକୁ କହିଲେ–କ’ଣ ଲେଖିଚ ପଢ଼ିଲ ।

 

–ଉଇଥ୍‌ ରେଫେରେନ୍‌ସ ଟୁ ୟୋର ଟେଲିଗ୍ରାମ, ଉଇ ଆର ସରି ଟୁ ଷ୍ଟେଟ ଦ୍ୟାଟ୍‌

 

 

–ଆଜ ଉଇ ହ୍ୟାବ୍‌ ରିସିଭଡ଼ ନୋ ଇନଷ୍ଟ୍ରକସନ୍‌ ଇନ ଦ ମ୍ୟାଟର ଫ୍ରମ୍‌ ଆଓ୍ୱାର ହେଡ୍‍କ୍ୱାଟର୍ସ, ଦ ମ୍ୟାଟର ମେ ବି ଡାଇରେକଟଲି ଟେକେନ୍‌ ଅପ୍‌ ଉଇଥ ଦେମ ।–ଇୟୋରସ୍‌ ଫେଥ୍‌ଫୁଲି–

ଲିପିକା ଡିକ୍‌ଟେସନ ନେବା ପାଇଁ ତାଙ୍କ ନିକଟକୁ ଆସିବାଠାରୁ ଭୁବନବାବୁ ଖୁବ୍‌ ମନ ଯୋଗ ସହ ତାର ଫିଗର ଉପରେ ବାରମ୍ବାର ନଜର ଥୋଇ ଡିକ୍‌ଟେସନ ଦେଉଥିଲେ । ଭାବୁଥିଲେ, ଷ୍ଟାଟିଷ୍ଟିକାଲି କେତେହେବ–୩୫–୨୬–୩୫ ? ଉଚ୍ଚତା ୫ଫୁଟ ଚାରି ଇଞ୍ଚ କିମ୍ବା ଟିକେ ଅଧିକ । ସୁମତିଠୁ ନିଶ୍ଚୟ ଖୁବ୍‌ ସୁନ୍ଦରୀ । ଘରେ ବାପା ମାଁ, କିମ୍ବା ନିଜର ଉଚ୍ଚାଭିଳାଷ ତାଙ୍କୁ ନିଜ ପସନ୍ଦ ମୁତାବକ ବିବାହ କରିବା ସୁଯୋଗ କଣ ଦେଇ ପାରିଥିଲା ? ଅବଶ୍ୟ ଏହି ଚାକିରିଟା ତ ସୁମି ବାପା ଡାଉରି ଭଳି ଦେଇଛନ୍ତି । ଏହି କମ୍ପାନୀର ଦିଲ୍ଲୀ ଅଫିସର ହାତକଡ଼ା ସେ । ନହେଲେ ଆଜିକାଲି କାଳରେ ଏପରି ଚାକିରିଟିଏ ସେ ପାଇଥାନ୍ତେ କିପରି ? ସୁମିଟା କିନ୍ତୁ ଦେଖିବାକୁ ଯାହା ତାହା; ଏଣୁ ତାକୁ ସେ ମନେ ମନେ କହନ୍ତି–ଯା’ହେଉ, ତମକୁ ବର ଓ ମତେ ଚାକିରିତ ମିଳିଗଲା ସୁମତି ଦେବୀ ! ଏଣିକି ତମେ ତମ ଘର ସଂସାର ନେଇ ବ୍ୟସ୍ତରହ, ଆମେ ଆମର ଏଇ ବାହାର ଦୁନିଆରେ ମନଖୁସିରେ ଘୁରି ବୁଲିବୁ, ଯାହା ଇଚ୍ଛା ତାହା କରିବୁ ।

ମନେ ମନେ ଭୁବନବାବୁ କମ୍ପାନୀ କର୍ତ୍ତୂପକ୍ଷଙ୍କୁ ପ୍ରଶଂସା ବି ଜଣାଇଲେ ଯେ ପ୍ରୌଢ଼ା ମିସ ଡି. ସରଲାମ୍ମାର ଟ୍ରାନ୍‌ସଫର ପରେ କମ୍ପାନୀ ଏଭଳି ଏକ ଝଲମଲ ସୁନ୍ଦରୀ ଷ୍ଟେନୋଗ୍ରାଫର ଏଇ କେଇଦିନ ହେଲା ତାଙ୍କୁ ଉପହାର ଦେଇଛନ୍ତି । ମିସ୍‍‌ ସରଳା ଯେ କାହିଁକି ବିବାହ କରି ନଥିଲା, ସେଇ ବିଷୟରେ ଭୁବନବାବୁ କେବେ ତାହାକୁ ପଚାରି ନାହାନ୍ତି । ହୋଇଥିବ ଘରେ କିଛି ଅସୁବିଧା; କିମ୍ବା ମନରେ କିଛି ଭାବଗତ ଆଘାତ ଥିବ । ସେଥିରୁ ତାଙ୍କୁ କ’ଣ ମିଳିବ ? ଚେହେରାଟି ଭଲ ନଥିବା ଝିଅମାନଙ୍କୁ ଭୁବନବାବୁ ମୋଟେ ପସନ୍ଦ କରନ୍ତି ନାହିଁ, ଏକ ଦୂର୍‌–ଦୂର୍‌–ଭାବ ସହ ବ୍ୟବହାର କରନ୍ତି । ଭୁବନବାବୁ କହନ୍ତି–ଆରେ ବାବୁ, ଝିଅ ହୋଇ ତ ଜନ୍ମ ହେଲ । ଯଦି ଦେଖିବା ମାତ୍ରକେ ପୁଅ ପିଲାଏ ଚମକି ଯିବେ ନାହିଁ, ପଦେ କଥା ହେବା ସୌଭାଗ୍ୟ ପାଇଁ ସୁଯୋଗ ଉଣ୍ଡିବେ ନାହିଁ, ପଦେ ମଧୁର ବଚନ ଶୁଣି କୃତକୃତ୍ୟ ହୋଇଯିବେ ନାହିଁ, ତାହେଲେ ଝିଅ ହେବାର ସାର୍ଥକତା କେଉଁଠି ? କ’ଣ ନା ଲେଡିଜ ଫଷ୍ଟ–ଫଷ୍ଟ ହେବାପାଇଁ ସେମିତି ଯୋଗ୍ୟତା ଥିବା ତ ଦରକାର ?

ମିସ୍‌ ସରଳା ଲିପିକା ଭଳି ସୁନ୍ଦରୀ ତ ନଥିଲା ସ୍ମାର୍ଟ ବି ନଥିଲା । ସେ ଏଇ ଅଫିସରେ କୁଆଡ଼େ ଅନେକ ଦିନ ରହିଥିଲା । କିନ୍ତୁ ଭୁବନବାବୁ ଆସିବା ପରେ ରହିଲା ମାତ୍ର କେଇମାସ । କାରଣ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାର କାନକୁ ଟିକିଏ କମ୍‌ ଶୁଭୁଥିଲା । ଅନ୍ୟାମାନଙ୍କୁ ପଚାରି ଭୁବନବାବୁ ଖବର ପାଇଥିଲେ ଯେ ଆଗରୁ ସେ ଏମିତି ଥେଣ୍ଟାକାଲା ନଥିଲା । ଗତ ଏକ ବର୍ଷ ଭିତରେ ଏହି ରୋଗ ଆରମ୍ଭ ହୋଇ ବଢ଼ିଥିଲା ।

ସେ ଯାହାହେଉ, ଭୁବନବାବୁ ଡାକିବା ବେଳେ ଯେ ଜଣେ ଷ୍ଟେନୋ ବାରମ୍ବାର ତାଙ୍କ ମୁହଁକୁ ଚାହିଁ ରହିବ କିମ୍ବା ‘‘ଏକସକ୍ୟୁଜ ମି’’ କହି ବାରମ୍ବାର ପଚାରୁଥିବ, କିମ୍ବା ଅନ୍ଦାଜରେ ଶୁଣି ଗୋଟାଏ ପଦ ଜାଗାରେ ଅନ୍ୟ କିଛି ପଦ ଟାଇପ୍‌ କରି ଦେବ ଏହା ଭୁବନବାବୁ ସହି ପାରନ୍ତେ କିପରି ? ଝଲମଲ ଚେହେରାବାଲୀ ଷ୍ଟେନୋ ହୋଇଥିଲେ ହୁଏତ ଚଳି ଯାଆନ୍ତା । କିନ୍ତୁ ଏଇଠି ସେଇ ପ୍ରଶ୍ନ ହିଁ ଉଠୁ ନାହିଁ । ଅଫିସ୍‌ କାମରେ ଭୁବନବାବୁ କଳାପାହାଡ଼ ଭଳି କଠୋର ଏବଂ ପ୍ରତିଶୋଧ ଭାବାପନ୍ନ ବୋଲି ସମସ୍ତେ ଜାଣନ୍ତି । କରୁଣା, ମାନବିକତା ଇତ୍ୟାଦି ସୁକୁମାର ଭାବ ଗୁଡ଼ିକ ତାଙ୍କ ମତରେ କେବଳ ଅପଦାର୍ଥମାନଙ୍କ ପାଇଁ । ଏଣୁ ଉପର ଅଫିସକୁ ଲେଖି ସରଳାକୁ ଟ୍ରାନସ୍‌ଫର କରାଇଦେଲେ । ଯଦିଓ ଭୁବନବାବୁଙ୍କ ତମତମ ଭାବ ଦେଖି ନିଜ ଶ୍ରବଣ ଶକ୍ତିକୁ ବଢ଼ାଇବା ଉଦ୍ଦେଶ୍ୟରେ ଡାକ୍ତର ପରାମର୍ଶ ଅନୁଯାୟୀ ସରଳା ଏକ ଯନ୍ତ୍ର କାନରେ ଖଞ୍ଜି ଅଫିସ୍‌ରେ କାମ କଲା, କିନ୍ତୁ ସେତେବେଳକୁ ଭୁବନବାବୁ ଯାହା ରିପୋର୍ଟ କରିବା କଥା କରି ଦେଇଥିଲେ । କାଳେ ଆଉ କେଉଁ ବ୍ରାଞ୍ଚ ଅଫିସର ବି ସରଳା ସମ୍ବନ୍ଧରେ ଅନୁରୂପ ରିପୋର୍ଟ ଦେବ ଏଇ ଆଶଙ୍କାରେ ସରଳାର ଟ୍ରାନ୍‌ସଫର ହେଇଗଲା ସିଧା ଦିଲ୍ଲୀ ଅଫିସକୁ ।

 

ସର୍ଟହ୍ୟାଣ୍ଡ ନୋଟ ବୁକ୍‌ ଉପରେ ଚମ୍ପାକଢ଼ି ଭଳି ଲିପିକାର ଆଙ୍ଗୁଠିରେ ଥିବା ପେନ୍‌ସିଲଟି ତରତରରେ ନିଜ କାମ କରିଯାଉଥିବା ଦେଖୁଦେଖୁ ଭୁବନବାବୁ ଭାବୁଥିଲେ ଆଜି କାଲି କେବଳ ଦୁଷ୍ଟମାନଙ୍କ ଜମାନା–ସମସ୍ତେ ରଫ୍‌ ଲୋକଙ୍କୁ ଡରନ୍ତି ଓ ପସନ୍ଦ କରନ୍ତି । ନିଜର ଆଧିପତ୍ୟ ଦେଖାଇବାକୁ ହେବ । ନହେଲେ କେହି ଡରିବେନି । ସମସ୍ତେ ଜାଣନ୍ତି ସେ ବଡ଼ କଡ଼ା ଅଫିସର । ଏଇନେ ଲିପିକା ବି ତ ଡରି ଡରି ଲେଖୁଚି । ଧର ଲିପିକାକୁ ଯଦି ଏଇନେ ସେ କିଛି କହି ପକେଇବ ଭଗବତ କଥା–କୁରୁପା ପତ୍ନୀ ସୁମିତାର କଥା, କିମ୍ବା ଲିପିକାର ରୂପର ପ୍ରଶଂସା କରି ଯଦି ଟାଇପ ଚିଠି ତାଠୁ ନେଇ ଦସ୍ତଖତ କରିବା ବେଳେ ତା ହାତ ଛୁଇଁ କିମ୍ବା ଧରି ପକାଇବେ, ତାହେଲେ ବି ଲିପିକା କିଛି କହି ପାରିବନି । କାରଣ ସେ ଜାଣେ ଯେ ତା ବସ୍‌ ବଡ଼ କ୍ରୁର–କଠୋର–ଏବଂ ତା ହାତରେ ଅନେକ କ୍ଷମତା । ତା ଚାକିରି ବି ଯାଇପାରେ କିଛି କହିଲେ । ଅଫିସର ସମସ୍ତେ ତାଙ୍କୁ ଭୟ କରନ୍ତି । ତା ଛଡ଼ା ଲିପିକା ତ ଅତି ନରମା ଝିଅ । ଆଜିଯାଏଁ ‘ୟସ ସ୍ୟାର୍‌’ କିମ୍ବା ‘ଥ୍ୟାଙ୍କ ୟୁ’ କହିବା ଛଡ଼ା ତା ପାଟିରୁ ଆଉ କିଛି ସେ ଶୁଣି ନାହାନ୍ତି–ସବୁଥିରେ ‘ୟସ’ ।

 

‘ୟୁଅରସ୍‌ ଫେଥଫୁଲି’ ସର୍ଟହ୍ୟାଣ୍ଡରେ ଲେଖି ସାରି ଲିପିକା ସେମିତି ତଳକୁ ମୁହଁ ପୋତି କିଛି ସମୟ ରହିଲା । ତାପରେ ମୁହଁ ଉପରକୁ ଉଠାଇ ଭୁବନବାବୁଙ୍କୁ ଚାହିଁ ଦେଖିଲା ସେ ଯେମିତି ଅନ୍ୟମନସ୍କ ।

 

–ସ୍ୟାର୍‌ ଆଉ କିଛି ? ଲିପିକା ଧୀରେ ପଚାରିଲା ।

 

ଭୁବନମୋହନ ଚମକି ପଡ଼ିଲା ଭଳି ହେଲେ । ତାପରେ କହିଲେ–ନୋ ନଟ୍‌ ନାଉ । ହଁ ଦୁଇଟି କପି ଟାଇପ୍‌ କରିବ–କିନ୍ତୁ ତା ଆଗରୁ ମତେ ଦେଖାଇବ–ଆଇ ମେ ଏଡ ସମଥିଂ ।

 

–ଇୟସ୍‌ ସ୍ୟାର୍‌ ।

 

ଭାରୀ ମଧୁର କଣ୍ଠସ୍ୱର ଲିପିକାର । ଲିପିକା ଉଠି ଠିଆହେଲା । କେଜାଣି କାହିଁକି ଲିପିକାର ଏମିତି ଚାଲିଯିବା ଭଙ୍ଗିମାଟି ଭୁବନବାବୁଙ୍କୁ ଖୁବ୍‌ ଭଲଲାଗେ । ଲିପିକା ଫେରୁଥିବା ବେଳେ ଭୁବନବାବୁ ଦେଖୁଥିଲେ ନିର୍ନିମେଷ ସତୃଷ୍ଣ ଚାହାଣିରେ । ସୁଠାମ ସତେଜ ଝଲମଲ ଚେହେରା–ସକାଳର ଫୁଟନ୍ତା ଫୁଲଟିଏ ପରି । ଆୟତ ଆଖିଦିଟା ସେ ଯେତେଥର ଦେଖୁଚନ୍ତି, ତାଙ୍କର ମନେ ହୋଇଚି ଯେମିତି ଏକ ଚୁମ୍ବକ ଶକ୍ତି ସେଠି ରହି ଟାଣୁଚି । ସେଇ ଚାହାଣି ଏଡ଼େଇ ଦେଇ ଚାଲିଯିବା ଯେପରି ଏକ ରକମ ଅସମ୍ଭବ । କାନ୍ଧ ଲୋଭନୀୟ ଭାବେ ଚଉଡ଼ା–ସୁଯୋଗ ପାଇବା ମାତ୍ରେ ସେଇ କାନ୍ଧରେ ହାତ ଥୋଇବା ପାଇଁ ତାଙ୍କ ମନ ଚଞ୍ଚଳ ହୁଏ । ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କଥା ଚିନ୍ତା କରି ଭୁବନ ମୋହନ ହସି ଦେଇ ଭାବିଲେ ସବୁଠିତ ପରି ପୂର୍ଣ୍ଣତା–ମତେ ଭୁବନମୋହନଟା କିଏ ଦେଲା ମିଛଟାରେ ? ଲିପିକାର ନାମ କିନ୍ତୁ ପ୍ରକୃତରେ ଭୁବନମୋହିନୀ ହେବା ଉଚିତ ଥିଲା । କେବଳ ଟିକିଏ ଅଭାବ ଦେଖିହୁଏ । ଓଠଟା ଯଦି ଟିକିଏ ଲାଲ ହୋଇ ପାରନ୍ତା–ଗୋଟେ ଭଲ ଲିପ୍‌ଷ୍ଟିକର୍‌ ସାମାନ୍ୟ–ସ୍ପର୍ଶ–ବାସ୍‌–

 

ନା, ଏଇନେ ଆଉ କିଛି କାମ କରିବେନି ଭୁବନବାବୁ । କଣ ଏମିତି କାମ ଅଛି କି ? ଅନ୍ତତଃ ଲିପିକା ଆଉଥରେ ଆସି ଚିଠିଟା ଦସ୍ତଖତ କରାଇଦେବା ଯାଏଁ ଟିକିଏ ଏଣୁ ତେଣୁ ଚିନ୍ତା କରି କିଛି ଆନନ୍ଦ ଲଭିବେ । ଭୁବନବାବୁ ଭାବିଲେ, ଲିପିକା ତୁଳନାରେ ସୁମିତାଟା କିଛି ନୁହେ । ଅବଶ୍ୟ ତା ବାପ ଦେଇଛନ୍ତି ଏଇ କୁର୍ଚ୍ଚିଟ । ଭାରି ସାଜସଜା ବିଶିଷ୍ଟ ଏଇ ସୁନ୍ଦର ଅଫିସଟା । ତା ଭିତରେ ସୁନ୍ଦର ତାଙ୍କ ନିଜ ଅଫିସ ରୁମଟି । କିନ୍ତୁ ସୁନ୍ଦରତମ ? ଅବଶ୍ୟ ସୁନ୍ଦରତମ ବା ସୁନ୍ଦରତମା ହେଉଛି ଲିପିକା–ଏଇ ଅଫିସର ଆଉ କିଛି ଏଇ ଶୀର୍ଷତମ ସ୍ଥାନକୁ ଉଠିପାରେନା ।

 

ହଁ, ଭୁବନବାବୁଙ୍କ ନିଜ କୋଠରୀଟି ଖୁବ୍‌ ସୁନ୍ଦର । ଟୟଲେଟ୍‌ ଏଟାଚଡ । ଏୟର କଣ୍ଡିସନ୍‌ଡ । ରିଭଲଭ ଚେୟର–ଗଦ୍ଦି । ସୁନ୍ଦର ବ୍ଲୁରଙ୍ଗରେ ଘରସାରା ପେଣ୍ଟିଂ–ତଳେ କାର୍ପେଟ । ତିନିଟା ପ୍ରିୟଦର୍ଶିନୀ ଟେଲିଫୋନ ନାନାରଙ୍ଗର । ଏଡ୍‍ଜେଷ୍ଟବଲ ଟେବୁଲ ଲ୍ୟାମ୍ପ–ବହି କ୍ୟାବିନେଟ୍‌ ହାଙ୍ଗାର ବ୍ରାକେଟରେ ଝୁଲୁଚି ଭୁବନବାବୁଙ୍କ କୋଟ୍‌–କାନ୍ଥରେ ଛବି, ମହାତ୍ମା ଗାନ୍ଧିଙ୍କଠୁ ଇନ୍ଦିରା ଗାନ୍ଧିଙ୍କ ଯାଏଁ । ଭୁବନବାବୁଙ୍କୁ ଏସବୁ ଛବି ଭଲ ଲାଗେନି–ଦିନେଦିନେ ଇଚ୍ଛା ହୁଏ ଏସବୁ ଝର୍କା ସେପାଖେ ଫିଙ୍ଗି ଦେଇ ସୁନ୍ଦରୀମାନଙ୍କ ଛବି ଆଣି ଥୁଅନ୍ତେ–କିନ୍ତୁ ଚାକିରି–

 

ବସ୍ତୁତଃ ଏପରି ଏକ ଅଫିସ୍‌ ରୁମ୍‌ ପାଇବା ପାଇଁ ଭୁବନବାବୁଙ୍କୁ ଅନେକ ପାହାଚ ଏକାଥରେ ଡେଇଁ ପଡ଼ିବାକୁ ହୋଇଚି । ଗୋଟିଏ ଗୋଟିଏ ପାହାଚ ଉଠି ବେଶୀ ଉପରକୁ ଯାଇ ହୁଏନି । ଖୁବ୍‌ କମ୍‌ ଲୋକ ତାଙ୍କଭଳି ଉପକୁ ଉଠି ପାରନ୍ତି–ସମସ୍ତଙ୍କୁ ଏଇ ସୁତ୍ରଟା ଜଣା ନାହିଁ ।

 

ଭୁବନବାବୁଙ୍କ ମନେ ପଡ଼ିଯାଏ ସେ ସମୟର କଥା । ସେତେବେଳେ ସେ ଚାକିରି ପାଇଁ ଅନେକ ଇଣ୍ଟରଭ୍ୟୁ ଦେଉଥାଆନ୍ତି । ବିବାହ ପ୍ରସଙ୍ଗ ବି ଆସୁଥାଏ ଅନେକ । କେବଳ ଭୁବନବାବୁଙ୍କ ଭଳି ଚଲାକ ଚତୁର ଲୋକ ହିଁ ଜାଣନ୍ତି କିପରି ଉପରକୁ ଉଠି ହେବ ଏକାଥରକେ । ଝିଅର ବାପା କଣ କରୁଚନ୍ତି ? ଡେପୁଟି ? ବୁଢ଼ା ବୟସରେ କଲେଜର ପ୍ରିନ୍‌ସପାଲ ? ଡାକ୍ତର ? ଅଧିକା ହେଲେ ଏମାନେ କିଛି ପଇସା ଦେଇ ପାରନ୍ତି । କିନ୍ତୁ ଉଚ୍ଚ ଚାକିରି ଏମାନେ ଦେଇ ପାରିବେନି । ଆଜିକାଲି ଉଚ୍ଚ ସରକାରୀ ଚାକିରିଆମାନେ ମଧ୍ୟ ଏକାଥରେ ବଡ଼ କୁର୍ଚ୍ଚିରେ ବସେଇ ଦେଇ ପାରିବେନି, କାରଣ ଛୋଟିଆ ଚାକିରିକୁ ବି ମୁଖ୍ୟ ଗୌଣ ସବୁ ମନ୍ତ୍ରୀଙ୍କ ସୁପାରିଶ । କୌଣସି ପ୍ରାଇଭେଟ ଲିମିଡେଟ୍‌ କମ୍ପାନୀ ଶିଳ୍ପସଂସ୍ଥାର ମେନେଜିଂ ଡିରେକ୍ଟର, ବୋର୍ଡ ଅଫିସ ଡିରେକ୍ଟର, ଚେୟରମ୍ୟାନ୍‌ ଘରୁ ପ୍ରସ୍ତାବ ଆସିଚି ? ନହେଲେ ଅପେକ୍ଷା କର–ପ୍ରସ୍ତାବ ଆସିଲା ଭଳି ଉଦ୍ୟମ କରିବାକୁ ହେବ । ପ୍ରସ୍ତାବ ଆସିଲେ ଟୋଟାଲି ଗ୍ରହଣ କରିନିଅ, ଗୋଟିଏ ସର୍ତ୍ତରେ ଯେ, ଆଗ ନିର୍ବନ୍ଧଟା ହୋଇଯାଉ–ଚାକିରିଟା ହାତମୁଠାକୁ ଆସିଲେ ତ ବାହାଘର । ଝିଅଦେଖା ? ଆରେ ନା, ସେସବୁ କଣ ଦରକାର ? ସେସବୁ ପୁରୁଣା କାଳିଆ–ପୁରୁଣା ଅର୍ଥନୀତି ଯୁଗର–ଝିଅଟା କାଳୀ ତ କଣ ଏମିତି ଖରାପ ହୋଇଗଲା ? କାଳୀ ହେଉ, କୁରୁପା ହେଉ କୌଣସି ଝିଅ କଣ ବାହା ନ ହୋଇ ରହିଯାଇଛି ଯଦି ବାପାର ପଇସା, କ୍ଷମତା ଅଛି ? କେହିହେଲେ ତ ତାକୁ ବାହା ହେବ–ସେ ବା କାହିଁକି ନ ହେବେ ?
 

 

ଏଇ ସୂକ୍ଷ୍ମ ଚତୁର ରାସ୍ତାରେ ଯାଇ ଭୁବନବାବୁ ଅନେକ ପ୍ରସ୍ତାବ ସହ ଖେଳି ଆଇ. ଏ. ଏସ୍‌. ବ୍ୟାଙ୍କ ପ୍ରବେସନ ଅଫିସର ଇତ୍ୟାଦି ପରୀକ୍ଷା ଦେଉଥିବା କଥା କହି ଏଠିକି କଲ୍‌ ପାଇଛନ୍ତି, ସେଠି ଇଣ୍ଟରଭ୍ୟୁ ଭଲ ହୋଇଛି, ଦିମାସ ଭିତରେ ନିଯୁକ୍ତି ପତ୍ର ଆସିବା ଖବର ସେ ପାଇ ସାରିଛନ୍ତି, ସେଠି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ଇତ୍ୟାଦି କହି ବାହାଘର ବଜାରରେ ନିଜ ମୂଲ୍ୟ ଦିନକୁ ଦିନ ବଢ଼ାଇଥିଲେ । ଏପରି ସମୟରେ ଦିଲ୍ଲୀରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ସୁମିତାର ପ୍ରସଙ୍ଗଟା ଆଣିଲେ । ସୁମିତା ଘର ମୁରବୀମାନେ ଥିଲେ ରକ୍ଷଣଶୀଳ । ନିଜ ଜାତିର ପାଠପଢ଼ା ବରଟିଏ ଖୋଜୁଥିଲେ । ଚାକିରି ସେମାନେ କରେଇ ଦେବେ । ବେଶ୍‌ ଆଉ ଚିନ୍ତା କରିବା ଦରକାର କଣ ? ଘରକୁ ସୁମତି ଆସିଲା ଏବଂ ତା ସହ ଆସିଲା କୁର୍ଚ୍ଚି, ଏଇ ସୁନ୍ଦରତମ କୋଠରୀ ଏବଂ ସୁନ୍ଦରତମ ଷ୍ଟେନୋ ମଧ୍ୟ ।

 

ଆଉ ଏଇନେ, ହୁ କ୍ୟାୟରସ୍‌ ହୁମ୍‌–କିଏ କାହାକୁ ପଚାରେ ? ବୁଢ଼ା ଶ୍ୱଶୁରଟା ଆଉ କେଇଦିନ ବଞ୍ଚିବ ଯେ । ଆଉ ସୁମି ? ତାକୁ ଦୁଇ ତିନିଟା ପୁଅ ଝିଅ ଦେଇ ଦେବେ ସେ ସଂସାର ସମ୍ଭାଳି ବସିଥିବ । ଏବେ ତ ଗୋଟେ କାନ୍ଦୁରୀ ଝିଅକୁ ନେଇ ତା ଅବସ୍ଥା ଅସମ୍ଭାଳ । ତାର କଣ ଖାଇବା ପିନ୍ଧିବା ଅଭାବ ଅଛି ନା ରହିବ ଯେ ସେ ଅସନ୍ତୋଷ ପ୍ରକାଶ କରିବ ? ଏଇ ଭିତରେ ସୁମି ନାମରେ ସେ ଏକ କୋଠା ବି ଗଢ଼ି ଦେଇଛନ୍ତି ବୋଲି ସୁମିଟା ଖୁସି–ବୋକୀଟା କିଛି ବୁଝେନି । ଏଇ ବ୍ଲଡ଼ି ଇନକମ୍‌ ଟ୍ୟାକ୍‌ସ ଡିପାର୍ଟମେଣ୍ଟ, ସି.ବି.ଆଇ., ଭିଜିଲାନ୍‌ସ ଇତ୍ୟାଦି ଯାହା ନା–ସନ୍ଦେହ କରନ୍ତେ ଏତେ କମ୍‌ ଦିନ ଚାକିରି ଭିତରେ ଏତେ ସୁନ୍ଦର କୋଠାଟିଏ କିପରି ହେଲା ? ଯଦି ତମ ଇନ୍‌କମ୍‌ ପ୍ରକୃତରେ ଏତେଥିଲା ତା ହେଲେ ଇନ୍‌କମ୍‌ ଟ୍ୟାକ୍‌ସ ଦିଆ ନହେଲା କାହିଁକି ? ଏମିତି ଅନେକ ଜିରାରୁ ସିରା ବାହାର କରିବେ । ଏଣୁ ସୁମି ନାମରେ କୋଠା କରିବା ବ୍ୟତୀତ ଅନ୍ୟ ପନ୍ଥା ଆଉ କଣ ଥିଲା ? ସୁମି ନାମରେ ଏକ କଣ୍ଟ୍ରାକ୍‌ଟରସ, ସପ୍ଲାୟରସ୍‌ ଫର୍ମ ମଧ୍ୟ ଚଳାଇଛନ୍ତି ଭୁବନବାବୁ–ଅବଶ୍ୟ ନାମଟା ହିଁ ସୁମିର ।

 

–ମେ ଆଇ କମ୍‌ ଇନ୍‌ ସ୍ୟାର ?

 

ଭୁବନବାବୁଙ୍କ ଚିନ୍ତା ଭଗ୍ନ ହେଲା । ଆରେ ସେଇ ଯୁବକଟି, ଯିଏ ଲିପି ବସିଥିବା ବେଳେ ଆସିଥିଲା । ଏଇ ଭିତରେ ତା କଥା ସେ ପୁରା ଭୁଲି ଯାଇଛନ୍ତି; ଯଦିଓ ଟିକିଏ ପରେ ତାକୁ ଡକାଇବା ପ୍ରତିଶ୍ରୁତି ସେ ଦେଇଥିଲେ ।

 

–ଇୟେସ୍‌ କମ୍‌ ଇନ୍ ?

 

ଅରୁଣ ଆସି ଠିଆ ହେଲା ।

 

–ଆପଣ ଶଶଧରବାବୁଙ୍କ ପୁଅ ନା ? ବସନ୍ତୁ । ବାପା ଭଲରେ ଅଛନ୍ତି ତ ?

 

–ହଁ, ଭଲ ଆଉ କଣ ? ଆର୍ଥିକ ଅନାଟନ ତ । ବାପ ପୁଅ ଟ୍ୟୁସନ୍‌ କରୁଚୁ ।

 

–ଆପଣଙ୍କ ନାମ କଣ ?

 

–ଆଜ୍ଞା, ଅରୁଣ ।

 

–ହଁ, ଅରୁଣବାବୁ । ଏଇଠି ଯେଉଁଦିନୁ ଅଛି ଅନ୍ତତଃ ଆପଣଙ୍କ ବାପାଙ୍କ ଖବର କିଛି ମୁଁ ରଖିବାକୁ ଚେଷ୍ଟା କରିଚି । କେତେହେଲେ ମୋର ଶିକ୍ଷକ ତ । ପ୍ରକୃତରେ ପଲିଟିକାଲ ପେନ୍‌ସନ୍‌ଟା ଏପରି ରୋକଠୋକ ମନା କରିଦେବା ଠିକ୍‌ ବୋଧେ ହେଲାନି । ଶୁଣିଚି ସରକାର ବି କୁଆଡ଼େ ଲେଖୁଥିଲେ ଏହି ପେନସନ୍‌ ପାଇଁ ଦରଖାସ୍ତ ଦେବାକୁ ।

 

–ବାପାଙ୍କ କଥା ତ ଆପଣ ଜାଣିଥିବେ । ଯାହା ବୁଝିଥିବେ ସେଇୟା ।

 

–ଠିକ୍‌ ଅଛି, ଆପଣଙ୍କ କଥା ମୋ ମନରେ ରହିଲା । ଦରଖାସ୍ତ ତ ଦେଇଛନ୍ତି । ବାପାଙ୍କ ବ୍ୟକ୍ତିଗତ ପତ୍ରଟା ବି ପାଇଛି । ଆପଣଙ୍କ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି । ହଁ, କେବଳ ଗୋଟାଏ କଥା–ଯଦି ଆପଣଙ୍କ ବଡ଼ଭାଇଙ୍କ କଥା ବୋର୍ଡ ଅଫ୍‌ ଡିରେକ୍‌ଟର ଭିତରୁ କେହି ଜାଣିଥାଏ– । କାରଣ ଏଇଟା ଖୋଦ ଗଭର୍ଣ୍ଣମେଣ୍ଟ ସର୍ବିସ ନହେଲେ ବି ବୋର୍ଡରେ ଏସବୁ କଥା ଉଠେ । ତଥାପି ବାପାଙ୍କ ପାଇଁ ତ କିଛି ମୋର କର୍ତ୍ତବ୍ୟ ଅଛି–ଆପଣ ଯାଆନ୍ତୁ, ମୁଁ ଖବର ଦେବି । ହଁ, ବାପାଙ୍କୁ ମୋର ନମସ୍କାର ଜଣାଇ ଦେବେ ।

 

ଏତିକି କହି ଫାଇଲ କାମରେ ବ୍ୟସ୍ତଥିବା ଭଳି ପାଖ ଟ୍ରେରୁ ଗୋଟାଏ ଫାଇଲ ଉଠାଇଲେ । ଅରୁଣ ନମସ୍କାର କରି ଚାଲି ଆସିବା ପରେ ଫାଇଲଟିକୁ ପୁଣି ଯଥା ସ୍ଥାନରେ ଥୋଇ ଦେଇ କହିଲେ–କ’ଣ ନା ଅର୍ଥନୈତିକ ଅନାଟନ ? ତାହେଲେ ସରକାର ଦେବାକୁ ଚାହୁଁଥିବା ପେନ୍‌ସନ୍‌ଟା ମନା କରିଦେଲ କାହିଁକି ? ଦେଶଟାକୁ ଏତେ ଭଲ ପାଇବା ତ ଠିକ୍‌ କଥା ନୁହେ । ଯଦି ଭଲପାଇ ବସିଲ, ତାହେଲେ ଭୋକ ଉପାସରେ ସଢ଼ି ସଢ଼ି ମରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।

 

ଡ୍ରୟର ଖୋଲି ଭୁବନବାବୁ ଚିଠିଟିକୁ ବାହାର କରି ପଢ଼ିଲେ–ଶଶଧରବାବୁଙ୍କ ଚିଠି–‘‘ସ୍ନେହର ଭୁବନ । ଯଦି ସମ୍ଭବ ମୋ ପୁଅ ଅରୁଣର ଯୋଗ୍ୟତା ଅନୁଯାୟୀ ତୁମ ଫର୍ମରେ କିଛି କାମଦିଅ । ସେଠି କ’ଣ ଗୋଟେ ପୋଷ୍ଟ ପାଇଁ ସେ ଦରଖାସ୍ତ ଦେଇଛି । ଆଶାକରେ ସୁଖଶାନ୍ତିରେ ଅଛ । ତୁମ ସମସ୍ତଙ୍କୁ ମୋ ସ୍ନେହାଶୀଷ... ... ...’’

 

ଚିଠିଟା ପଢ଼ି ଭୁବନବାବୁଙ୍କ ଓଠ କୋଣରେ ଏକ ହାସ୍ୟରେଖା ଫୁଟି ଉଠିଲା । ତାପରେ ମନେ ମନେ କହିଲେ–ଶିକ୍ଷକ ମହାଶୟ, ବୋଧହୁଏ ଏଯାଏଁ ତୁମେ ବିଶ୍ୱାସ ରଖି ଆସିଛ ଯେ ଏ ଦେଶରେ ଯୋଗ୍ୟତା ଅନୁଯାୟୀ କାମ କିମ୍ବା ଚାକିରି ମିଳିବା ସମ୍ଭାବନା ଏବେ ବି ଅଛି । ଏ ଦେଶରେ ତ ସବୁ କ୍ଷେତ୍ରରେ ଯୋଗ୍ୟତା ବିହୀନ ଲୋକେ ହିଁ ଯୋଗ୍ୟ ଲୋକଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି । କେବଳ କର୍ମ ଯୋଗାଣ କ୍ଷେତ୍ରରେ ହିଁ ନୁହେ, କଳା ସାହିତ୍ୟ ସଂସ୍କୃତି ସମସ୍ତ କ୍ଷେତ୍ରରେ । ଅର୍ଥ ଶାସ୍ତ୍ରରେ ଗୋଟାଏ ନୀତି ଅଛି ‘‘ବ୍ୟଡ୍‍ କୋଇନଜ ଡ୍ରାଇଭ ଗୁଡ୍‍ କୋଇନଜ ଆଉଟ ଅଫ ଦ ମାର୍କେଟ’’ । ସେଇ ନୀତି ତ ଏଇନେ ସବୁ କ୍ଷେତ୍ରରେ ଚାଲିଛି । ଶିକ୍ଷକ ମହାଶୟ, ତୁମେ ଏଇ ଜମାନାରେ ତିଷ୍ଠି ରହି ପାରିବା ସମ୍ଭାବନା ନାହିଁ । ତୁମ ପୁଅକୁ ଚାକିରିଟିଏ ଯୋଗାଇ ଦେଲେ ମୋର କଣ ଲାଭ ? କୌଣସି ଧନୀର ସନ୍ତାନକୁ ଦେଲେ ବରଂ କିଛି ରୋଜଗାର ଅଛି । କ୍ଷମତାସୀନ ଲୋକର ସଂପର୍କୀୟଙ୍କୁ ଦେଲେ ଭବିଷ୍ୟତରେ ସେଇଠୁ କିଛି ସ୍ୱାର୍ଥ ଆଦାୟ କରିହେବ । ପଇସା ପଇସାକୁ ଟାଣେ, କ୍ଷମତା କ୍ଷମତାକୁ । ତୁମ ହାତରେ ଏ ଦୁଇଟିରୁ କିଛି ତ ନାହିଁ । ତୁମ ପୁଅ ହାତରେ ପଇସା କ୍ଷମତା, ଯେତିକି ପରିମାଣରେ ହେଉ, ନେଇ ଥୋଇ ଦେବା ଏହି ନୀତି ଦୃଷ୍ଟିରୁ ଅନ୍ୟାୟ ହୋଇଯିବ । କ୍ଷମତାବାନ ଅଧିକ କ୍ଷମତାବାନ, ଚିତ୍ତବାନ ଅଧିକ ବିତ୍ତବାନ ଏବଂ ତୁମ ଭଳି ଗରିବ ଲୋକମାନେ ଅଧିକରୁ ଅଧିକ ଗରିବ ହୋଇ ଆସିଛନ୍ତି ଏ ଯାଏଁ–ତୁମ ପାଇଁ ମୁଁ ଏକ ବ୍ୟତିକ୍ରମ କରିବା ଅତ୍ୟନ୍ତ ଗର୍ହିତ କର୍ମ ହୋଇଯିବ । ତାପରେ ଭୁବନବାବୁଙ୍କ ଚିଠି ଏବଂ ଅନ୍ୟ ଏକ ଡ୍ରୟରରେ ଥିବା ଅରୁଣର ଦରଖାସ୍ତଟି ବାହାର କରି ଟିକି ଟିକି ଛିଣ୍ଡାଇ ଦେଇ ଓୟେଷ୍ଟ ପେପର ବାସ୍କେଟରେ ପକାଇ ଦେଲେ ।

 

–ମେ ଆଇ କମ୍‌ ଇନ୍‌ ସାର୍‌ କହି, ଉତ୍ତରକୁ ଅପେକ୍ଷା ନକରି ଟାଇପକରା ଡ଼୍ରାଫ୍‌ଟ ହାତରେ ଧରି ଲିପିକା ଆସି ପହଞ୍ଚିଗଲା ।

 

–ବି ସିଟେଡ । ଜଷ୍ଟ ଏ ମିନିଟ ।

 

ଭୁବନବାବୁ ଗୋଟାଏ ଫାଇଲ ଭିତରେ ନଇଁ ପଡ଼ିଲେ । ପ୍ରକୃତରେ ଟପ୍‌ ଏକ୍‌ଜିକ୍ୟୁଟିଭରମାନଙ୍କ ଏହା ଏକ ଷ୍ଟାଇଲ । ଅନୁଗତ କର୍ମଚାରୀମାନଙ୍କ ଉପରେ ନିଜର ପ୍ରଭୁତ୍ୱ ଦେଖାଇ ହେବା ପାଇଁ କିଛି ସମୟ ସେମାନଙ୍କୁ ଅଟକାଇ ରଖିବା ଏବଂ ଗୋଟାଏ ଜରୁରୀ କାମରେ ବ୍ୟସ୍ତଥିବା ସମୟରେ କିଛି କହି ସାହେବର ମିଜାଜ ଗରମ କରିବା ଅପରାଧ କରି ବସିବା ବଦଳରେ କିଙ୍କର ଭଳି ସାହେବର ଖିଆଲ ମୁତାବକ କର୍ମଚାରୀଟିକୁ ବସାଇ ରଖି, ହଠାତ୍‌ କିଛି ସମୟ ପରେ ତା କଥା ମନେ ପଡ଼ିଯିବା ଭଳି ପଚାରିବା ଏକ ନିତିଦିନିଆ ବ୍ୟାପାର–ଏକ ଟପିକଲ ବୁଗେକ୍ରଟିକ୍‌ ଷ୍ଟାଇଲ୍‌–

 

କିଛି ସମୟ ଏହି ଷ୍ଟାଇଲକୁ ବଜାୟ ରଖି ଫାଇଲରୁ ମୁହଁ ଉଠାଇ ଭୁବନବାବୁ ଚାହିଁଲେ ଲିପିକାକୁ । କୌଣସି ଏକ ବିଖ୍ୟାତ ଶିଳ୍ପୀ ହାତରେ ଅଙ୍କିତ ଏକ ସୌନ୍ଦର୍ଯ୍ୟମୟୀ ନାରୀ ମୂର୍ତ୍ତି କାନଭାସରୁ ଓହ୍ଲାଇ ଆସି ଯେମିତି ବସିଯାଇଚି ତାର ସକଳ ଶାରୀରିକ ସମ୍ପଦ ନେଇ । ଲିପିକାର ଚୁମ୍ବକ ଶକ୍ତି ଯୁକ୍ତ ଆଖି ଦୁଇଟି ଭୁବନବାବୁଙ୍କ ମୁହଁ ଉପରେ । ତାଙ୍କ ମୁହଁଟା ଉପରେ ଚାହାଣି ଫିଙ୍ଗି ଲିପିକା ଏଇ ଭିତରେ ତାଙ୍କ ମନୋବଳ କଳି ସାରିନିତ ?–ଦେଖି ଡ୍ରାଫଟଟା । ମୃଦୁ ହସି ହାତ ବଢ଼ାଇଲେ ଭୁବନ ।

 

ଲିପିକା ଡ୍ରାଫଟ ବଢ଼ାଇ ଦେଲା । ଡ୍ରାଫଟ୍‌ଟି ନେବାବେଳେ ନିଜ ହାତରେ ଲିପିକାର ହାତ ସ୍ପର୍ଶ କରିବା ସୁଯୋଗଟିକୁ ଭୁବନବାବୁ ପୁରା ସଦ୍‌ବ୍ୟବହାର କଲେ । ତାପରେ ଡ୍ରାଫଟ୍‌ଟି ଦେଖି ମନେ ମନେ ପ୍ରଶଂସା ବି କଲେ–ନିର୍ଭୁଲ ଟାଇପ । ଚମ୍ପାକଢ଼ି ଭଳି ଅଙ୍ଗୁଳିଗୁଡ଼ିକ ପୁଣି ଏତେ ଦକ୍ଷ–ଏଭଳି ଅଙ୍ଗୁଳି ଟାଇପ୍‌ ମେସିନ୍‌ ଖଟଖଟାଇବା କାମରେ ! ପ୍ରକୃତରେ ଲିପିକାର ସ୍ଥାନ ଏଇଠି ନହୋଇ ଭୁବନବାବୁଙ୍କ ଅନ୍ତଃପୁରରେ ହେବା ଉଚିତ ଥିଲା–ସୁମତି ଜାଗାରେ, ତାପରେ ଭୁବନବାବୁ ହଠାତ୍‌ ନିଜ ଭାବନାର ଦ୍ରୁତଗାମୀ ଗାଡ଼ିଟା ଉପରେ ବ୍ରେକ୍‌ କଷି ମୁର୍କି ହସି କହିଲେ–ଓକେ ଡେସ୍‌ପ୍ୟାଚ କରିଦିଅ । ମୁଁ ଦସ୍ତଖତ କରି ଦେଉଛି ।

 

ଲିପିକା ଉଠି ଠିଆହେଲା । ଭୁବନବାବୁଙ୍କ ଆଡ଼କୁ ପିଠିକରି ଯାଇ କୋଠରୀର କବାଟ ଖୋଲି ଗୋଡ଼ ବଢ଼ାଇବା ବେଳେ ପଛରୁ ଶୁଣି ପାରିଲା ତା ବସ୍‌ଙ୍କ ଡାକ–

 

–ଜଷ୍ଟ ଏ ମିନିଟ୍‌ ପ୍ଲିଜ ।

 

ଅଗତ୍ୟା ପୁଣି ଫେରିବାକୁ ହେଲା । ବସ୍‌ଙ୍କ ସାମ୍ନା ଟେବୁଲ ସେପାଖେ ଠିଆ ହୋଇ ଟିକିଏ ରୁକ୍ଷ ଭଳି ସ୍ୱରରେ ପଚାରିଲା–ଇୟେସ୍‌ ସ୍ୟାର, ଏନି ମୋର ଇନ୍‌ଷ୍ଟ୍ରକ୍‌ସନଜ ?

 

ଲିପିକା ଆସୁଥିବାବେଳେ ତା ବକ୍ଷବେଷ୍ଟିତ ବ୍ଲାଉସ ଓ କଟିବେଷ୍ଟିତ ଶାଢ଼ି ମଝିରେ ଦେଖାଯାଇଥିବା ଭେଲଭେଟ୍‌ ଭଳି ମସୃଣ ସ୍ନିଗଧ୍‌ ନୟନ ମୁଗ୍‌ଧକର ଅଂଶଟିକୁ ଚାହିଁ ରହିଥିଲେ ଭୁବନ । ଲିପିକାର କଣ୍ଠସ୍ୱରରେ ସେ ଯେପରି ଏକ ସାମୟିକ ସଂଜ୍ଞାଶୂନ୍ୟ ଅବସ୍ଥା ଭିତରୁ ଚମକି ପଡ଼ି ନିଜକୁ ସମ୍ଭାଳି ନେଲେ । ଏମିତି ଏକ ରୁକ୍ଷ କଣ୍ଠସ୍ୱର ତ ସେ ଆଗରୁ ଶୁଣି ନାହାଁନ୍ତି । ଲିପିକା କ’ଣ ତାହେଲେ ତାଙ୍କୁ ଆଉ ଭୟ କରୁନି–ସେ ତାଙ୍କ ମନର ଭାବ ପଢ଼ି ପାରିଚି ?

 

–ନୋ ମୋର ଇନଷ୍ଟ୍ରକସନଜ । ନୋ, ମୋର ଓ୍ୱାର୍କ ଟୁଡ଼େ । ହଁ, ଆଜି ସଂଜରେ ତୁମର କିଛି ଏପଏଣ୍ଟମେଣ୍ଟ ଅଛି କି ?

 

ଲିପିକାର ମୁହଁ, ଆଖିରେ ଏକ କଠିନ ରୁକ୍ଷ ଭାବ । କଣ୍ଠର ସ୍ୱରରୁ ମୁହଁକୁ ଚାଲି ଆସିଥିବା ସେଇ ଭାବ ଭୁବନବାବୁଙ୍କ ସଂଧାନୀ ନଜରରେ ବି ଧରାଦିଏ ତା’ପରେ ହୁଏତ ଘରର ଅଭାବ ଅନାଟନ କଥା ଚିନ୍ତାରେ ଲିପିକାର ମୁହଁ ଆଗ ପରି କୋମଳ ଓ ସରଳ ହୋଇ ଆସେ ଏବଂ ଭୁବନବାବୁ ମନେ ମନେ କହନ୍ତି କିଛି ବିଗିଡ଼ି ଯାଇନାହିଁ–ସବୁଠିକ୍‌ ଅଛି–ଗଡ଼ସ ଇନ୍‌–ହ୍ୟାଭେନ୍‌ ଆଇସ ଗଇଟ୍‌ ଉଇଥ ଦ ଓ୍ୱାର୍‌ଲଡ ।

 

–ନୋ ସ୍ୟାର । କୌଣସି ଆପାଇଣ୍ଟମେଣ୍ଟ ନାହିଁ ।

 

ତାହେଲେ ଅପରାହ୍ନରେ ଅଫିସ ଶେଷ ହେବାପରେ ଏଇଠି ଦେଖା କରିବ ।

 

ଲିପିକା ଦଣ୍ଡେ ଅଟକି ଯାଇ ଯେମିତି କିଛି ଭାବିବା ଭଳି କହିଲା–ଇୟେସ ସ୍ୟାର ।

 

ଲିପିକା ପୁଣି କୋଠରୀର କବାଟ ନିକଟରେ ପହଞ୍ଚିଗଲା । କବାଟ ଖୋଲି ବାହାରକୁ ଯାଉ ଯାଉ ଭୁବନବାବୁଙ୍କ ଆଡ଼େ ଚାହିଁଲା । ଭୁବନବାବୁ ମନେମନେ ଭାବିଲେ ଲିପିକାର ଏହି ଚାହିଁବା ଭିତରେ ଏକ ଅବମୂଲ୍ୟାୟନ ଭାବ ଯେମିତି ରହି ଯାଇଚି–ଲିପିକା ବୋଧେ କଳି ପାରିଚି ତା ଶରୀରର ବନ୍ଦର ଦିଗରେ ତାଙ୍କ ମନ ଏକ ସାବତମରିନ୍‌ ଭଳି ଗୋପନରେ ଲୋକ ଲୋଚନର ଅନ୍ତରାଳରେ ଆଗେଇ ଚାଲିଥିବା । ଲିପିକା କ’ଣ ସହଜରେ ଧରାଦେବ ? –ନା, କିଛି ଅର୍ଥ ପଦୋପ୍ରାପ୍ତିର ଅଶାନ୍ତ ବିନିମୟରେ ? ଠିକ୍‌ ଅଛି, ଆରମ୍ଭ ହେଉ ଖେଳ–ଦେଖାଯିବ ।

 

X X X X

 

ଅନ୍ଧକାରରେ ଗଛତଳେ ନିଜ କାର ରଖିଦେଲେ ଭୁବନବାବୁ । ନା ପ୍ରଥମ ଦିନ ଅଧିକ ଜୋର ଦେବେନି ଲିପିକା ଉପରେ । ଆସ୍ତେ ଆସ୍ତେ ଆଗେଇ ଯିବେ–ଅଭିଜ୍ଞ ଶିକାରୀ ଯେମିତି ଅନ୍ଧକାରରେ ଲକ୍ଷ୍ୟ ଦିଗରେ ଆଗେଇ ଚାଲେ ।

 

–ଆସ ଏଇଠି ଟିକିଏ ବସ । ଅଫିସଟା ଯେ କି ବୋର–ଭୁବନବାବୁ ବସିପଡ଼ି କହିଲେ-। ଭୁବନବାବୁଙ୍କ ପ୍ରସ୍ତାବରେ ଲିପିକା ବସିଲା ।

 

–ପ୍ରାୟ ସବୁଦିନ ଅଫିସ ପରେ ମୁଁ ଏଠାକୁ ଆସେ କିମ୍ବା ଯାଏ ଏକ ବଡ଼ ହଟେଇ ଦେଖି । ବିଲୁକୁଲ୍‌ ନିର୍ଜନତା, କିମ୍ବା କୋଳାହଳ ବିଳାସ ପ୍ରମତ୍ତତା ମତେ ଟାଣେ ।

 

ଭୁବନବାବୁ ଲିପିକାର ପାଖକୁ ଘୁଞ୍ଚିଯାଇ ପୁଣି କହିଲେ–ବେଳେ ବେଳେ ତୁମେ ବି ମୋ ସହ ଆସ ଲିପି, ତମେ ପାଖରେ ଥିଲେ ମତେ ଖୁବ୍‌ ଫୁର୍ତ୍ତି ଲାଗେ–ଟିକିଏ ମନ ଖୋଲି ଗପିବାକୁ ଭଲଲାଗେ ।

 

ଲିପିକା ନିରୁତ୍ତରା ରହିଲା ।

 

–ତମେତ ଦେଖୁଚି କିଛି କହୁନା । ତୁମ ଘରେ ଆଉ କିଏ ଅଛନ୍ତି ଲିପି ?

 

–ବୁଢ଼ା ବାପା, ରୋଗିଣୀ ମାଁ, ମୋଠୁ ଛୋଟ ଦି ଭଉଣୀ, ଗୋଟେ ଭାଇ । ସବୁ ପଢ଼ୁଚନ୍ତି ।

 

–ତାହେଲେ ତ ଏକରକମ ଆର୍ଥିକ ଅନାଟନ । ଭୁବନବାବୁ ଲିପିକାର ହାତ ନିଜ ହାତକୁ ଟାଣି ନେଇ ପୁଣି କହିଲେ–ତୁମ ତଳ ଭଉଣୀ କଣ ପଢ଼େ ?

 

–ମାଟ୍ରିକ୍‌ ପରୀକ୍ଷା ଦେଇଚି ।

 

–ପରୀକ୍ଷାଫଳ ବାହାରିଲେ ମତେ ଜଣେଇବ । ଆମ ଅଫିସରେ ଚାକିରି କରେଇ ଦେବି । ଛୁଟିରେ ନାମମାତ୍ରକେ ଟାଇପ୍‌ ଶିଖୁ ।

 

ସ୍ଥାନଟା ବେଶ୍‌ ନିର୍ଜନ । ଭୁବନବାବୁ ଚାରିଆଡ଼େ ନଜର ପକାଇଲେ । ନା, କେହି ନାହାନ୍ତି । କେବଳ ଦୁରରୁ ସହରର ବିଜୁଳିବତୀ ଦେଖା ଯାଉଛି । ସେ ଜାଣି ଶୁଣି ମନେ ମନେ ଏଇ ଯାଗାଟିକୁ ଆଗରୁ ସ୍ଥିର କରି ନେଇଛନ୍ତି । ଏଠିକି ଲିପିକା ବ୍ୟତୀତ ଆଗରୁ କେତେ ବି ତାଙ୍କ ସହ ଆସିଛନ୍ତି ।

 

ଏମିତି ବଛା ବଛା ଆଉ ତିନିଚାରି ଜାଗାରେ ତାଙ୍କ ପ୍ରଥମ ମିଳନଦିନମାନଙ୍କର ସୂତ୍ରପାତ ହୁଏ । ତାପରେ ଯାଆନ୍ତି ତାଙ୍କ ଜଣାଶୁଣା ହଟେଲମାନଙ୍କୁ । ପାଖରେ ଥାଏ ଏକ ଶକ୍ତିଶାଳୀ ବିଦେଶୀ ଆଟୋମିଟିକ୍‌ କ୍ୟାମେରା । ତାହା ଅତି ସୂକ୍ଷ୍ମଭାବେ ତାଙ୍କ ସାଥିରେ ରହେ । କେତେବେଳେ ତାଙ୍କ କାର୍‌ ଦେହରେ କେତେବେଳେ ହଟେଲର ନିର୍ଜନ ପ୍ରକୋଷ୍ଠରେ ତାକୁ ଖଞ୍ଜି ଦିଆହୁଏ, ଫୁସୁଲା ଫୁସୁଲି କରିବା ଦିନଠାରୁ ନିଜ ଲକ୍ଷ୍ୟ ହାସଲ କରିବା ଦିନ ପର୍ଯ୍ୟନ୍ତ ସମସ୍ତ ଛବି ସେଇ କ୍ୟାମେରାଟି ତୋଳେ । ଥରେ ଲକ୍ଷ୍ୟ ହାସଲ ହୋଇସାରିଲା ପରେ ନଗ୍ନଛବି ସବୁର ଅନେକ କପି ତାଙ୍କର ଏକ ଜଣାଶୁଣା ଫଟୋ ଷ୍ଟୁଡ଼ିଓରେ ସେ କରାଇ ନିଅନ୍ତି । ତାପରେ ଶୀକାରକୁ ଆଉ ତାଙ୍କ ଜାଲରୁ ବାହାରିବା ବାଟ ନଥାଏ । ଶିକାରକୁ ତାଙ୍କ ନିର୍ଦ୍ଦେଶମତେ ନାଚିବାକୁ ହୁଏ । ନଚେତ୍ ସେଇ ନଗ୍ନଛବି ସବୁ ତାଙ୍କ ବାପା ମାଁ ତଥା ଯେଉଁଠି ବାହାଘର ପ୍ରସ୍ତାବ ଥିବ ସେଇଠିକୁ ପଠାଇ ଦେବାକୁ ଧମକାନ୍ତି । ଫଳରେ ଯେକୌଣସି ଦିନ ଯେକୌଣସି ମୁହୂର୍ତ୍ତରେ ଶିକାର ଖେଳିବା ଇଚ୍ଛା ହେଲେ ଶିକାରକୁ ହାଜିର ହେବାକୁ ପଡ଼େ । ଏଇ ରାସ୍ତାରେ ଗୋଡ଼ ଖସିଯାଇଥିବା ଜଣେ ଦିଜଣକୁ ସେ ନିଜର ଉପରବାଲାମାନଙ୍କ ସାମୟିକ ସେବାରେ ନିୟୋଜିତ କରି ପାରିଛନ୍ତି ।

 

ଭୁବନବାବୁ ଲିପିକାର ହାତକୁ ନିଜ ହାତରେ ସେମିତି ମୁଠେଇ ଧରି ମନେ ମନେ କହିଲେ–ଦେଖେ ଲିପି, ମୋ ସାଙ୍ଗେ ଅଧିକ ଖେଳିବୁନି । ଏଇନେ ଯେତିକି ହଇରାଣ କରିବୁ, ତୋ ଛବି ସବୁ ଉଠି ଗଲାପରେ, ତତେ ନାକେଦମ ଉଠ ବସ କରେଇବି । ଆଉ ତୋ ଭଉଣୀକୁ ଚାକିରି ବେବି ନା ? ତାକୁ କେମିତି ଚାକିରି ଦେବା ବାହାନାରେ ଥରେ ଦିଅର କେଉଁ ହଟେଲକୁ ନେଇ ଟିକେ ପାନୀୟ ପିଆଇ ଅଚେତ କରିଦେଲେ ହେଲା–ଲକ୍ଷ୍ୟ ହାସିଲ–ଫଟୋ ହାସିଲା । ତାପରେ ତ ତମମାନଙ୍କ ଦେଇ ମୋ ଉନ୍ନତି ଓ ଆୟ ପନ୍ଥା ବଢ଼ିବ । ଚାକିରିଟା ଏମିତି ତମମାନଙ୍କୁ ବାଣ୍ଟିବି କାହିଁକି–ହଜାର ହଜାର ଟଙ୍କା ବଦଳରେ ନ ବିକିବି କାହିଁକି ? ଭୁବନ–ମୋହନ ତୋଭଳି ଝିଅମାନଙ୍କ ଚେହେରା ଦେଖୁ ବଶବର୍ତ୍ତୀ ହୋଇ ଭଣ୍ତାର ଖୋଳିଦେବା ଲୋକ ନୁହେଁ । କୌଶଳରେ ଏଯାଏଁ କେହି ଝିଅ ତାକୁ ବଳେଇ ଯାଇନାହିଁ । କାଇଦାରେ ଚେହେରାରୁ ଫାଇଦା ଉଠେଇ ସାରି ତାକୁ ନିଜ ନିର୍ଦ୍ଦେଶ ମତେ ଅତୀତ ଗେମସାମ୍ରାଜ୍ୟର କ୍ରୀତଦାସୀ ଭଳି ଖଟାଅ । ମନେପଡ଼େ ପ୍ରେମ ଆହୁଜା କୁଆଡ଼େ ସିଲଭିଆକୁ କହିଥିଲା–ଏଇ (ବମ୍ୱେ) ସହରରେ ଏମିତି ଝିଅନାହିଁ ଯାହାର ଭାଉ ରାତିକେ ତିନି ହଜାର ଟଙ୍କାରୁ ଅଧିକ ହୋଇପାରେ ଏବଂ ତମେ କଣ ଭାବୁଛ ସିଲଭିଆ ଯେ, ମୁଁ ଯେତେ ଝିଅଙ୍କ ସଙ୍ଗେ ରାତି କଟାଇବି ସମସ୍ତଙ୍କୁ ବାହାହେବି ? ସେମିତି ମୁଁ ବି କହିପାରେ–ଏଇ ସହରରେ ଯେଉଁ କେତେଟା ଚେହେରାବାଲୀ ଝିଅ ମୋ ନଜରରେ ପଡ଼ିଛନ୍ତି, କାହା ମୂଲ୍ୟ ମୋ କୌଶଳଠାରୁ ଅଧିକ ବୋଲି ମୁଁ ମନେ କରେନାହିଁ, ଏବଂ ଯେଉଁମାନଙ୍କ ସହ ମୁଁ ରାତି କଟାଇବି ସମସ୍ତଙ୍କୁ ଗୋଟେ ଗୋଟେ ଚାକିରି ଦେବି ନା କଣ ? ଝିଅମାନେ ତ ଏଯାଏଁ ହଠାତ୍ ନିଜ ନଗ୍ନ ଛବି ଦେଖି ହିଁ ମୁଁ ଯେତେବେଳେ ଯାହା କହିଚି ମୋ କଥା ମାନି ଆସିଛନ୍ତି । ଆଉଟିକେ ଅଧିକ ହେଲେ ସେମାନଙ୍କ ସହ ସମ୍ଭୋଗ ଚିତ୍ରଗୁଡ଼ିକ ଦେଖାଇ ଦିଆଯାଏ । କାହା ଘରକୁ ତ ପଠାହେବା ଏଯାଏଁ ଦରକାର ପଡ଼ିନି । ଯଦି ଦରକାର ହୁଏ, ମୋର କଣ କ୍ଷତି ? ଚାକିରିଆମାନେ ସିନା ଦିଟା ବାହା ହୋଇ ପାରିବେନି; କିନ୍ତୁ ଏସବୁ କାଣ୍ତ ପାଇଁ ଏଯାଏଁ କାହାର କ୍ଷତି ହୋଇନି–ବରଂ ପଦୋନ୍ନତି ହୋଇଚି । ଖାଇବ ଏବଂ ଖୁଆଇବ–ଯଦି ପରଦ୍ରବ୍ୟକୁ ଖାଇବ, ଏବଂ ସେଥିରୁ ଟିକିଏ ଉଚ୍ଚମହଲରେ ଚଖେଇଦେବ ତ ମାଛତେଲରେ ହିଁ ମାଛ ଭଜା ହୋଇଗଲା–ଅର୍ଥୋନ୍ନତି ସାଙ୍ଗକୁ ପଦୋନ୍ନତି ପଟାପଟ୍ । ଅନ୍ୟ କାହାର ମାନମର୍ଯ୍ୟାଦା କିମ୍ୱା ଦେଶର କ୍ଷତି ଇତ୍ୟାଦି କଥା ଯେଉଁମାନେ ଚିନ୍ତା କରନ୍ତି ସେମାନେ ମୂର୍ଖ– । ଏଇ କଳିଯୁଗରେ ଏହାହିଁ ତ ଧର୍ମ–ଯେଉଁମାନେ ଏଇ ଯୁଗୋପଯୋଗୀ ଧର୍ମ ନ କରିବେ, ମରନ୍ତୁ ।

 

ଭୁବନବାବୁଙ୍କ ଅନ୍ୟ ହାତଟା ଲିପିକାର ଦେହ ଆଡ଼େ ଚାଲି ଯାଇଥିଲା । ସେ ବୁଝିପାରିଥିଲେ ତା ଅଭାବଜନିତ ଦୁର୍ବଳତାକୁ । ନିଜ ଅଭିଜ୍ଞତାରୁ ସେ ଜାଣିପାରିଥିଲେ ଯେ, ଅଭାବ ସମୟରେ ସାହାଯ୍ୟ ନକଲେ ବି ପ୍ରଥମେ ନିଜ ଶିକାରମାନଙ୍କ ଅଭାବ ସମ୍ପର୍କରେ ସବୁ ଖବର ଯୋଗାଡ଼ କରି ରଖିବା ଉଚିତ–ପରବର୍ତ୍ତୀ କାଳରେ ନିଜ କୌଶଳ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ।

 

ଏଇ ଅଭିଜ୍ଞତା ହେତୁ ଏଇନେ ଅଭାବୀର ଦୁର୍ବଳ ମନୋବଳର ସୁଡ଼ଙ୍ଗ ଦେଇ ତାଙ୍କର ଅନ୍ୟ ହାତଟି ମଧ୍ୟ ଲିପିକାର ହାତ ମୁଠାର ଉର୍ଦ୍ଧ୍ୱକୁ ଯାଇ ବାହୁ ଓ ବେକ ଛୁଇଁ ସାରିଥିଲା । ତାପରେ ଅନ୍ଧକାର ଭିତରେ ଦେହଦେଉଳଟିର କାରୁକାର୍ଯ୍ୟ ପରଖିବା ପାଇଁ ହାତ କ୍ରମେ ବୋତାମ ଆଡ଼େ–

 

ଲିପିକା ଚମକି ଘୁଞ୍ଚିଯାଇ କହିଲା–ସ୍ୟାର୍‌ ଅନେକ ରାତି ହେଲାଣି–

 

ଭୁବନବାବୁ ହାତର ରେଡିୟମ୍‌ ମାର୍କା ଘଡ଼ିଟିକୁ ଚାହିଁ କହିଲେ–

 

–ମୋତେ ତ ନ’ଟା । କେବଳ ଏଇ ଅଞ୍ଚଳଟି ନିର୍ଜନ ବୋଲି ଅଧିକ ରାତି ମନେ ହେଇଛି । ଏଇଟା କଣ ରାତି ? ମୁଁ ତ ସବୁଦିନେ ରାତି ଗୋଟାଏ ଦୁଇଟାରେ ଘରକୁ ଫେରେ । ବେଳେ ବେଳେ କେଉଁ ହୋଟେଲର ଏକ କୋଠରୀରେ ଭିତରୁ ତାଲାବନ୍ଦ କରି ଶୋଇଯାଏ ।

 

ଭୁବନବାବୁ ଲିପିକାର ଆହୁରି ନିକଟକୁ ଘୁଞ୍ଚି ଆସି ପୁଣି କହିଲେ ଶୁଣ ଲିପି, ତମ ଦେହଟା ଯେମିତି କୋମଳ, ମନଟା ବି ତ ସେମିତି । ତମେ ମୋ ସହ ଘରକୁ ଯାଇଛ–ସୁମିକୁ ଦେଖିଛ । ସେଇଟା କଣ ମୋ ସ୍ତ୍ରୀ ହେବା ଉଚିତ ଥିଲା ? ପ୍ରକୃତରେ ତମକୁ ଦେଖିବା ଦିନୁ ତମେ ହିଁ ମୋ ମନ ଧ୍ୟାନର କେନ୍ଦ୍ର ହୋଇ ଯାଇଛ–ସେଇଟା ଗୋଟେ ପୋଇଲୀ ଭଳି ଘରେ ଖଟୁଥାଉ । ତମେ ହିଁ ମୋ ହୃଦୟର ରାଣୀ । ସବୁ ତମର ବୋଲି ଜାଣ । ତମର କଣ ଅଭାବ ଅସୁବିଧା ଅଛି ମତେ କହ–କହି ଦେଖ, କରି ଦେଉଛି କି ନା । ତା ଛଡ଼ା ମୁଁ ତ ତମ ବସ୍–ତମ ପ୍ରମୋସନ ନିକଟରେ । ତମେ ତ ଆଉ ଡି.ସରକାରୀ ଭଳି ଡିମୋଟେଡ ହୋଇ ଏଇଠୁ ଟ୍ରାନ୍‌ସଫର ହେବା କିମ୍ୱା ଚାକିରି ଛାଡ଼ି ଚାଲିଯିବା ଚାହୁଁନା–

 

କହୁ କହୁ ଭୁବନବାବୁ ଗୋଟାଏ ଦୁଇଟି ବୋତାମଖୋଲି ଦେଇ ସାରିଥିଲେ । ବାଘର ଘେର ଭିତରେ ଥରିଥରି ଛେଳି ମେଁ ମେଁ କଲାଭଳି ସ୍ୱରରେ ଲିପିକା କହିଲା–ସ୍ୟାର୍‌, ଏକ ଜରୁରୀ କାମ ଥିଲା ଘରେ–ଆଉ ଦିନେ ସ୍ୟାର–ଘରେ କିଛି କହି ଆସିବାକୁ ହେବ–

 

ମନରେ ଚାକିରି ଯିବା କଥା ଚିନ୍ତା ହେତୁ ଲିପିକା ଆଉ କିଛି କହିପାରୁ ନଥିଲା–କାଳେ ଅଧିକା କିଛି–ଭୁବନବାବୁ ଲିପିକାକୁ ନିଜ ଦୁଇ ବାହୁର ଘେର ଭିତରେ ଆବଦ୍ଧ କରିବା ଉଦ୍ୟମ କରି କହିଲେ–ଦେନ୍‌ ଓ୍ୱାନ୍‌ କିସ୍‌ ଟୁଡେ ଆଣ୍ତ ଲେଟ ଅ୍ୟାଣ୍ଡ ଗୋ, ଆଜ ୟୁ ନୋ କିସେଜ୍‍ ଆର୍ ଦ ଲଙ୍ଗଓ୍ୱେଜ ଅଫ ଲଭ– ।

 

ଲିପିକା ମୋଡ଼ି ହୋଇ ଖସି ଯାଉଯାଉ ଦୁଇ ତିନିଟା ଚୂମା ତା ଦେହ ମୁହଁରେ ଅନୁଭବ କଲା । ଭୁବନବାବୁ କହୁଥିଲେ–ଆଇ ନୋ ଲିପି, ଓୟୋମେନ୍‌ଜ ନୋ ଆଫନ ମିନ ରିଅଲି ୟସ ।

 

ଲିପିକା ଭୁବନବାବୁଙ୍କ କବଳରୁ ନିଜକୁ ବଞ୍ଚାଇ ଗାଡ଼ି ବ୍ୟାକ୍‌ ସିଟ୍‌ରେ ବସି କବାଟ ବନ୍ଦ କରି ଦେଇଥିଲା ।

 

ଭୁବନବାବୁ ଗାଡ଼ି ଷ୍ଟାର୍ଟ କରୁ କରୁ କହିଲେ–ଠିକ୍‌ ଅଛି, ଏଥର ତମ କଥା ବିଶ୍ୱାସ କଲି-। ଅରଜେଣ୍ଟ କାମ ଅଛି ତ ଘର ଆଖପାଖରେ ସୁବିଧା ଅନ୍ଧାରୁଆ ଜାଗା ଦେଖି ଗାଡ଼ି ରଖି ଦେବି–ବଟ୍ ନେକ୍‌ସଟ ଟାଇମ ବି ପ୍ରିପେରଡ୍‍–କୌଣସି ଆପତ୍ତି ଶୁଣାଯିବ ନାହିଁ ।

 

ଭୁବନବାବୁଙ୍କ ଗାଡ଼ି ଛୁଟି ଚାଲିଲା–

 

ଲଣ୍ଠନର ଆଲୁଅ ଘର ଭିତରକୁ ପଶି ଆସୁଥିବା ପବନରେ ଥରୁଥିଲା । ଛାଇ ଆଲୁଅର ଚଳଚିତ୍ର ମାନସୀ ମୁହଁରେ ଖେଳି ଯାଉଥିଲା । ସେ ଆଣ୍ଠୁରେ ମୁହଁ ଗୁଞ୍ଜି କିଛି ଭାବୁଥିଲା । କଳାମେଘ ଆକାଶକୁ ଘୋଟିଯିବା ଭଳି କଳାକେଶ ତା ପିଠିକୁ ପୂରା ଘୋଡ଼ାଇ ରଖିଥିଲା । ଭାତ ଫୁଟୁଥିଲା ଚୁଲି ଉପରେ । ହାଣ୍ତିର ଢାଙ୍କୁଣି ଦେଇ ଫେଣ ସବୁ ବାହାରୁଥିଲା । ସେଇ ଆଡ଼େ ତାର ଖିଆଲ ନଥିଲା ।

 

ରନ୍ଧାଘର ପାଖେ ଶୋଇବା କୋଠରୀ । ପୂରୁଣା ଘର । କାନ୍ଥରେ ଜାଗାଏ ଜାଗାଏ ଫାଟ । ସନ୍ତସନ୍ତିଆ ଅନ୍ଧାରୁଆ କୋଠରୀ ଦୁଇଟି । ପ୍ରଥମ କୋଠରୀରେ ମଣିଷ କଞ୍ଚ ଆଇନା, ଆଇନା ଆଗରେ ପ୍ରସିଦ୍ଧ ଗଳକମଳ କ୍ଳଥ ସପ୍‌ର ଗତବର୍ଷର ହେମାମାଳିନୀ ଛବିଯୁକ୍ତ କ୍ୟାଲଣ୍ତର–ବର୍ଷ ଶେଷ ହୋଇଯାଇଥିଲେ ବି ଯତ୍ନରେ ଟଙ୍ଗା ହୋଇଚି । ଆଲଣାରେ ମଳିନ ସାର୍ଟ, ପେଣ୍ଟ, ଲୁଙ୍ଗି ଓ ଗଞ୍ଜି । ଗୋଟାଏ ଖଟ । ଦୁଇଟି ପୁରୁଣା କାମଚଳା କୁର୍ତ୍ତି । ଏଇଟା ଡ୍ରାଇଂ ରୁମ୍‌ରେ କାମଦିଏ ।

 

ପାଖ କୋଠାରୀଟି ହିଁ ଏକମାତ୍ର ବେଡ଼୍‌ରୁମ୍‌ ଏଇ ଘରର । ଏଇଟା ମାନସୀର ରହିବା ଘର ମଧ୍ୟ । କାନ୍ଥରେ ସରସ୍ୱତୀ, ଶ୍ରୀକୃଷ୍ଣ, ମହାଦେବ, ଦୁର୍ଗା, ଶ୍ରୀ ରାମକୃଷ୍ଣ ପ୍ରଭୃତିଙ୍କ ଛବି ଚଉଦିଗେ । ଖଟ, ଟେବୁଲ, ଟ୍ରଙ୍କ, ଥାକଥାକ ପତ୍ରିକା ବହି ସହ ଘରକରଣା ସାମାନ ମଧ୍ୟ ନିଖୁଣଭାବେ ବିଭିନ୍ନ କୋଣରେ ସୁସଜ୍ଜିତ । ବହି ପତ୍ରିକା ଥାକ ପାଖେ ମାନସୀର ନିଜ ଲେଖାର ପାଣ୍ତୁଲିପି କେଇଟା ବି ଥିବା ସମ୍ଭବ । ମାନସୀ ସହ ପରିଚିତ କେହି କେହି କହନ୍ତି ଯେ ସେ ଦିନେ ଲେଖାଲେଖି କରୁଥିଲା ଏବଂ ପତ୍ର ପତ୍ରିକାରେ କିଛି ଲେଖା ପ୍ରକାଶିତ ବି ହୋଇଥିଲା ।

 

ହଠାତ୍ ବେଡ୍‍ ରୁମ୍‌ରେ ସେଇ ଖଟ ଉପରେ ଶୋଇଥିବା ତିନି ଚାରି ବର୍ଷର ପୁଅ ପାଖେ ବସି ଟେବୁଲ ଉପରେ ଥିବା ଲଣ୍ଠନ ସାହାଯ୍ୟରେ ପଢ଼ୁଥିବା, ଆଠ ନଅ ବର୍ଷର ଝିଅଟି କହିଲା–ବୋଉ, କ’ଣ ଗୋଟେ ପୋଡ଼ା ଗନ୍ଧ ଭଳି ବାସୁଚି–ଭାତ ଉଛୁଳି ଚୂଲ୍ଲୀରେ–

 

ଝିଅଟିର ଡାକରେ ମାନସୀ ଚମକି ପଡ଼ି ଚାହିଁଲା । ଢାଙ୍କୁଣିଟି ବାହାର କରି ଦେଇ କେଇ ପୋଷ ପାଣି ଛାଟିଦେଲା । ଶାଢ଼ିର ମୁହଁ ଦେଇ ଆଖି ଓ ମୁହଁ ପୋଛି ପକାଇ ଝିଅକୁ ପଚାରିଲା–ତୋ ବାପା, ଆସି ନାହାନ୍ତି କି ମାଁ ?

 

ଏଇଟା ମାନସୀର ଫାଲ୍‌ତୁ ପ୍ରଶ୍ନ । ସେ ଜାଣେ ନିଶାନାଥ ଫେରି ନାହିଁ । ନିଶାନାଥ ଫେରିବା ସଙ୍ଗେ ସଙ୍ଗେ ‘‘ମାନୁ’’ ବୋଲି ଡାକ ପକାଏ । ଏଇନେ ଏତେ ଅଭାବ ଅସୁବିଧାର ଅତ୍ୟାଚାର ସତ୍ୱେ ବି ସେଇ ଡାକଟି ଶୁଣିଲେ ତାର ନିତିଦିନିଆ ଯନ୍ତ୍ରଣା ମୁହୂର୍ତ୍ତକ ପାଇଁ ସେ ଭୁଲିଯାଏ ।

 

ରନ୍ଧାଘରୁ ଉଠିଆସେ ମାନସୀ ଡ୍ରଇଂ ରୁମକୁ । ଝର୍କା ଖୋଲି ବାହାରକୁ ଚାହେଁ । ବାହାରେ ଅନ୍ଧକାର । ଆଖିକୁ ଯେତେଦୂର ଦେଖା ଯାଉଛି ସବୁଠି ଅନ୍ଧକାର–ଅନ୍ଧକାର ଯେମିତି ଗ୍ରାସ କରିଛି ସାରା ଦେଶଟାକୁ । ମଣିଷ କେହି କାହାକୁ ଚିହ୍ନି ପାରୁ ନାହାନ୍ତି–ମାଁ, ଭଉଣୀ, ଚିହ୍ନୁ ନାହାନ୍ତି ନିଜକୁ ବି । ପାଦକୁ ହାତ ମନେ କରନ୍ତି–ଅନୀତିକୁ ନୀତି । ନିଜକୁ ଜନ୍ତୁ ମନେ କରନ୍ତି, ନରରୂପୀ ରାକ୍ଷସମାନଙ୍କୁ ସିଂହାସନରେ ବସାଇ ପୂଜନ୍ତି । ଚିନି, ଖାଇବା ଦ୍ରବ୍ୟ, ଶିଶୁଖାଦ୍ୟ, ସିମେଣ୍ଟ, କିରାସିନି ସବୁ ଚାଲିଯାଉଛି କଳାବଜାରୀମାନଙ୍କ ଗୋଦାମ ଘରର ଅନ୍ଧକାର ଭିତରକୁ । କେମିତି ବଞ୍ଚିବ ମଣିଷ ଏଇ ଅନ୍ଧାରି ମୁଲକରେ ।

 

ଏଇ ଅନ୍ଧକାର ଭିତରେ ମାନସୀର ଆଖିଡ଼ୋଳା ଜଳି ଜଳି ସେଇ ଆଲୋକରେ ନିଶାନାଥର ଅସ୍ତିତ୍ୱ ଖଷାଜେ । ନିଶାନାଥ ଫେରୁନାହାନ୍ତି କାହିଁକି ? ଏଇ କେତେ ମାସ ହେଲା ଏତେ ଡେରିରେ ଫେରୁଛନ୍ତି କାହିଁକି–ମଝିରେ ମଝିରେ କିଛି ଦିନ ପାଇଁ କେଉଁଆଡ଼େ ଗାଏବ ହୋଇଯାଉଛନ୍ତି ଯେ ଅପେକ୍ଷା କରି କରି ତାକୁ ଅସମ୍ଭାଳ ହୋଇଯିବାକୁ ପଡ଼ୁଛି । ଆଗେତ ଏମିତି ନଥିଲେ । ସନ୍ଧ୍ୟା ହେଉ ନ ହେଉ ଫେରୁଥିଲେ । ମାନସୀ କବାଟ ଖୋଲି ଦେଉଥିଲା । ସେ ତାକୁ କଡ଼ାଇ ଧରି ଏକ ସ୍ନେହାର୍ଦ୍ର ସ୍ୱରରେ ଡାକୁଥିଲେ–ମାନୁ ! ବାହାରୁ କେହି ଦେଖି ପକାଇବ ଏଥିପାଇଁ ମାନସୀ ପ୍ରଥମେ ଧଡ଼କରି କବାଟ ବନ୍ଦ କରି ତାପରେ ନିଜକୁ ମୁକୁଳାଇ ନେଉଥିଲା ।

 

ଏତେଦିନ ହୋଇଗଲାଣି । ତଥାପି ମନେହୁଏ ଏଇ ସେଦିନ ଭଳି । କଲେଜରେ ପଢ଼ୁଥିଲେ ସେମାନେ–ନିଶାନାଥ ଶେଷବର୍ଷରେ ଓ ମାନସୀ ତୃତୀୟ ବର୍ଷରେ । ଦୁହିଁଙ୍କ ଭିତରେ ଅନେକ ମିଳାମିଶା, ଘନିଷ୍ଠତା ଥିଲା । ଦୁହେଁଥିଲେ ନାଟକ–ପାଗଳ । ସବୁବର୍ଷ ଡ୍ରାମା କମ୍ପିଟେଶନରେ ପୁରସ୍କାର ପାଉଥିଲେ । ମଝିରେ ମଝିରେ ଏକତ୍ର ସିନେମା କିମ୍ୱା ଡ୍ରାମା ଦେଖା ବି ଚଳୁଥିଲା ।

 

ଶେଷବର୍ଷର ଡ୍ରାମା ଉତ୍ସବ ପୁରସ୍କାର ବିତରଣ ପରଦିନ ସେମାନେ ପାର୍କକୁ ବୁଲି ଯାଇଥିଲେ । ପାର୍କର କୃତ୍ରିମ ଝରଣାଟି ନିକଟରେ ବସିଥିଲେ ଦୁହେଁ । ମାନସୀର ସୌନ୍ଦର୍ଯ୍ୟ ଓ ପ୍ରସାଧନର ସୌରଭ ପବନରେ ଘୁରି ଘୁରି ବିଛି ହୋଇ ଯାଇଥିଲା ଚଉଦିଗେ । ପ୍ରଥମେ ନିଶାନାଥ ହିଁ କହିବା ଆରମ୍ଭ କଲା–

 

–ତମେ ତ ଖୁବ୍‌ ଅଭିନୟ କରିଜାଣ, ମାନସୀ, କିନ୍ତୁ ଗତକାଲିର ଅଭିନୟ ଥିଲା ଅପୂର୍ବ-!

 

–ତମେ ବି କମ୍ ନଥିଲ ।

 

–ନା, ମୋ ମନରେ କଲେଜ ଛାଡ଼ିବା ଚିନ୍ତା ଏବଂ ତା ସହ ତୁମକୁ ଛାଡ଼ି ଚାଲିଯିବା ଚିନ୍ତା ଥିବା ହେତୁ ମୁଁ ଭଲ ଗେଲ କରିପାରି ନଥିଲି, ମୁଁ ଜାଣେ–

 

–ଆରେ, ମୋ ମନରେ ବି ତ ଠିକ୍‌ ଏଇ ଚିନ୍ତା ହିଁ ଥିଲା । ହାଇ ଷ୍ଟ୍ରେଞ୍ଜ୍ କିନ୍ତୁ ଯେହେତୁ ତୁମେ ଓ ମୁଁ ଆଉ ଏଭଳି ଗେଲ କରିପାରିବାନି ଭବିଷ୍ୟତରେ, ମୁଁ ଚାହିଁଥିଲି ମୁଁ ଏମିତି ଅଭିନୟ କରିବି ଯେପରି ତାହା ତମର ମନେ ରହିଯିବ ବହୁଦିନ ଯାଏଁ ।

 

–ପ୍ରକୃତରେ ଗ୍ର୍ୟାଣ୍ତ ଏକ୍‌ଟିଂ–ଖୁବ୍‌ ଷ୍ଟେଜ୍ ଫ୍ରି ଥିଲ ।

 

–ହଁ, ଏହା ପରେ କଣ କରିବି ନିଶି ?

 

–ବେକାର ସମସ୍ୟା ତ ଦେଖୁଛ । ତମେ କ’ଣ ଜଣେ ବେକାରୀକୁ ଆଉ ଭଲ ପାଇବ-?

 

–ବାଃ, ଏଇଥି ପାଇଁ ଏଇ ତିନି ଚାରିବର୍ଷ ଏତେ ପ୍ରତିଜ୍ଞା କରିଥିଲେ ପରସ୍ପର ନିକଟରେ-? ତମେ ମତେ ଆଉ ବିଶ୍ୱାସ କରିପାରୁନ ?

 

–ସରି ମାନୁ–ଆଇ ଏମ୍‌ ସୋ ସରି–ତମେ ମତେ ଖୁବ୍‌ ଅଶ୍ୱସ୍ତ କଲ । ଶୁଣ, ପାଞ୍ଚ ଛମାସ କିମ୍ୱା ବର୍ଷେ ଚାକିରି ପାଇଁ ଏଣେ ତେଣେ ଦଉଡ଼ିବି । ଯଦି ନ ମିଳେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରିବି–ମନେରଖ, ତମେ କଲେଜ ଛାଡ଼ିବା ଆଗରୁ ମୁଁ ପୁଣି ଆସି ତୁମ ସାମ୍ନାରେ ହାଜର ହୋଇ କହିବି ଚାଲ ରେଜିଷ୍ଟ୍ରି ଅଫିସକୁ–

 

–ବାଃରେ, ମୁଁ କଲେଜ ଛାଡ଼ିବା ଆଗରୁ କେବଳ ସେଇଦିନ ଆସିବ ତା ଆଗରୁ ନୁହେଁ-? ପ୍ରମିସ୍ କର ତା ଆଗରୁ ମଝିରେ ମଝିରେ ଆସିବ ।

 

–ହଉ ସେଇୟା–

 

–ନା, ସେଇୟା ଫେଇୟା ମୁଁ ଜାଣେନି । କହ–ପ୍ରମିସ ?

 

–ହଁ, ପ୍ରମିସ୍ ।

 

ପ୍ରକୃତରେ ନିଶାନାଥ ତିନି ଚାରିଥର ଆସିଥିଲା ତା ସହ ଆଳାପ କରିବା ପାଇଁ । କିନ୍ତୁ ଚାକିରିଟିଏ ଖୋଜି ଖୋଜି ହଇରାଣ ହେବା–ନ ପାଇ ନିରାଶ ହେବା ଚିନ୍ତାଗୁଡ଼ିକ ତା ମୁଖ ଭଙ୍ଗୀରୁ ତା କଥାବାର୍ତ୍ତାରୁ ସ୍ପଷ୍ଟ ଜାଣି ହେଉଥିଲା । ମାନସୀ ତାକୁ ଆଶ୍ୱାସନା ଦେଇଥିଲା–ଏଇବେଳୁ ଏତେ ନିରାଶାବାଦୀ ହେଲେ ଚଳିବ ? ସେ ପ୍ରତିଜ୍ଞା କରିଥିଲା କିଛି ନହେଲେ ସେ ଏକ ବ୍ୟବସାୟରେ ଯୋଗ ଦେବ । ସତକୁ ସତ ମାନସୀର ପରୀକ୍ଷା ଚାଲିଥିବା ବେଳେ ଥରେ ଖୁବ୍‌ ବୁଟେଡ୍‍ ଶୁଟେଡ୍‍ ହୋଇ ମାତ୍ର କିଛି ସମୟ ପାଇଁ ଦେଖା ଓ ଅନେକ ଅର୍ଥ ବ୍ୟୟ କଲେ କରି ସାରିବା ପରେ ଯିବା ବେଳେ ନିଶାନାଥ କହିଥିଲା ।

 

–ମୁଁ ସେଇ ବ୍ୟବସାୟରେ ଯୋଗ ଦେଇଛି ମାନୁ । ଭଲ ରୋଜଗାର–ପରୀକ୍ଷା ସରୁ ସରୁ ବି ପ୍ରିପେରଡ–

 

–କାଂଗ୍ରାଚ୍ୟୁଲେସନ୍‌ ନିଶି । କିନ୍ତୁ ତମେ ଦେଖୁଚି ଖୁବ୍‌ ଅସ୍ଥିର–

 

–ବାଃ, ଦୀର୍ଘ ଚାରିବର୍ଷ ତ ମତେ ଦିନ ଦିନ ମାସ ମାସ କଢ଼େଇଛ, ଆହୁରି ଏମିତି କେତେ ବର୍ଷ ଜଳେଇବ ? ନିଶାନାଥ କହିଲା ।

 

–ଠିକ୍ ଅଛି ତମେ ଯାହା କହିବ ସେଇୟା ହେବ ।

 

–ପ୍ରମିସ୍ ? ତମ ପରୀକ୍ଷା ଶେଷଦିନ ପୁଣି ଦେଖା–

 

–ହଁ, ପ୍ରମିସ୍ ।

 

ତା ପରେ ଦୁହିଁଙ୍କ ପ୍ରେମ ବିବାହ ହେଲା ଭାର ଲୋକଙ୍କ ଅଜଣାରେ ରେଜିଷ୍ଟ୍ରି ବିବାହ । ବିବାହ ପରେ ଏଇ ପ୍ରଦେଶରେ ଏକ ବଡ଼ ସହରରେ ଏକ ସୁନ୍ଦର ସୁସଜ୍ଜିତ ଘରେ ଦିନ ଯାପନ ବି ହେଲା ।

 

ପ୍ରକୃତରେ ନିଶାନାଥ କଣ ବ୍ୟବସାୟ କରୁଥିଲା ମାନସୀ ଜାଣେନା, କିନ୍ତୁ ଖୁବ୍‌ ଭଲ ସଂସାର ଚଳୁଥିଲା । ଦିନେ ମାନସୀ ପଚାରିବାରୁ ନିଶାନାଥ କହିଲା–

 

–ଗୋଟାଏ କଥା ମନେରଖ ମାନୁ ! ପୁରୁଷର ସମସ୍ତ କର୍ମରେ ମହିଳାମାନେ ନାକ ଗୁଞ୍ଜିବା ଉଚିତ ନୁହେଁ । ତମର କଣ କିଛି ଅସୁବିଧା ହେଉଛି ?

 

–ମୋର ବେଳେ ଭୟ ହୁଏ ନିଶି । ଏହି ଐଶ୍ୱର୍ଯ୍ୟମୟ ଦିନଗୁଡ଼ିକ ବୋଧେ ସାରା ଜୀବନ ଧରି ଜୀଇଁ ହେବ ନାହିଁ ।

 

–ତମର ସବୁ ଅହେତୁକ ଭୟ । ଆରେ–ହଁ ମାନୁ, ସଞ୍ଜବେଳେ ତିଆରି ହୋଇ ରହିଥିବ, ଗୋଟାଏ ଭଲ ସିନେମା ଆସିଛି, ସିନେମା ପରେ ଭଲ ହୋଟେଲ ଦେଖି ଖାଇନେବା–ଅଯଥା ଏଇ ରନ୍ଧାବଢ଼ା ଝଞ୍ଜଟ୍‌ ମତେ ଭଲ ଲାଗେନା ।

 

ଏମିତି ଚାଲିଲା ତିନି ଚାରି ବର୍ଷ । ତାପରେ ହଠାତ୍ ଦିନେ ରାତାରାତି ସେମାନଙ୍କୁ ସେଇ ସହର ଛାଡ଼ି ଦେଇ ପୁଣି ଆଗ ସହରକୁ, ଯେଉଁଠି ସେମାନେ ପଢ଼ୁଥିଲେ, ଯେଉଁଠି ସେମାନଙ୍କ ବହୁ ପରିଚିତ ଥିଲେ, ସେଠିକୁ ଫେରି ଆସିବାକୁ ପଡ଼ିଲା । ନିଶାନାଥ କହିଲା–ତା କର୍ମକ୍ଷେତ୍ର ବଦଳି ହୋଇଯାଇଛି ।

 

ସେମାନେ ଏଠାକୁ ଆସି ସେଇ ରାତିରେ ଯେଉଁ ଘରଟିକୁ ଭଡ଼ା ନେଲେ, ସେଇ ଘରଟିରେ ସେମାନେ ଆଜିଯାଏଁ ଅଛନ୍ତି । ସେଇ ସହରରେ ନୀଚୁ ଜନ୍ମ ହେଲା–ଏଇଠି ଜନ୍ମ ମୁନ୍ନାର । ମାନସୀର ମନେ ପଡ଼ିଯାଏ ଦୁହିଁଙ୍କ ଜନ୍ମଉତ୍ସବ ପାଇଁ ଖର୍ଚ୍ଚରେ ଯେଉଁ ଆକାଶ ପାତାଳ ଅନ୍ତର ।

 

ଏଇ ସହରକୁ ପୁଣି ଫେରିଆସି, ଏଇ ଘରଟିରେ ରହିବା ପରେ ମାନସୀର କେଜାଣି କାହିଁକି ନିଶାନାଥ ଉପରେ ସନ୍ଦେହ ହେଲା ଏବଂ ସତକୁସତ ଦିନେ କିଛି ବନ୍ଧୁମାନଙ୍କୁ ନେଇ ରାତିରେ ଘରକୁ ଫେରିଲା ସେ । ଅଧିକାଂଶ ବୟସରେ ତାରିଭଳି, ଦୁଇତିନି ଜଣ ମାତ୍ର ତରୁଣ । ନିଶାନାଥ ମାନସୀକୁ ରନ୍ଧା ଘରକୁ ଡାକି କହିଲା–ମାଂସ ଆଣିଛି । ଭଲ ରନ୍ଧା କର । ସେମାନେ ଖାଇବେ । ଆମେ ଡ୍ରଇଂ ରୁମ୍‌ରେ ବସି ମଦ ଟିକେ ଟିକେ ଖାଇ ଖେଳିବୁ । ରାଗ କରିବନି ତ ମାନୁ-?

 

ମାନସୀର ଯେମିତି କଣ୍ଠରୋଧ ହୋଇ ଆସୁଥିଲା । ଭୟରେ ପାଟିରୁ କଥାବାହାରୁ ନଥିଲା । ତଥାପି ଅତି କଷ୍ଟରେ ମୁହଁକୁ ତଳକୁ ପୋତି ସେ କହିଲା–ଏଇ ମଦ ଟିକେ ଟିକେ ଏଠି ପିଇବା କଥା ମତେ ମୋଟେ ଭଲ ଲାଗୁନି । ମଦ ନଖାଇ ବରଂ ଖେଳ । ଏଇ ପ୍ରତିଶ୍ରୁତି ଦେଲେ ମୁଁ ରନ୍ଧା ଘରକୁ ଯିବି ।

 

ନିଶାନାଥ ଦୁଇ ହାତରେ ତା ଆନତ ମୁଖଟିକୁ ଉପରକୁ ଉଠାଇ କହିଲା–ତମେ ଜଣେ ବୋକୀ ଝିଅ । ବାଃ, ଆଜିକାଲି ମଦ ଟିକେ ଟିକେ ଏଇ ସହରରେ କେହି ନ ଖାଆନ୍ତି ଯେ–ମନ୍ତ୍ରୀଠୁ ମୁଲିଆଯାଏଁ, ଅଫିସରଠୁ ରିକ୍‌ସାବାଲା ଯାଏଁ, ମନ୍ଦିର ପୂଜକଠୁ ମଳିମୁଣ୍ତିଆ ଭିକ ମଗାଯାଏଁ । ପୁରୁଷ ଲୋକ, ଟିକେ ଫୁର୍ତ୍ତି କରିବେ ତ । ଏମାନେ ବିଭିନ୍ନ ସମୟରେ ମୋ କାମରେ ପାର୍ଟନର୍‌ ଥିଲେ, କେହି କେହି ଏବେ ବି ମତେ ସାହାଯ୍ୟ କରନ୍ତି । ତୁମର କିନ୍ତୁ କିଛି ଅସୁବିଧା ହେବନି–ସେମାନେ ବନ୍ଧୁ । ପ୍ଲିଜ୍‌, ଯାଅ, ରନ୍ଧା ଘରକୁ ଯାଅ ।

 

ତାପରେ ସେମାନେ ଖେଳ ଆରମ୍ଭ କରିଦେଲେ–ରୀତିମତ ଜୁଆ । ପ୍ରତ୍ୟେକେ ଗୋଟାଏ ଗୋଟାଏ ବୋତଲ ବାହାର କରି ପାଖରେ ଥୋଇ, ଢୋକେ ଢୋକେ ପିଇ ଖେଳରେ ମଜଗୁଲ ହୋଇଗଲେ । ନିଶାନାଥ ଏଇ ଖେଳରେ ଯେମତି ଉସ୍ତାଦ–ଆଙ୍ଗୁଠିରେ ଯେମିତି ତାର ମ୍ୟାଜିକ୍‌ ଥିଲା । ପ୍ରାୟ ସମସ୍ତଙ୍କର ଟଙ୍କା ସେ ଲୁଟି ନେଲା ଏବଂ ଯେଉଁମାନଙ୍କ ପକେଟରେ ଥିବା ପଇସା ଶେଷ ହୋଇଗଲା ମଦ ନିଶାରେ ଗର୍ଜି ଗର୍ଜି ସେମାନଙ୍କୁ କହିଲା–ଏଥର ମରଦ ପୁଅତ ଖେଳିଲୁ ।

 

ତା ଭିତରୁ ବାଇଶ, ତେଇଶ ବର୍ଷର ଜଣେ ଯୁବକ ଏହା ସହି ପାରିଲା ନାହିଁ । ଠିଆ ହୋଇ ଗୋଟାଏ ଲାତ ନିଶାନାଥର ମୁହଁ ଉପରେ ଥୋଇ କହିଲା–ଶାଲା ଶଇତାନାକା ବଚ୍ଚା–ଚାରି ଛବର୍ଷ ସ୍ମଗଲର୍‌ମାନଙ୍କୁ ସାହାଯ୍ୟ କରି ପଇସା ଲୁଟିଲୁ । ସେଇଠି ସେଇ ସ୍ମଗ୍‌ଲର୍‌ ଦଳ ପୋଲିସ୍ ଘେରରେ ପଡ଼ିଯିବା ପରେ ଏଠି ଆସି ଏଇ ଧନ୍ଦା ଚଲେଇଚୁ । ରୁହ–ଏଇନେ ଯାଇ ତତେ ପୋଲିସରେ ନ ଦେଉଚି ତ– । ସେ ନିଶାନାଥଙ୍କୁ ଟାଣି ଟାଣି ଧକ୍‌କା ଦେଇ ଘରୁ ବାହାର କଲା ।

 

ଅନ୍ୟମାନେ ତାକୁ ପୋଲିସରେ ନ ଦେବାକୁ ଅନୁରୋଧ କଲେ । ତାପରେ ସତର୍କ କରାଇଦେଲେ । ତାପରେ ବଳପୂର୍ବକ ନିଶାନାଥକୁ ସେଇ ଟୋକାଟାର କବ୍‌ଜାରୁ ରକ୍ଷା କରିବା ପାଇଁ ତାକୁ ପ୍ରହାର ବି କଲେ । କାରଣ ଜଣେ ପୁଲିସ ହାତରେ ପଡ଼ିଲେ ଅନ୍ୟମାନେ ବି ଧରା ପଡ଼ିଯିବେ । କିନ୍ତୁ ଟୋକାଟା ଦେହରେ ଯେମିତି ଅସୁରର ବଳ । ମଦ ନିଶାରେ କିଛି ବୁଝି ନପାରି ଖାଲି କହୁଥାଏ–ଚାଲ ଶଳା, ମୁଁ ମରଦ ପୁଅ କି ତୁ ମରଦ ପୁଅ ଦେଖିବା । ଘରର ଏରୁଣ୍ତି ବନ୍ଧ ସେପଖା ପାଦରଖ ଦେଖୁଚି ।

 

ସେମାନେ ଆଉ ଖାଇବେ କଣ, ନିଶାରେ ଟଳମଳ ହୋଇ ଯଦୁବଂଶ ମରାମରି ହେବାଭଳି ମାରଧର ହୋଇ, ବହୁ ଅଭଦ୍ର ଭାଷାରେ ଚିତ୍କାର କରି କରି ଘରୁ ବାହାରି ପଡ଼ିଲେ । ରାସ୍ତା ସାରା କୋଳହଳ । ମାନସୀ ଲଜ୍ଜାରେ, ଆତଙ୍କରେ ସେଦିନ ରାତିସାରା ଭିତରୁ କବାଟ କିଳି ସେମିତି ଅପେକ୍ଷା କରି ବସିଲା । ତାପରେ ଏପରି ଅନେକ ଦିନ ଅନେକ ଗତି । ନିଶାନାଥ ଫେରିଲାନି । ବହୁଦିନ ପରେ ପୁଣି ରାତି ଅଧରେ ଟଳମଳ ପାଦରେ ନିଶାନାଥ ଚୁପ୍‌ ଚୁପ୍ ଡାକି ଘର ଭିତରେ ପ୍ରବେଶ କରିଥିଲା ।

 

ଏଇ ଘରେ ମାନସୀର ପୁଅ ହେଲା । ଅଭାବ, ନିର୍ଯ୍ୟାତନା, ଦିନରାତି ଦୁଶ୍ଚିନ୍ତା, ସଂସାରରେ ଅଧିକ ଖଟଣି ଫଳରେ ତା ଚେହେରା ନଷ୍ଟ ହେଲା । ନିଶାନାଥର ନିଶା ବଢ଼ିବାରେ ଲାଗିଲା । ପ୍ରଥମେ ମାନସୀର କାନର ଗହଣା ଗଲା । ରାତିରେ ଶୋଇବାକୁ ଯିବାବେଳେ କାନରେ ଥିଲା ସକାଳୁ କାନ ଖାଲି । ତା କିଛି ଦିନପରେ ବେକର ହାର ଗଲା । ଏମିତି ଗୋଟି ଗୋଟି କରି ସବୁ ଗହଣା ଗଲା । ଶେଷରେ ନୀତୁର ବେକର ହାରଟା ବି ହଠାତ୍ ସକାଳୁ ଉଠିଲା ବେଳକୁ ଦେଖାଗଲା ନାହିଁ ।

 

ମାନସୀ କାନ୍ଦି ପକାଇଲା । ଝିଅର ଗହଣା, ଏଇ ଘରର ଶେଷ ସମ୍ୱଳ କଣ ହେଲା କୁହ ? ସେ ନିଶାନାଥକୁ ପଚାରିଲା ।

 

–ଏଠି ସେଠି ଖେଳୁ ଖେଳୁ କେଉଁଠି ପକାଇ ଦେଇଥିବ ।

 

–ବାଃ, କାଲି ରାତିରେ ସେ ଶୋଇଥିବାବେଳେ ମୁଁ ତା ବେକରେ ଦେଖିଚି ।

 

–ତୁ ମତେ ଅବିଶ୍ୱାସ କରୁଛୁକି ? ନିଶାନାଥର ମାନସୀକୁ ସମ୍ୱୋଧନ ତମେରୁ ତୁ ହୋଇ ସାରିଥିଲା ।

 

–ହଁ, ଆଉ ସହିପାରୁନି ନିଶାନାଥ । ଶୁଣ ତମକୁ ଅବିଶ୍ୱାସ କରୁଚି କାରଣ ମୋ ଦେହରୁ ଗୋଟି ଗୋଟି ଅଳଙ୍କାର ବାହାର କରିନେବା ସମୟରେ ମୁଁ ତମକୁ ଦେଖିଚି । କେବଳ ପ୍ରଥମଥର ମୁଁ ଜାଣି ପାରିଲି ନାହିଁ । କିନ୍ତୁ ଏଯାଏଁ କିଛି କହି ନାହିଁ କାରଣ ସେଇ ଆଗଦିନମାନଙ୍କ ଆମ ସମ୍ୱନ୍ଧକୁ ଭୁଲି ହେଉନାହିଁ । କିନ୍ତୁ ନୀତୁର ବେକର ଚେନ୍‌ଟା ନେଇ ଆସ । ମୁଁ ଆଉ ନୀତୁକୁ ଦେଖି ପାରୁନାହିଁ–

 

–ତା ହେଲେ ତୁ ମତେ ଅବିଶ୍ୱାସ କରିବା ଆରମ୍ଭ କରି ଦେଇଚୁ କେଉଁ ଦିନଠୁ ?

 

–ତମେ ଅବିଶ୍ୱାସୀ କେବଳ ନୁହେ ତମେ ଚୋର–ମୋ ଆଖି ଦେଖିଚି–ପୁଅ ପିଲା ଚୋର ଓ ଝିଅ ଅସତୀ ହେବା ବାପ ମାଙ୍କର ଓ କୁଳର ସବୁଠାରୁ ବଡ଼ ଅପମାନ–

 

ଏହା ସତ୍ୱେ ବି ନିଶାନାଥ ହସି ଦେଲା । ମଦ ନିଶାରେ ମତୁଆଲ ହୋଇ ହୋ, ହୋ, ହସି କହିଲା–ସେ ପୁରାଣ ଶାସ୍ତ୍ରର କଥା ଆଉ ଶୁଣାଅନି । ଆଜିକାଲି ପୁରୁଷ ମାତ୍ରକେ ଚୋର–ଏହି ସହର ସାରା ସବୁଠି ଚୋର ଦେଶସାରା ଚୋର–ଯେଉଁ ସହର ଯେତିକି ଚାକଚକ୍ୟ, ଯେଉଁଠି ଯେତେ ବିଳାସ ବ୍ୟସନ, ଯେଉଁଠି ଯେତେ ଧନ, ଯେତେ ସୌଖିନ ଜିନିଷ, ସେଇଠି ସେତିକି ଚୋର । ଏଇ ଯେ ବଡ଼ ବଡ଼ ପେଟୁଆ ନେତା, ଗଦି ଉପରେ ବସିଥିବା ମହାଜନ, ଘର କୋଠା, ଗାଡ଼ି ବ୍ୟାଙ୍କ ବାଲାନ୍‌ସ ବଢ଼ାଇ ଚାଲିଥିବା ବଡ଼ ବଡ଼ ଅଫିସର ସବୁ ତହୁଁ ବଳି ଚୋର । ଆଉ ଶୁଣ ମୁଁ ନିଜ ଇଚ୍ଛାରେ କିଛି କରିନାହିଁ । ମୁଁ ଚାହିଁଥିଲି କେଇଟା ଟଙ୍କା, ଯେହେତୁ ତତେ ବାହାହେବା ମୁଁ ଚାହୁଁଥିଲି । ମୁଁ ଅସ୍ଥିର ହୋଇ ଭାବୁଥିଲି ଯେ ତୋ ପାଠପଢ଼ା ଶେଷ ହୋଇଗଲେ, ଆଉ ତୋର ମୋର ଭେଟ ହେବନାହିଁ ଏବଂ ତୋ ବାହାଘର ଅନ୍ୟତ୍ର ହୋଇଯିବ । ଜାଣେନା ପ୍ରେମ କ’ଣ ? ଏଇ ଜିନିଷଟିକୁ ଏଯାଏଁ ବି ଜାଣି ହେଲାନି । ଯାହେଉ ସେତେବେଳେ ଭାବିଥିଲି ତୁ ଆଉ କାହାର ହୋଇଗଲେ, ଯେମିତି ମୋ ସର୍ବନାଶ ହୋଇଯିବ । ଗୋଟାଏ କିଛି କାମ ଲୋଡ଼ିଥିଲି । କାମ ଗୋଟାଏ କ’ଣ ? ପରିଶ୍ରମ ବଦଳରେ କିଛି ମଜୁରି ତ ? କିନ୍ତୁ ଏଠିକା ବଡ଼ ଚୋରମାନେ ଯେଉଁମାନଙ୍କ ପାଖେ ଚାକିରି ଅଛି ଏବଂ ନିଲାମ କଲାଭଳି ଚାକିରିକୁ ସର୍ବୋଚ୍ଚ ଦରରେ ବିକନ୍ତି, ସେମାନେ ମତେ ଚାକିରିଟା ଦିଅନ୍ତେ କାହିଁକି ? ସେମିତି ଅତ୍ୟୁଚ୍ଚ ଆସନରେ ଅଧିଷ୍ଠିତ କର୍ମଚାରୀ କିମ୍ୱା ନେତାମାନଙ୍କ ସୁପାରିଶ ବି ତ ଯୋଗାଡ଼ କରିବା ସମ୍ଭାବନା ମୋର ନଥିଲା । ଅନ୍ୟ ଦିଗରେ ଅନ୍ୟ ଏକ ଚୋରଦଳ–ସ୍ମଗଲରମାନେ କହିଲେ–କାମ ? ଟିକିଏ ଅଡ଼ୁଆ କାମ । କିନ୍ତୁ ଅନେକ ପଇସା, ବିଳାସ ବ୍ୟସନ, ଆଡ୍‍ଡ଼ା, ଗାଡ଼ି କୋଠା କିଛି ଅଭାବ ଅଭାବ ରହିବ ନାହିଁ–ଆମ ଦଳରେ ଯୋଗ ଦିଅ । ଆମ ହାତମୁଠା ଟାଣ କର । ଶଳେ–ସବୁଠି ଏଇ ହାତମୁଠା ଟାଣ କରିବା କଥା । ନିର୍ବାଚନବେଳେ ଟାଉଟରମାନେ ବି ସେଇୟା କହନ୍ତି । କଳାବଜାରୀମାନେ ମଜବୁତିଆ ଟୋକାଙ୍କୁ ବି ସେଇୟା କହନ୍ତି–ଆମ ଦଳକୁ ଆସ, ବାଣ୍ଟିକୁଣ୍ଟି ଖାଇବା–ଦେଶର ଲୋକଙ୍କୁ ଖାଇଯିବା, ଦେଶଟାକୁ ଖାଇଯିବା, କିଛି ଅଭାବ ରହିବନି । ହଁ, ଶେଷରେ ମତେ କାମ ମିଳିଗଲା–ସ୍ମଗ୍‌ଲିଂ ବା ଚୋରି କାମ କରିବାକୁ ହିଁ ହେଲା, ଉଚିତ କାମ ତ ମିଳିଲା ନାହିଁ । ଭଦ୍ରଚୋର ଓ ଅଭଦ୍ର ଚୋରମାନଙ୍କ ଏହି ରାଜ୍ୟରେ, ଚୋରି ଗୋଟେ ଆଉ ଅପମାନ କଣ ?

 

–ଆଉ ସତୀତ୍ୱ ? –ନିଶାନାଥ ପ୍ରଳାପ କରି ଚାଲିଲା–ଗୋଟାଏ ଦିଗରେ ଉଚ୍ଚ, ଅତ୍ୟୁଚ୍ଚ ଆଜିକାଲିର ଆରିଷ୍ଟୋକ୍ରେଟ ସମାଜର ସେକ୍‌ସଲାଇଫରେ ଭେରାଇଟି ନାମରେ ବିଭିନ୍ନ କ୍ଲବରେ ମଦପିଇ ମାତାଲ ନାଚ ନାଚି କେହି କାହା ଝିଅ ବହୁ ସହ କେହି କାହା ଗାଡ଼ିରେ କେଉଁଆଡ଼େ ଚାଲିଯାଉଛି ତ ଅନ୍ୟ ଦିଗରେ ନିମ୍ନ, ଅତିନିମ୍ନ ଶ୍ରେଣୀରେ ଯେଉଁଠି ପେଟକୁ ମୁଠାଏ ଖାଇବାକୁ ନାହିଁ, ସେଠି ଅଭାରେ, କୁପରିସ୍ଥିତିରେ ପଡ଼ି ବହୁ ଝିଅ ଆଖିରୁ ଲୁହ ଝରାଇ ଝରାଇ ନିଜକୁ ବଳି ଦେଉଛି ଅମଣିଷ, ଚୋର ବଡ଼ ଚୋରମାନଙ୍କଠୁ କିଛିଟା ପଇସା ପାଇଁ, କ୍ଷମତାସୀନ ଲୋକଙ୍କ କ୍ଷମତାର ଭୟ ହେତୁ ତା ପାଟିରୁ କଥା ପଇଟୁ ନାହିଁ, ଦେଶର ଗାଁ ଗହଳ, ଛୋଟ ଛୋଟ ସହରମାନଙ୍କର ଝିଅମାନଙ୍କୁ ବଡ଼ବଡ଼ ସହର ଏପରିକି ବିଦେଶକୁ ପଠାଇ ଦିଆଯାଉଛି ବିକା, କିଣା ବ୍ୟବସାୟ ସୂତ୍ରରେ–ଦେହ ବିକା କିଣା ବ୍ୟବସାୟୀଦଳ ଓ ସେମାନଙ୍କ ଦଲାଲମାନେ ତ ଆଜି ସବୁଠି ।

 

ସେ ଯାହେଉ–ଭାଷଣ ଦେବା ପାଇଁ ମୋର ସମୟ କାହିଁ ? ନୀତୁର ଚେନ୍‌ ବିକା ସରିଛି । ସେଇ ପଇସାକୁ ପୁଞ୍ଜିକରି ମୁଁ ଆଗାମୀ କିଛିଦିନ ବଞ୍ଚିବି–ନିଜେ ବଞ୍ଚିବି–ଆଉ କାହା ଉପରେ ମୋ ଆସ୍ଥା ନାହିଁ–କୌଣସି ନୈତିକ ମୂଲ୍ୟବୋଧ ଉପରେ ବିଶ୍ୱାସ ନାହିଁ–ଇଚ୍ଛା ହେଉଛି, ସମାଜର ଏଇ ଶଳା ଚୋରମାନଙ୍କୁ ଗୋଟି ଗୋଟି ଖୁନ୍‌ କରି ମାରନ୍ତି । କିନ୍ତୁ ଏକଲା କିଛି କରିହେବ ନାହିଁ–ଏଥିପାଇଁ ଦଳବାନ୍ଧିବାକୁ ହେବ । ଯଦି ଦିନେ ସୁଯୋଗ ମିଳେ, ଦେଖାଯିବ–ଚାଲିଲି । କେବେ ଫେରିବି ଠିକ୍‌ ନାହିଁ–ଯଦି ଏଇ ସହରରେ ରହେ ତାହେଲେ ଏଇ ସହରର ଲୁଚାଛପା ମଦଭାଟି, ଜୁଆ ଆଡ଼୍‌ଡ଼ା, ସରକାରୀ ଷ୍ଟାମ୍ପ ନଥିବା ବେଶ୍ୟାପଡ଼ା ଆଖପାଖରେ ପଡ଼ିଥିବି-। ପୁଲିସ୍ ଧରିବା ସମ୍ଭାବନା ବେଳେ ଏଇ ଘର ମନେପଡ଼ିଯିବ । ଦୟାକରି ଗୋଳମାଳ ନକରି ଚୁପ୍‌ଚାପ୍‌ ଅଧରାତିରେ କବାଟଟା ଖୋଲିଦେବୁ–ଗୁଡ୍‍ବାଇ ।

 

ତାପରେ ଆଉଥରେ ହୋ—ହୋହସି, ନିଶାନାଥ ସେଇଦିନ କୁଆଡ଼େ ଚାଲିଗଲା ସେ ଏଯାଏଁ ଦେଖା ନାହିଁ । ଅନେକ ସମୟ ଏମିତି ନିରନ୍ଧ୍ର ଅନ୍ଧକାର ଆଡ଼େ ଚାହିଁ, ପୁଣି ଘରର କବାଟ କିଳି ଚୁଲ୍ଲୀ ମୁଣ୍ତକୁ ଚାଲିଗଲା ମାନସୀ ।

 

ମାନସୀ ଯାଇ ବସିଚି କି ନାହିଁ କବାଟରେ ଠକ୍‌ ଠକ୍‌ ଆଘାତ ହେଲା–ଏବଂ ମାନୁ ଅପା, ମାନୁ ଅପା, ଡାକ ।

କବାଟ ନିକଟକୁ ପୁଣି ଫେରିଯାଇ କବାଟ ନଖୋଲି ମାନସୀ ପଚାରିଲା–କିଏ ?

–ଆରେ ଖୋଲ ! ମୁଁ ଅରୁଣ ।

–ଅରୁଣ ତୁ ? ଏତେଦିନ ପରେ ତୋ ଅପାଟା ମନେ ପଡ଼ିଲା ନା ? କବାଟ ଖୋଲି ଦେଇ ମାନସୀ କହିଲା ।

–ଅନେକ ଦିନ ହେଲା ତୋ ହାତରୁ କିଛି ଖାଇନି ତ ଅପା, ସେଥିପାଇଁ ମନେ ପଡ଼ିଗଲା ।

–ହଉ ବସ, କ’ଣ କରୁଛୁ ଆଜିକାଲି ?

–ଚାକିରି ଖୋଜୁଛି ।

–ଦେଖ, ତତେ ଟିକିଏ ସତର୍କ କରି ଦେଉଛି । ଚାକିରି ନପାଇଲେ ଆଉ ନିଶାନାଥଙ୍କ ଭଳି ହତାଶ ହୋଇଯିବୁ ନାହିଁ–ସବୁ ଜାଣୁତ ?

–ନିଶି ଭାଇଟା, କେତେ ଭଲ ନଥିଲା ଅପା । ମୋଠୁ ତିନି ବର୍ଷ ସିନିଅର–ତୋଠୁ ବର୍ଷେ । କି ଏକଟିଂ । ତା ଦେଇ ତ, ମୋର ତୋ ସହ ପ୍ରଥମ ପରିଚୟ । ଗୋଟାଏ କ’ଣ ମାଇନର ଗେଲ ଦେଇ ମତେ କହିଲା ଅଲବତ ଏକଟିଂ କରିବାକୁ ହେବ । କେତେ ଉଚ୍ଚ ଆଶା ଆମେ ଜୁନିଅର ଭାଇମାନେ ତାଠି ରଖିନଥିଲୁ । ତୋ ପାଇଁ ତ ତା ପ୍ରାଣଟା ଯେପରି ଛଟପଟ ହେଉଥିଲା-। ଶ–କିଛି ମନେ କରିବୁନି ଅପା, ତୋ ଭଳି ଝିଅକୁ ବାହା ହୋଇ ଏମିତି ହଇରାଣ କଲା ଶେଷରେ-। ମୋ ପାଟିରୁ ତା କଥା ପଡ଼ିଲେ ଆଜିକାଲି ଗାଳି ବାହାରେ–କେବଳ ତୋରି ପାଇଁ–

–ଛିଃ, ଅରୁ ଯାହା ହେବା କଥା ହୋଇଚି–ମୋପାଇଁ ଦୁଃଖ କରି କଣ ହେବ ? ତୋ କଥା କିଛି କହ ।

–ଛେନାଟା କହିବି–ତୁ କେମିତି ତା ଫୁସୁଗଫ୍‌ସୁଲିରେ ମଙ୍ଗିଗଲୁ । ଛଟପଟ ହେଉଥିଲା ତ ମଲେ ମରନ୍ତା–କିଛି ନବୁଝି ନଶୁଝି ରେଜିଷ୍ଟ୍ରି ଖାତାରେ ସହି କରିଦେଲୁ–

–ସେଇଟା ମୋ ଭାଗ୍ୟ ଅରୁ । ବସ, କପେ ଚାହା ବସେଇ ଦିଏ । ଅନେକ ଦିନ ପରେ ଆସିଚୁ ।

–ଗୋଟାଏ କପ ନୁହେଁ, ଦୁଇ କପ୍‌ । ଦୁହେଁ ଚାହା ଧରି ମୁହାଁମୁହିଁ ନ ବସିଲେ ଗପଟା ଜମ୍ମିବନି–ଚାହା ସରଞ୍ଜାମ ଅଛିତ ?

–ବ୍ଲାକ ଟି କିନ୍ତୁ । ଡିକାସନ ହେଲେ ହିଁ ଦୁଇ କପ ହୋଇ ପାରିବ ।

–ଦି ଚାରିଟା ଲୁଣ ପକାଇ ଆଣିବୁ । ଆରେ ଏଇ ଡିକାସନ ଟି ତ ଆମ ପଢ଼ା ବେଳର ସାଙ୍ଗ–ଓଲ୍‌ଡ୍‍ ଇଜ୍‌ ଗୋଲ୍‍ଡ–ଯା, ପାଣି ବସେଇ ଆ । ହଁ, ଏଇ, ମୁଣାଟା ନେଇଗଲୁ ।

 

–ଏଇଟା ଫେର୍‌ କ’ଣ ?

 

–ଆଗେ ଧର ମୁଁ ଯେ ତୋ ସାନ ଭାଇ । ଗୋଟେ ମାଛ ବି ଅଛି ତୁ ଏତେ ଭଲ ରାନ୍ଧୁ ତ ।

 

–ଦେଖ ଅରୁ । ସେଥର କହିଥିଲି ନା ଚାକିରି ନକଲା ଯାଏଁ ଏଇ ଘରକୁ ଏମିତି ଆଉ କିଛି ଆଣିବୁନି ବୋଲି ।

 

ଚାକିରି ଏଇ ଶତେ ଦେବେ ଯେ ତୋ କଥା ମାନିବା ପାଇଁ ଅବସର ପାଇବି ?

 

–ପଇସା କେଉଁଠୁ ଆସିଲା ସତକରି କହ ? ତୁ ଆଉ ତୋ ନିଶିଭାଇଙ୍କ ଭଳି ରାସ୍ତା ଧରିନୁ ତ ?

 

–ଆରେ ନା ଆଜି ଟ୍ୟୁସନ୍ ଦରମା ପାଇଛି ।

 

–ଘରେ କେମିତି ଚଳିବେ ?

 

–ବାଃ, ଗୋଟାଏ ଟ୍ୟୁସନ୍ କରୁଥିଲି ଚଳୁଥିଲା । ଏବେ ଦିଟା ଟ୍ୟୁସନ୍ କରୁଚି । ତା’ଛଡ଼ା ବାପାଙ୍କର ବି ତ ଟ୍ୟୁସନ୍ କିଛି ଅଛି । ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ? ଗଲୁ, ତୁ ଆଉ ଏତେ ଢେଗ କରନା –

 

ଏତିକି କହି ଅରୁଣ ମାନସୀକୁ ଠେଲି ଠେଲି ରନ୍ଧାଘର ଆଡ଼େ ନେଲା । ହଠାତ୍ କ’ଣ ହେଲା କେଜାଣି ମାନସୀ ଚିଡ଼ି ଉଠିଲା ।

 

–ଅରୁ

 

–ଅପା । କହି ଅରୁଣ ଟିକେ ପଛକୁ ଘୁଞ୍ଚିଗଲା । ମାନୁ ଅପାଟା ବୋଧେ ଜାଣି ପକେଇଲା । ଏତେବଡ଼ ପାନଟା ଚୋବାଇବା ପରେ ବି–

 

ମୋ ପାଖକୁ ଆ । ଟିକିଏ ଆଁ କଲୁ । ଆଜି କାଲି ଖୁବ୍ ନିଶା ଧରିଛି ନା ? ତମେ ସବୁ ପୁଅ ପିଲାଏ କଣ ଏକାଭଳି–ତୁ ବି କଣ ତୋ ନିଶିଭାଇ ଭଳି ହେବୁ ?

 

–ନିଶି ଭାଇର ଖବର କଣ ଅପା ?

 

–ହଁ, ସବୁତ କହିବ–ତୁ ନଜାଣି କିଛି ଅଛି ? ଆଗ ମୋ ପ୍ରଶ୍ନର ଉତ୍ତର ଦେ–

 

ତତେ କାହିଁକି ମିଛ କହିବି–ସେଇ ରତନାଟା ନା, ଶଳା ରାସ୍ତା ଛାଡ଼ିଲାନି, କହିଲା ଟିକିଏ ହେଲେ ଚାଖିଦେଇ ଯା, ନହେଲେ ଆଜି ଆଉ ଯାଇପାରିବୁନି–ଶଳା ଆମେ ସବୁ ପିଇବୁ । ତୁ ଖାଲି ଭଦରଲୋକି ଦେଖାଇ ଖସି ପଳେଇବୁ ।

 

–ଦେଖୁଚି ଆଜି କାଲିକା ସବୁ ପିଲା ଏକା । ସଭିଏ ନିଶାନାଥ ଦେଖି ଅରୁ ତୁ ବି ଯଦି ସେଇ ରାସ୍ତାରେ ଯାଉଛୁ ବୋଲି ମୁଁ ଯେଉଁଦିନ ଜାଣିବି, କୂଅ ବନ୍ଧରେ ଡେଇଁବା ଛଡ଼ା ମୋର ଆଉ ଗତି ରହିବନି । ତୁ ସିନା ଭାବୁଥିବୁ ଏଇଟାତ ମୋ ପ୍ରକୃତ ଅପା ନୁହେଁ ।

 

–ଧେତ୍–ସୀପ୍ରା ଓ ତୁ ତ ମୋର ଦୁଇଟି ଭଉଣୀ ବୋଲି ମୁଁ ଧରି ନେଇଚି । ଯେତେ ସବୁ ବାଜେ କଥା ତୋ ମୁହଁରେ ।

 

–ମୁଁ ଚାହେଁନି ଯେ, ଆରତୀଟା ବି ମୋ ଭଳି ଜଳିବ ଜୀବନ ସାରା, ମନେ ରଖିଥା ।

 

–ତୁ, ଆଉ ଆରତୀ କଥା କହନା, ସେ ତ ତୋ ଭଳି ନୁହେ । କେତେ ମାଛଙ୍କୁ ବନ୍‌ସୀ ଦେଖାଉଚି ସେ, ଜାଣୁ ?

 

–ଚୋପ୍–ତମ ମାନଙ୍କର ସବୁବେଳେ ସନ୍ଦେହ ।

 

–ଶୁଶ୍ ଶୁଣ୍ ତୋ ଆରତୀ କଥା–ଏଥର ଜନ୍ମ ଦିନକୁ ମତେ ଡାକି ନାହିଁ ଜାଣି ଜାଣି । ବର୍ଥ ଡେ କେକ୍ କାଟିଥିଲା ଜାଣୁ ? ତା ଆଗରୁ ଯା–ଦୁଇ କପ ଚାହା ନେଇଆ, ସବୁ ଶୁଣେଇବି, ବାପର ୟା ଭିତରେ ପ୍ରମୋସନ ହୋଇଯାଇଛି ତ–

 

–ହଉ ରହ ମୁଁ ଆସେ ।

 

–ନା, ରହିବା ପ୍ରଶ୍ନ ନାହିଁ । ତୁ ଚାହା କରୁନୁ ତୋ ରୋଷେଇ ଘରେ, ମୁଁ ବାରଣ୍ଡାରେ ବସିଯିବି, ଗପ ହେବ । ନୀତୁ, ମୁନ୍ନା ଶୋଇଲେଣି ? ହଁ, ନଖାଇ ଶୋଇ ଗଲେଣି, ତୁଟିକେ ଆସ୍ତେ କଥା ହେବୁ । ଟିକିଏ ଶୋଇ ଯାଆନ୍ତୁ, ଉଠେଇ ଖୁଆଇବି ।

 

ମାନସୀ ଚୁଲୀ ମୁଣ୍ଡେ ବସିଲା । ଅରୁଣ ପକେଟରୁ ଚାରମିନାର ପକେଟଟା ବାହାର କରି ଗୋଟାଏ ମୁହଁରେ ଗୁଞ୍ଜି କହିଲା–ଅପା ମ ଶୁଣ–ମୋ ମୁହଁରେ ନିଆଁ ଟିକେ ଦେଲୁ ।

 

ଆରେ, ମୁଁ ସିନା ମଲେ, ମୁହଁରେ କେହି ନିଆଁ ଦେବାକୁ ଲୋକ ନାହିଁ ବୋଲି ଭାଇ ହୋଇ ତୁ ଦେବୁ । ନେ, ଏମିତି ଆଜେ ବାଜେ କଥା କହନା, ମୋ ଦେହରେ ନିଆଁ ଲାଗି ଯାଉଚି ସିଗାରେଟ୍ ଲଗେଇବୁ ତ ନେ–ସିଗାରେଟଟା ତତେ ଛାଡ଼, ସେଥିପାଇଁ ଫୁଟାଣି, କିନ୍ତୁ ଆଉ ମଦ ଫଦ ଖାଇଥିବା ଦେଖିଲେ ମୁହଁ ଦେଖିବାକୁ ଆସିବୁନି ।

 

–ହଁ କହିଲି ପରା, ପୁଣି ସେଇ କଥା–ବାହାର ଦୁନିଆଟା ତ ଜାଣିନୁ । ଶଳେ ରାସ୍ତାରେ ଯାଉ ଯାଉ ଧରେଇ ଦେବେ । କହିବେ–ତୁ କେଉଁ ମହାପୁରୁଷରେ ! କଣ ଚତୁର୍ଦ୍ଧା ମୂରତି–ସେ କଥା ଛାଡ଼ ମୁଁ ତତେ ଗୋଟେ କଥା ପଚାରିବି ବୋଲି ଖାସ ଆସିଚି । ତୁତ ମାନୁ ଅପା ଏଇ ପାଠ ପଢ଼ିଚୁ, ତୁ ଗୋଟେ ଚାକିରି କରୁନୁ ? କହିବୁ ଯଦି ମୁଁ ତଲାସ କରିବି–

 

–ଆରେ ଯା, ନିଜ ପାଇଁ ଗୋଟେ ଚାକିରି ଏ ଯାଏଁ ପାଇ ପାରୁନୁ, ଆଉ ମତେ କହୁଚୁ । ମୋର କିନ୍ତୁ ମନେ ହୁଏ ତୁ ପ୍ରକୃତରେ ଠିକ୍ କହିଚୁ । ମତେ ଗୋଟେ ଚାକିରି କି ଟ୍ୟୁସନ କିଛି କରିବାକୁ ହେବ ଏଣିକି ।

 

–ଗୋଟେ ମାରୁବାଡ଼ିକୁ ଧରିଚି । ତାର ଶଳା ଗୋଟେ ଫାର୍ମ ଅଛି । ସେଇ ଚାକିରିଟା ହେଇ ଯିବନା, ତୁ ନେ–ଭଲ ଚାକିରି–କିନ୍ତୁ କଟକରେ–ଏଇଠିତ ଆଉ ଦରଖାସ୍ତ ଫରଖାସ୍ତ ନାହିଁ–ମୁଁ ତାକୁ ବୁଝେଇବି ମୋ ଅପା ପାଇଁ ଖୋଜୁଥିଲି ।

 

–ହଁରେ, ମୋ ସଙ୍ଗେ ଖେଳୁଚୁ । ତୋର ଖଣ୍ଡେ ଚାକିରୀ ନିହାତି ଦରକାର–ବାପା କ’ଣ ଏମିତି ଦିନରାତି ଖଟୁଥିବେ ।

 

ତୁ କଣ ଭାବିଚୁ ମାନୁ ଅପା, ମୁଁ କୌଣସି ଜାଗାରେ ଅଧିକ ଦିନ ରହି ପାରିବି ? ଏ ଶଳା ସମାଜରେ ମୋଜଗ ବନ୍ଦ । କେତେବେଳେ ସହି ନପାରିଲି ବସ୍‌କୁ ବି ମାଡ଼–ତା ଛଡ଼ା ମୋ ଆଗରେ କେବଳ ବଡ଼ଭାଇଙ୍କ ମୁହଁ ନାଚୁଚି ।

 

–ତୁ ତୋ ତରୁଣ ଭାଇ ଭଳି ହେବୁ ତ ? ମୁଁ କଣ ଜାଣେନା ? ବାପା ମାଁ, ଭଉଣୀ, ଆମେ ସବୁ କେହି କିଛି ନୋହୁଁ ? ତୋ ତରୁଣ ଭାଇ ଯାହା କହି ଦେଇଚି ବେଦର ଗାର ? ସେଇ ବାଟରେ ଯାଅନାରେ ଅରୁ । ଆଉ ଗୋଟେ ମାତ୍ର ପୁଅର ମରଣରେ ତୋ ମାଁ କିପରି ଧୈର୍ଯ୍ୟ ଧରି ରହିବ କହିଲୁ ? ଆମମାନଙ୍କ କଥା ଛାଡ଼–ମା ଥିଲା ଯାଏଁ ତୁ ଆଉ କୁଆଡ଼େ ଯାଆନା–

 

–ବାଃ, ସତେ ଯେମିତି ଆଜି କୁଆଡ଼େ ଚାଲି ଯାଉଚି । ହଁ, କଣ କହୁଥିଲି–ତୋର ସେଇ ଚାକିରିଟା ହେବ କି ?

 

–ତୁ ସେଇଟା କର–ମୋ ପାଇଁ ଆଉ ଗୋଟେ ବୁଝ । ନହେଲେ ତୋ ଟ୍ୟୁସନ ମୁ ନେବି-। ଚାକିରି ନୁହେ ।

 

–ମୁଁ ତ କହିଲି ମୁଁ ଚାକିରି କରି ପାରିବିନି–ବପାଙ୍କ ହେତୁ ଦଉଡ଼ା ଦଉଡ଼ି କରୁଚି । ତାଙ୍କୁ ଖୁସି କରିବା ପାଇଁ ।

 

–ତାହେଲେ ସେଇଟା ଆଉ ଗୋଟେ ଝିଅ ପାଇଁ କରିଦେ–ମୋ ପାଇଁ ଟ୍ୟୁସନ ହେଲେ ଚଳିବ ।

 

–ସେଟା ପୁଣି କିଏ ?

 

–ଲିପିକା ? ବଡ଼ ଅସୁବିଧାରେ ଅଛି ।

 

–ଲିପିକା ? ନାଁଟା କେଉଁଠି ଶୁଣିଚିତ–

 

–ହଁ ସେଇ ଭୁବନବାବୁର ଅଫିସରେ ଦେଖଥିବୁ ଯଦି–ସେଇଟା କୁଆଡ଼େ ରାକ୍ଷସଟିଏ–ତାକୁ ଗୋଟାପଣ ଗିଳିଦେବାକୁ ବସିଛି–

 

–ଓ, ଆଇ ସି–ସେଇ ଷ୍ଟେନୋଟା ତ ? ଖୁବ୍ ଚେହେରାବାଲୀ ମ ଅପା ।

 

–ହଁ, ସେଇ ଚେହେରା ହିଁ ତା କାଳ ହୋଇଛି ।

 

–ଚପଲ ବାହାର କରି ସେକିଦେଉନି–

 

–କହିଲି ପରା ସେଟା ରାକ୍ଷସଟା–ସେକିଦେବ ଯେ ତା ଚାକିରିଟା ଯିବ–ଦିଲ୍ଲୀର ବଡ଼ ହାକିମ କୁଆଡ଼େ ତା ଶ୍ୱଶୁର–ଚାକିରିଟା ଗଲେ ଘରର ଅବସ୍ଥା ଯେ ଅସମ୍ଭାଳ ।

 

–ଠିକ୍‌ ଅଛି । ମୁଁ ଆଜି ରତନକୁ ଧରି ଯିବି ସେଇ ମାରୁଆଡ଼ି ପାଖକୁ । ଆମ ଦୁଇ ଜଣକୁ ଦେଖିଲେ ଶଳା ମାରୁଆଡ଼ି ଚାକିରି ଖାଲି ନଥିଲେ ବି ଚାକିରି ସୃଷ୍ଟି କରି ଏପାଇଣ୍ଟମେଣ୍ଟ୍ ଅର୍ଡର ଦେବ । ଆଜିକାଲି ଯାହାକାମ ଆଦାୟ କରିହେବ ବଳ ଦେଖାଇ, ମାଡ଼ଭୟ ଦେଖାଇ । ଚାକିରିଟା ହୋଇଗଲେ ତୁ କହିବୁତ ବାବୁଙ୍କୁ ରାତାରାତି ଚାଲାଣ କରିଦେବି–

 

–ଜାଣୁ ତା ଅଫିସରେ କଣ ଦୁଇଟା ଚାକିରି ଖାଲିଥିଲା । ହଜାର ହଜାର ଟଙ୍କା ନେଇ ସେଠି ଚାକିରି ଦେଲା ଦି ଜଣକୁ ।

 

–ହଁ, ବାପା ଭାବୁଥିଲେ ସେ ତାଙ୍କ ଛାତ୍ର । ଗୋଟେ ଚିଠି ଲେଖିଦେଲେ ଚାକିରି ମିଳିଯିବ । ମୁଁ ଏମାନଙ୍କୁ ହାଡ଼େ ହାଡ଼େ ଚିହ୍ନେ–ମୁଁ ତ ଅପା ଦିନେ ଏଇ ସମାଜରୁ ଚାଲିଯିବି ମୋ କାମରେ–କିନ୍ତୁ ଏଇ ଶଳାମାନଙ୍କୁ ପାନେଲେଖା ଦେଇଯିବି ।

 

–ନେ, ନେ–ତୋ ଓଲଡ୍‍ ଇଜ ଗୋଲଡ୍‍ ଡିକାସନଟି ନେ । ଖାଲି ପାଟିରୁ ବାହାରିଲେ ଶଳା ଶାଳୀ । ମାନସୀ ଗୋଟେ କପ ଚାହା ବଢ଼େଇ ଆଉ ଗୋଟାକୁ ଓଠ ଲଗାଇଲା ।

 

–ଖାଲି ଶଳା–ଶାଳୀ ନୁହ । ତୋ ଆଗରେ ବୋଲି ପାଟିକୁ ଦବେଇ ରଖିବାକୁ ହେଉଛି ଆମେ ସବୁ ବସି ଯେତେବେଳେ ଗପୁଥିବୁ ନା, ତତେ କାନରେ ହାତ ଦେବାକୁ ପଡ଼ିବ । ଏ ଜନ୍ମ ଗୁଡ଼ାକ ଅପା–ପାଟିରୁ ଯେଉଁ ଗାଳି ବାହାରିଲେ ବି ତାଠୁ ବଳି ଯାଉଛନ୍ତି । ଅରୁଣ ଗୋଟାଏ ଢୋକ ଚାହା ପାଟିକୁ ନେଲା ।

 

–ହଁ, ଆରତୀ କଥା କଣ କହୁଥିଲୁ ଯେ–

 

–କଣ ଆଉ କହିବି । ଯାହାକୁ ଭଲ ପାଇ ହୁଏ ତା ବିରୁଦ୍ଧରେ କିଛି କରି ହୁଏ ନାହିଁ–ନ ହେଲେ ଦେଖନ୍ତୁ–କିଛି ଲୋକଙ୍କୁ ତ ଛାଡ଼ି ଦେବାକୁ ହେବ । ସମସ୍ତଙ୍କ ପ୍ରତିଶୋଧ ନେଇ ହେବନି ।

 

–ଆରେ କଣ ହୋଇଚି କହ–

 

–ସେ ସୋମେନ୍ଦ୍ର ସଙ୍ଗେ ମାତିଚି–

 

–ସେ କିଏ ?

 

–ନୂତନ ଫିୟାଁସେ ।

 

–ବିଶ୍ୱାସ କରି ହେଉନି । ମାନସୀ ଦୀର୍ଘଶ୍ୱାସ ଛାଡ଼ିଲା ।

 

–ଦିନେ ସବୁ ବିଶ୍ୱାସ ହେବ ବ୍ୟସ୍ତ ହୁଅନା–

 

ପାଖଘର କାନ୍ଥ ଘଡ଼ିରୁ ଦଶଟା ଶୁଣାଗଲା । ମାନସୀ ରାନ୍ଧୁ ରାନ୍ଧୁ ବାରଣ୍ତା ଆଡ଼େ ମୁହଁ ବୁଲାଇଲା ।

 

–ଆରେ ମାନୁଅପା, ତୁ ଟିକେ ପାଖକୁ ଆସିଲୁ ତୋ କପାଳରେ ଏତେ ବଡ଼ ଦାଗଟା ଯେ–ଆଗେ ଦେଖିନିତ । ଅରୁଣ କହିଲା ।

 

–ଆରେ ସେଟା କିଛି ନୁହେ । ପଡ଼ିଯାଇ–

 

–ପଡ଼ିଯାଇ ନା ? ମିଛ କଥା–

 

–ତୋର ତ ସବୁଆଡ଼େ ନଜର । ନିଜ କଥା କିଛି କହନା–ଏଇଟା ଏଠି ନଥିଲା, ସେଟା ସେଠି ନଥିଲା । ମାନସୀ ଧମକାଇ କହିଲା ।

 

–ଆଉ ଧମକାନା ମ । ମୁଁ ତତେ ଜାଣିନି ? ଏଇଟା ନିଶାନାଥବାବୁଙ୍କ ପ୍ରହାରର ଚିହ୍ନ–ତୁ କହୁଚୁ ଯେ ପଡ଼ିଯାଇ– ।

 

ଅରୁଣ ବସିଥିବା ଯାଗାରୁ ଉଠି ପଡ଼ିଲା ।

 

–କଣ ହେଲା ? ଯାଉଚୁ କେଉଁଠାକୁ । ଚୁପ୍ ହୋଇ ବସ୍ । ରନ୍ଧା ସରିଯିବ ଖାଇବା–

 

–ହଁ, ହଁ ସେଥିପାଇଁ ତ ଯିବି । ଆମ ସାଙ୍ଗେ ନିଶାନାଥବାବୁ ବି ଖାଇବେ ଯେ–

 

–ତୁ ତାଙ୍କୁ ପାଇବୁନି । ସେ ପ୍ରାୟ ସପ୍ତାହେ ହେବ ଆସି ନାହାନ୍ତି ।

 

–ତୁ ସିନା ଜାଣୁନା । ମୁଁ ଜାଣେ ସେ କେଉଁଠି ଥିବ । ଯିବ ଆଉ କୁଆଡ଼େ ? ସେଇ ବାଦାମୀଟା ପାଖରେ ପଡ଼ିଥିବ ମଦ ଟିକେ ଢୋକି ଢୋକି–ତୁ ପିଲାମାନଙ୍କୁ ଉଠାଇ ଖୁଆଇ ଦେ, ମୁଁ ଆସୁଚି । ଏତିକି କହିଦେଇ ଅରୁଣ ଝଡ଼ ବେଗରେ ଚାଲିଗଲା ।

 

ଆଜିକାଲି ସହରର ଅନେକ ଜାଗାରେ ଝୁପୁଡ଼ି ଘର ଥିବା ବସ୍ତି ଭିତରୁ କେତେକ ଘରେ ଅନେକ ଗତି ଯାଏଁ ଭିଡ଼ ଜମେ । ଅରୁଣ କିନ୍ତୁ ଷ୍ଟେସନର ଅଧ କିଲୋମିଟର ଦୂରରେ ଥିବା ଅନେକ ଦିନର ସେଇ ପୁରୁଣା ବସ୍ତିଟା ଆଡ଼େ ଚାଲିଲା ।

 

ଯୋଜନାବିହୀନ ଭାବେ ଗଢ଼ି ଉଠିଥିବା ଏଇ ବସ୍ତିର ମଝିର ବସି ରାମିଆ ବୁଢ଼ା ଜୋତା ସିଲାଇ କରେ । ବୁଢ଼ାକୁ ଅତିକ୍ରମ କରି ଆଗେଇ ଗଲେ ମାଲ ସପ୍ଲାଇ କାରବାର । ଗତି ହେଲେ ବି ବୁଢ଼ା ସେମିତି ବସିଥାଏ ଦୋକାନ ଖୋଲା ରଖି । କିଛି ଗୋଟାଏ ସିଲାଇ କରୁଥାଏ ଡିବିରି କିମ୍ୱା ବେଳେ ବେଳେ ହାକାକ ଆଲୁଅ ଜାଳି । କଳା ବାଙ୍ଗର ମଣିଷଟା, ମୁହଁ ଭର୍ତ୍ତୀ ପାଚିଲା ଦାଢ଼ୀ, ଗାଲରେ ଅନେକ ଇଞ୍ଜ–ଆଖିରେ ପ୍ରାୟ ଛନି ପଡ଼ି ଆସିଲାଣି ।

 

ମାଲସପ୍ଲାଇ ଅନ୍ଦର୍‌ମହଲର କାରବାର ଏବଂ ଏହାର କର୍ତ୍ତ୍ରୀ ବାଦାମୀ । ବାଦାମୀ ସହ ବୁଡ଼ାଇ କି ସମ୍ପର୍କ ତାହା କେହି ସଠିକ ଜାଣନ୍ତି ନାହିଁ । କିଏ କହେ ଦୁତୀୟ ପକ୍ଷର ସ୍ତ୍ରୀ, କିଏ କହେ ତୃତୀୟ ସ୍ତ୍ରୀ ତ କିଏ କହେ ସମ୍ପର୍କୀୟା । କେହି କେହି କହନ୍ତି ବୁଢ଼ା ସୁନ୍ଦରୀ ଦେଖି ବାଦାମୀକୁ ପିଲାବେଳୁ ଜଣେ ପିଲାଧରା ବାବାଜୀଠାରୁ କିଣି ନେଇଛି । ରାମିଆ କୁଆଡ଼େ ଓସ୍ତାଦ ଏଇ ଲାଇନରେ–ଅନେକ ପିସା ରଖିଛି । ବଡ଼ ବଡ଼ ସହରକୁ ଏଜେଣ୍ଟମାନଙ୍କ ଦେଇ ମଝିରେ ମଝିରେ ମାଲ ଚାଲାଣ କରେ–ଅନାଥାଶ୍ରମରେ ରଖେଇ ଦବା କିମ୍ୱା ସହରରେ ଚାକିରି କରେଇ ଦବା ଲୋଭ ଦେଖେଇ ।

 

ଅରୁଣ ରାମିଆ ବୁଢ଼ାର ଆଗରେ ଆସି ଠିଆ ହେଲା । ରାମିଆ ଭାରି ଚାଲାକ । ଥକିଯାଇ କପାଳର ଝାଳ ପୋଛିବା ବାହାନାରେ ନିଜ ମୁହଁ ଉପରକୁ ଟେକି ଅରୁଣ ଆଡ଼େ ଚାହିଁଲା-। ଚିହ୍ନିବାରେ ତ ଉସ୍ତାଦ–ପ୍ରତିଦିନ କେତେ ଲୋକର ମୁହଁ ଦେଖୁଚି, ଯାଆସ ବେଳେ ପାହୁଣ୍ତ ଗଣୁଚି-। ରାମିଆ ଭାବିଲା ବାବୁଟା ନୂଆ । ନୂଆ ମୁହଁ ଦେଖିଲେ ସେ ଅତି ସତର୍କ ଭାବେ ବ୍ୟବହାର କରେ-। କାରଣ ତାର ଭୟ ହୁଏ କାଳେ ପୁଲିସ ଲୋକ ହୋଇଥିବ । ଆଜିକାଲି ସାଦା ପୋଷାକରେ, ମଳିଆ ଛିଣ୍ତା ପିନ୍ଧି ଭିକାରୀ, କୃଷ୍ଣରୋଗୀ ପାଗଳଠାରୁ ଆରମ୍ଭ କରି ଉଦରଲୋକର ସାଦା ପୋଷାକ ପିନ୍ଧିବି ଗୁଇନ୍ଦା ପୋଲିସ ବୁଲୁଥିବା ସେ ଜାଣେ । ଏଇ ଜାଗାରେ ଅନେକ ଦିନ ରହିଯିବା ହେତୁ ଅନେକ ଲୋକଙ୍କ ନଜର ତା ଉପରେ । ଅନ୍ୟ ବସ୍ତିମାନଙ୍କରେ ତା ଭଳି କାରବାର କରୁଥିବା କେହି କେହି ବି ତା ପଛରେ ପୁଲିସ ଲଗେଇ ଦିଅନ୍ତି ଈର୍ଷାରେ । ଅବଶ୍ୟ ପୁଲିସମାନଙ୍କୁ ସେମାନଙ୍କ ମାସିକ ପାଉଣା ଦିଆଯାଉଛି—ତା’ଛଡ଼ା ମଝିରେ ମଝିରେ ଯେତେବେଳେ ସେମାନଙ୍କ ଖୁସି ସାଦା ପୋଷାକରେ ଆସି ଗତିରେ ଟିକିଏ ମଉଜ କରି ବି ଯାଆନ୍ତି । ତଥାପି ଏମାନଙ୍କୁ ବିଶ୍ୱାସ ନାହିଁ । ଯେତେବେଳେ ପଇସା ଦରକାର ହେଲା ଏମିତି ହଠାତ୍ ଝଡ଼ ଭଳି ପଶି ଆସି ସବୁ ଛିନ୍‌ଛତ୍ର କରିଦେବେ ଏବଂ ଚିଲଭଳି କିଛି ମାରିନେଇ ଚାଲିଯିବେ । ନା, ଏଥର ଏଇ ଜାଗାଟା ଛାଡ଼ିବାକୁ ହେବ । କଥାଟା ଦିନକୁ ଦିନ ଅଧିକ ଜଣାଶୁଣା ହୋଇଯାଉଛି; କିନ୍ତୁ ଏଇ ଜାଗାରେ ଭଲ ରୋଜଗାର ହେଉଛି ଯେ–ସେ ଯାହେଉ ପରେ ଦେଖାଯିବ–ନୂଆବାବୁଟା ପୁଣି ଏଇନେ କାହିଁକି ? କି ବିପଦ—ଏଇଟାକୁ ତ ଆଗରୁ କେବେ ଦେଖିନି—

 

ରାମିଆ କହିଲା—ବାବୁ ହାତରେ ଅନେକ କାମ । ଦେଖୁଛନ୍ତି କେତେ କାମ ଆଗରେ ପଡ଼ିଛି । ଆପଣଙ୍କ ଜୁତା ମରାମତି କି ପାଲିସ ତ ଏଇନେ ହୋଇ ପାରିବନି ।

 

–ଜୁତା ମରାମତି ପାଇଁ ଆସିନି । ମାଲ ଦରକାର–

 

–ମାଲ ? ରାମିଆ ଅବାକ୍‌ ହୋଇଯିବାଭଳି ଉପରକୁ ଚାହିଁଲା ।

 

–ବେଶୀ ଭଣ୍ତ ସାଜେନା, ମୁଁ ସବୁ ଜାଣେ । ମାଲ ଛାଡ଼ିଦେ–ପଇସା ନେ–

 

ରାମିଆ ଦୋକାନ ବନ୍ଦ କରିବାଭଳି ଜୁତା ମରାମତି ସରଞ୍ଜାମ ଗୋଟିଆ ଗୋଟି କରି ଟିକିଏ ହସି କହିଲା–ମାଲତ ଖତମ, ଏତେ ରାତିରେ ଥାଏ ?

 

–ନିଶାନାଥ ଅଛି ?

 

–ଓଃ, ନିଶିବାବୁ–ଆପଣ ତାଙ୍କୁ ଜାଣନ୍ତି ? ବୁଢ଼ା ଅରୁଣକୁ ତଳ କପର ଯାଏଁ ଥରେ ଚାହିଁ ପଚାରିଲା ?

 

–ସେଇଟା ମୋ ଜିଗିର ଦୋସ୍ତ ।

 

ରାମିଆ ଖୁବ୍‌ ଖୁସି ହୋଇଗଲା–ଓଃ, ନିଶିବାବୁଙ୍କ ବନ୍ଧୁ ତ–ଏଇ ଲାଇନର ଲୋକ ତାହେଲେ–ହଁ ବାବୁ, ଏଇ ଆଗ ଗଳିଟାରେ ପଶିଯିବେ–ଗୋଟାଏ ଉଞ୍ଚ ଜାଗା ଦେଖିବେ–ତା ଉପରେ ଗୋଟେ ଘର–ସେଇଠି ଥିବେ–କିମ୍ୱା ତା ପାଖ ଘରଟିରେ ମାଲ ଖାଉଥିବେ–

 

ଅରୁଣ ସେଇ ଦିଗରେ ଚାଲିଲା । ସେଇ ଘର ଭିତରେ ପଶିଯାଇ ଆସ୍ତେ ଡାକିଲା–ଏ ନିଶି ଅଛୁକିରେ ?

 

–କିଏ ? ଉତ୍ତରରେ ଘର ଭିତରୁ ଆସିଲା ବାଦାମି, ଅରୁଣ କିଛି କହିଲାନି ।

 

–ଆପଣଙ୍କ ନାମ କ’ଣ ? ବାଦାମୀ ପଚାରିଲା–

 

–ନିଶାନାଥକୁ ଡାକି ଦିଅ ।

 

–ଖିଲ ଖିଲ ହସି ଉଠିଲା ବାଦାମୀ । ଅନ୍ଧକାର ଆଲୁଅରେ ଫେଣ୍ଟା ଫେଣ୍ଟି ସେଇ ପରିବେଶ ଭିତରେ ଅରୁଣ ଦେଖି ପାରିଲା ସେଇ ଉତ୍ସଳ ହସର ଲହରୀରେ ବାଦାମୀର ଦେହ ଯେମିତି ଚୂରମାର ହୋଇ ଲୋଟି ପଡ଼ୁଚି ।

 

–ଛଇ ଦେଖାଅନି, ଯାଅ ଡାକିଦିଅ ।

 

–ଓଃ ଆପଣଙ୍କ ବହୂଟି ବୋଧେ ଭାରୀ ସୁନ୍ଦରୀ ନା ? ନୂଆ ବାହା ହୋଇଛନ୍ତି ବୋଧେ-। ବସନ୍ତୁ ନା, ଏଇନେ ତ ଏମିତି କିଛି ରାତି ହୋଇନି–କେତେ ଲୋକ ଅଛନ୍ତି ଦେଖୁଛନ୍ତି ତ ଆପଣଙ୍କୁ ଏଠି କିଏ ବାନ୍ଧି ରଖୁନି, ଏତେ ଚଞ୍ଚଳ । ପୁଣି ସେଇ ଛଳଛଳ ଉତ୍ସଳ ହସ ଓ ଅଙ୍ଗଭଙ୍ଗି-

 

–ଏଠି ସବୁଦିନେ ଏମିତି ଲୋକ ?

 

–ହଁ, ନହେବେ କାହିଁକି ? ଏଇଠି ପଇସା ଦେଲେ ସବୁ ମିଳେ । ଭଲ ପିଇବା, ଖାଇବା, ଶୋଇବା, ସୁରା ସାକୀ ସାଙ୍ଗକୁ ମନ କିଣା ବ୍ୟବହାର । ଘରେ ତ ଅନେକ ଜଞ୍ଜାଳ ତା ସହ ପଇସା ଖର୍ଚ୍ଚ–ଏଣୁ କେବଳ ଥିଲାବାଲା କାହିଁକି ଅଭାବୀ ଲୋକ ବି ଏଠାକୁ ଆସନ୍ତି ଟିକିଏ ଫୁର୍ତ୍ତି କରି ଯିବାକୁ । ଏଠି ଥିଲାବାଲା, ନଥିଲାବାଲା ନାହିଁ, ବଡ଼ସାନ ନାହିଁ, ଯିଏ ପଇସା ଫିଙ୍ଗିଲା ତାର ଚର୍ଚ୍ଚା–କିଛି ଭାବିବେନି, ଆପଣଙ୍କ ଚେହେରାଟା କିନ୍ତୁ ଖୁବ ଲୋଭନୀୟ ।

 

ଏତିକିବେଳେ ଟଳମଳ ପାଦରେ ଢଳି ଢଳି ଘର ଭିତରୁ ବାହାରକୁ ଆସି ନିଶାନାଥ ପଚାରିଲା–ମତେ କିଏ ଡାକୁଚି ବାଦାମୀ ।

 

ସେଇ ଉଚ୍ଛଳ ହସ ହସି ଦେଇ ବାଦାମୀ କହିଲା–କହିବି ? ତୋ ବହୁ ଡାକୁଥିବ–ଯା–ଯାଉନୁ–ତୋ ପାଦ ଉପରେ ହାଣ୍ତିଏ ଲୁହ ଢାଳି ଦେବ–ଶହେ ରାଣ, ଶହେ ଅନୁରୋଧ ଥୋଇବ ।

 

–ମତେ ଘୃଣା ଲାଗେ ଏଇ ଘରଣୀମାନଙ୍କ ନା ଶୁଣି, ଯେଉଁମାନେ ମରଦଟାର ମନ କେମିତି ଧରି ରଖିବା ଜାଣନ୍ତିନି–

 

–ଆରେ ନା, ନା–ମୁଁ ସେଠିକି ଯିବି ନାହିଁ । ସେଠିକି ଗଲେ ମତେ କାନ୍ଦ ମାଡ଼ୁଚି । ଅନେକ କଥା ମନେ ପଡ଼ୁଚି । ସେଇ ସବୁ ଅତୀତ ଗୁଡ଼ାକ–ନା–ନା–

 

–ନିଶି ଭାଇ, ମୁଁ ଅରୁଣ ।

 

–ହଁ ତୁ ପେଖନା ଦେଖାଇ ହଉଥା ଏଇ ଅରୁଣବାବୁଙ୍କୁ । ଅତୀତ, ଫତୀତ, ଯେତେ ସବୁ ବାଜେ କଥା–ମତେ ଭଲ ଲାଗେନି–ମୁଁ ଭିତରୁ ଆସୁଚି–ବାଦାମୀ ଚାଲିଗଲା ।

 

–ଆରେ, ଅରୁଣ ତୁ ?–ଏଇ ରାକ୍ଷସ ପୁରରେ ? ମୋର ବିଶ୍ୱାସ ହେଉନି ।

 

–ବିଶ୍ୱାସ କର, ମୋ କଣ୍ଠ ସ୍ୱର ଶୁଣି ପାରୁଚୁତ ? ମୋତେ ଛୁଇଁ ବିଶ୍ୱାସ କର ।

 

ନିଶାନାଥର ଅରୁଣକୁ ଛୁଉଁ ଛୁଉଁ ତାକୁ ଭିଡ଼ି ଧରି ଭୋ–ଭୋ–କାନ୍ଦି ପକାଇଲା । –ଅରୁଣ, ତତେ ଭିଡ଼ି ଧରି କେତେ ଆଶ୍ୱସ୍ତି ଲାଗୁଚିରେ–ତୁ ମତେ ଖୁବ୍‌ ଘୃଣା କରୁଥିବୁ ନୁହେ ? କିନ୍ତୁ ମୁଁ ସତ କହୁଚି–ମୁଁ ଏସବୁ ଚାହୁଁ ନଥିଲି, କେବଳ ଚାହୁଁଥିଲି ଖଣ୍ତେ କାମ–ଯେ କୌଣସି କାମ ଏବଂ ସବୁଠୁ ଅଧିକ ଚାହୁଁଥିଲି ମାନୁକୁ ଏବଂ ଏଇ ମାନୁ ହିଁ–ମାନୁର ନିଶା ହିଁ ମତେ ଏଇ ବାଟେ ନେଇ ଆସିଲା–ନା, ନାରେ, ତାର କିଛି ଦୋଷ ନଥିଲା । ଏଇ ଶଳେ ମତେ କାମଟିଏ ଦେଲେନି ଏବଂ ମୁଁ ତରତରରେ କାଳେ ମାନୁକୁ କିଏ ବାହା ହୋଇ ପଡ଼ିବ ସେଇ ସ୍ମଗଲର ଚୋର ଗ୍ୟାଙ୍ଗରେ ପଶିଗଲି-। ତାପରେ ଆଉ ବାହାରି ପାରୁନି । ଅଧିକରୁ ଅଧିକ ଡୁବି ଡୁବି ଯାଉଚି–ହଁ, ସାବଧାନ-! ଏଠିକି ତୁ କାହିଁକି ଆସିଲୁ କହ ? ମୋଟେ ଆସିବୁନି । ବାଦାମୀଟା, ନା ଶାଳୀ ଦେଖିବା ମାତ୍ରେ ଏମିତି ଖାପ୍‌ଚାରେ ପକେଇ ଦବ ଯେ–

 

–ଆରେ ନା’ମ ନିଶିଭାଇ–ଏମିତି ମନେ ପଡ଼ିଗଲା, ମୁଁ ଆଜି ତୋ ସଙ୍ଗେ ଖାଇବି ।

 

–ତୁ ଆସିଚୁ ମତେ ସକାଳ କଥା ସବୁ ମନେ ପକେଇ ଦବୁ–ମୁଁ ସବୁ ଝୁରି ଝୁରି ମରିବି-। –ନା, ତୁ ପଳା–ମୁଁ କିଛି ମନେ ପକାଇବା ଚାହେଁନି । ମୁଁ ଦୁର୍ବଳ–ସେ ସବୁ ସ୍ମୃତିକୁ ଡରେ–ସବୁ ଭୁଲି ଯିବାପାଇଁ ଏଠିକି ଆସେ–ମୋ ସହ ବସି ଖାଇବୁ ନା–ଆଃ, କି ଆରାମରେ ଆମେ ଖାଉଖାଉ ଗପୁଥିଲେ, ମାନୁ ଓ ମୁଁ । ଯା–ଯା–ସେଇଆଡ଼େ ମତେ ଆଉ ଟାଣନା–ମୋ ଅନ୍ତରକୁ କିଏ କାଟି ପକାଉଛି–ବସି ଖାଇବୁ ତୁ ଏଇ ବାଦାମୀକୁ କହି ଦଉଚି–ସେ ସବୁ ଯୋଗାଡ଼ କରିଦବ–ଦୁହେଁ ବସି ଖାଇବା ।

 

–ଶୁଣ ନିଶାଭାଇ । ମୋର ଟ୍ୟୁସନ ଟଙ୍କାରୁ ଆଜି ମାଛ କିଣି ଆଣି ଦେଇଚି ମାନୁକୁ–ତୁ ଯିବୁ ତୋ ସଙ୍ଗେ ବସି ମୁଁ ମୁଠେ ଖାଇବି–

 

–ନା ରେ ମୁଁ ଆଉ ସେଠିକି ଯିବିନି । ଯାହାକୁ ଏତେ ଭଲପାଉ ଥିଲି ଯେ, ତା ପାଇଁ ଅବାଟରେ ଯିବାକୁ ପଛେଇ ଗଲନି, ସେଇ ମାନୁଟା ମତେ ଘୃଣା କରୁଚି ଏଇନେ ମୁଁ ଜାଣେ । ହୁଏତ ଅନୁତାପ କରୁଚି–କିନ୍ତୁ କିଛି କହୁନି–

 

–ନିଶିଭାଇ, ତୁ ଏଯାଏଁ ମାନୁଅପାକୁ ଚିହ୍ନିଲୁ ନାହିଁ । ଏଇନେ ବି ରାତିସାରା ତୋ ଆସିବା ବାଟକୁ ଚାହିଁବସି ଥାଏ–ବାରମ୍ୱାର ଝର୍କା ଖୋଲି ବାହାରକୁ ଚାହେଁ । ତୁ କେତେଦିନ ହେଲା ଘରକୁ ଯାଇନୁ ଭାବେତ–ନୀତୁ ଓ ମୁନ୍ନାକୁ ସେ ଦିନ ପରେ ଦିନ ଭଣ୍ତେଇ ଭଣ୍ତେଇ ରଖୁଥିବ, ବାପା ଖରାବେଳେ ଆସିବେ ରାତିରେ ଆସିବେ କହି । ଆଉ ତୁ ଏଠି ମଦ ଗିଳି କହୁଥିବୁ ମୁଁ କିଛି ମନେ ପକାଇବା ଚାହେଁନି । ମୋ କଥା ଶୁଣ, ଆଜି ଅଲବତ ମୁଁ ତୋ ସଙ୍ଗେ ଖାଇବି–ତୁ ଜାଣୁ ତ ମୁଁ ବଦରାଗୀ ବି–ରାଗିଗଲେ ତତେ କାନ୍ଧରେ ପକାଇ ବୋହି ଧରି ଚାଲିଯିବି ତୋ ଇଚ୍ଛା ବିରୁଦ୍ଧରେ ।

 

ତୋ କଥା ଜାଣେରେ ଅରୁଣ–ନିଶାଭାଇ ବୋଲିତ ସେଦିନ ନିଜ ହାତ ଘଡ଼ିଟା ବିକି ସେଇ ଜୁଆଡ଼ୀମାନଙ୍କୁ ଟଙ୍କା ଦେଇ ମତେ ବଞ୍ଚେଇବୁ । ନହେଲେ ଟଙ୍କା କେଇଟା ପାଇଁ ସେଦିନ ସେମାନେ ମତେ ଖୁନ୍‌କରି ପକାଇଥାନ୍ତେ–କିମ୍ୱା ଅଧମରା କରି ଟ୍ରେନ୍‌ ଲାଇନ୍ ତଳେ ଫିଙ୍ଗି ଦେଇ ଥାଆନ୍ତେ–କିନ୍ତୁ ସେଠିକି ଯାଇ ବା କଣ କରିବି ? ଚାକିରି ତ ଜୀବନରେ ପାଇଲିନି–କିଛି ଝାଳବୁହା କାମ ବି କେହି ଦେଲେନି–ସ୍ତ୍ରୀର ଗହଣା, ଝିଅର ଚେନ୍ ବିକି ଜୁଆ ଖେଳର ଟଙ୍କା ଶୁଝିବା ସ୍ୱପ୍ନ କେବେ ଜୀବନରେ କେହି ଦେଖିପାରେ–କେତେ ଲଜ୍ଜାର କଥା ଭାବିଲୁ । ଏଇ ଲଜ୍ଜା, ଏଇ ଅନୀତି, ଅମଣିଷ ପଣିଆ ସବୁ ଭୁଲିଯିବା ପାଇଁ ତ ଏଠି ପଡ଼ିଛି । ଏଠି ରାମିଆ ବୁଢ଼ାକୁ ତା ଧନ୍ଦାରେ କିଛି ସାହାଯ୍ୟ କରେ–କିଛି ପଇସା ପାଇ ବଞ୍ଚିଯାଏ–ମତେ କାହିଁକି ନେବୁ ଆଉ ସେଇ ଘରକୁ । ଜୋର୍‌ ଜବରଦସ୍ତି ଯଦି କରିବୁ ତ ଚାଲେ–ପୁଣି ମତେ ଆଣି ଏଠି ଛାଡ଼ି ଦେବୁ । ଦେଖୁଚୁ ତ ମୁଁ ଚାଲିବା ଅବସ୍ଥାରେ ନାହିଁ–

 

ରିକ୍‌ସାରେ ବସିଲେ ଦୁହେଁ । ଆସିଲାବେଳେ ନିଶିଭାଇ ଉପରେ ପ୍ରଚଣ୍ତ ରାଗ, ଅଭିମାନରେ ଆସିଥିଲା ଅରୁଣ । ମାନୁ ଅପା ଭଳି ଗୋଟିଏ ଝିଅର ଜୀବନ ନଷ୍ଟ କରିଦେଲା ଶ-। କିନ୍ତୁ ଏଇନେ ଟିକିଏ ଶାନ୍ତ ସେ–ଭୋକଟା ଯେ ଗୋଟାଏ ଗର୍ତ୍ତରେ ପଶିଯାଇଛି, ଆଉ ବାହାରି ପାରୁନି–

 

ରିକ୍‍ସାରେ ଯାଉ ଯାଉ ନିଶାନାଥର ବାନ୍ତି ହୋଇଗଲା । ଫଳରେ କିଛିଟା ସୁସ୍ଥ ମନେ ହେଲା ସେ । କିଛି ସୁସ୍ଥ ହୋଇ ସାରିବା ପରେ ଅରୁଣ କହିଲା–ନିଶି ଭାଇ, ତୁ ମାନୁ ଅପାକୁ ଆଜି କାଲି ଖୁବ୍‌ ମାର ଧର କରୁଚୁ ।

 

–ତତେ କଣ କହୁଥିଲା ସେ ?

 

—ନା, କିଛି କହିବା ଝିଅ ତ ସେ ନୁହେ । ତା କପାଳର ଦାଗଟା ଦେଖି ପଚାରିବାରୁ କହିଲା ସେ ପଡ଼ିଯାଇଥିଲା—କିନ୍ତୁ ସେଟା ପଡ଼ିଯିବା ଦାଗ ନୁହେଁ ।

 

—ମତେ ସବୁବେଳେ ଚିଡ଼ାଉଛି ବାଦାମୀ କଥା କହି—ଗୋଟେ ସିଗାରେଟ୍‌ ଦେଲୁ ।

 

–ସେଟା ତ ମିଥ୍ୟା ନୁହେଁ । ସିଗାରେଟ ବଢ଼ାଉ ବଢ଼ାଉ ଅରୁଣ କହିଲା ଏବଂ ଦିଆସିଲିଟା ପକେଟରୁ ବାହାର କରି ନିଜ ସିଗାରେଟଟା ଲଗାଇଲା ତା’ପରେ ନିଶାନାଥ ମୁହଁର ସିଗାରେଟ୍‌ ପାଖେ ନେଇ ରଖିଲା ।

 

ନିଶାନାଥ କିଛି ନକହି ସିଗାରେଟ୍‌ ଫୁଙ୍କି ଚାଲିଲା ।

 

–ଜାଣିଲୁ ନିଶି ଭାଇ, ଘରେ ଦି ଦିଇଟା ସନ୍ତାନ । ମାନୁ ଅପା ଭଳି ବହୁ ଛାଡ଼ି ଏଇ ଗଳିରେ ମରିବା ଇଚ୍ଛା ଛାଡ଼—

 

–ମନର ଜ୍ୱାଳାରେ କରେ । ତତେ ପରା କହିଲା ।

 

—ନିଶାନାଥର ମୁଣ୍ତ ତଳକୁ ପୋତି ହୋଇଯାଇଥିଲା । ଅରୁଣ ତାହା ଠିକ୍‌ କରି କହିଲା ଏଇ ଦୁଇ ନମ୍ୱରିଆ ଯୁକ୍ତି ସବୁ ଛାଡ଼ । ମୁଁ ଆଉ ମାନୁ ଅପା ଭଳି ସରଳ ନୁହ ଯେ ଯାହା କହିବୁ ହଁ ଭରିବି । ତତେ ମନଟା ଶକ୍ତ କରିବାକୁ ହେବ । ଦେବନାଥ ଗୋଟିଏ କାଠ କାରଖାନା ଖୋଲୁଚି–ତିନିଶ ଟଙ୍କାର ଚାକିରିଟା ମୁଁ ପାଇବି । ମୋର ତ ଚଳିଯାଉଚି । ତାପରେ ମୁଁ ନିଶ୍ଚିତ ଯେ ମୋ ପନ୍ଥା ଅଲଗା । ମୁଁ ଚାଲିଯିବି ଏଇ ସହରର ପରିଧି ବାହାରକୁ । ମୋର ଅନେକ କାମ । ଜାଣୁ ତ କେଇଦିନ ମଝିରେ ଚାଲି ଯାଇଥିଲି–ତୁ ଯଦି ମତି ସ୍ଥିରକରି ଚାକିରିଟା କରନ୍ତୁନା–

 

–ମତେ ବି ତୋ ସାଥିରେ ନେଇଯା ଅରୁ–ଏଇ ଶଳା ଜୀବନଟା ଆଉ ଭଲ ଲାଗୁନି–ଏମିତି ସଢ଼ି ସଢ଼ି, ନିଜକୁ ଘୃଣା କରି, ଦୋଷୀ, ଖୁନୀ, ଦାଗୀ ଭଳି ପୋଲିସ ଆଖିରେ ସବୁବେଳେ ରହି ରାମିଆ ବୁଢ଼ାର ଦାନା ଖାଇ ବଞ୍ଚିବା ଅପେକ୍ଷା ତୋ ଭାଇ ଭଳି କିଛି କରି ଗୋଟାଏ ଗୁଳିରେ ମରିବା ତ ଢେର ଭଲ–

 

–ତୁ ସେସବୁ କାମ ପାରିବୁନି–ତୋର ସେନ୍‌ସ ଅଫ୍‌ ଡିସିପ୍ଲିନ୍‌ ଦରକାର–ନିଜର ଉଇଲ ପାଓ୍ୱାର ବେଶୀ ଦରକାର–ତୁ ଆଗ ବାଦାମୀର ଆଡ୍‍ଡ଼ାକୁ ଯିବା ଛାଡ଼ିଲ–ତୋର ଡିସିପ୍ଲିନ୍‌ ଜଣାପଡ଼ିବ ତା’ପରେ ଯାଇ–

 

—ଶୁଣ, ଏଇ ସହର ଛାଡ଼ି ଚାଲିଗଲେ ମୁଁ ଆଗଭଳି ହୋଇଯିବି । ମତେ ଟିକିଏ ସୁସଙ୍ଗ କିଛିଦିନ ଜୁଟିଯାଉ ଦେଖିବୁ । ଏଠିକା ପରିସ୍ଥିତିରୁ ବାହାରକୁ ମୁଁ ଚାଲିଯିବା ଚାହେଁ–

 

—ଆଉ ମାନୁଅପା, ଦୁଇଟା ପିଲାଙ୍କ ଅବସ୍ଥା ?

 

—ଏବେ ଯେମିତି ଚଳୁଚି ସେମିତି—

 

–ନାରେ, ପ୍ରଥମେ ଦେବନାଥର କାରଖାନାରେ ଢୁକିଯା । ପିଲାଏ ଟିକିଏ ବଡ଼ ହୁଅନ୍ତୁ । ତୁ କ’ଣ ଏଠି ରହି ଆମକୁ ସାହାଯ୍ୟ କରିପାରିବୁନି ? କିଛିଦିନ ଯାଇ ବୁଲା ବୁଲି କରିବୁତ ଅଲଗା କଥା । ତତେ କିଛି ଟ୍ରେନିଂ ବି ଦିଆହେବ–କିନ୍ତୁ ତୋ କାମ ହେବ ଏଇ ସମାଜ ଭିତରେ ରହି ସାହାଯ୍ୟ । ତୋ ଭଳି ଅନେକ ଲୋକ ଆମର ଅଛନ୍ତି–ଆମକୁ ସାହାଯ୍ୟ କରୁଛନ୍ତି । ଆହୁରି ଦରକାର–ହଁ, ଗୋଟେ କଥା, ବାଦାମୀର ମମତା କାଟେ । ନହେଲେ ଏଇ ତିନିଶ ଟଙ୍କା ତା ହାତକୁ ଚାଲିଯିବ । ବରଂ ତୋ ଜାଗାରେ ମାନୁ ଅପା–ରାଜିତ ? –ଭାବି ଦେଖେ ଏତିକିବେଳେ ପୁଲିସର ଏକ କଳା ଭ୍ୟାନ ସେଇ ବାଟ ଦେଇ ଚାଲିଯିବାରୁ ଦୁହେଁ ଚୁପ୍‌ ହୋଇଗଲେ ।

 

ରିକ୍‌ସା ଘର ପାଖରେ ପହଞ୍ଚିବା ବେଳକୁ ଝର୍କା ଦେଇ ମାନସୀ ଚାହିଁ ରହିଥିଳା ସେମାନଙ୍କ ଆସିବା ବାଟକୁ ।

 

ଅରୁଣର ଗତିଟା ନିଶାନାଥର ଡ୍ରଇଂ ରୁମ୍‌ରେ କଟିଲା । ଦୁହେଁ ସିଗାରେଟ୍‌ ଫୁଙ୍କି ନାନା ବିଷୟ ଗପିଲେ ସେଇ ଆଗଦିନ ମାନଙ୍କ ପରି ।

 

ସକାଳୁ ଫେରିବାବେଳେ ମାନସୀ ପଚାରିଲା–ପୁଣି କେବେ ଆସିବୁ ? ଆରତୀ ଘର ଆଡ଼େ ଟିକେ ଯିବୁ ।

 

–ମୋର ଡର ନାହିଁ–ସେଟା ସୋମେନ ସଙ୍ଗେ ନାଚୁଥାଇ—ମୋର ଅନେକ କାମ–ବାପାଙ୍କୁ ଦେଖାଇ ହେଉଛି ଚାକିରି ଖୋଜୁଚି ବୋଲି କିନ୍ତୁ ମୁଁ ଚାକିରି କରି ଗୋଟେ ଅଫିସ ଭିତରେ ବସି ଚାହିଁଲେ ଏଇ କାମ ସବୁ କିଏ କରିବ ?

 

–ଯେତେ ଫାଲ୍‌ତୁ କାମ ।

 

—ଫାଲ୍‌ତୁ ନୁହେଁ–ତୋ ଘରକୁ ଆସିବା କଣ ଫାଲ୍‌ତୁ–ନିଶା–ଭାଇକୁ ରାତିରେ ଆଣିବା କଣ ଫାଲ୍‌ତୁ ? ଏମିତି କେତେ ଜାଗାରେ କେତେ କାମ ଜାଣୁ ?

 

–ହଁ ଜାଣେ ଖାଲି ଆରତୀ ଘରକୁ ଯିବାଟାହିଁ ଫାଲ୍‌ତୁ ?

 

–ଚୁପ୍‌ ବେ–ଖାଲି ଆରତୀ—ଆରତୀ—ନିଜ ମରଦଟାକୁ ସମ୍ଭାଳି ରଖିପାରୁନୁ–ଆରତୀ କଥା ।

 

–ବାଃ, କଣ ହାତଗୋଡ଼ ବାନ୍ଧିରଖି ପକେଇବି ।

 

–ନା, ରଖିବୁ କାହିଁକି ? ଦିଜଣ ରଗାରଗି, ମୁହଁ ଫୁଲାଫୁଲି ହେଉଥା ଫାଇଦା ମାରୁଥିବ ବାଦାମୀ–

 

–ଯିବା ଆଗରୁ ସେ ଘରେ କହିଯା—ନ ହେଲେ ସେଠି ବାନ୍ଧି ଦେଇଯା ।

 

ଅରୁଣ ମାନସୀ ପାଖକୁ ଲାଗିଆସି କାନରେ କହିଲା—ଏତେତ ସହିଲୁ । ଆଉଟିକେ ସହିଯା । ମମତାରେ ବାନ୍ଧିରଖିବା ଚେଷ୍ଟା କର । ମୁଁ ବାନ୍ଧିଦେଇ ଗଲେ କଣଟା ହେବ ?

 

ତାପରେ ଅରୁଣ ଡ୍ରଇଁ ରୁମ୍‌ ଭିତରେ ପଶି, ନିଶାନାଥ ନିକଟରେ ବସିପଡ଼ି କହିଲା–ଏଇ ନିଶାଭାଇ ରାତିର ସବୁକଥା ମନେ ରଖିବୁ । ଆଉ ଦିନେ ସେଇ ରାମିଆ ବୁଢ଼ାର ଝୁପୁଡ଼ି ଆଡ଼େ ଯାଇଥିବୁ ତ ଶଳା ସେଠି ନିଆଁ ଲଗାଇ ଦେଇ ପ୍ରଥମେ ତତେ ସେ ନିଆଁ ଭିତରକୁ ଠେଲିବି । ରାମିଆ ବୁଢ଼ାକୁ ବି ଏମିତି ଡରେଇବି ଯେ ତତେ ଦେଖୁ ଦେଖୁ ଧକ୍‌କା ମାରି ବାହାର କରିଦେବ । କାଲି ଯିବା ଦେବନାଥର କାଠକାରଖାନାକୁ । ଚାକିରିଟା ହେବାଯାଏଁ ପୁଅଝିଅଙ୍କ ସଙ୍ଗେ କଟେଇଦେ । ମୁଁ ଏଇ ସହରରେ ଥିଲାଯାକ ତୋ ଉପରେ ମୋ ନଜର ରହିଲା ଆଜିଠୁ–କିଛି ଲୋଡ଼ାହେଲେ ତୋ ଅଭ୍ୟାସ ମୁତାବକ ମତେ କହିବୁ–ଏଇନେ ଉଠିଲି– । ଝଡ଼ବେଗରେ ଅରୁଣ ସେଠୁ ଚାଲିଗଲା ।

 

ଅରୁଣ ଘରେ ପଶୁ ପଶୁ ହିଁ ମାଁଙ୍କ ସହ ମୁହାଁ ମୁହିଁ ହୋଇଗଲା । ଖସି ପଳାଇବା ଚେଷ୍ଟା କରୁ କରୁ ମାଁଙ୍କ ଡାକ ଶୁଣିଲା–ଏ ଅରୁ ଶୁଣ୍ ।

 

ଅରୁଣ ଅଟକିଗଲା ।

 

–କାଲି ସାରା ରାତି ଅନେଇ ଅନେଇ ମୁଁ ଓ ସିପ୍ରା ଶୋଇନୁ । ଆମ କଥା ଟିକେ ଭାବେ ଅରୁ । ଗୋଟେତ ଗଲା କୁଆଡ଼େ ରହିଲା ଜାଣିହେଲାନି । ତୁ ପୁଣି ଏମିତି ଜଳେଇ ମାରୁଛୁ କାହିଁକି-?

 

—ନିଜେ ତ ଜଳି ମରୁଚି ମାଁ—କହି ଅରୁଣ ଧପ୍‌ ଧପ୍ ପାଦ କଚାଡ଼ି ଚାଲିଗଲା ନିଜ କଠୋରୀକୁ ।

 

ଅରୁଣ ଜାମାପଟା ନ ଖୋଲି ହିଁ ଖଟ ଉପରେ ଗଡ଼ିଗଲା ନିଜ ଭାବନାକୁ ନେଇ । ଶୋଇ ଶୋଇ ଖଣ୍ତେ ଚାର୍‌ମିନାର୍‌ ଧରାଇ ଚାରିଆଡ଼େ ଚାହିଁଲା । ନଜର ପଡ଼ିଲା ଫ୍ଲାଓୟାର୍‌ ଭ୍ୟାସ ଉପରେ । ଗତକାଲି ରାତିରେ ଏଇ ଘରେ ଗୋଲାପି ଫୁଲ ତୋଡ଼ାଟେ କିଏ ଥୋଇଦେଇଛି । ସିପ୍ରାଟା ହୋଇଥିବ । ଆଉ କିଏ ।

 

ଅରୁଣର ମନେ ପଡ଼ିଗଲା ଦିନେ କୋଡ଼ିଏଟି ଗୋଲାପ ଫୁଲର ଏକ ତୋଡ଼ା ଧରି ସେ ଆରତୀ ଘରକୁ ଯାଇଥିଲା । ଉପହାରଟି ଆନନ୍ଦରେ ଗ୍ରହଣ କରି ତାକୁ ଫୁଲ ବଗିଚାଟି ଦେଖାଇ ଥିଲା । ଘରେ ତାକୁ ସମସ୍ତଙ୍କ ସହ ପରିଚିତ କରାଇ ଦେଇଥିଲା ଏବଂ ତା ପରଦିନ ସକାଳୁ ତାଙ୍କ ବଗିଚାରୁ ଦୁଇଜଣ ଗୋଲାପ ଫୁଲର ଏକ ତୋଡ଼ା ଆଣି ତା ଫ୍ଲାଓୟାର ଭ୍ୟାସରେ ଖଞ୍ଜି ଦେଇଥିଲା । ଅରୁଣ ନିଦ ଭାଙ୍ଗିଲାବେଳକୁ ତା କୋଠରୀଟି ଗୋଲାପ ବାସ୍ନାରେ ମହକୁଥିଲା ଏବଂ ଦୁଆର ପାଖେ ଆରତୀ ଏକ ସଜଫୁଟା ଗୋଲାପ ଭଳି ହସୁଥିଲା । ତା’ପରଠୁ ସେ ଘରେ ନଥିଲେ ବି ଆରତୀ ତାଙ୍କ ବଗିଚାରୁ ଗୋଲାପ ଫୁଲ ତୋଳି ଆଣି ତା ଫ୍ଲାଓୟାର୍‌ ଭ୍ୟାସଟିକୁ ସଜାଇ ଦିଏ ଏବଂ ଅରୁଣ ଆରତୀ ଘର ବଗିଚାରେ ନଥିବା ଫୁଲର ଗୋଟାଏ ତୋଡ଼ା ଖୋଜିଆଣି ତାକୁ ଉପହାର ଦିଏ । ଆରତୀ ନଥିଲେ ତାଙ୍କ ବଗିଚାର ବୁଢ଼ା ମାଳିଟିକୁ ଚୁପ୍‌ଚାପ କହେ–କେବଳ ଆରତୀକୁ ଦେବୁ । କେତେବେଳେ ଫୁଲ ତୋଡ଼ାଟା ସହ ଦେଇ ଆସେ ଖଣ୍ତେ ଛୋଟ ଚିଠି–ଅମକ ଜାଗାରେ ଦେଖାହେବ । ଏବଂ ବୁଢ଼ା ଅଙ୍କାବଙ୍କା ଇଂରାଜି ଅକ୍ଷରରେ ଲେଖା ଚିଠି ଓ ଫୁଲ ତୋଡ଼ାଟି ଗୋପନରେ ରଖେ । ଆରତୀ ସଞ୍ଜ ବେଳେ ବୁଲେ ବଗିଚାରେ । ମାଳି ତାକୁ ଧରାଇ ଦିଏ ଫୁଲ । ହସି କହେ–ବଡ଼ ଭଲ ପିଲାଟେ ମାଁ ।

 

ଆରତୀ ରହସ୍ୟ କରି କହେ–ଯା, ତୁ ବି ତା ପ୍ରେମରେ ପଡ଼ିଗଲୁ ? ମୁଁ ତ ମଝି ଦରିଆରେ ହାବୁଡ଼ୁବୁ ଖାଉଚି । ହୁଁ ଗୋଟେ ଦେଖାରେ ସେଇଟା ଏତେ ଭଲ ପିଲା, ଆଉ ମୁଁ ?

 

–ଆପଣ ତ ମାଁ ଲକ୍ଷ୍ମୀ – କ’ଣ ଲେଖିଚନ୍ତି ମାଁ, ନିଅ – ବୁଢ଼ା ଚିଠିଟା ବଢ଼ାଇ ଦିଏ ।

 

–କିଛି ଜାଣି ପାରୁନୁ ? ତୁତ ଦିନେ ଭଲ ପାଇଥିବୁ କାହାକୁ–କହିଲୁ ଦେଖୁ କ’ଣ ହୋଇଥିବ ।

 

–ମୁଁ କ’ଣ ବଙ୍କା ସିଧା ଅକ୍ଷରଗୁଡ଼ାକ ଜାଣେ ମାଁ ?

 

–ଅନୁମାନ କରି କହ । ତୋ ଜୀବନ ଭିତରେ ଖୋଜେ–ପାଇଯିବୁ । ଠିକ୍‌ ନହେଲେ ମୁଁ କହି ଦେବି । କହ – କହିଲୁ ।

 

–କୋଉଠି ଦେଖା କରିବା ପାଇଁ ଲେଖୁଥିବେ ବୋଧେ ।

 

–ପ୍ରକୃତରେ ସେଇୟା ଲେଖା ହୋଇଚି । ତାହେଲେ ତୁ ବି ଚିଠି ଲେଖିଚୁ କିମ୍ୱା ଲେଖେଇଚୁ–

 

–ଚିଠି ? ନା ମା, ଖବର ବାଟଉଥିଲି ବଡ଼ ଭାଉଜଙ୍କ ହାତରେ–ମତେ ଖୁବ୍‌ ଭଲ ପାଉଥିଲେ ତ । ସେ ହିଁ ଆମ ଦି ଜଣଙ୍କୁ ବାହାକରାଇ ଦେଇଥିଲେ ।

 

ଚିଠି ପାଇବା ପ୍ରଥମ ଦିନ ଠିକଣା ଜାଗାରେ ଦେଖା ହେବା ପରେ ଆରତୀ କହିଲା–ତମେ ନା ଅରୁଣ ଏମିତି ଲୋକକୁ ଚିଠି ଦେଇ ଆସିଲ ଯିଏ ବଙ୍କା ସିଧା ଅକ୍ଷର ଗୁଡ଼ାକ ନ ପଢ଼ି ବି ତମ ଚିଠିର ଅର୍ଥ ଜାଣି ଦେଇ ପାରେ । ତମେ ଭାବିଚ ସେ ଯେହେତୁ ଇଂରାଜୀ ପଢ଼ି ପାରୁନି ତମେ ଖୁସିରେ ଯାହା ତାହା ଲେଖି ପକେଇବ ନା ?

 

–ଆରେ ସର୍ବନାଶ ! ସେ କିମିତି ଜାଣିପାରିଲା ?

 

–ସେ କଥା ମୁଁ ଜାଣିନି । ମତେ ଦେଖୁ ଦେଖୁ ଚିଠିଟା ବଢ଼ାଇ କହିଲା–ତୁମେ ନିରୋଳାରେ ତାଭ୍କୁ ଦେଖା କରିବ–ଏଇ ଚିଠି ନିଅ–

 

–ଆରେ, ଲୋକଟା ତ ସାଘାଂତିକ–

 

–ସାଘାଂତିକ ନା ଛେନା–ଚିଠିଟା ଦେଲା ବେଳକୁ ଏଇ ସାଘାଂତିକ ପଦଟା ମନରେ ରହି ପାରିଲା ନାହିଁ ?

 

–ମୁଁ ତ ତାକୁ କହିଥିଲି–

 

–କଣ କହିଥିଲ ?

 

–କେବଳ ଆରତୀ ଛଡ଼ା ଆଉ କାହାକୁ ଫୁଲ କି ଚିଠି ଦେବନି ?

 

–ତମେ ଆଉ କାହାକୁ ନଦେବାକୁ ସିନା କହିଲ, ଏକଥା କାହାକୁ ନକହିବାକୁ କହିଚ ?

 

–ଆରେ ସତ ତ ?

 

–ହଁ, ସତ ନୁହେଁ ଯେ କ’ଣ ମିଛ ? ଆଜି ରାତିରେ କଣ ଘଟିବ ମୁଁ ସଫା ଜାଣି ପାରୁଚି–ଡାଡ଼ି ମୋ ଦେହରୁ ଚମଡ଼ା ଉତାରି ଦେବେ ଏବଂ ମାମି ଅନ୍ଧାର ଘରେ ଖାଇବାକୁ ପିଇବାକୁ ନଦେଇ ନଜର ବନ୍ଦୀ କରି ରଖିବେ । ଆରତୀ କଣ୍ଠସ୍ୱର କରୁଣ କରି କହିଲା ।

 

–ଆରତୀ, ତମେ ମିଛରେ ଡରୁଛ । ତମ ମାମି ସେମିତି ଲୋକ ନୁହନ୍ତି । ତମ ଡାଡିଙ୍କୁ ସିନା ଦେଖିନି, ମାମିଙ୍କୁ ମୁଁ ଦେଖୁଚି—ଭାରୀ ଭଲ ମଣିଷ–

 

–ତମେ ମାମିକୁ ମୋଟେ ଜାଣନା–ଖୁବ୍‌ ମାଲ ଡିଅର–କିନ୍ତୁ ଏସବୁ ମାମଲାରେ ଖୁବ୍‌ ଷ୍ଟ୍ରିକ୍ଟ୍‍–

 

–ତା ହେଲେ ?

 

–ତା’ହେଲେ ଆଉ କଣ ? ଯାହାହେବ ମୁଁ ତ ଭୋଗିବି । ତମର କଣ ଯାଏ ଆସେ । କି ଅଦ୍‌ଭୁତ ଲାକ । ଦିନ ଚାରିଟା ଦେଖା ହେଲାନି ବୋଲି ଚିଠି ଖଣ୍ତେ ଲେଖି ପକାଇବ ? ଗୋଟେ ରିଟନ ଡକ୍ୟୁମେଣ୍ଟ–

 

–ଚାରି ଦିନ କଣ କମ ? ତମେ ଟିକେ ଖବର ଦେଇପାରିଲନି –

 

– ହଁ, ମତେ ତ ତମେ ଅଡ଼ୁଆରେ ପକେଇଲ । ମୁଁ ତମକୁ ସେମିତି ଅଡ଼ୁଆରେ ପକେଇ ଥାଆନ୍ତି–ମୁଁ ମୋଟେ ତମ ଭଳି ବୋକା ନୁହ–

 

–ବୋକା ତ ନୁହ, କିନ୍ତୁ ଆଉ କିଛି–

 

–ଆଉ କିଛି ?

 

–ମାନେ ବଡ଼ ନିଷ୍ଠୁର ।

 

–ହଁ, ଆଉ ତମେ ବଡ଼ କୋମଳ ହୃଦୟର ମାଲିକଟିଏ ? ସେଇଥିପାଇଁ ତ ମୋ ଚମଡ଼ାଟା ଆଜି ଉତାରି ଦେବା ବ୍ୟବସ୍ଥା କରି ସାରିଚ–ନୁହେଁ ?

 

–ମୁଁ ଜାଣି ଜାଣି ଏଇ ବ୍ୟବସ୍ଥା କରିଚି ?

 

–ଜାଣି ଜାଣି କର, କିମ୍ୱା ଯାହାକର ପ୍ରହାରଟା ତ ଥୁଆ ମୋ ପାଇଁ ।

 

–ମୁଁ ଯେଉଁ ଚିଠିଟା ଲେଖି ଦେଲି, ତାର ବ୍ୟାକ୍‌ଗ୍ରାଉଣ୍ତଟା ତ ବୁଝିଛି–ଆଉ କହୁଚ କାହିଁକି ଜାଣି ଜାଣି କର କିମ୍ୱା ଯାହା କର । ଜାଣ ସ୍ୱୟଂ ଭଗବାନ ମଧ୍ୟ ମଣିଷର ମନଟା ବୁଝିବାକୁ ଚେଷ୍ଟାକରି ବିଚାର କରନ୍ତି–ଆଉ ତମେ–

 

–ହଁ ରଖ ତମ ଭଗବାନ—ମାଡ଼ ଖାଇବି ମୁଁ—ଆଉ ଆଉ ତମ ମନଟା ବୁଝିବ ?

 

—ହଉ, ଯାହାତ ହେଲାଣି । ଏଇନେ ଆଉ ଓକିଲଙ୍କ ଭଳି ଜିରାରୁ ଶିରା ବାହାର କରନି—ଏ ବିଷୟରେ କିଛି କରି ହେବ ଯଦି କହ—

 

—ହଁ, ଗୋଟାଏ ଦୁଇଟା କଥା ମୋ ମନକୁ ଆସୁଛି, କହି ଆରତୀ ପାଖରେ ଥିବା ସେଇ ପାଣିକୁଣ୍ତଟା ଆଡ଼େ ଘୁଞ୍ଚିଗଲା ।

 

—ଯଥା ?

 

—ତମେ ଏଇନେ ଯାଇ ସେ ମାଳିଟାକୁ କହିଦିଅ ଯେ କାହାକୁ ସେ ଯେମିତି ଏକଥା ନ କହେ । ପାରିବ ?

 

—ଅଲବତ ପାରିବି ।

 

—କିନ୍ତୁ ଯଦି ଏଇ ଭିତରେ ସେ କହି ଦେଇଥାଏ, କହୁ କହୁ ଆରତୀ ସେଇ କୁଣ୍ତ ପାଖକୁ ଘୁଞ୍ଚିଗଲା ।

 

—ଆଉ ଗୋଟାଏ ରାସ୍ତା ଦେଖା ଯାଉଛି । ପାରିବ ?

 

—ଆରେ କୁହନା ।

 

—ତମେ ଏଇ ପାଣିକୁ‌ଣ୍ତ ଭିତରକୁ ଡେଇଁପଡ଼ି ଲୁଚିଯାଅ ।

 

–ଆରତୀ ! ସିଧା ଦୁଇ ବିଧା କସି ତମ ପିଠିରେ ଥୋଇ ଦେବି ଜାଣ ।

 

–ଆରେ ମହାଶୟ ଶୁଣ । ମୁଁ ଖୁବ୍‌ ସିରିୟସଲି କହୁଚି ।

 

–ମୋଟେ ସିରିୟସ୍‌ଲି କହୁନା । ମୁଁ କିଛି ଶୁଣିବିନି । ପ୍ରଥମେ ଦି ବିଧା ଥୋଇସାରେ ।

 

–ବାପାତ ଚମଡ଼ା ଉତାରି ଦେବେ । ତମେ ତା ଆଗରୁ ଦି ବିଧା କାହିଁକି ଚାରି ବିଧା ଥୋଇ ଦିଅ । ବିପଦ ତ ସବୁ ଏକାବେଳେ ଆସେ । କିନ୍ତୁ ଆଗ ଶୁଣ–ପ୍ଲିଜ–

 

–ହଉ କହ ।

 

–ବାପା ଯେତେବେଳେ ମତେ ବାଡ଼େଇ ତମ ନାଁ ପଚାରିବେ, ମୁଁ ମାଡ଼ ସହି ନପାରି ତମ ନାମ କହିଦେବି । ସେତେବେଳେ ମତେ ଏକ ଅନ୍ଧାର ଘରେ ନଜରବନ୍ଦୀ କରି ରଖିବା କଡ଼ା ଆଦେଶ ମାଙ୍କୁ ଦେଇ ସେ ତମକୁ ଖୋଜିବେ–ହଁ ତା ଆଗରୁ ଯଦି ତମେ ଏଇ ପାଣି କୁଣ୍ତରେ ଲୁଚି ଯାଇଥିବତ–ହୋ, ହୋ, କରି ହସି ବସିଥିବା ଜାଗାରୁ ଲମ୍ପ ଦେଇ ଆାରତୀ ଦଉଡ଼ି ପଳାଇଲା ।

 

–ତା ଆଗରୁ ଚାଲବାଜିଟା ଛଡ଼ାଇ ଦେଉଚି ରୁହ–କହି ଅରୁଣ ତା ପଛେ ପଛେ ଗୋଡ଼ାଇଲା । ଶେଷରେ ଆରତୀ ଥକି ଯାଇ ଆଉ ଦଉଡ଼ି ପାରିଲାନି । ଅରୁଣ ତା ହାତକୁ ଧରି ପକାଇ କହିଲା–କୁହ ଏଥର ଦୁଇବିଧା ନା ଚାରି ବିଧା ?

 

–ଧେତ୍ ଲାଜ ଲାଗୁନି, କେହି ଯଦି ଦେଖୁଥିବ ।

 

–ହଁ ତମେ ଯେତେ ଚାଲବାଜି ଖେଳିଲା ବେଳକୁ କେହି ଦେଖୁନି । ମୋ ବେଳକୁ ସବୁ ଦେଖି ପକାଉଛନ୍ତି ।

 

–ଶୁଣ, ହାରିଯାଇଥିବା କିମ୍ୱା ଅସ୍ତ୍ରତ୍ୟାଗ କରିଥିବା ଶତ୍ରୁକୁ ମଧ୍ୟ ମାରିବା ଅନୁଚିତ–ମୁଁ ତ ତମ ମିତ୍ର, ମେତେ ଚାରି ବିଧା ମାରି କ’ଣ ପାଇବ ? ମୁଁ ତମର ଶରଣାଗତ ହେଲି ।

 

–ତମେ ଖୁବ୍‌ ଚାଲାକ ଝିଅ । ସେତେବେଳେ କଣ ଏଣୁ ତେଣୁ କହି ମୋ ଅବସ୍ଥା ଯାହା କରିଥିଲ ନା, ମୁହିଁତ ତମ ଶରଣାଗତ ହୋଇ ସାରିଥିଲି ମନେ ମନେ ।

 

–ସତରେ ନୁହେ, ଥଟ୍ଟାରେ ଥଟ୍ଟାରେ ସେତେବେଳେ ମୁଁ ତମକୁ ମୋ ଶରଣାଗତ ହେବାର ଆଭାସଟାରେ ଭସାଇ ଦେଇଥିଲି । ପ୍ରକୃତରେ କିନ୍ତୁ ମୁଁ ଶରଣାଗତା–ଏତକ ଜାଣିଥା–ସାରା ଜୀବନଟା ପାଇଁ ମୁଁ ତମର ଶରଣାଗତା ହୋଇସାରିଚି ଅରୁ ।

 

କଥା କହିବାରେ ଆରତୀକୁ ପାରିବା ମୁସ୍କିଲ–ଆରତୀ ହୁଏତ ଏଇନେ ସୋମେନ ସହ ଏମିତି କଥାର ଛଇରେ ଚଉଦିଗ ଚମକାଇ ଦେଉଥିବ–

 

–ଅରୁଭାଇ, କାଲି ଦିନସାରା କେଉଁଠି ଥିଲୁ ? ସିପ୍ରା କପେ ଚାହା ଧରି ତା ନିକଟରେ ପହଞ୍ଚିଗଲା–

 

ଅରୁଣ କଳ୍ପନା ଓ ସ୍ମୃତିର ଦୁନିଆ ଭିତରୁ ହଠାତ୍ ଯେମିତି ଖସି ପଡ଼ିଲା ବାସ୍ତବିକତା ଭିତରେ ।

 

–କାହିଁକି ?

 

–ବାଃ, ଚିନ୍ତା ହେବନି ଆମର ?

 

—ଭାଇ ତ ମାସ ମାସ ବାହାରେ ରହି ଯାଉଥିଲେ ।

 

—ସେତେବେଳର କଥା ଅଲଗା । ଏଇନେ ତ ଗୋଟାଏ ମାତ୍ର ତୁ–ହିଁ ଅରୁଭାଇ, ବଡ଼ ଭାଇଙ୍କ କଣ ହେଲା କିଛି ଜାଣୁ ? କେହି କଣ କହୁଛନ୍ତି–କେହିକେହି କହୁଛନ୍ତି ସେ ଆଉ ନାହାନ୍ତି–

 

–ମିଛ କଥା । ସେ ଭଳି ଲୋକଙ୍କ କଥାରେ କାନ ଦେ’ନା ସିପ୍ରା–

 

–ହଁ, ଭାଇ ମୁଁ ତ ମା’ଙ୍କୁ ସେଇ କଥା ହିଁ ବାରମ୍ୱାର କହି ଆସିଛି । ମା ମତେ କହୁଥିଲେ ତତେ ଏକଥା ପଚାରି ବୁଝିବା ପାଇଁ–ଯାଇ କହିଦିଏ–ଚାହାଟା ଖାଇଦେ—ଥଣ୍ତା ହୋଇଯିବ । ସିପ୍ରା ଚାଲିଯିବାକୁ ବାହାରିଲା ।

 

–ଏଇ ସିପ୍ରା ଶୁଣ ।

 

–ମାଙ୍କୁ କହି ଆସେ ।

 

–ଆରେ ଶୁଣ, ମାଁ କଣ ପଳାଇଯାଉଛନ୍ତି ? ଏଇ ଫ୍ଲାଓ୍ୱାର୍‌ଭ୍ୟାସରେ ଫୁଲ କିଏ ସଜାଇ ରଖିଚି ?

 

—ମୁଁ–କାହିଁକି ?

 

—ତୁ ସେଠି ଆଉ ଫୁଲ ସଜାଇବୁନି ।

 

–ନିଶ୍ଚୟ ସଜେଇବି । ଆଗେ ସବୁଦିନ, ଆସି ଆରତୀ ଅପା ସଜାଉଥିଲା–ଏଇନେ ଆସୁନି ଯେ ସେ କଣ ଭାବିଚି ଏଇ କାମଟା ଆଉ କେହି କରିପାରିବନି ।

Unknown

 

–ନା, ତୁ ସଜେଇବୁନି ।

 

—ସଜେଇବି—ସଜେଇବି—ସଜେଇବି । ଦୁମ୍‌ଦାମ୍‌ ପାଦ ପକାଇ ସିପ୍ରା ଚାଲିଗଲା ।

 

ଅରୁଣ ଚାହାରେ ଚୁମ୍ୱକ ଦେଇ ଭାବିଲା ଭାଇଙ୍କ ବିଷୟରେ ଏମାନଙ୍କୁ ମିଛ କହି ସେ କିଛି ଅପରାଧ କରୁନାହିଁ ତ ? କିନ୍ତୁ ସେ କଣ କରିବ ? ବଡ଼ଭାଇ ତାଙ୍କ ମୃତ୍ୟୁପୂର୍ବ ଚିଠିରେ ତ ଲେଖିଥିଲେ ଏକଥା ନ ଜଣାଇବା ପାଇଁ ।

 

ଚାହାରୁ ଆଉ ଢୋକେ ଗିଳି ଅରୁଣ ଭାବିଲା, ଭୁଟୋର ଫାଶି ହେବା କଥା ସାରା ପୃଥିବୀ ଜାଣିଲା । କିନ୍ତୁ ଭାଇ ଓ ତାଙ୍କ ଭଳି ଅନ୍ୟମାନଙ୍କ ମୃତ୍ୟୁ ଖବର ଚପେଇ ଦିଆଗଲା ।

 

ମାଁ ଆସି ପହଞ୍ଚିଲେ । ବସୁ ବସୁ ପଚାରିଲେ–କାଲି ଦିନସାରା କେଉଁଠି ରହିଲୁ ଅରୁ ?

 

–ନିଶିଭାଇଙ୍କ ଘରେ ମାଁ ।

 

–ନିଶିନାଥର ଘରେ ଥିଲୁ । ଆଖି ଦୁଇଟା ନାଳି ନାଲି ଦେଖା ଯାଉଚି । ରାତିରେ ଶୋଇନୁ ? ପାଖକୁ ଆସି ମାଁ ଅରୁଣ ମୁଣ୍ତରେ ସସ୍ନେହେ ହାତ ବୁଲାଇଦେଲେ । ଅରୁଣ ତାଙ୍କ କୋଳରେ ମୁଣ୍ତଦେଇ ଗଡ଼ିଗଲା ।

 

ମାଁ ଅରୁଣର ପିଠିରେ ହାତ ବୁଲାଇ କହିଲେ–ଯା ଗାଧୋଇପକା, ଖାଇ ଟିକିଏ ଶୋଇପଡ଼ ।

 

ଅରୁଣ ସେମିତି ମାଙ୍କ କୋଳରେ ମୁଣ୍ତ ଥୋଇ ଆଖିବୁଜି ପଚାରିଲା–ଆଛା ମାଁ, ଏତେ ଯେ ଚୋର ଅବାଧ୍ୟ ହେଉଚି, ତୋ କଥା ନ ମାନି ତତେ ଏବେ କଷ୍ଟ ଦେଇଚି, ତା ସତ୍ୱେ ବି ତୁ ଏତେ ଭଲ ପାଉ କାହିଁକି ?

 

–ମା’ତ ସନ୍ତାନକୁ ଭଲ ହିଁ ପାଇବରେ । ଏଇଟା ତ ନୂଆ କଥା ନୁହେଁ ।

 

–ନା, ତୁ ମତେ କହ । ଅରୁଣ ଦୁଇ ହାତରେ ମାଁର ଅଣ୍ଟା ଗୁଡ଼ାଇ ଧରିଲା ।

 

–ଛାଡ଼େ, ଛାଡ଼େ, ଏତେ ବଡ଼ ହେଲୁଣି ସେଇ ପିଲାଭଳି । ପିଲାବେଳେ ଅଣ୍ଟାରେ ହାତ ଥୋଇ କେତେ ଯେ ହସେଇଚ ମତେ–

 

–ଶୁଣ ମା, ଶଙ୍କରାଚାର୍ଯ୍ୟ କହିଛନ୍ତି, କୁପୁତ୍ରୋଜାୟେତ କୁଚିଦପି କୁମାତା ନ ଭବତି । ଅର୍ଥାତ୍ ପୁଅ ମନ୍ଦ ହୋଇପାରେ, ମାଁ କେବେହେଲେ ମନ୍ଦ ହୋଇପାରେନା ।

 

—ମୁଁ ତ ତୋ ଭଳି ପାଠଶାସ୍ତ୍ର ପଢ଼ିନି । କିନ୍ତୁ ଯିଏ ଲେଖିଛି ସତ କଥା ଲେଖିଚି ।

 

ମାଁ ଏକ ଦୀର୍ଘଶ୍ୱାସ ଛାଡ଼ି ଦଣ୍ତେ ରହିଗଲେ । ତା ପରେ କହିଲେ–ତୋ କଥା ଭାବିଲେ ମୋ ମନରେ ଭୟ ହୁଏ ଅରୁଣ, ତୋ ବଡ଼ ଭାଇ ଭଳି ତୁ ଆଉ ମତେ ଛାଡ଼ି ଦେଇ କୁଆଡ଼େ ଚାଲିଯାଅନା–

 

—ନ ଯିବାକୁ ତ ଚେଷ୍ଟା କରୁଚି । ନହେଲେ ଆଜିଯାଏ କିନ୍ତୁ ଦିନେ ଦିଦିନ ଘରକୁ ନ ଆସିଲେ ତୁ ଏମିତି ଭାବୁ କାହିଁକି ଯେ ?

 

–ମାଁର ମନ ତୁ ବୁଝିବୁ କେମିତି ? ମୋ କଥା ରଖେ, ଗୋଟେ ଚାକିରି ଦେଖେ । ଆରତୀକୁ ଏଇ ଘରକୁ ଆଣିବା । ସେଇଟା ଖୁବ୍‌ ଭଲ ଝିଅ । –ହଁରେ, ଆରତୀ ଆଉ ତ ଆସୁନି କାହିଁକି ? ଦୁହେଁ କିଛି ଝଗଡ଼ା– ?

 

–ନା ମାଁ, ସେମିତି କିଛି କାମଥିବ ।

 

–ହଁ ବୋଧେ ସେଇୟା ହୋଇଥିବ—ତୁ ଟିକେ ଯାଉନୁ—

 

–ମୋର କେବଳ ସମୟ ଅଛି ? ଟିକିଏ ଉତ୍ତେଜିତ ହେବା ଭଳି ଅରୁଣ କହିଲା ।

 

–ଠିକ୍‌ ଅଛି, ସୁବିଧା ହେଲେ ମୁଁ ଯିବି । ଦେଖି ଆସିବି—ଅନେକ ଦିନ ହେଲା ତ ଦେଖିନି । ତୁ ଉଠିଲୁ ଗାଧୋଇ ପକା । ମୁଁ ବାଢ଼ି ଦେଉଚି ।

 

ମାଁ ଓ ଅରୁଣ ଉଠିଗଲେ । ଦୁହେଁ ଯାଉ ଯାଉ ଅରୁଣ କହିଲା–ମାଁ ତୁ ଆରତୀ ଘରକୁ ଯିବୁନି । ଯଦି ଯିବୁ, ଯିବା ଆଗରୁ ମତେ ପଚାରିବୁ । ଅରୁଣ ସୋମେନ୍‌ କଥା କହିଲା ନାହିଁ ।

 

–ହଉ, ହଉ ତୁ ଆଗ ଗଲୁ ଯିବା ଆଗରୁ ତୁ ଜାଣିବୁ ।

 

ଖାଇ ବସିବାବେଳେ ବାପାଙ୍କ ସହ ଅରୁଣର ମୁହାଁମୁହିଁ ହୋଇଗଲା । ମାଁଙ୍କ ଅପେକ୍ଷା ବାପାଙ୍କ ସହ ଅରୁଣର ଆଲାର୍ଜି ଟିକିଏ ଅଧିକା ।

 

–କାଲି ସାରାଦିନ ସାରାରାତି କେଉଁଠି ରହିଲୁ ? ଚାକିରି ଖୋଜା ଖୋଜି ଚାଲିଚି ନା ପୁଣି ସେଇ ଦେଶସେବା ।

 

–ଦେଶସେବାଟା ତ ଏ ଘରେ ତମଠୁ ଆରମ୍ଭ ହୋଇଚି ବାପା ।

 

–ତା ବୋଲି ଘର କଥା ବିଲ୍‌କୁଲ୍‌ ଭୁଲିଯାଇ–

 

–ତୁମେ ବାପା ମୋଠୁ ଯଦି କିଛି ଆଶାକର, ତାହେଲେ ବଡ଼ ଭାଇଠୁ ଆଶା କଲାଭଳି ଆଉ ଏକ ଭୁଲ ହିଁ କରିବ । ମୁଁ ଭବିଷ୍ୟତରେ କାହାଠୁ କିଛି ଆଶା କରୁନି ଏବଂ ଭବିଷ୍ୟତରେ ଏଠାକୁ ଆଉ ନ ଆସିବା ସମ୍ଭାବନା ହିଁ ଯଥେଷ୍ଟ ।

 

–ତୁମ ଯୁଗ ଏବଂ ଆମ ଯୁଗ ମଧ୍ୟରେ ତଫାତ୍‌ଟା ହେଉଚି–ଯେମିତି ଏକ ଧ୍ୱଂସର ଆଗ୍ନେୟ ଗିରି ଉପରେ ତୁମ ଯୁଗ ଠିଆ ହୋଇଛି । ଗାନ୍ଧୀଜୀଙ୍କ ନୀତି ଉପରେ ଆମର ଆସ୍ଥା ଥିଲା–

 

–ଏଇନେ ଆମର ଆଉ କୌଣସି ନୀତି ଉପରେ ଆସ୍ଥା ନାହିଁ । କେବଳ ଗାନ୍ଧୀଜୀ ଲୋକଟା ଭଲ ଥିଲେ, ସେଇ ପ୍ରଭାବରେ ଦେଶରେ କାମ ହେଲା ସେଇ ସମୟରେ । ତା’ପରେ ଗାନ୍ଧୀଜୀଙ୍କ ମୃତ ସ୍ମୃତିର ସମାଧି ଉପରେ ଅସହାୟ ଦେଶଟାକୁ ଶବ ଭଳି ଝୁଣି ଖାଉଛନ୍ତି ଏ ଯୁଗର ଗାନ୍ଧୀ ନାମାବଳୀର ଖୋଳପିନ୍ଧା ଶାଗୁଣାମାନେ । ଧର୍ମ, ଶିକ୍ଷା, ଖଟି ଖାଇବା, ଖଣ୍ତେ ପିନ୍ଧିବା, ମୁଣ୍ତ ଉପରେ ଗୋଟେ ଛାତ ଦେବ । ଇତ୍ୟାଦି ବିଷୟରେ ତ ଦେଖୁଛ ଭଣ୍ତାମି, ଭ୍ରଷ୍ଟାଚାର ଅବ୍ୟବସ୍ଥା ସବୁଠି । ତମ ଛାତ୍ର, ଭୁବନବାବୁଙ୍କ ଭଳି ଲମ୍ପଟ ଓ ଚାକିରି ବିକାଳୀ ଦଳ–ଲମ୍ୱୋଦରବାବୁଙ୍କ ଭଳି ନେତାମାନଙ୍କ ଲୋକଙ୍କୁ ସବୁଥିରେ ହଁ କହିବା, କିନ୍ତୁ କେବଳ ନିଜ ପଦ ଓ ଅର୍ଥର ଉତ୍ତରୋତ୍ତର ବୃଦ୍ଧି କରିବା ବ୍ୟତୀତ ସବୁଠି ନିଷ୍କ୍ରିୟତା । ବାପା ତୁମ ସମୟରେ ସିନା ଗାନ୍ଧିଜୀ ଆଦର୍ଶ ପୁରୁଷ ଥିଲେ, ଆମମାନଙ୍କ ଆଗରେ କିଏ ଆଦର୍ଶ ପୁରୁଷ ଅଛି କହିଲ ?

 

–ଗାନ୍ଧିଜୀ ସିନା ନାହାନ୍ତି । ତାଙ୍କ ଆଦର୍ଶ ତ ଅଛି ।

 

–କେବଳ ନିର୍ଜୀବ କାଗଜ ଉପରେ ଅକ୍ଷର ଗୁଡ଼ାକ ମଣିଷକୁ ସାହାଯ୍ୟ କରେନି ବାପା-। ଯଦି ଏହା ହୁଅନ୍ତା ତାହେଲେ ଏ ଦେଶରେ ଜୈନ ବୁଦ୍ଧଠୁ ଆରମ୍ଭ କରି ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷ ତଥା ବେଦ, ଗୀତା, ଭାଗବତ, ରାମାୟଣରେ ବହୁ ଚିନ୍ତା ଲିଖିତ ଆକାରରେ ଥିବା ସତ୍ୱେ, ଆଜି ଦେଶର ଅବନ୍ନତି କାହିଁକି ? ତମେ ହିଁ ତ ଅନେକ ସମୟରେ ପିଲଶଙ୍କୁ ପଢ଼ାଅ ବାଡ଼ି ବାଇଗଣ ଓ ପୋଥି ବାଇଗଣ ଭିତରେ ତଫାତ୍ । ମୂଳ କଥା ହେଲା ଗାନ୍ଧୀଙ୍କ ପରେ ଏ ଦେଶର ଉପଯୁକ୍ତ ନେତୃତ୍ୱ ନେବା ଭଳି ବ୍ୟକ୍ତିଙ୍କର ଅଭାବ ଫଳରେ ଭ୍ରଷ୍ଟାଚାର ବ୍ୟାପିଯିବା ସ୍ୱାଭାବିକ-। ଏହା ଏକ ଐତିହାସିକ ସତ୍ୟ । ଆଜି ଯେଉଁମାନେ ସ୍ପଷ୍ଟ କହନ୍ତି ଯେ ନୈତିକତା ବୋଲି କିଛି ନାହିଁ, ସେମାନେ ନିଜେ ଚୋରି ନାରୀ ଦୁର୍ନୀତିଗ୍ରସ୍ତ ହେବେନିତ ଆଉ କିଏ ହେବ ? ଶାସକ ଯେଉଁ ରାସ୍ତାରେ ଗଲେ ଦେଶ ସେଇ ରାସ୍ତାରେ ତ ଯିବ । ଯଥା ରଜା ତଥା ପ୍ରଜା । ସ୍ୱାଧୀନତା ପରେ ଦେଶର ରାଜନୈତିକ ଓ ଅର୍ଥନୈତିକ କ୍ଷମତାର ଗଦ୍ଦୀମାନଙ୍କ ଉପରେ ଅନେକ ହିରୋ ଆବିର୍ଭାବ ହେଲେ ସତ, କିନ୍ତୁ ଦେଶର ଲୋକଙ୍କ ସହ ସିଧା ସଳଖ ସଂପର୍କ ରଖି ପାରିଥିବା ଏବଂ ଦେଶକୁ ଦିଗ୍‌ଦର୍ଶନ ଦେବା ବ୍ୟକ୍ତିତ୍ୱ କାହିଁ ?

 

–ତା ବୋଲି ତୁମେ ସବୁ ଗୋଟାଏ ସୁସ୍ଥ ପନ୍ଥା ଧରିବ, ନା ଏଇ ଧ୍ୱଂସର ପଥରେ ଯିବ-?

 

–ଜାଣ ତ ବାପା ଆମ ଆଗରେ ଏଇନେ କିଛି ଆଦର୍ଶ ନାହିଁ–କିନ୍ତୁ ଆମେ ପଥ ଖୋଜୁଛୁ । ପ୍ରଚଳିତ ଅଧିକାଂଶ ଏଷ୍ଟାବ୍ଲିଶମେଣ୍ଟ ଆମେ ଚାହୁଁନା–ଏଣୁ ଏଗୁଡ଼ିକର ମାଲିକ କେତେଗୁଡ଼ିଏ ଅନାଚାରୀ ଯାଆନ୍ତୁ ନଷ୍ଟ ହୋଇ । ଦେଶର ଏଭଳି ପରିସ୍ଥିତିରେ ଆଉ କେବେ କେହି ଜଣେ ଆବିର୍ଭାବ ହୋଇ ଏସବୁ ଠିକ୍‌ କରିବ, ସେ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ନପାରେ । ଆମର ଆଉ ଧୈର୍ଯ୍ୟ ନାହିଁ । ହୁଏତ ଏଇ ସକ୍ରିୟ ପ୍ରତିବାଦର–ତୁମ ମତରେ ଧ୍ୱଂସର–କିଛିଟା କ୍ଷୟକ୍ଷତି ଭିତରୁ ହିଁ ଗୋଟାଏ କିଛି ସୃଷ୍ଟି ହେବ । ଦଳେ ରକ୍ଷଣଶୀଳ ସ୍ୱାର୍ଥପର ଓ ଅନ୍ୟଦଳେ ସଂଘର୍ଷଶୀଳ ବିପ୍ଳବୀଙ୍କ ସଂଗ୍ରାମ ଜନିତ ଦ୍ୱନ୍ଦ ଭିତରୁ ହିଁ ସବୁବେଳେ ନୂଆ ନୂଆ ପଥ ସୃଷ୍ଟି ହୋଇଛି-। ଦେଶର ଧାର୍ମିକ, ରାଜନୈତିକ, କଳାଗତ ସମଗ୍ର ପନ୍ଥାର ଆବିର୍ଭାବ ତ ଏଇ ସୁତ୍ରରେ–ଦୁଇଟି ବିପରୀତମୁଖୀ ଶକ୍ତିସ୍ରୋତର ସଂଘର୍ଷ ଭିତରୁ । ଚୁପ୍‌ଚାପ୍‌ ବସିରହିଲେ କିଛି ହେବନି । ତୁମେ କଣ ଭାବୁଚ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏଭଳି ଉଗ୍ରପନ୍ଥୀଙ୍କ ଅବଦାନ କିଛି ନାହିଁ–ଭଗତସିଂଠୁ ଆରମ୍ଭ କରି ବାଜିରାଉତ ଯାଏଁ ? ତେବେ ଏଇନେ ଅର୍ଥନୈତିକ ଓ ନୈତିକ ସ୍ୱାଧୀନତା ପାଇଁ ଏଭଳି ଆନ୍ଦୋଳନ ଅନାବଶ୍ୟକ କାହିଁକି ବିବେଚିତ ହେବ ?

 

–ତୁମେମାନେ କିଛିଟା ସାମାଜିକ ହୁଅ, ଅରୁ ।

 

–ବାଃରେ, ପ୍ରତିବାଦ ଯିଏ କଲା ସିଏ ଅସାମାଜିକ । ବରଂ ମନେରଖ ବାପା ଯେଉଁମାନେ ଦେଶକୁ ସମାଜକୁ ନିଜ ଭାଇମାନଙ୍କୁ ଭିତରେ ଭିତରେ ଶୋଷଣ କରି ଚାଲିଛନ୍ତି ସେମାନେ ହିଁ ଅଧିକ ଅସାମାଜିକ । ଆପଣ ଜାଣନ୍ତି କି ଯେ ପ୍ରତିଦିନ ଆମେମାନେ ସମାଜର ବିଭିନ୍ନ ଶ୍ରେଣୀରେ ସାମାଜିକ ଜୀବନ ସହ ଜଡ଼ିତ ହୋଇ, ସେମାନଙ୍କୁ କିଭଳି ସାହାଯ୍ୟ କରୁ ? ଆମରତ ପ୍ରଥମ ଲକ୍ଷ୍ୟ ସାମାଜିକ ହେବା । ନହେଲେ ସମାଜର ଲୋକେ ଆମକୁ ବୁଝିବେ କିପରି, ଆମକୁ ସାହାଯ୍ୟ କରିବେ କିପରି ? ଆପଣ କେମିତି ଭାବୁଛନ୍ତି ଯେ ଆମେ ଅସାମାଜିକ ।

 

–ମତେ କାହିଁକି ଏସବୁ ଅଡ଼ୁଆ ଅଡ଼ୁଆ ଲାଗୁଚି ଅରୁଣ–ମନେ ହେଉଛି ଏମାନେ କେଜାଣି କାହିଁକି ଅସାମାଜିକ–

 

–ସମାଜର ସାଧାରଣ ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ କରି, ସେମାନଙ୍କ ଅନିଷ୍ଟ ସାଧନ ନକରି, ଭ୍ରଷ୍ଟାଚାରର କେନ୍ଦ୍ର ବିନ୍ଦୁମାନଙ୍କ ଉପରେ ଆଘାତ ହାଣିବା ଯଦି ଅସାମାଜିକତା ବୋଲି ତୁମେ କହିବ ବାପା, ତାହେଲେ ମୁଁ ଭାବିବି ଯେ ଏହା ତୁମର ଦୃଷ୍ଟି ଦୋଷ–କିମ୍ୱା ତୁମେ ଓ ତୁମେମାନେ ଆଶାହୀନ, ଭବିଷ୍ୟତହୀନ ଏଇ ଯୁବକମାନଙ୍କଠୁ କିଛି ଚାହୁଁଚ–ଯେମିତି ବ୍ୟକ୍ତିଗତ ଭାବେ ତମେ ଭାଇଙ୍କଠୁ କିମ୍ୱା ମୋଠୁ ଭବିଷ୍ୟତରେ କିଛି ଆଶା କରୁଚ । କିନ୍ତୁ ମନେରଖ ବାପା, ଏଭଳି ସାମାଜିକ ଯୁଗ ଯନ୍ତ୍ରଣା ଭିତରେ ମୁଁ ବାପା ହୋଇଥିଲେ ମୋ ସନ୍ତାନମାନଙ୍କଠାରୁ କୌଣସି ଆଶା ରଖନ୍ତି ନାହିଁ, ବରଂ ଏଇଠି କହି ରଖେ ଭବିଷ୍ୟତରେ ଯଦି କେବେ ବାପା ହୁଏ, ମୋର ସନ୍ତାନମାନଙ୍କଠାରୁ ମୁଁ କୌଣସି ଆଶା ରଖିବି ନାହିଁ । ତୁମର ଏଇ ସମାଜ ଭାଙ୍ଗି ଭାଙ୍ଗି ଯାଉଚି ବାପା । ଏବଂ ଏଇ ପୁରାତନ ମୂଲ୍ୟବୋଧ ମୁଁ ତୁମ ବୟସରେ ପହଞ୍ଚିବା ବେଳକୁ ଆଉ ନଥିବ । ଭବିଷ୍ୟତହିଁ ସୂଚାଇ ଦେବ ଆମ କାର୍ଯ୍ୟ ସାମାଜିକ କି ଅସାମାଜିକ ।

 

ଖାଇବା ଶେଷ ନହେଉଣୁ ଅରୁଣ ଉଠି ଚାଲିଗଲା ।

 

ଦୁଇଦିନରେ ଧାନ କ୍ଷେତ । ମଝିରେ ନାଲି ମାଟିର ରାସ୍ତା । ସେଇ ରାସ୍ତାରେ ଚାଲୁ ଥିଲା ଅରୁଣ । ଉପରେ ମେଘହୀନ ଆକାଶ । ପବନ ଧାନଗଛର ମଥା ଛୁଇଁ ବହୁଚୋରୀ ଖେଳ ଯେମିତି ଖେଳୁଥିଲା । ଅରୁଣକୁ ପ୍ରକୃତରେ ସହର ଅପେକ୍ଷା ଏମିତି ଗାଆଁସବୁ ଭଲଲାଗେ । ତରୁଣ ଭାଇ ଥିବାବେଳେ ଅନେକ ଦିନ ତାଙ୍କ ସଙ୍ଗେ ଅନେକ ଗାଁ ଦେଖିଛି ଓ ଅନେକ ଜାଗାରେ ରହି ଲୋକଙ୍କ ବ୍ୟବହାରରେ ମୁଗ୍‌ଧ ହୋଇଚି ।

 

ସାମ୍ନା ପଡ଼ିଆର ଆମ୍ୱଗଛ ଉପରୁ କେଇଟା ପକ୍ଷୀଙ୍କ କୋଳାହଳ, ବୋଧହୁଏ ସେମାନେ ତାକୁ ସ୍ୱାଗତ କରୁଛନ୍ତି । ପଡ଼ିଆଟା ପାର ହୋଇଗଲେ ଗାଁକୁ ଉଠିବା ପାଇଁ କଞ୍ଚା ରାସ୍ତା-। ରାସ୍ତା ପାଖେ ଗାଁ ମୁହଁକୁ ଲାଗି ଏକ ମନ୍ଦିର । ତା କଡ଼ରେ ପୋଖରୀ, ବଟଗଛ, ନିମଗଛ, ଏବଂ କିଛି ଇଟାବୁଦା ।

 

ପୋଖରୀ ତୁଠରେ ବସିପଡ଼ି ଅରୁଣ ଖଣ୍ତେ ସିଗାରେଟ୍‌ ଲଗାଇଲା । ଖଣ୍ତେ ଦୂରରେ ବୁଢ଼ୀଟିଏ କାଠିକୁଟା ଗୋଟାଉଥିଲା । ଦେହରେ ଛିଣ୍ତା ମଇଳା ଲୁଗା–ମୁଣ୍ତରେ ଧଳା ବାଳ । ହାତ ଧୁଡ଼ୁ ଧୁଡ଼ୁ ଚେହେରା–ଉପରେ ଏକ ପରଦା ଭଳି ପାତଳ ଚମ । ଅରୁଣ ସେଇଆଡ଼େ ଦଣ୍ତେ ଚାହିଁଲା–ଆରେ ଏଇତ ଚେମି ମାଉସୀ ।

 

–କିଗୋ ମାଉସୀ, ଭଲରେ ଅଛୁ ? ମତେ ଟିକେ ଚିହ୍ନିଲୁ । ଅରୁଣ କହିଲା ।

 

ବୁଢ଼ୀ ସେଇ କାଠିକୁଟା ସେଠି ରଖିଦେଇ ତା ପାଖକୁ ଆସିଲା । ଆଖିରେ ଛେଣି ପଡ଼ି ଆସିଲାଣି ହୁଏତ । ଆଖି ଦୁଇଟି ତାମୁହଁ ପାଖକୁ ଆଣି ଦଣ୍ତେ ଚାହିଁଲା ।

 

–ଆରେ ତୁ । ତତେ ଆମେ ଭୁଲିନୁ–ଭୁଲି ପାରିବୁନି ତମ ଦୁଇ ଭାଇଙ୍କୁ । ବଡ଼ ଭାଇ କାହିଁ ବାପ ? ସେତର ଯେ ସାହୁଘର ଆମ ଜମି ବଳରେ ଚାଷକୁ ନେଇଯିବା ପାଇଁ ଶହେଲୋକ ଆଣି ଆସିଥିଲା–ତମେ ଦୁହେଁ ନଥିଲେ–ବୁଢ଼ୀ ହସିଲା । ଗୋଟାଏ ହେଲେ ଦାନ୍ତ ନାହିଁ ପାଟିରେ । ତଥାପି କି ଅମୟିକ ହସ ।

 

–ଟିକେ ବସିଯା ମାଉସୀ । କହ ଗାଁର ଖବର କଣ ? ଅରୁଣ ବୁଢ଼ୀକୁ ପାଖରେ ବସାଇ ଦେଲା । ଟିକି ନିଖି ଗାଁ ଖବର ୟା କଥା ତ କଥା ପଚାରିଲା । ନା ବିଶେଷ ବଦଳି ନାହିଁ ଗାଁଟା । ସେଇ ଭଳି ପ୍ରତ୍ୟକ୍ଷ ପରୋକ୍ଷ ଶୋଷଣ ଚାଲିଚି ।

 

–ଏଠି ତୋ ଭଳି ଲୋକ ଯଦି ସବୁବେଳେ ରହି ଯାଆନ୍ତା ନା ବାପ–ତୁ ଚାଲିଗଲେ ତ ଆଉଥରେ ଯେଉଁ କଥାକୁ ସେଇ କଥା । ମାଉସୀ କହିଲା ।

 

–ଆମର ଏତେ ଲୋକ ନାହାନ୍ତିମ ମାଉସୀ–ନହେଲେ ଏଇ ଗାଁତ ମୋ ସ୍ୱର୍ଗ । ପୁଣି ଅନ୍ୟ ଗାଁ କଥାତ ଦେଖିବାକୁ ହେବ । ସେଠି ବି ତ ଭାଇ, ଭଉଣୀ, ମାଁ ମାଉସୀ ଅଛନ୍ତି । ଆମେ ଲୋକ ଖଷାଜୁଚୁ–ସଂଖ୍ୟା ବଢ଼େଇବୁ ଯେ–

 

ଦାନୁ ନାଇକ୍‌ ମୁଣ୍ତ ଉପରେ ବୋଝ କଣ୍ଟା ବହି ସେ ବାଟେ ଯାଉଥିଲା । ମାଉସୀ ଡାକିଲା–ଆରେ ଏ ଦୀନୁ । ଦେଖିଲୁ କିଏ–ଅରୁବାବୁ–

 

ଦୀନୁ ମୁଣ୍ତର ବୋଝ ବନ୍ଧ ହିଡ଼ରେ ଥୋଇ ଦେଇ ନମସ୍କାର କଲା–କି ରାଗ୍ୟ !

 

–ଦୀନୁ ଭାଇ । ଏମିତି ନମସ୍କାର କରିବାକୁ ମନା କରିଥିଲି ପରା । ତମେ ଯେଉଁମାନେ ବୟସରେ ବଡ଼ ଅନ୍ତତଃ—

 

–ଆରେ ଯା–କେତେଦିନ ତ ହେଲା ମନେ ନାଇଁ, ଆଉ କିଛି–

 

–ନିଅ ଖଣ୍ତେ ସିଗାରେଟ ଲଗାଅ । ଅରୁଣ କହିଲା ।

 

–ବାଃ ଏଇଟା ତ ସାଇବ ବିଡ଼ି । ବିଡ଼ି ନାହିଁ ?

 

–ଲଗେଇଲୁ । ବିଡ଼ି ପାଖରେ ନାହିଁ ।

 

ହଁ ଗାଁ ଖବର ସବୁ ଭଲ ତ ? ଅରୁଣ ଦିଆସିଲିଟା ବଢ଼େଇ ଦେଲା ।

 

ହଁ, ଗାଁ ଖବର ଅନେକ ଅଛି । ଚାଲ ଗାଁ ଭିତରକୁ–ଦୀନୁ ନିଜଘର ଆଡ଼େ ଅରୁଣକୁ ଭିଡ଼ି ନେଲା । ଘର ନିକଟକୁ ଯାଇ ପାଟି କରି ଡାକିଲା–ଏ କୁନା ବୋଉ । କୁନାକୁ ନେଇଆ ଦେଖେ କିଏ ଆସିଚି–

 

କୁନା ବୋଉ ଏକ ବର୍ଷର କୁନାକୁ ଧରି ଓଢ଼ଣାଟାଣି ଆସିଲା । କୁନାକୁ ଦିନୁ ହାତରେ ବଢ଼େଇ ଯିବାକୁ ବାହାରିଲା ରନ୍ଧାଘର ଆଡ଼େ ।

 

–ଏ ସର, ଅରୁବାବୁଙ୍କୁ ନମସ୍କାର କରିଯା । ସର ଫେରିଲା

 

–ଏଇ ନମସ୍କାରଟା ଛାଡ଼ି ଦେବାକୁ କହିଚି ନା । ତମେ ଯାଅ ଭାଉଜ–ମୁଁ କିନ୍ତୁ ତମ ବାହାଘର ଭୋଜି ଖାଇନି–ତମ କନିଆଁ ଦେଖାବେଳକୁ ଦୀନୁ ଭାଇ ସଙ୍ଗେ ଯାଇଥିଲି–ଯଦି ମନେ ଥିବ ତ ରକ୍ଷା–

 

ସର ମୁଣ୍ତ ହଲାଇ ଚାଲି ଯାଉଥିଲା । ଦିନୁ କହିଲା–ଶୁଣ, ତୋ ବାହାଘର ଭୋଜି ଅରୁବାବୁ ଖାଇନି, ଯାହା ଅଛି ଭଲ କରି ରାନ୍ଧିବୁ–କଣ ଯେ ଅଛି ଗରୀବ ଘରେ ।

 

ସର ଚାଲିଗଲା । ଦିନୁ ହାତରୁ କୁନାକୁ ନେଉ ନେଉ ଅରୁଣ କହିଲା–ଜାଣୁ ଦୀନୁଭାଇ, ଏଇ ଦୁନିଆଟାର ନିୟମ ହେଉଚି ସବୁ ନିଜେ ପରିଶ୍ରମ କରି ବଞ୍ଚିବେ । ଏଣୁ ଗରିବ କିଏ ନୁହେଁ କି ଧନୀ କିଏ ନୁହେଁ । କେବଳ ସେଇମାନେ, ଯେଉଁମାନେ ଅନ୍ୟର ପରିଶ୍ରମ ଫଳ ସେମାନଙ୍କୁ ନଦେଇ ମାରନ୍ତି, କିମ୍ୱା ସେଇ ଟାଉଟରମାନେ ଯେଉଁମାନେ ‘‘ଏସା କରିଦେବୁ ତେସା କରିଦେବୁ’’ କହି କିଛି ନକରି ଲୋକଙ୍କ ସରଳତାର ସୁଯୋଗ ନେଇ ଦେଶର ସିଂହାସନ ମାଡ଼ିବସନ୍ତି ସେଇ କିଛି ଲୋକଙ୍କ ହାତରେ ଅଧିକ ଧନ ଅଛି । ଇଂରାଜୀରେ ଗୋଟେ କଥା ଅଛି—ଅଲ ପ୍ରପର୍ଟି ଇଜ୍‌ ଥେଫଟ୍‌ । ଅର୍ଥାତ୍ ସବୁ ସମ୍ପତ୍ତି ଚୋରୀ । ସମ୍ପତ୍ତି ଯାହା ପାଖେ ରହିଛି ସେ କିମ୍ୱା ତା ପୂର୍ବ ପୁରୁଷ ଏକ ପ୍ରକାର ଚୋରି କରି ହିଁ ରଖିଛନ୍ତି–ଅନ୍ୟଙ୍କୁ ଠକି, ଅନ୍ୟମାନଙ୍କ ଉପଯୁକ୍ତ ପାଉଣାରୁ ତାଙ୍କୁ ବଂଚିତ କରି ଅସହାୟତା ବେଳେ କମ ପଇସାରେ ଜମି କିଣି କିମ୍ୱା ଲୋକଙ୍କ ଅଶିକ୍ଷାର ସୁଯୋଗ ନେଇ ପାଞ୍ଚ ଯାଗାରେ ପାଞ୍ଚଶହ ଲେଖି ଦେଲ । ପ୍ରକୃତିରେ ନିୟମ ହେଉଚି, ମଣିଷ ନିଜେ ପରିଶ୍ରମ କରି ବଞ୍ଚିବ । ଏବଂ ଦିନେନା ଦିନେ ଅଳ୍ପେ ବହୁତେ ଏଇ ଅବସ୍ଥା ଏଇ ସମାଜରେ ଆସିବାକୁ ବାଧ୍ୟ ।

 

–ଅରୁବାବୁ କେବେ ଯେ ସେଇ ଦିନ ଆସିବ, ଆମେ କଣ ଦେଖି ପାରିବୁନି ?

 

–ଦେଖିପାରିବା କଥା ନୁହେଁ, ଆମକୁ ସେଇଥି ପାଇଁ ଦଳବଦ୍ଧ ହୋଇ ଚିନ୍ତା କରିବାକୁ ହେବ ଏବଂ ଏହାକୁ ଆଣିବା ପାଇଁ ତ୍ୟାଗ ସହିବାକୁ ହେବ–କାମ କରିବାକୁ ହେବ–

 

–ଆରେ ବାବୁ, ତୁତ ପଳାଇ ଯାଉଚୁ, ତୁତ ଭୁଲି ଯାଉଚୁ । ଦି ବର୍ଷ ତଳେ ଆସିଥିଲୁ । ଆମେ ସବୁ ଜୋର୍‌ ସୋର୍‌ରେ ଲାଗି ପଡ଼ିଥିଲୁ ।

 

–ବାଃ, ଭୁଲିଯିବି ନା ? ସେଇ ଗୋଟାକ ବର୍ଷ ଯାହା ଏଇଠି ଥିଲା ସେଇ ସବୁ ସମୟ ହେଉଚି ମୋ ଜୀବନର ସୁନା ଯୁଗ । ଠିକ୍‌ ଅଛି ଏଥର ମୁଁ ଆସି ରହିବି । ଆମେମାନେ ଏଣିକି ଅନେକ ସଂଖ୍ୟାରେ ଆସିବୁ । ଆଖ ପାଖ ଅନେକ ଗାଁରେ ଜଣେ ଜଣେ ରହିବୁ । ସେଇ ଗାଁ ମାନଙ୍କରୁ ମଧ୍ୟ କିଛି ଆମ ଭଳି ଲୋକ ତିଆରି ହେବେ ।

 

–ଖୁବ୍‌ ଭଲ ହେବ । ହଁ, ଆଉ ସହର ଖବର କ’ଣ ?

 

–ବାଜେ । ବିଜୁଳି ଶକ୍ତି ଅଭାବ, ଡକାୟତି, ବ୍ୟାଙ୍କରେ ଚୋରି । ଛୁରା ମାଡ଼, ହିସାଂକାଣ୍ତ, ନାରୀ ଧର୍ଷଣ, ସ୍କୁଲ କଲେଜରେ ଉତ୍ସୃଙ୍ଖଳତା, ଧର୍ମଘଟ, ପୋଲିସ ଜୁଲମ, ହୁ ହୁ ଦରଦାମ ବଢ଼ିବା ଏମିତିତ ସବୁ ଲାଗି ରହିଚି ।

 

–ସହରୀ ଲୋକେ ଆଉ କରୁଛନ୍ତି କ’ଣ ?

 

–ସାମାଜିକତା ତ ନାହିଁ, ଗୋଟେ ଘରେ କଣ ଘଟୁଚି, ପାଖଘର ଜାଣୁନି, କିମ୍ୱା ଜାଣି ବି ନଜାଣିବା ଭଳି ରହୁଚି ।

 

–ତାଙ୍କ ମନରେ ତ ରାଗ ବଢ଼ୁଥିବ । ତୁ କହିବା ଘଟଣାମାନଙ୍କ ଯୋଗୁଁ ।

 

–ହଁ, ନାହିଁ କାହିଁକି ? କୁହୁଳି କୁହୁଳି ଭିତରେ ଭିତରେ ମରୁଛନ୍ତି ।

 

–କିନ୍ତୁ କିଛି କରୁ ନାହାନ୍ତି ।

 

–ସୁବିଧାବାଦୀ ତ । ପ୍ରତ୍ୟେକ ଚାହାନ୍ତି ସମସ୍ୟାଟି ଅନ୍ୟମାନେ ଉଠାନ୍ତୁ । ସେ ଚୁପ୍‌ଚାପ୍‌ ରହିଯିବ । ଆନ୍ଦୋଳନ ସଫଳ ହେଲେ ଫଳତ ଆପେ ଆପେ ସେ ପାଇବ, ଆଉ ଆନ୍ଦୋଳନରେ ଯୋଗଦେବ କାହିଁକି ?

 

–ତାହେଲେ ସେମାନେ ଏକଜୁଟ୍‌ ହୋଇ ପାରିବେ ନାହିଁ ?

 

–ହେବେ କିନ୍ତୁ ସମୟ ଲାଗିବ । ଆଛା କୁହ ଏଠିକା ସାହୁ ମହାଜନର ଖବର କ’ଣ ?

 

–ଚରିତ୍ର କଣ ବଦଳେ ? କେବଳ ସମୟ ସୁବିଧା ଦେଖି ଦଶ ପନ୍ଦର ଦିନ ପାଇଁ ନିଜ ରୂପ ବଦଳାଇ ଦିଅନ୍ତି । ତାପରେ ଯେଉଁ କଥାକୁ ସେଇକଥା ।

 

ଅରୁଣ ହସିଲା ଟିକିଏ । ପଚାରିଲା–ଗତଥର ତ ପଞ୍ଚାଏତ ନିର୍ବାଚନର ହରେଇ ଦେଇଥିଲେ ତାକୁ ଏଥର–

 

–ଏଥର ଶଳା, ଅନେକ ପଇସା ଖର୍ଚ୍ଚକରି ଆସିଚି ।

 

–ମୁଁ ବୁଝି ପାରୁନି ଦୀନୁଭାଇ । ପଇସା ଖର୍ଚ୍ଚ କଲେ ଲୋକ ଆସିବ କାହିଁକି ? ପଇସା ଦେବ ତ ନେଇଯିବ–ଭୋଟ ଦେବନି–

 

–ଗାଁ ଲୋକେ ତ ଅରୁ ବାବୁ ସବୁ ତମଭଳି ଚଲାକି ନୁହନ୍ତି–ସରଳ ବିଶ୍ୱାସୀ ।

 

ନା ସମସ୍ତଙ୍କୁ ଶିଖେଇ ଦିଅ ଯେ ଅଧିକ ଦିନ ଏମିତି ସରଳବିଶ୍ୱାସୀ ହେଲେ ଦେଶଟାର ଅବସ୍ଥା ଦିଗଣ୍ତା ଦିକଡ଼ା ହେବ । ହାରୁ ନନ୍ଦ, ମହାକୁଡ଼ ଇତ୍ୟାଦି ଏକମନ ଏକ ଦଳ ହୋଇ ଅଛତ-?

 

–ହଁ, ଆରେ ଅରୁବାବୁ ଏଇ କୁନାକୁ ଦେଖ । ଏଇ କୁନାଟା କିମିତି କାନ ଠିଆ କରି ତୋ କଥା ଶୁଣୁଚି–ତୋ ମୁହଁକୁ ମଟମଟ ଚାହିଁ ।

 

–ବାଃ, ନ ଶୁଣିବ କାହିଁ । ମୁଁ ଯେ ତା କକା । ତା ଛଡ଼ା ସିଏ ତ ବଡ଼ ହେଲେ ଏଇ ଗାଁ ସମ୍ଭାଳିବ ।

 

ଏତିକିବେଳେ ହାରୁ କେଉଁଠୁ ଆସି ପହଞ୍ଚିଗଲା । ‘‘ଚେମିବୁଢ଼ୀଠୁ ଶୁଣି ଦଉଡ଼ି ଆସିଲି’’, ହାରୁ କହିଲା,

 

–ହଁ, କେମିତି ଅଛୁରେ ହାରୁ । ତମେ ଟୋକାମାନେ ଯାହା କରିବ, ଗାଁ ସହର ସମାଜ ସବୁ ସେଇ ଭଳି ହେବ, ଭଲ ଅଛତ ସବୁ ?

 

–ହଁ ବାବୁ ସେମିତି । ସମସ୍ତେ ତ ଏକ କଥା କହୁଛନ୍ତି ଅରୁଣବାବୁ କିମ୍ୱା ତରୁଣାବାବୁ କେହିହେଲେ ଆମର ଏଠି ସବୁଦିନ ରହିଯିବା ଉଚିତ । ତାହେଲେ ତମେ ଆଙ୍ଗୁଠି ଦେଖାଇଲେ ଆମେ ମାଡ଼ିଯିବୁ ।

 

–ତମମାନଙ୍କୁ ପ୍ରତ୍ୟେକେ ମୋ ଭଳି କିମ୍ୱା ଭାଇଙ୍କଭଳି ହେବାକୁ ପଡ଼ିବ । ମୁଁ ବି ତ ଭାବିଚି ସହର ଛାଡ଼ି ଏଣିକି ତମ ଭିତରକୁ ଆସିଯିବି ।

 

–ମୁଁ ତମ ଆସିଥିବା ଖବର ସମସ୍ତଙ୍କୁ କହି ଦଉଛି । ଏଇନେ ତ କିଏ କେଉଁଠି କାମରେ ଥିବେ । ସଞ୍ଜବେଳେ ମିଟିଂ ।

 

–ହଁ, ମିଟିଂ ତ ହେବ । କିନ୍ତୁ ତା ଆଗରୁ ଏଇନେ ଅଗ୍ରବାବୁକୁ ଛାଡ଼ । ନ ଖାଇ ନ ପିଇ ଗପି ଚାଲିଚି । ମୁଠେ ଖାଇସାରୁ । ତାପରେ କଥା । ତୁ ଟିକେ ଯାତ ହାରୁ ସମସ୍ତିଙ୍କି ଖବର ଦେବାଟା ସାରିଦେ–ଅରୁବାବୁ, ଚାଲିଲୁ ଘର ଭିତରକୁ ।

 

–ହଁ, ଖାଇବାତ ଦୀନୁ ଭାଇ । କିନ୍ତୁ ଖାଇବା ଅଧିକାର ତାର ଅଛି ଯିଏ ଉଚିତ କାମ କରେ ।

 

–ତୁ କେବେ ଆସିଯିବୁ ଏଠିକି କହିଲୁ ।

 

–ଆଉ ଅଧିକ ଦିନ ସେଠି ମୁଁ ରହିବିନି ଦୀନୁ ଭାଇ । ସହରରେ କ’ଣ ଅଛି । ଦେଶର ଆଶା ତ ଆମ ଗାଁରେ ।

 

–ଭଲ କଥା, ଚଞ୍ଚଳ ଚାଲିଆସ ।

 

–ହଁ, ଆସିବି, କିନ୍ତୁ ଆସିବା ଆଗରୁ ସେଠି ଆମେ ରହିବା ଅଞ୍ଚଳରେ ଜଣେ ପକ୍‌କା ବଦମାସ ଅଫିସର ଅଛି—ଚାକିରି ବିକିବାଠୁ ଆରମ୍ଭ କରି ଝିଅ ବୋହୂଙ୍କ ଇଜ୍ଜତ ନେବା ଭଳି ଅନେକ କାମ ଏତେ କଉଶଳରେ କରେ ଯେ ତାକୁ ଧରିବା ବାଟ ନାହିଁ । ସେଟାକୁ ଖତମ କରି ହିଁ ଆସିବି–ତାପରେ ଆଉଥରେ କେବେ ଯାଇ ଆଉ କାହାକୁ

 

–ଏମିତି ଲୋକତ ସମାଜରେ ମୂଳପୋଛ ହୋଇଯିବା ଉଚିତ । କଥା ହେଉ ହେଉ ଦୀନୁ ନାଇକ ଓ ଅରୁଣ ଘର ଭିତରକୁ ପଶିଗଲେ ।

 

କିଛି ଦିନପରେ ଅରୁଣ ସହରକୁ ଫେରିଲା । ବସଷ୍ଟାଣ୍ତରେ ଓହ୍ଲାଇବା ବେଳକୁ ସଞ୍ଜ ହୋଇ ଆସୁଥିଲା । ହଠାତ୍ ଆରତୀ ସହ ଭେଟ ହୋଇଗଲା–ମୁହାଁମୁହିଁ, ଦୁହେଁ ଦୁହିଁଙ୍କୁ ଦେଖି ଦଣ୍ତେ ଅଟକି ଗଲେ ।

 

–ଆରତୀ କ’ଣ ଖବର ? ଅରୁଣ ହିଁ ପ୍ରଥମେ ଆରମ୍ଭ କଲା । ଆରତୀ କେମିତି ଏକ ଧାରୁଆ ନଜରରେ ତାଆଡ଼େ ଚାହିଁ ରହିଲା । କିଛି କହିଲା ନାହିଁ ।

 

–ଏଇ ଚାହାଣୀରୁ କ’ଣ କିଛି ବୁଝି ହେଉଚି ? କିଛି କହ ।

 

–ବୁଝିବା ତମର ଦରକାର ନାହିଁ ।

 

–ହଁ, ସୋମେନ୍‌ ବୋଲି ଜଣେ କିଏ ଜୁଟିତ ଗଲାଣି ।

 

–ତମେ ଏତେ ନିଷ୍ଠୁର ହୋଇପାର ଅରୁଣ ? ଟିକିଏ ଚିଡ଼ିଗଲା ଭଳି ଆରତୀ ପଚାରିଲା-

 

ଆରତୀର ମନର ରାଗ ତା ଆଖି ଓ ମୁହଁରେ କ୍ରମେ ପ୍ରତିଫଳିତ ହେଲା । ଅତୀତର ଦିନଗୁଡ଼ାକ ହୋଇଥିଲେ ଅରୁଣ କହି ସାରନ୍ତାଣି–ତମକୁ ଟିକିଏ ଚିଡ଼େଇବାକୁ ମୋ ମନଟା ଉସୁକାଏ । କାରଣ ଚିଡ଼ିଗଲେ ତମେ ଅଧିକ ସୁନ୍ଦର ଦେଖାଯାଅ ।

 

ପ୍ରକୃତରେ ଏଇଭଳି ଲାଲ ଶାଢ଼ି ପିନ୍ଧିଥିଲେ ଆରତୀ ଖୁବ୍‌ ସୁନ୍ଦର ଦେଖାଯାଏ । ଆରତୀକୁ ନେଇ ଅରୁଣର ଅନେକ ସବୁଜ ସ୍ୱପ୍ନ ଥିଲା । ଏଇନେ ବି ଦେଖା ସାକ୍ଷାତ ହୋଇଗଲେ ମନର ଚଗଲା ପକ୍ଷୀଟି ସେଇ ସ୍ୱପ୍ନଗୁଡ଼ାକ ଆଡ଼େ ଉଡ଼ିଯାଏ–ଅନେକ ସମୟ ଯାଏଁ ତା ବ୍ୟକ୍ତିତ୍ୱ ଭିତରକୁ ଫେରେ ନାହିଁ । ଜୀବନର ସ୍ୱପ୍ନ ଯଦି ଗୋଟାକ ପରେ ଗୋଟାଏ ଭାଙ୍ଗିଯାଏ, ତାହେଲେ କାହାକୁ ନେଇ ବଞ୍ଚିବ ମଣିଷ ? ଅନେକ ସମୟରେ ଏଇ ପ୍ରଶ୍ନ ନିଜକୁ ପଚାରିଚି ଅରୁଣ । ଗୋଟାଏ ଦିଗରେ ଆରତୀ, ଅନ୍ୟ ଦିଗରେ ଅତ୍ୟଧିକ ସାମାଜିକ ସଚେତନଶୀଳତା ଓ ଦାୟିତ୍ୱବୋଧ, ଭ୍ରାତୃପ୍ରେମ ଓ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ଭାବନା, ଏଇ ଦୁଇଟି ବିପରୀତମୁଖୀ ଭାବନା ଏଯାଏଁ ତାଭିତରେ ଏକତ୍ରିତ ହୋଇପାରି ନାହାନ୍ତି ।

 

ଆରତୀର ବାପା ଦିନେ କହିଥିଲେ–ଏଇ ସମାଜ ସଚେତନଶୀଳତା ନାମରେ ନିଜ ଜୀବନଟାକୁ ନଷ୍ଟ କରନି ଅରୁଣ । ଏହା ଏଇ ବୟସର ସାମୟିକ ଉତ୍ତେଜନା ମାତ୍ର । ବୟସ ବଢ଼ିଗଲେ ଅନୁତାପ କରିବ । ଆରତୀ ଯଦି ତମର ହୋଇଯାଏ, ମୋର କିଛି କହିବାର ନାହିଁ । କିନ୍ତୁ ମୁଁ ଜାଣିବାକୁ ଚାହେଁ କେଉଁଟିକୁ ତମେ ଅଧିକ ଗୁରୁତ୍ୱ ଦିଅ । ଏକ ଅସ୍ଥାୟୀ ତରୁଣ ସୁଲଭ ସାମୟିକ ଉତ୍ତେଜନାରେ ଭାସି ଜୀବନଟାକୁ ନଷ୍ଟ କରିଦେବା, ନା ଆରତୀ ସହ ଏକ ସ୍ତାୟୀ ସମ୍ପର୍କ ରଖିବା ?

 

ଆରତୀର ବାପା ମନେକରନ୍ତି ଯେ ତା ଭିତରର ଏଇ ସାମାଜିକ ସଚେତନଶୀଳତାଟି ଅସ୍ଥାୟୀ ଏବଂ ପରେ ଏଥିପାଇଁ ସେ ଅନୁତାପ କରିବ । ଏହାକୁ ତ୍ୟାଗ କରିଦେଲେ ଆରତୀ ଭଳି ଏକ ସ୍ଥାୟୀ ଉତ୍କୋଚ ସେ ତାଙ୍କ ନିକଟରୁ ପାଇପାରିବ । ଅବଶ୍ୟ ଏଇ ଉତ୍କୋଚ ଶବ୍ଦଟା ତା ମୁହଁରୁ ଶୁଣିଲେ ଆରତୀ ନିଆଁ ଖଣ୍ତ ଭଳି ରାଗିଯିବ । ଏଣୁ ଅବଶ୍ୟ ସେ କଥା ଆରତୀକୁ ଶୁଣାଇବନି । କିନ୍ତୁ ସଚିବାଳୟର ଏକ ନିମ୍ନ ଚାକିରିରୁ ବହୁ ଘାଟରେ ପାଣି ପିଇ ପିଇ ଏଇନେ ଏକ ରୋକେଟେଡ ଅଫିସର ହୋଇ ଏଇନେ ଦୁଇ ହାତରେ ଉତ୍କୋଚ ଗୋଟାଉଥିବା ଜଣେ କନ୍ୟା ପିତାଙ୍କ ପାଇଁ ଉତ୍କୋଚ ଶବ୍ଦଟାର ବ୍ୟବହାର ଅସଙ୍ଗତ କାହିଁକି ହେବ ?

 

ଆରତୀ ବାପା କହନ୍ତି ଏଇ ସାମୟିକ ଉତ୍ତେଜନା ପାଇଁ ତାର ବୟସ ବଢ଼ିଯିବା ପରେ ସେ ଅନୁତାପ କରିବ । ସେ ବୋଧହୁଏ ସମସ୍ତଙ୍କୁ ନିଜ କ୍ଷୁଦ୍ର ସ୍ୱାର୍ଥୀବ୍ୟକ୍ତିତ୍ୱର ଦୃଷ୍ଟି ଦୋଷ ଭିତରୁହିଁ ଦେଖନ୍ତି । କିନ୍ତୁ ତା ତରୁଣ ଭାଇଙ୍କ ଜୀବନର ଶେଷ କେଇ ମୁହୂର୍ତ୍ତର ରିପୋର୍ଟ ତା ନିକଟରେ ଯାହା ପହଞ୍ଚିଛି, ସେଥିରେ ଯେ କୌଣସି ବାପା, ମାଁ, ଭାଇ ଭଉଣୀ ତ’ ଗର୍ବ ଅନୁଭବ କରିବା କଥା–ବିଶେଷତଃ ତା ଭଳି ସମ ଆଦର୍ଶବାଦୀ ଜଣେ ସାନ ଭାଇ । ଅରୁଣର ମନେ ପଡ଼ିଯାଏ ସେଇ ଦୃଶ୍ୟ ।

 

ତରୁଣ ଭାଇଙ୍କୁ ଏକ ଗଛରେ ବାନ୍ଧି ଦିଆଯାଇଛି । ଦଳେ ମଣିଷ ତା ଚଉଦିଗେ ରାଇଫଲ୍‌ ଧରି ଘେରି ରହିଛନ୍ତି । ଜଣେ ଅଫିସର ଆଗେଇ ଆସି ପଚାରେ–

 

–ମୃତ୍ୟୁ ଆଗରୁ ତୁମର କୌଣସି ଶେଷଇଚ୍ଛା ଅଛି ?

 

–ହଁ, ଅଛି ।

 

–କ’ଣ ?

 

–ତୁମର ଏଇ ସଂସ୍କୃତି ବିହୀନ ବାହିନୀର ବନ୍ଧୁକ ସବୁ ପ୍ରଥମେ ଦେଶର କୋଣେ କୋଣେ ଥିବା ମୋଭଳି ସମାଜ ସଚେତନଶୀଳ ବନ୍ଧୁମାନଙ୍କ ହାତରେ ପଡ଼ୁ, କ୍ରମେ ସେମାନଙ୍କ ସଂଖ୍ୟା ଅଧିକରୁ ଅଧିକ ହୋଇ ଘରେ ଘରେ ସାରା ଦେଶରେ ବ୍ୟାପିଯାଇ ଏବଂ ଶେଷରେ ତୁମମାନଙ୍କ ବନ୍ଧୁକର ଗୁଳି ମଧ୍ୟ ମୋ ଭଳି ଦେଶର ଭବିଷ୍ୟତ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ନ କରି ଗୁଳି ଚଳାଇବାକୁ ଆଦେଶ ଦେଇପାରୁଥିବା ଦେଶର ଅନ୍ଧ ଶାସକ ଓ ସେମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରାଇ ସାରିଥିବା ଭ୍ରଷ୍ଟାଚାରୀ ଧନିକତନ୍ତ୍ର ଉପରେ ଆଘାତ ହାଣୁ କିନ୍ତୁ ଏଇ ମୋ ଇଚ୍ଛା ଏଇନେ ତମେ ପୂରଣ କରିପାରିବ ନାହିଁ–ଏଇନେ ମୋ ଭଳି ଅନେକଙ୍କୁ ଜୀବନର ମୋହ ତ୍ୟାଗ କରିବାକୁ ହେବ । ତମେ ବିନା ବାକ୍ୟ ବ୍ୟୟରେ ତମ କାର୍ଯ୍ୟ କର ଅଫିସର–ମୋର ଡେରି ହୋଇଯାଉଛି–କାରଣ ମୁଁ ଜାଣେ ଯେ ମରିବା ସଙ୍ଗେ ସଙ୍ଗେ ପୁଣି ମୁଁ ଏଇ ମାଟିରେ ହିଁ ଜନ୍ମ ନେବି ମୋ ଅପୂର୍ଣ୍ଣ କାମ ଶେଷ କରିବା ଯାଏଁ–ଏହାହିଁ ମୋ ଶେଷ ଇଚ୍ଛା ଏବଂ ଏଇ ବଳବତୀ ଶେଷଇଚ୍ଛା ହିଁ ମୋ ପୁନର୍ଜନ୍ମର କାରଣ ହେବ ।

 

–ସ୍ୟାଟ୍ଅପ୍, ୟୁ ଇଡିଅଟ । ଫାୟାର୍‌– ତାପରେ ଅନେକ ଗୁଡ଼ାଏ ଗୁଳିରେ ତରୁଣ ଭାଇଙ୍କ ଦେହ ସାରା ବହୁ ଛିଦ୍ର ହୋଇ ଯାଇଥିଲା ।

 

କାହିଁ ତରୁଣ ଭାଇ ତ କେବେ ଅନୁତାପ କରିବା ସେ ଦେଖିନାହିଁ କି ଶୁଣି ନାହିଁ । କିନ୍ତୁ ଆରତୀର ବାପାଙ୍କ ମତ ଯେ– । ରାଗରେ ଗରଗର ହୋଇ ତା ସାମ୍ନାରେ ଠିଆ ହୋଇଥିବା ଆରତୀର ମୁହଁକୁ ଅରୁଣ ଚାହିଁଲା ।

 

–ଶୁଣ ଆରତୀ, ସତଟା ତ ନିଷ୍ଠୁର । ସୋମେନ୍‌ର ଆବିର୍ଭାବ କଣ ମିଛ ? ଅରୁଣ ପଚାରିଲା ।

 

ଆବିର୍ଭାବ ମାନେ ତମେ କଣ ବୁଝ ? ଜାଣେନା । ସେଇଟା ମୋ ବଡ଼ଭାଇର ସାଙ୍ଗ ।

 

ଆଗରୁ କେଉଁଠି ଥିଲା ଏତେ ବଡ଼ ସାଙ୍ଗଟା ? ଦିନେ ତ ଦେଖିନି–

 

–ବାପା ତାକୁ ଅବାଧ ଯାଆସ କରିବା ପ୍ରଶୟ ଦେଉଛନ୍ତି,

 

–ଆଉ ତମେ ?

 

–ମୁଁ ଘରେ କିଏ ?

 

–କେହି ନୁହ ?

 

–ତମର ଏସବୁ ପଚାରି କଣ ହେବ–ତମମନ ତ ଯାଇ କେଉଁ ବଣଜଙ୍ଗଲରେ ଗାଁଗହଳରେ ଚକ୍ରାନ୍ତକାରୀମାନଙ୍କ ଭିତରେ–ମୋ ଭାଗ୍ୟରେ ଯାହାଥିବ ।

 

ତରୁଣ ହସିଲା–ଚକ୍ରାନ୍ତକାରୀ ନୁହ–ଦେଶଭକ୍ତ କହ–ଆଜିଠାରୁ ବହୁବର୍ଷ ପରେ ସେମାନେ ଦେଶହିତୈଷୀ ବୋଲି କଥିତ ହେବେ । ତମର ବିଶ୍ୱାସ ହେଉନି ?

 

–ମୁଁ କିଛି ଜାଣେନା ।

 

–ତାହେଲେ ମୋ ଉପରେ ଏମିତି ରାଗି ଆର କଣ ହେବ ? ବରଂ ଚାଲ ସାମ୍ନା କେବିନ୍‌ ଆଡ଼େ । ଅନେକ ଦିନ ପରେ ତମ ସହ ବସି ଟିକେ କିଛି ଖାଇବା ଇଚ୍ଛା । ଭିତରକୁ ଯିବା ପାଇଁ ତମର ଆପତ୍ତି ଥିଲେ ବାହାରେ ଠିଆ ହୋଇ ଖାଇବା–କିଛି ନହେଲେ କପେ କପେ ଚା–

 

ସିଧା କେବିନ୍‌ ଆଡ଼େ ଯିବା ବାଟର ବାଁ କଡ଼େ ସବୁଜ ଘାସର ପଡ଼ିଆ ଉପରେ ଝରିପଡ଼ିଥିବା କୃଷ୍ଣଚୂଡ଼ା ଆଡ଼େ ଚାହିଁ ଆରତୀ ଅରୁଣର ମୁହଁକୁ ଅନେଇଲା–

 

–ଘାସର ଶ୍ୟାମଳ ବକ୍ଷରେ ଏଇ କୃଷ୍ଣଚୂଡ଼ା ଝରି ସ୍ଥାନେ ସ୍ଥାନେ କାହାପାଦର ବୁନ୍ଦା ବୁନ୍ଦା ନାଲି ଅଳତା ଝରିଥିବା ଭଳି କିମ୍ୱା ଗୁଳିବିଦ୍ଧ କେଉଁ ବିପ୍ଳବୀ କଲିଜାର ରକ୍ତଛିଟା ପଡ଼ିଥିବା ଭଳି ମନେହୁଏ । ତା ସହ ଲାଲଶାଢ଼ି ର ଅଞ୍ଚଳରୁ ଦମକାଏ ପବନ । ତମେ ତ ଜାଣ ଆରତୀ ଲାଲ ମୋର ପ୍ରିୟ ରଙ୍ଗ । ବିପ୍ଳବର ରଙ୍ଗ ବି କେଜାଣି କାହିଁକି ଲାଲ । ପ୍ରେମ ଓ ବିପ୍ଳବତ ପୃଥିବୀର ଦୁଇଟା ଶାଶ୍ୱତ ରଙ୍ଗ । ତମେ ତ ଲାଲ ଶାଢ଼ି ଭଲ ପାଅ ଆରତୀ, ତମେ ବି ବିପ୍ଳବିନୀ ହୋଇ ନ ଯିବ କାହିଁକି ମୁଁ ବୁଝିପାରେନା–

 

–କେବଳ ବିପ୍ଳବ ଛଡ଼ା ଆଉ କିଛି ବୁଝ ତମେ ?

 

–ହଁ ବୁଝେ—ଶୁଣିବ ? ଏଇ ଲାଲ କୃଷ୍ଣଚୂଡ଼ାଗୁଡ଼ାକ ମତେ ପଛକୁ ଟାଣିବାକୁ ଚେଷ୍ଟାକରେ–ସେଇ ଦିନମାନଙ୍କରେ ଆମ ଫ୍ଳାଓରଭ୍ୟାସରେ ଥୁଆ ତମ ଲାଲ ଗୋଲାପମାନଙ୍କ ନିକଟକୁ ।

 

–ଆଃ–ଅରୁ ପ୍ଲିଜ୍ ତମେ, ଏଥର ଟିକେ ତୁନି ରହିପାରିବ ଏଇ ଚାହା ଖିଆଟା ଶେଷ ହେବା ଯାଏଁ ? ତା ପରେ ମୋ ବାଟରେ ମତେ ଛାଡ଼ିଦିଅ । ସେଇଦିନଗୁଡ଼ାକ ମନେ ପକାଇଦେଇ ମତେ ଆଉ ବଞ୍ଚିବା ଓ ମରିବା ମଧ୍ୟସ୍ଥଳରେ ଝୁଲାଇ ରଖନି । ଏପରି ଅଧା ମରିବା ଅପେକ୍ଷା ହୁଏତ ପୂରା ମରଣ ଭଲ । ଆରତୀର କଣ୍ଠସ୍ୱର କରୁଣ ହୋଇ ଆସିଥିଲା ।

 

–ଚୁପ୍‌ କର—ମରଣ କେହି ଜାଣି ଜାଣି ଚାହେଁ ଏଇ ଦୁନିଆରେ ?

 

–ତମେ ଅରୁଣ—ତମେ ଏକଥା କହି ପାରୁଛ, ଯଦିଓ ତମେ ନିଜେ ଜାଣ ଯେ ତମେ ସେଇ ରାସ୍ତାରେ ହିଁ ଟାଣି ହୋଇ ହୋଇ ଚାଲିଚ ?

 

—ମୁଁ ମରଣ ଚାହେଁନା ଆରତୀ । ମୁଁ ଅନେକ କିଛି ଭୟଙ୍କର ଭାବେ କାମନା ବି କଲେ-। କିନ୍ତୁ ଏଭଳି ଏକ ପଙ୍କିଳ ବହୁ ଶଂକିତ ସମାଜ–ବ୍ୟବସ୍ଥା ଭିତରେ ଠିକ୍‌ଭାବେ ବଞ୍ଚିହେବ ନାହିଁ, ଆର୍ଥିକ ଓ ନୈତିକ ଉଭୟ ଦିଗରୁ । ତା ଛଡ଼ା ମୋ ବଡ଼ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ–

 

–ହଁ, ତମ ବଡ଼ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପ୍ରତିଶୋଧ ନେବାକୁ ଯାଇ ତମକୁ ଅନ୍ୟ ଯେଉଁମାନେ ପ୍ରାଣକରି ଭଲ ପାଆନ୍ତି, ସେମାନଙ୍କୁ ବି ମୃତବତ୍‌ କରିଦିଅ–ସେମାନଙ୍କ ଭଲ ପାଇବାର ପ୍ରତିଶୋଧ ବି ନେଇଯାଅ—

 

—ତମେ ଏକଥା କିପରି କହିପାରୁଛ ଆରତୀ ?

 

–ହଁ, ମୁଁ ଠିକ ହିଁ କହୁଚି । ତମକୁ ଆଉ ଜାଣିବା ବାକି ଅଛିନା ? ଛାଡ଼—ହେଇ କେବିନଟା ତ ସାମ୍ନାରେ ଚାହା କପେ ଖୁଆଇ ଦେଇ କେଉଁଆଡ଼େ ଖସିଯିବ ଯେ ଆଉ ତମ ପତ୍ତା ମିଳିବନି । ତମର ଏତେଗୁଡ଼ାଏ ଜିନିଷକୁ ଏକାଥରେ ଭଲ ପାଇବା ମୁଁ ବୁଝିପାରେନି ଅରୁଣ—

 

–ଏତେ ଦିନ ନିକଟରୁ ଦେଖିବି ଯଦି ବୁଝିପାରିଲନି, ଆଉ ଯେ ତମେ କେବେ ବୁଝିପାରିବ ସେଇ ସୌଭାଗ୍ୟ ବୋଧେ ମୋର ନାହିଁ । ଝିଆମାନଙ୍କ ଭଲପାଇବା ପରିସର ବୋଧେ ସଙ୍କୀର୍ଣ୍ଣ, ହୁଏତ ଟିକିଏ ଗଭୀର–

 

—ଆଉ ପୁଅମାନଙ୍କ ଭଲ ପାଇବା ବୋଧେ ଏତେ ବ୍ୟାପ୍ତ ଓ ଏବେ ସଂଖ୍ୟାଧିକ ଯେ ସେମାନେ ହୁଏତ ଭଲଭାଇବା କଣ ଜାଣନ୍ତି ନାହିଁ ।

 

—ଏହା ହିଁ ହୁଏତ ଏଇ ସୃଷ୍ଟିର ବୈଚିତ୍ର୍ୟ ।

 

–ଏହାହିଁ ନୁହେ, ତମେ ହିଁ ବୋଧେ ଏକ ବିଚିତ୍ର ଜୀବ । କେଉଁଟିକୁ କେତେବେଳେ ଭଲପାଅ କେହି ଜାଣନ୍ତିନି–ତମେ ନିଜେ ବି ବୋଧେ ଜାଣନି । କେତେବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ, କେତେବେଳେ ପ୍ରିୟଜନଙ୍କୁ କେତେବେଳେ ଦଳିତ ମଣିଷକୁ ତ କେତେବେଳେ ବଡ଼ଭାଇଙ୍କ ଆଦର୍ଶକୁ ଯେମିତି ପିଲାଟି ଏଇନେ ଗୋଟେ ଖେଳନା ଚାହୁଁଚି ତ ଆଉଟିକେ ପରେ ଆଉ ଗୋଟାକୁ ।

 

—ତମେ ଠିକ୍‌ ବୁଝି ପାରୁନ ଆରତୀ । ଏସବୁ ମୂଳରେ ତ ରହିଚି ଗୋଟାଏ ସୁତ୍ର–ସତ୍ୟ ଓ ନ୍ୟାୟକୁ, ନିରୀହତା, ନିଷ୍କପଟତାକୁ ଭଲପାଇବା । ଭଲପାଇବା କୌଣସି ସମ୍ପର୍କ ବି ଯଦି ଅନ୍ୟାୟ ଓ ଅସତ ଉପରେ ପ୍ରତିଷ୍ଠିତ ହୋଇଥାଏ ତାହା ଅଧିକ ଦିନ ସ୍ଥାୟୀ ରହିପାରେନା ।

 

—କେତେ ଚଞ୍ଚଳ ସବୁ ବଦଳି ଯାଇଚି ଅରୁ । ମୁଁ କାହାକୁ ଧରି ଛୁଇଁ ରଖିପାରୁନି । ସବୁ ହାତରୁ ଖସି ଯାଉଛନ୍ତି । ଆରତୀର କଣ୍ଠସ୍ୱର ବାଷ୍ପାକୁଳ ମନେ ହେଲା ।

 

–ଏମିତି କାହିଁକି ହୁଏ ଜାଣ ?

 

–ନା ଅରୁ–ମୁଁ କିଛି ଜାଣି ପାରୁନି । ତମେ କିଛି ଜାଣ ?

 

–ଏହାର କାରଣ ହେଉଛି ଭୟ ।

 

–ଭୟ ?

 

ହଁ, ଆମମାନଙ୍କ ମନରେ ସଂଖ୍ୟାତୀତ ଭୟ । ଭୟ ହେତୁ ଆମେ କୌଣସି ପରିବର୍ତ୍ତନ ଚାହୁନା, ଅଥଚ ଆମ ଚାରିଆଡ଼େ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ଘଟିଚାଲିଛି ।

 

–ଠିକ୍‌ ବୁଝିପାରିଲି ନାହିଁ ।

 

–ଶୁଣ–ବାପ ମା’ମାନଙ୍କ ଭୟ ପୁଅଝିଅ ନିଜ ବାଟରେ ଗଲେ ସବୁ ଓଲଟି ପଡ଼ିବ । ଶାସକର ଭୟ କୌଣସି ଜାଗାରେ କିଛି ପ୍ରତିବାଦ ହେଲେ ତା ଆସନ ଟଳମଳ ହେବ । ଶୋଷକର ଭୟ ଶୋଷିତକୁ କେହି ଉସୁକାଇଲେ ତା ମୁନାଫା କମିଯିବ । ଏମିତି ସମାଜର ସ୍ତରେ ସ୍ତରେ ସବୁଠି ଭୟ, ଏପରି କି ମନର କଥା ଖୋଲି କହିବା ପାଇଁ ମଧ୍ୟ ଭୟ ।

 

–ଗୋଟେ କଥା ପଚାରିବି ଅରୁ–ତମେ ଆଉ କେତେ ସମୟ ମତେ ଏମିତି ପରୀକ୍ଷା କରିବା ଚାହିଁ ?

 

–ସମୟ ? ଆଉ ସମୟ କଣ ଦରକାର ? ତମକୁ ତ ବେଶ୍‌ ପରୀକ୍ଷା କରି ଜାଣି ସାରିଚି ଯେ ତମେ କଣ ଭଲ ଝିଅ–

 

–କୌଣସି ପିଲାକୁ ଗୋଟିଏ ଚକଲେଟ ଦେଇ ଏମିତି କଥା କୁହା ଯାଇଥାଏ ଅରୁ ।

 

–ବାଃ–ତମେ ଯେ ଭଲ, ୟାଠୁ ବଳି ବଡ଼ କଥା ଆଉ କଣ ଅଛି ?

 

–ଆଉ କିଛି ନାହିଁ ?

 

–ଆଃ–ଆରତୀ । ତମେ ବୁଝୁନା କାହିଁକି ? ଭଲ ହେବାଟା କଣ ଏତେ ସହଜ କଥା ? ଭଲ ବୋଲି ତ ତମକୁ ଦୂରରୁ ଦେଖିଲେ ତମ ନିକଟକୁ ଯାଏ, ତମ ସହ ଗପିବା ଚାହେଁ–କପେ ଚାହା ତମ ସହ ଖାଇବା ଇଚ୍ଛା ହୁଏ–

 

–ପାଗଳ ଭଳି ଏଣୁ ତେଣୁ ଗପନି । ତମେ ଆଉ କିଛି ଚାହଁନା ?

 

—ଶୁଣ । ଏଇ ସମାଜରେ ଚାହିଁବାର ଅର୍ଥଟା କଣ ଜାଣ ? ଛଡ଼େଇ ନେବା । ସବୁଠିତ ଦେଖୁଚ ଯିଏ ଯାହା ଚାହେଁ, କୌଶଳରେ ତାକୁ ଅପହରଣ କରେ କିମ୍ବା ବଳପୂର୍ବକ ଲୁଟି ନିଏ । ଦେଖୁଚ, ଶୁଣୁଛ, କାଗଜରେ ପଢ଼ୁଚତ କେତେ ଚୋରୀ ନାରୀ, ଛୁରାମାଡ଼, ବଳପ୍ରୟୋଗର କାହାଣୀ । ନା, ଆରିତୀ ମୁ ସେମିତି କିଛି ଚାହେଁନା । ଯଦିଚାହିଁ ଥାଆନ୍ତି ସେମିତି ହୋଇଥାଆନ୍ତି, ତାହେଲେ ତମକୁ–

 

–ହଁ, ତାହେଲେ ?

 

–ଏଣୁ ତେଣୁ ମିଛ ପ୍ରତିଜ୍ଞା କରି ଉଡ଼େଇ ନେଇଥାଆନ୍ତି, କିମ୍ବା ବଳପୂର୍ବକ– । ଅରୁଣ ହୋ–ହୋ ହସି ଉଠିଲା ।

 

–ବୋଧେ ବଳପ୍ରୟୋଗ ଦ୍ୱାରା ସବୁ ମିଳିଯାଏନି, ଏକଥା ଭାବ । ମନବୋଲି ଗୋଟାଏ ତ ଅଛି–

 

–ହୁ କେୟରସ୍‌ ମନ । ଦେଖୁଛ ଭୁବନବାବୁ ଭଳି ଜଣେ ଅଫିସର ତା ଲେଡ଼ି ଷ୍ଟେନୋର ଇଚ୍ଛା ବିରୁଦ୍ଧରେ ବି ଚାକିରି ନେଇଯିବା ଭୟ ଦେଖାଇ କିମ୍ବା ପ୍ରମୋସନ କଥା କାନରେ ଫୁଙ୍କି କଣ ନା କଣ କରିପାରୁଚି । ଏଇଠି ମନର ପ୍ରଶ୍ନ କାହିଁ ? ଚାକିରି ଗୋଟାକୁ କେଇ ହଜାର ଟଙ୍କାରେ ଯେତେ ବେଳେ ନିଲାମ ହେଉଛି ଏବଂ କିଣିବା ଲୋକ ବାଧ୍ୟ ହୋଇ ଟଙ୍କା ଗଣୁଚି, ଏଠି ମନର ପ୍ରଶ୍ନ କାହିଁ ? ଚାଷୀ, ମଜୁରିଆର ମନ ବୁଝି ପାରିଶ୍ରମିକ ମିଳୁଚି, ନା କିଣିଖିଆର ମନ ବୁଝି ଭେଜାଇ ଖାଦ୍ୟ ଔଷଧ ବିକା ହେଉଚି ? ମନ ବୋଲି କିଛି ନାହିଁ–ଇଚ୍ଛା ବୋଲି କିଛି ନାହିଁ–ସବୁ ଅବଦମିତ । ବଳ ଓ କୌଶଳ ହିଁ ଆୟୁଧ । ଏଇ ସବୁ ଦେଖି ଦେଖି ଆମେ ବି ଠିକ୍‌ କରି ନେଇଚୁ ଯେ, ସମାଜରେ ଯେତେ ଭ୍ରଷ୍ଟାଚାର ଅନ୍ୟାୟ ଚାଲିଚି, ତାର ପ୍ରତିଶୋଧ ଆମେ ନେବୁ ବା ଫୋର୍‌ସ୍‌–

 

–ମୋ ଫୋରସ୍‌ରେ ବିଶ୍ୱାସ ନାହିଁ ଅରୁଣ ।

 

–ପରୀକ୍ଷା ଚାହଁ–ଏଇନେ–ଏଇ ମୁହୂର୍ତ୍ତରେ ?

 

–ମାନେ ?

 

–ମୁଁ ବଳତ୍କାର କରିବା ଅଭିନୟ କରୁଚି । ତମେ ଚିତ୍କାର କର ।

 

–ତାପରେ ?

 

–ତମ ଡାକ କେହି ଶୁଣିବେ ନାହିଁ । ସମସ୍ତେ କିଛି ନ ଜାଣିବା ପରି ଖସି ଚାଲିଯିବେ । ଯଦି ତମ ଚିତ୍କାର ଶୁଣି କେହି ଏଇଆଡ଼େ ଚାହିଁବା ସତ୍‌ସାହସ ଦେଖାଯାଏ, ମୋ ପକେଟରେ ଗୋଟେ ଛୁରୀ ଅଛି, ତାକୁ ପକେଟରୁ ବାହାର କରି ‘‘କୌନ୍‌ଶାଲା’’ କହି ଦୁଇଥର ବୁଲାଇ ଦେଲେ, ଏଇଆଡ଼େ ଚାହିଁବା ଲୋକ ବି ଆଖି ବୁଜି ଆସ୍ତେ ଖସି ପଳାଇବେ । ଫୋର୍‌ସ୍‌କୁ ଡରନ୍ତି ପଶୁମାନେ-। ଆଜି ସମାଜରେ ସମସ୍ତେ ପଶୁକି ନା, ପରିକ୍ଷା କରି ଦେଖ । ଯେଉଁଠି ପାଶବିକତା ଅଧିକ ସେଠି ଫୋର୍‌ସ୍‌ ହିଁ ସର୍ବପ୍ରଥମେ ଆବଶ୍ୟକ । ବିଶ୍ୱାସ ଯଦି ହେଉନି ତ ଟ୍ରାଇକର–

 

–ନା, ବାବା–ମୋର ସେମିତି ଟ୍ରାଇ କରିବା ଦରକାର ନାହିଁ ।

 

–କାହିଁକି ଭୟ ହେଉଚି–ବଳତ୍‌କାର ହୋଇଯିବ ବୋଲି ?

 

ହଠାତ୍‌ ଆରତୀ କଇଁ କଇଁ କାନ୍ଦିବା ଆରମ୍ଭ କରିଦେଲା ।

 

–ଆରେ ପାଗଳୀ–ମୁଁ ବଳତ୍‌କାରର ଅଭିନୟ କରି ଏଠିକା ସୁପୁରୁଷ ମାନଙ୍କୁ ଚିହ୍ନିବା କଥା କହୁଥିଲି । ତମେ କଣ ଭାବୁଚ ମୋ ପକେଟରେ ଛୁରୀଟାଏ ଅଛି ? ସର୍ଚ୍ଚ କଲ–

 

ନା, ମୁଁ ସେକଥା କହୁନି । ଆରତୀ କରୁଣଭାବେ କହିଲା ।

 

–ତା ହେଲେ ?

 

–ମୁଁ ଖୁବ୍‌ ଅସହାୟ ଅରୁଣ – ଅନେକ ସମୟରେ ନିଜ ଅସହାୟତା କଥା ଭାବି କାନ୍ଦି ପକାଏ–ତମେ ମତେ କେଉଁଠିକି ନେଇଯାଅ ଅରୁଣ । ସେଇ ଯେ ଉଡ଼େଇ ନେଇଯିବା କଥା କହୁଥିଲ, ସେମିତି ହେଲେ ନେଇ ଯାଆନ୍ତ । ମତେ ଏଠି ହଜାର ପ୍ରଲୋଭନ ଭିତରେ ଛାଡ଼ି ଚାଲିଯାଅନି । ମୁଁ ଦୁର୍ବଳ–ବାପାଙ୍କୁ କିଛି କହି ପାରେ ନା–ସେମାନକୁ ମୁଁ ଭଲ ପାଏନି–ମୁଁ ତାକୁ ଚାହେଁନି–

 

–ଏତେ ଭୟ କାହିଁକି ? ଯାହା ଚାହିଁନାହିଁ, ଚାହିଁନାହିଁ ବୋଲି କହିବାକୁ ହେବ । ଯାହା ଠିକ୍‌ ବୋଲି ଭାବୁଚ ତା ସପକ୍ଷରେ ଲଢ଼ିବାକୁ ହେବ–ନିଜ ଶକ୍ତି ନିଜ ସିଦ୍ଧାନ୍ତ, ନିଜ ଭବିଷ୍ୟତ ନିଜେ ଠିକ୍‌ କରିବାକୁ ହେବ । –ଆଉ ତମକୁ କେଉଁଠିକି ନେଇଯିବା କଥା ? ଛୁରୀଟିଏ ଦେଖିଲେ ଯାହା ମୁହଁ କଳାକାଠ ଭଳି ହୋଇ ଯାଉଚି, ସେଇ ତମେ କେଉଁ ଅନିର୍ଦ୍ଦିଷ୍ଟ ପଲ୍ଲୀ, ପ୍ରାନ୍ତର, ପାହାଡ଼ରେ ଏବଂ ତମ ମତରେ ତଥାକଥିତ ଅସାମାଜିକମାନଙ୍କ ସହ ଚଳି ପାରିବତ ତ ? ଏଠି ରହିବାକୁ ଭୟ ହେଉଚି ଗୋଟାଏ କାରଣରୁ । ତମର କଣ ମୋ ଉପରେ ଏତେ ସମ୍ପୂର୍ଣ୍ଣ ଆସ୍ଥା ଅଛି ଯେ ମୁଁ ଯେଉଁଠିକି ଯିବି, ଯେଉଁଠି ରହିବି, ଯେଉଁଭଳି କାମ କରିବି ସେସବୁ ଚଳେଇ ନେବ । ଏଇନେ ତ ଯାଉନି–କିଛିଦିନ ଏଇଠି ଅଛି । ତମେ ନିଜକୁ କଳି, ମନସ୍ଥିର କରି କହ । ଗୋଟାଏ ଭୟାଳୁ ଅନ୍ୟ ଏକ ଭୟ ଭିତରକୁ କା କଥାରେ କିମ୍ବା ମୋ କଥାରେ ବି ତମ ଡେଇଁ ପଡ଼ିବା ମୁଁ ଚାହେଁନି–

 

ଆରତୀ ଘର ନିକଟସ୍ଥ ଛକ ଆସିଗଲା, ଅରୁଣ କହିଲା–ଆରତୀ ହେଇ ତମ ଘର ଦେଖାଯାଉଚି ।

 

–ତମେ ଚାଲୁନା ?

 

–ନା, କଣ ଦର୍କାର ? ଅନେକ କାମ ଅଛି–

 

–ମିଛ–ତମର ଏଇନେ କିଛି କାମ ନାହିଁ ।

 

–ପ୍ରକୃତରେ ଅଛି । ଟ୍ୟୁସନ୍‌ ତ ଏଯାଏଁ ଛାଡ଼ି ଦେଇନି । ମୋ ଇଚ୍ଛା, ମାନୁଅପା ଏଇ ଟ୍ୟୁସନ୍‌ଟା କଲୁ ମୁଁ ଆଉ ମାତ୍ର କେଇଟା ଦିନ ଅଛି । ପଲ୍ଲୀ ଅଞ୍ଚଳକୁ ଯିବା ଆଗରୁ, ଅଳକାକୁ ଖବର ପଠେଇ ଦେଇ କହିଥିଲେ ଦେହ ଭଲ ନାହିଁ, ସେ ତା ବାପ ସହ ମେନେଜ କରିବ । ପଢ଼ିବା ମତିଗତି ତ ତାର ନାହିଁ–ତଥାପି ଏଇନେ ଟିକେ ଦେଖା କରି ଯିବାକୁ ହେବ ।

 

–ତା ହେଲେ ତୁମେ ଏଇ ଛକରେ ରହ । ମୁଁ ଘରେ ପହଞ୍ଚିବା ଯାଏଁ ।

 

–ହଁ, ତାର ଅର୍ଥ ତମେ କହିବା ଚାହଁ ଯେ ତମେ ସାରା ଜୀବନଟା ଏମିତି ଛକ ଉପରେ ମତେ ଠିଆ କରେଇ ଦେଇ ମୁଁ ଚାହୁଁ ଚାହୁଁ ପଛକୁ ନ ଅନେଇ ଚାଲିଯିବ ।

 

–ତମ ପାଇଁ ଗୋଟିଏ କଥାର ଦଶଟା ଅର୍ଥ । ଦିନକୁ ଦିନ ଯେତେ ସଂସ୍ଥା ଯେତେ ଲୋକଙ୍କ ସହ ମିଶୁଚ, ଅର୍ଥ ବାହାର କରିବା କଳ୍ପନା ବଢ଼ି ବଢ଼ି ଯାଉଛି । ଅଥଚ ଆମ ପ୍ରଥମ ଦେଖା ସାକ୍ଷାତ ବେଳେ କେଡ଼େ ବୋକା ନଥିଲ ।

 

–ସେଥିଲାଗି ମୋ ପ୍ରଥମ ଚିଠିଟା ପାଇସାରି ପାର୍କରେ ମତେ ନାକେଦମ କରାଇ ଦେଇଥିଲ ?

 

–ଏବଂ ସେଥିପାଇଁ ଏଇନେ ତମେ ମୋର ସେସବୁ ଚଗଲାମିର ପ୍ରତିଶୋଧ ନେଇଛ, ମୋ ମୁଣ୍ଡରେ ଏଣୁ ତେଣୁ ଉଦ୍ଭଟ ଚିନ୍ତା, ଜୀବନ ଦର୍ଶନ ଥୋଇଦେଇ ।

 

–ଯାଅ ଘର ବାରଣ୍ଡାରେ ସବୁ ଉଦ୍ଭଟ ଚିନ୍ତା ମନରୁ ବାହାର କରି ଫିଙ୍ଗିଦେଇ ନିଶ୍ଚିନ୍ତରେ ତୂଳୀତନ୍ତ୍ରରେ ଶୋଇପଡ଼ିବ ।

 

–ହଁ, ମୁଁ ଘର ବାରଣ୍ଡାରେ ପହଞ୍ଚିଲା ଯାଏଁ ତମେ ଚାହିରହ, ନହେଲେ ସେଇ ଚିନ୍ତାଗୁଡ଼ିକ ଏଇଠୁ ହିଁ ଚାଲି ଯିବେ ।

 

–ମୁଁ ଆଗରୁ କହି ସାରିଛି, ତମେ ଏମିତି ଛକରେ ଠିଆ କରେଇ ଦେଇ ପଛକୁ ନଚାହିଁ ଚାଲିଯିବା ମୁଁ ଚାହେଁନି । ଅରୁଣ ହସିଦେଲା ।

 

–ଠିକ୍‌ ଅଛି, ପଛକୁ ଫେରି ଚାହିଁ ଚାହିଁ ଯିବି । ଆରତୀ ବି ହସିଦେଲା ।

 

–ତାପରେ ଘରେ ପହଞ୍ଚି ମୁଁ କହିଥିବା ସବୁ ଭାବନା ମନରୁ ଦୂର କରି ଦେବା ପାଇଁ ହାର୍‌ମୋନିୟମ୍‌ଟା ଧରି ବସିଯିବ ତ ?

 

–ଏଇନେ କଣ ଆଉ ଗାଇବା ମୁଡ଼୍‍ ଅଛି ଯେ–କହି ଆରତୀ ଆଗକୁ ପାଦ ବଢ଼ାଇଲା ।

 

–ଆରତୀ ଘର ବାରଣ୍ଡାରେ ପହଞ୍ଚିବା ଯାଏ, ଅରୁଣ ଠିଆ ହୋଇ ଚାହୁଁଥିଲା ।

 

ଅରୁଣ ଅଳକା ଘର ଆଡ଼େ ଯାଇ ଯାଇ ବାଟରେ ଏକ ବିରାଟ ହଲ ଭଳି ଘର ପଡ଼ିଲା-। ଏଠି ଏକ ପତ୍ରିକା ଛାପା ହୁଏ । ଓଡ଼ିଆ ଭାଷାର ଜଣାଶୁଣା ପତ୍ରିକାମାନଙ୍କ ଭିତରୁ ଗୋଟେ । ଦିନେ ସେଥିରେ ତା ଲେଖା ବି ଛାପା ହେଉଥିଲା । ସେତେବେଳେ ସେ କଲେଜରେ ପଢ଼ୁଥିଲା-। ବୟସଟା ଥିଲା କବିତ୍ୱମୟ–ନୂଆ ନୂଆ କବିତା ଲେଖୁଥିଲା । କଲେଜ ମାଗାଜିନ ଓ କେତେଟା ମିନି ପତ୍ରିକାରେ ତା ଲେଖା ପ୍ରଥମେ ପ୍ରକାଶିତ ହୋଇଥିଲା । ତା କଲେଜ ଜୀବନର ସଂସ୍ପର୍ଶରେ ଆସିଥିବା ଏଇ ଅନୁଷ୍ଠାନଟି ପ୍ରତି ରାସ୍ତାରେ ଯିବାବେଳେ ତା ଭିତରକୁ ପଶିଯିବାକୁ ଇଚ୍ଛାହୁଏ ଯଦିଓ ଆଜିକାଲି ସେଇ ବିଶୁଦ୍ଧ ସାହିତ୍ୟିକ ଆବହାଓ୍ୱ । ଆଉ ସେଠି ଦେଖିହୁଏନି । ଏହି ପ୍ରତିକାର ଏକ ବାର୍ଷିକ ସାହିତ୍ୟିକ ଉତ୍ସବ ହୁଏ । ସେଠି ଲେଖକ ଯେତେ ନଥାନ୍ତି, ତାଠୁ ଅଧିକ ଥାଆନ୍ତି ମନ୍ତ୍ରୀ, ନେତା, ମାଜିଷ୍ଟ୍ରେଟ, ଉଚ୍ଚ ପୁଲିସ କର୍ମଚାରୀ ତହୁଁ ବଡ଼ ତହୁଁ ବଡ଼ ଅଫିସର । ସାହିତ୍ୟ ନାମଧେୟ ଅମୃତ କୁଣ୍ଡଟିକୁ ବେଢ଼ିଥିବା ଏମିତି ଏକ ମଣ୍ଡଳି ରାଧାନାଥଙ୍କ ‘ଦରକାର’ ବର୍ଷରେ ଥରେ ମାତ୍ର ଦେଖିବା ସୁଯୋଗ କେହି କେହି ବାହାସ୍ପୋଟ ବି ମାରନ୍ତି ତ କେହି କେହି ଏହା ଉପରେ କଟୁ ମନ୍ତବ୍ୟ ବି କରିଥାଆନ୍ତି ।

 

କଲେଜ ଛାଡ଼ି ଆସିବା ପରେ ପ୍ରାୟ ଚାରିବର୍ଷ ହେଲା ତ ସେ ବେକାର । କଲେଜ ଛାଡ଼ିବା ପରେ ଦୁଇ ତିନିଥର ଲେଖା ପଠାଇଥିଲେ ବି ଏଯାବତ୍‌ ତାରି ଗୋଟିଏ ହେଲେ ଲେଖା ପ୍ରକାଶିତ ହୋଇନାହିଁ । କେହି ତା ପ୍ରତି ରହସ୍ୟ କରି ଏବେ ବି କହନ୍ତି ଯେ ସେତେବେଳେ ସେ ଜଣେ ଛାତ୍ରନେତା, ଥିବା ହେତୁ ଲେଖା ପ୍ରକାଶିତ ହେବା ସୁଯୋଗ ମାରି ନେଉଥିଲା, ଯାହା ଏବେ ସମ୍ଭବ ହେଉନାହିଁ । ଅବଶ୍ୟ ଏଇଭଳି ମନ୍ତବ୍ୟ ସେଇ ସମୟରେ ତା ଲେଖା ପ୍ରକାଶିତ ହେଉଥିବାବେଳେ ବି ସେ ପରୋକ୍ଷରେ ଶୁଣିବାକୁ ପାଉଥିଲା ।

 

ଏଇଭିତରେ ତାର ଜଣେ ସାଙ୍ଗ ଘରୋଇ ଭାବେ ଏମ୍‌.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଜିକାଲି ଛତୁଫୁଟିବା ଭଳି ଗଢ଼ି ଉଠିଥିବା ଘରୋଇ କଲେଜମାନଙ୍କ ଭିତରୁ ଗୋଟିକରେ ଅନିୟମିତ ମାସିକ ତିନିଶତ ଟଙ୍କା ଦରମାରେ ଜଣେ ଅଧ୍ୟାପକ ଏବଂ ତା ନିଜ ଭାଷାରେ ଉକ୍ତ ପତ୍ରିକା ଅଫିସର ଏକ ଚାମଚା ହୋଇ ସାରିଚି । ଦିନେ ସୁଧା–କେବିନ୍‌ରେ ଓଡ଼ିଆ ପତ୍ରିକାମାନଙ୍କ ଭବିଷ୍ୟତ, ସେଗୁଡ଼ିକରେ ପ୍ରକାଶିତ ହେଉଥିବା ଲେଖା ଇତ୍ୟାଦି ବିଷୟରେ କପେ ଚାହା ଉପରେ ଝଡ଼ ସୃଷ୍ଟି ହୋଇଥିବା ଅବସରରେ ସେ କହି ପକାଇଲା–ମୁଁ ସେଇ ପତ୍ରିକା ଅଫିସ୍‌ରେ ଚାମଚା ଗିରି କରେ ନିଜପାଇଁ । କିନ୍ତୁ ତତେ ଗୋଟେ ନିହାତି ସତ କଥା କହି ରଖୁଚି ଶୁଣ । ଆଜିକାଲି ପଦାଧିକାରୀ ପଇସାବାଲା ବିଜ୍ଞାପନ ଦେବା କିମ୍ବା ଦିଆଇ ପାରୁଥିବା ବ୍ୟକ୍ତି ତଥା ଅନ୍ୟ ସୂତ୍ରରେ ସାହାଯ୍ୟ କରିପାରୁଥିବା ଏଇଭଳି ଚାରି ପାଞ୍ଚଟି ଗ୍ରେଡ ହୋଇ ସାରିଚି । ଦରମା ଓ ପଦାଧିକାର ଇତ୍ୟାଦି ଦୃଷ୍ଟିରୁ ଯେହେତୁ ବେକାର, ନିମ୍ନତମ ଗ୍ରେଡରେ ବି ତୋ ସ୍ଥାନ ନାହିଁ । ଆଉ ଗୋଟାଏ ମାତ୍ର ରାସ୍ତା ଅଛି–ବୋକଚାବୁହାଙ୍କ ରାସ୍ତା, ଯାହା ତୁ କରି ପାରିବୁନି । ତା’ଛଡ଼ା ତୋ ଲେଖା ସବୁ ଆଗେ ବରଂ ଭଲ ଥିଲା–ଟିକିଏ ରସରସିଆ, ପ୍ରେମ ଫ୍ରେମ କିମ୍ବା କିଛିଟା ମେଟାଫିଳିକାଇ ବା ପରଭୌତିକ । ଆଜିକାଲି ତ ତୁ ପୁଗ ଏଣ୍ଟି ଏଷ୍ଟାବ୍ଲିଶମେଣ୍ଟ ଲେଖୁଚୁ–ଏବଂ ସେଠିତ ପୂରା ଏଷ୍ଟାବ୍ଲିଶମେଣ୍ଟର କାରବାର । ତୁ ବରଂ ଅନ୍ୟଧରଣର ଲେଖେ–ଆଗ ଯେମିତି ଲେଖୁଥିଲୁ । ସେଠିକା ଜଣେ ଚାମଚା ହିସାବରେ ମୁଁ ହୁଏତ କିଛି ସାହାଯ୍ୟ କରିପାରେ–

 

ଏହା ଅନେକ ଦିନ ତଳର କଥା ଏବଂ ତାପରେ ଅରୁଣ ଏହା ସଂପର୍କରେ ଭାବିବା ଲାଗି ଆଉ ସମୟ ପାଇଁ ନାହିଁ । ଏଇନେ କେଜାଣି କାହିଁକି ତାର ଇଚ୍ଛା ହେଲା ସେ ସେଇ ପତ୍ରିକା ଅଫିସ ଭିତରକୁ ଟିକେ ଯିବ । କେତେ ହେଲେ ସାହିତ୍ୟ ସଂସ୍ଥାଟିଏତ । ଏହାପରେ ସେ ହୁଏତ ସମୟ ପାଇ ନା ପାରେ । ହାତରେ ସମୟ ଖୁବ୍‌ କମ–ଅଥଚ ଅନେକ କାମ ବାକିଅଛି ଏଇ ସହର ଛାଡ଼ି ଯିବା ଆଗରୁ ।

 

ଅରୁଣ ପତ୍ରିକା ଅଫିସ ଭିତରେ ପ୍ରବେଶ କଲା । ଏଇନେ ପତି ହୋଇ ଆସିଥିଲେ ବି ବୃଦ୍ଧ ପରିଚାଳନା ସମ୍ପାଦକ ମହାଶୟ ଏକ କଳା ଟେବୁଲ ଉପରେ ନଇଁପଡ଼ି ଗୋଟିଏ ପୃଷ୍ଠାରେ ମେକାପ୍‌ ନିରେଖୁ ଥିଲେ । ଅରୁଣର ପଦ ଶବ୍ଦରେ ଥରେ ନିଜ ଦୃଷ୍ଟି ଚାରିଆଡ଼େ ଫିଙ୍ଗିଦେଲ, ତାପରେ ଯେପରି ଏକ ସଂପୂର୍ଣ୍ଣ ଅବଜ୍ଞା ଭଙ୍ଗୀରେ ନିଜ କଣ୍ଠରୁ ପୁରୁଣା ଟେପ୍‌ ରେକର୍ଡଟିକୁ ବଜେଇ ଦେଲେ–ନା ଭାଇ, ଲେଖାଟା ଏଇନେ ବି ପଢ଼ି ପାରିନି । ଅନେକ ବଡ଼ ବଡ଼ ଲୋକଙ୍କ ଲେଖା ବି ପଡ଼ି ପଡ଼ିରହିଛି । ଯା ହେଉ, ଆସନ୍ତା ସଂଖ୍ୟା ବେଳକୁ ନିଶ୍ଚୟ ଦେଖିବି ।

 

ଆଶ୍ଚର୍ଯ୍ୟ ! ଅରୁଣ ତ ଏଇ ତିନି ବର୍ଷ ହେଲା ଲେଖା ପଠେଇନି ଏବଂ ବେକାର ଜୀବନ ଆରମ୍ଭରେ ପଠାଇଥିବା ପ୍ରଥମ ଲେଖାଟିବେଳେ ଏଇ ମହାଶୟ ଏ ସଂସ୍ଥାରେ ନଥିଲେ । ଅନୁଷ୍ଠାନଟିକୁ କେବଳ ବୁଲି ଥରେ ଦେଖିନେବା ସେ ଚାହିଁଥିଲା । ଯାହେଉ ଏଇ ବ୍ୟସ୍ତ ବୁଢ଼ାଟା ଉପରେ ଏଇନେ ରାଗିଯାଇ କିଛି କହି କଣ ଲାଭ ? ତଥାପି ନିଜ କଣ୍ଠସ୍ୱର ସାମାନ୍ୟ କର୍କଶ ଭଳି ତାକୁ ଶୁଣାଗଲା–ନା ମହାଶୟ ମୁଁ ତ ଲେଖା କିଛି ପଠେଇନି ଏଇ ବର୍ଷେ ଦୁଇବର୍ଷ ଭିତରେ । ଆପଣ ଆଉ କାହା କଥା କହି ପକାଉଛନ୍ତି ।

 

–ଦେଖନ୍ତୁ, ଆଜ୍ଞା ଭୁଲ ହୋଇଗଲା । କାରଣ ଆପଣଙ୍କ ବୟସର ଯେତେ ଲୋକ ଏଇ ଅଫିସ ଭିତରେ ପଶନ୍ତି, ସମସ୍ତେ ପ୍ରାୟ ଗୋଟେ କଥା ମତେ ପଚାରନ୍ତି–ମୋ ଲେଖାଟି ଗତ ସଂଖ୍ୟାରେ ପ୍ରକାଶିତ ହେଲାନି କାହିଁକି ? ଲୋକେ ବାହାରୁଚି ? ଏଣୁ ମୋ ପାଖରେ ସାପ ନ ମରିବା ବାଡ଼ି ନ ଭାଙ୍ଗିବା ନୀତିରେ ଗୋଟେ ଉତ୍ତର ଥାଏ, ଯାହା ସମସ୍ତଙ୍କୁ ଶୁଣେଇ ଦିଆଯାଏ ଏବଂ ଯାହା ଆପଣଙ୍କୁ ଏଇନେ ଶୁଣେଇ ଦେଲି । ମୁଁ ବିଚରା ଆଜ୍ଞା କଣ କରିବି ? ସମ୍ପାଦକ ମଣ୍ଡଳୀଙ୍କ ପଲିସି, ଗଦ୍ଦୀ, ପଇସା, ବିଜ୍ଞାପନାଦି ସୁତ୍ରଧରି ତ ମତେ କାମ କରିବାକୁ ହେବ । ଯାହେଉ ଆପଣ ଯେ ଲେଖା ପ୍ରକାଶ ପାଇବା ବିଷୟରେ ଆସି ନାହାନ୍ତି–ମୁଁ ଖୁସି । ନହେଲେ ଏଇନେ ମତେ ଅଧଘଣ୍ଟା ବକର ବକର ହେବାକୁ ପଡ଼ନ୍ତା । ଆପଣଙ୍କ ସହ । ଏଇ ପତ୍ରିକାର ମୁରବୀମାନଙ୍କୁ ବେଳେ ବେଳେ ମୋର ଗୋଟେ କଥା କହିଦେବାକୁ ଇଚ୍ଛା ହୁଏ–କି ହୋ ବାବୁ, ଏଇୟା ଯଦି ତମ ସୁନାମଧନ୍ୟ ପତ୍ରିକାର ପଲିସି, ତାହେଲେ ପତ୍ରିକା ଅଫିସ ସାମ୍ନାରେ ସାଇନବୋର୍ଡ ମାରିଦିଅ ଯେ କେବଳ ଅମୁକ ଅମୁକ ଗ୍ରେଡ଼ ଏତେ ଦରମା କିମ୍ବା ଅମୁକ ପଦବୀ ଯୋଗ୍ୟତା ଲାଗିଥିବା ବ୍ୟକ୍ତିଙ୍କ ଲେଖା ହିଁ ଏଇ ପତ୍ରିକାରେ ପ୍ରକାଶିତ ହେବ । ତାହେଲେ ବିଚାରା ବୁଢ଼ାଟିଏ ଏଇ ଟୋକାମାନଙ୍କ ସଙ୍ଗେ କେଁ କଟର ହେଉ ନଥିବ । ମିଛ କହିଦେଲେ କ’ଣ କାମ ଚଳେ ? ଜଣେ ଜଣେ ଅଛନ୍ତି ଆଜ୍ଞା ଜୋକ୍–ଠିକ୍‌ ମାସେ ପରେ ଆର ସଂଖ୍ୟା ଛପା ବେଳକୁ ଆସି ପଚାରିବେ ମୋ ଲେଖା କ’ଣ ହେଲା–କେତେ ଥର ଆଜ୍ଞା ସେଇ କଥା ସେଇ କଥା କହିହେବ ?

 

ଅରୁଣର ମନେପଡ଼ିଗଲା ବଡ଼ଭାଇଙ୍କ ଏଇ ସଂପର୍କୀୟ ଗୋଟେ ଚିଠି । ସେ ଥରେ ବିରକ୍ତ ହୋଇଯାଇ ପଚାରିଥିଲା–କଲେଜ ଛାଡ଼ି ବେକାର ହୋଇଯିବା ପରେ ତା ଲେଖା ଏଇନେ ଅମୁକ ଅମୁକ ପତ୍ରିକାରେ ପ୍ରକାଶିତ ହେଉନି ଯେ ଚାକିରି ମିଳିଲେ ହିଁ କ’ଣ ପ୍ରକାଶିତ ହେବ–ନା ବଡ଼ ଚାକିରିଆ, ମନ୍ତ୍ରୀ, ଏମ୍‌. ଏଲ୍‌. ଏ. କିମ୍ବା ସମ୍ପାଦକଙ୍କ ସଂପର୍କୀୟ କିମ୍ବା ସଂସ୍ଥାର ଚାମଚା ହେଲେ ? ତରୁଣ ଭାଇ ଅତି ସଂଯତ ଭାଷାରେ ଲେଖିଥିଲେ–

 

‘‘ଅରୁଣ । ଏସବୁ ବିଷୟରେ ଉପଦେଶ ଗୋଟାଏ ପୁଣି କଣ ? ଜୀବନ ଏମିତି କଟେଇବାକୁ ହେବ ଯାହା ଦେଖି ହିଁ ଲୋକେ କିଛି ଶିଖି ପାରିବେ । ଉପଦେଶ ଦ୍ୱାରା କିଛି ହୁଏ ନାହିଁ । ଗାନ୍ଧିଜୀଙ୍କ ଜୀବିତାବସ୍ଥାରେ ତାଙ୍କ ଜୀବନଯାପନ ରୀତି, ଭାରତବର୍ଷ କାହିଁକି ସାରା ପୃଥିବୀରେ ଅନେକଙ୍କ ଜୀବନର ଗତି ବଦଳାଇ ଦେଇଥିଲା । ଏଇନେ ତ ତାଙ୍କର ଉପଦେଶ ସବୁ ପଡ଼ିଚି, କିନ୍ତୁ ଦେଶ କେତେଦୂର ପ୍ରଭାବିତ ହେଉଚି ? ଏବେତ କେବଳ ସଭାମଞ୍ଚରେ ତାଙ୍କ ଛବି କିମ୍ବା ପ୍ରତିକୃତି ଉପରେ ଫୁଲମାଳ ଦେଇ ଭୋଟ ଭିକ୍ଷା କରାଯାଏ । ଏଇ ସଂପର୍କରେ ବୁଦ୍ଧଙ୍କ ଶେଷ ଜୀବନର ବାଣୀ (ତାଙ୍କର ଜଣେ ପ୍ରିୟ ଶିଷ୍ୟକୁ) ମନେ ପଡ଼ିଯାଏ–ଅନନ୍ୟ ଶରଣୋ ଭବ, ଆତ୍ମ ଦୀପୋଭବ । ଅର୍ଥାତ୍‌ ନିଜେ ସବୁକିଛି ଅନୁଧ୍ୟାନ କରିବାକୁ ଚିନ୍ତା କରିବାକୁ ହେବ । ନିଜେ ନିଜର ହିଁ ଶରଣାଗତ ହେବାକୁ ହେବ । ଅନ୍ଧକାର ଦୂର କରିବା ପାଇଁ ନିଜ ଜୀବନକୁ ହିଁ ଏକ ଦୀପ କରିବାକୁ ହେବ । ଅବଶ୍ୟ, ମହାପୁରୁଷମାନଙ୍କ ଜୀବନରୁ ଗୋଟାଏ ଗୋଟାଏ ଘଟଣା ବେଳେବେଳେ ଏଭଳି ଶିକ୍ଷା ଦେଇଥାଏ ଯାହା ଆମ ଇଚ୍ଛାଶକ୍ତିକୁ ଇସ୍‌ପାତ ଭଳି ଟାଣ କରି ଦେଇଥାଏ । ମୋର ଏଇନେ ତତେ କହିବା କଥା ହେଉଚି ନିଜେ ସ୍ଥିର ହୁଅ, ନିଜର ଜୀବନରେ ଅନ୍ଧକାର ଘୋଟି ଆସିବାବେଳେ ନିଜ ଭିତରେ ଥିବା ଆମୂଦୀପଟିକୁ ଜାଳ ।

 

ମତେ ଯାହା ପଚାରିଚୁ ନିଜକୁ ପଚାରେ ସବୁ ଜାଣି ପାରିବୁ । ତଥାପି ମୋ ମତ ଲେଖି ଦେଇଚି–ଉପଦେଶ ନୁହେ । ମୋ ଆଖିରେ ଆଜି କାଲି ସବୁ ଉଚ୍ଚ ଲାଳସାର ଭିକାରୀ ହୋଇ ଦେଶଟାକୁ ଖାଇ ସାରିଛନ୍ତି । ଭିକାରୀ ମୁଠେ ଭିକ ମାଗେ ପେଟ ଚାଖଣ୍ଡକ ପାଇଁ । କିନ୍ତୁ ଏଇନେ ଦେଶରେ ସର୍ବତ୍ର ବଞ୍ଚିହୋଇ ପଡ଼ିଛନ୍ତି କ୍ଷମତା, ପରଧନ, ପରସ୍ତ୍ରୀ, ଗାଡ଼ି, କୋଠା କାରଖାନା, ସର୍ବୋପରି ଭେଟର ଭିକାରୀମାନେ । ଏବଂ ଏମାନେ ସମସ୍ତେ ଯଶର ଭିକାରୀ ମଧ୍ୟ–ସମସ୍ତେ ଚାହାନ୍ତି ସାହିତ୍ୟିକ, କଳାକାର ବୋଲି ହଠାତ୍‌ ଅବତୀର୍ଣ୍ଣ ହୋଇଯାଇ ସରସ୍ୱତୀଙ୍କ ଗନ୍ତାଘରଟିକୁ ଦିନ କେଇଟାରେ ଲୁଟ୍‌ କରି ନେବାପାଇଁ–ଏଇ କର୍ମରେ ଦରକାର ହେଲେ ନିଜର ସମସ୍ତ ଶକ୍ତି, ଅର୍ଥ ଅସ୍ତ୍ରଶସ୍ତ୍ର ସୈନ୍ୟ ସେନାପତି ଖଟେଇ ଦେବା ପାଇଁ ତିଆର । ସର୍ବତ୍ର ଏକଏକ ଦଳ । ସୁବିଧା ଓ ସଂପର୍କ ମୁତାବକ ସଭିଏଁ ଗୋଟେ ଗୋଟେ ଏଷ୍ଟାବ୍ଲିଶମେଣ୍ଟ ଗଢ଼ି ତୋଳିଛନ୍ତି, ଯଦିଓ ସମସ୍ତେ ଚିତ୍କାର କରୁଛନ୍ତି ଏଷ୍ଟାବ୍ଲିଶମେଣ୍ଟ ବିରୁଦ୍ଧରେ । ହିପୋକ୍ରେସିର ଏଇ ଭିସିଅସ ସର୍କଲମାନଙ୍କ ଭିତରେ, ତୁ ଆତ୍ମୀୟତା ଅର୍ଚ୍ଚି ପାରିଲେ ତୋ ଲେଖା ବାହାରିପାରେ ହୁଏତ ଥରେ ଦୁଇଥର । କିନ୍ତୁ ନିଜକୁ ମନେମନେ ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲାଉଥିବା ଏବଂ ଅନ୍ୟମାନଙ୍କୁ ‘‘କିଛି ନୁହେଁ’’ ବୋଲି ବିଚାରୁଥିବା ଓ ପ୍ରଚାର କରାଉଥିବା ଏଇ ବ୍ୟକ୍ତି ଓ ଦଳ ବିଶେଷଙ୍କ ପରସ୍ପର ପ୍ରତି କାଦୁଅ ଫିଙ୍ଗାଫିଙ୍ଗି ଭିତରେ ତୁ ପଶିପାରିବୁ ନାହିଁ ବୋଲି ମୋର ଧାରଣା । ମୋର ତଳେ ପଚାରିବା କଥା–ଏବଂ ଏହା ତୁ ନିଜକୁ ବି ପଚାରିପାରୁ–ଯେ ଏଇଭଳି ବହୁଦିନ ଭିତରେ ପ୍ରବେଶ କରି ବହୁ ସମୟରେ ଖବର କାଗଜ ମାନଙ୍କରେ ନିଜ ନାମ ଛପା ହୋଇଥିବା ଦେଖି, ଏହି ଭଳି ଏଷ୍ଟାବ୍ଲିଶମେଣ୍ଟର କେନ୍ଦ୍ରରେ ଥିବା ବ୍ୟକ୍ତିବିଶେଷମାନଙ୍କ କୃପାରୁ କେଇ ଖଣ୍ଡ ମାନପତ୍ର କିମ୍ବା କିଛି ପୁରସ୍କାର ଯୋଗାଡ଼ କରି ତୁ କେବଳ ତୋ ଜୀବଦ୍ଦଶାରେ କେଇଦିନ ତୋ ନାମକୁ ବଞ୍ଚେଇ ରଖିବ ଚାହୁଁ, ନା ଆମେ ଦୁହେଁ ଏକତ୍ରିତ କଥା ହୋଇଥିବା ନଚିକେତା ଉପାଖ୍ୟାନ (କଠୋପନିଷଦ) ର ଶ୍ରେୟ ମାର୍ଗରେ ଯାଇ ମରିବା ପରେ ବି ତୋ ନାମକୁ ବଞ୍ଚେଇ ରଖିବା ଚାହୁଁ ? ଯଦି ପ୍ରଶ୍ନର ସଠିକ ଉତ୍ତର ତୁ ଦେଇପାରୁ, ତାହେଲେ ମୋର ମନେ ହେଉଚି, ତୁ ନିରୁତ୍ସାହିତ ନହୋଇ ନିଜ ସାଧନାରେ (ସଂଗଠନ କାମରେ) ମନ ଦେ ଏବଂ ଏଷ୍ଟାବ୍ଲିଶମେଣ୍ଟମାନଙ୍କୁ କେନ୍ଦ୍ରକରି ସବୁ ପ୍ରକାର ସରକାରୀ, ଅଫିସରିଆ ସାହାଯ୍ୟ ପାଇ ପଟେ ଫୁଲାଇ ବସିଥିବା ପତ୍ରିକାମାନଙ୍କ ପଛରେ ନଗୋଡ଼େଇ, ସରଳ ସୁବୋଧ୍ୟ ଭାଷାରେ ଛୋଟ ଛୋଟ ସାହିତ୍ୟ ପତ୍ରିକାରେ ସରଳ ଅସତ୍ୟ ଅନ୍ୟାୟ ବିରୁଦ୍ଧରେ ମନୁଷ୍ୟତା ସପକ୍ଷରେ ଲେଖ । ସଂଖ୍ୟା ବିକ୍ରି ବା ସରକୁଲେଶନ ବଡ଼କଥା ନୁହେ–ଭଲ ଲେଖା ଠିକ୍ ଜାଗାରେ ପହଞ୍ଚିବ, ସନ୍ଦେହ ନାହିଁ ।

ତରୁଣ ଭାଇଙ୍କ ଏଇ ଚିଠି କଥା ଭାବୁଭାବୁ ଅରୁଣ ପତ୍ରିକା ଅଫିସଟାର ଏଣେତେଣେ ଆଖି ବୁଲାଇ ନେଇ ସାରିଥିଲା । ସେ ରାସ୍ତାକୁ ଫେରିଲା । ତାକୁ ଏଇନେ ଅଳକା ଘରକୁ ଯିବାକୁ ହେବ ଯେ–

ସିଡ଼ି ଦେଇ ଅରୁଣ ଦି ମହଲାକୁ ଉଠିଗଲା । କି ସୁନ୍ଦର ପରିପାଟିରେ ସଜା ହୋଇଥିବା ସୁନ୍ଦର ଆଲୋକମଣ୍ଡିତ ତିନୋଟି ବଡ଼ କୋଠାରୀ ଏବଂ ଏକ ପଢ଼ାଘର ।

ଅଳକା ଏବଂ ଅଳକାର ବଡ଼ ଭଉଣୀ ଶୋଭା ଉପରେ ରହନ୍ତି । ତଳ ଘରେ ଡ୍ରଇଂରୁମ, ବାପା ମାଁଙ୍କ ଅଲଗା ଅଲଗା କୋଠରୀ, ସରଭେଣ୍ଟସ୍‌ କ୍ୱାଟର, ରନ୍ଧାଘର, ଷ୍ଟୋର, ବଗିଚା, ଇତ୍ୟାଦି-

ଅଳକାର ଘରେ ତାଲା । ପଢ଼ାଘର ବନ୍ଦ । ଏମାନେ ସବୁ କୁଆଡ଼େ ଗଲେ ? ଅଳକାର ବଡ଼ ଭଉଣୀକୁ ଶୋଭାଦି ବୋଲି ସେ ଡାକେ । ଶୋଭାଦି ଘରେ ତ ବତୀ ଜଳୁଚି । ଅରୁଣ ଭାବିଲା ଶୋଭାଦି ସହ ଦେଖା କରି ଚାଲିଯିବ ।

ଶୋଭାଦିର କୋଠରୀ ଆଗରେ ପହଞ୍ଚୁ ପହଞ୍ଚୁ ଶୋଭାଦି ଆସି ତା ସାମ୍ନାରେ ହାଜର । ବୋଧେ ଉପରକୁ କେହି ଆସିଥିବା ପଦଶବ୍ଦ ଶୋଭାଦି ଶୁଣି ପାରିଥିଲା ।

–ଆରେ ଅରୁଣ ତୁ ? ଯାହା ହେଉ ଏଇ ଉପରଟାରେ ମୁଁ ଏକା ଏକା ମନେ କରୁଥିଲି-। ତଳେ ମାଟି ଓ ଚାକରାଣୀ ଶୋଇଚନ୍ତି ଯେ ସେମାନଙ୍କ ସହ କଣ ଆଳାପ ଜମେ ? ଡାର୍ଡି, ମମି, ଅଳକା ସବୁ ଯାଇଛନ୍ତି କ୍ଲବକୁ, କଣ ବିଶେଷ ଫଙ୍କସନ ଅଛି । କ୍ଲବ ମାନେ ତ ମଦ ଓ ତାପରେ ଯାହାକୁ ଯାହା କରି ଆସିଲା–ତାପରେ ଆଜି ପୁଣି ବିଶେଷ ଦିନ । ଛାଡ଼, ଭିତରକୁ ଆସ–କେଇଦିନ ହେଲା ଦେଖା ନଥିଲା ଯେ–

–ମୁଁ ଟିକେ ଗାଁ ଗହଳକୁ ଚାଲିଯାଇଥିଲି । ଦୁହେଁ ଭିତରକୁ ଯାଉ ଯାଉ ଅରୁଣ କହିଲା–

–ତମର ସେ ସଙ୍ଗଠନ କାମରେ ବୋଧେ । ଶୋଭା ବସିଗଲା ଖଟରେ ଏବଂ ଚେୟାରରେ ବସିବା ପାଇଁ ଅରୁଣକୁ ଆଂଗୁଠି ଦେଖାଇ କହିଲା ।

–ହଁ, ଏମିତି ମେ ପଡ଼ିଗଲା । ସେମାନଙ୍କୁ ଥରେ ଦେଖି ଆସିଲି । ଅରୁଣ ବସୁ ବସୁ କହିଲା ।

–ତୁ କଣ ଏମିତି ଏମିତି ଜୀବନଟା କଟେଇ ଦେବୁ ଭାବିଚୁ ? କଣ ଯେ ଆଜି କାଲି ତୋ’ଭଳି ତରୁଣମାନେ ଚିନ୍ତା କରୁଛନ୍ତି ଏତେ, ମୁଁ କିଛି ବୁଝିପାରୁନି । ଯେଉଁଠି ଦେଖ ଛକମାନଙ୍କରେ, କଲଉର୍ଟମାନଙ୍କରେ ଚାହା ଦୋକାନରେ ସିନେମା ହଲ ଆଖପାଖରେ ଗପ, ସିଗାରେଟ ପିଆ–କେତେବେଳେ ଶୁଣିବ ବସରେ ନିଆଁ ଲାଗିଚି ତ କେତେବେଳେ କାହାକୁ ଛୁରାମାଡ଼, ସାଇକଲ ଚେନ୍‌ରେ ବାଡ଼ିଆ–

–ଦେଶରେ ଏଇ ତରୁଣ ସମ୍ପ୍ରଦାୟମାନଙ୍କ ପାଇଁ ଯେ କିଛି ଭବିଷ୍ୟତ ନାହିଁ ଶୋଭାଦି । କେବଳ ଟାଉଟରମାନଙ୍କ ଭବିଷ୍ୟତ ହିଁ ଏଇଠି ଭଲ–ତାହାହିଁ ସେମାନଙ୍କ ଚିନ୍ତା । ସେମାନେ ତ କିଛି ନା କିଛି କରିବେ । ଯୌବନ ଓ ତାରୁଣ୍ୟ କେବେ ବାନ୍ଧିହୋଇ ବସି ରହିପାରେନି । ସେମାନେ ଭଲଭାବେ ଜାଣନ୍ତି ଯେ ଉପରୁ ତଳ ଯାଏଁ ଗୋଟିପଣ ଭ୍ରଷ୍ଟ ଅର୍ଥନୈତିକ ସାମାଜିକ ଶାସନଗତ ଅବ୍ୟବସ୍ଥା ।

 

–ତୁ କଣ ଭାବୁଛୁ ଅରୁଣ ଏଭଳି ଚିନ୍ତାରେ କିଛି ଲାଭହେବ ?

 

–ମୁଁ ବିଶ୍ୱାସ କରେ ଯେ ଏଇ ଅସନ୍ତୋଷ ଭିତରୁ ହିଁ ସ୍ୱାଭାବିକ ଭାବେ ଏକ ନୂତନ ବିପ୍ଳବର ସୁତ୍ରପାତ ହେବ–ଠିକ୍‌ ରାସ୍ତାରେ ପଡ଼ିଥିବା ଗୋଟାଏ ହେଲେ ପଦକ୍ଷେପ ବ୍ୟର୍ଥ ହୁଏନି ଶୋଭାଦି–ଧୈର୍ଯ୍ୟ ଓ ସାହସ ସହ ଅପେକ୍ଷା କରିବାକୁ ହେବ ।

 

–କେଜାଣି ମତେ ଏସବୁ ଭଲ ଲାଗେନି–ଛାଡ଼–ଆଉ କିଛି କୁହ ।

 

–ଆଉ କ’ଣ କହିବି ।

 

–ଆରେ ହଁ, ଗତ ସପ୍ତାହରେ ମୋ ଜନ୍ମଦିନ ପାଳନ ନିମନ୍ତ୍ରଣ ତ ଅଳକା ନିଜେ ଦେଇ ଆସିଥିଲା, ତୁ ଆସିଲୁନି ?

 

–ମୋର ବାହାରେ ଟିକେ କାମଥିଲା ।

 

–ମିଛ–ସେତେବେଳେ ତୁ ଏଇ ସହରରେ ଥିଲୁ ମୁଁ ଭଲ ଭାବେ ଜାଣେ–ଯେଉଁ କବିତା ବହିଟା ପଠାଇ ଦେଲୁ ଖୁବ୍‌ ଭଲ ଚୟସ୍‌–ତା ବୋଲି ଟିକେ ଆସି ପାରିଲୁନି ?

 

ଅଳକାର ବଡ଼ ଭଉଣୀ ଶୋଭା ଦୁଇ ବର୍ଷ ଇଂରାଜୀ ସାହିତ୍ୟର ଅଧ୍ୟାପିକା ଥିଲେ ଏକ ବେସରକାରୀ କଲେଜରେ । ତାପରେ ଏଇନେ ଏଠିକା ଏକ ବ୍ୟାଙ୍କରେ ଉଚ୍ଚ ଚାକିରି ପାଇଛନ୍ତି । ଦିନେ ଦିନେ ଅଳକା ନଥିବା ବେଳେ ତାଙ୍କ ସହ କବିତା ସଂପର୍କରେ ଆଲୋଚନା ହୁଏ । ସେ ରିସେଣ୍ଟ ଆମେରିକାନ ପୟେଟ୍ରି କଥା କହନ୍ତି । ମହିଳାଙ୍କ ଗାଇବା କଣ୍ଠ ସ୍ୱରଟି ଖୁବ୍‌ ଭଲ । ‘‘ଫାଇଭ ଓମ୍ୟାନ ବେଥିଂ ଇନ ଦ ମୁନ୍‌ଲାଇଟ’’, ‘‘ଇନ ଦ ଫରେଷ୍ଟ୍‌ ସ୍ନୋ ଫଲ ଅଫ ଦ ଇୟର’’ ପ୍ରଭୃତି ତାଙ୍କ ପ୍ରିୟ ଗୀତ ସେ ଖୁବ୍‌ ମନପ୍ରାଣ ଦେଇ ଗାଆନ୍ତି । ଅରୁଣର ମନେ ହୁଏ, ସେଇ ‘ଫାଇଲ ଓମ୍ୟାନ’’ ଗାଇବାବେଳେ ସେ ଯେମିତି ଦେଖିପାରେ ନୂତନ କୁହେକି ଭଳି ଅବିରଳ ଜୋଛନା ବୃଷ୍ଟି ଭିତରେ ସକଳ ସୌନ୍ଦର୍ଯ୍ୟ ନେଇ ଏକ ଉପତ୍ୟକାରେ ପରିକ୍ରମା କରୁଥିବା ପାଞ୍ଚଜଣ ଯୁବତୀଙ୍କୁ । କିମ୍ବା ଦ୍ୱିତୀୟ କବିତା ପଢ଼ିବାବେଳେ ସେ ଦେଖିପାରେ ସୁବିଶାଳ ପ୍ରାନ୍ତରରେ ତୁଷାରପାତ ।

 

ଶୋଭାଦିତ କଣ୍ଠସ୍ୱର, ଆଖିରେ ତାର ଦୁଃଖ, ଦୁଃଖୀ ମନୋଭାବ ଅରୁଣକୁ ବେଳେବେଳେ ଏକ ଅନ୍ୟ ଜଗତକୁ ଯେପରି ନେଇଯାଏ । ଏଭଳି ଏକ ମୋହଚ୍ଛନ୍ନଭାବ ସହ ଗାନ ଶେଷହେବା ପରେ ତାରି ଆଡ଼େ ଅନେକ ସମୟ ଧରି ଏକ ଦୃଷ୍ଟିରେ ଶୋଭାଦିର ଚାହିଁ ରହିବା ଭଙ୍ଗିରୁ ଅରୁଣ ମନରେ ଏକ ରକମ ଭୟ ଜାତ ହୁଏ–ଯେମିତି ସେ ନିଜକୁ ହରାଇ ବସିବାକୁ ଯାଉଚି । ଯେମିତି ବୀଣାବାଦନ ଶୁଣି ବଶୀଭୂତ ହୋଇଥିବା ସାପକୁ କେହି ବୀଣାବାଦକ ଧରିନେଇ ପେଡ଼ି ଭିତରେ ରଖି ଦେବାକୁ ଚାହୁଁଚି ସବୁଦିନ ପାଇଁ, ସେଭଳି ଏକ ଭୟରେ ଅରୁଣ ଉଠି ପଡ଼ି ଚାଲଯାଏ କିଛି ଗୋଟେ ଆଳରେ । ଯଦିଓ ଶୋଭାଦିର ଶାରୀରିକ ସୌନ୍ଦର୍ଯ୍ୟ ଏତେ ଅଧିକ ଯେ ରାସ୍ତାରେ ଚାଲିଯିବା ବେଳେ କେହି ତାରି ଆଡ଼େ ଦଣ୍ଡେ ନ ଚାହିଁ ରହି ପାରିବନି, କେଜାଣି କାହିଁକି ଏକା ଏକା ତା ସହ ଆଳାପ କରିବା ଅବସରରେ ଅରୁଣ ନିଜକୁ ହରାଇ ବସିବା ଭଳି ଏକ ଭୟ ଅନୁଭବ କରେ । ଶୋଭାଦି ତୁଳନାରେ ଅଳକା ବୟସରେ କମ ହେଲେ ବି ଚେହେରାରେ ଫ୍ଲଟ–କଥାବାର୍ତ୍ତାରେ ସାଧାସିଧା ।

 

ପ୍ରକୃତରେ ଅଳକା ସେଦିନ ନିମନ୍ତ୍ରଣ କାର୍ଡଟା ବଢ଼େଇ ଦେଇ କହିଲା–ନିଶ୍ଚୟ ଆସିବ-। ନହେଲେ ଅପା ମୋ ଉପରେ ରାଗିବ ।

 

–ତମ ଉପରେ କାହିଁକି ରାଗିବ ?

 

–କହିଚି ‘‘ଯେକୌଣସି ମତେ ଆସିବାକୁ କହିବୁ !’’ ମତେ ଟ୍ୟୁସନ ପଡ଼ାଉଚ ବୋଲି ଅପାଟା ଭାବୁଚି ମୋର ତମକୁ କହିବା ପାଇଁ ଜୋର ଅଛି–ଯିବ କି ନାହିଁ କୁହ ।

 

–ଦେଖିବି ।

 

–ଦେଖିବ କଣ ମ ? ମୁଁ କଣ କହିବି କୁହ ।

 

–ମୁଁ ଯାହା କହିଲି ।

 

–ତମେ ତ ଦେଖୁଚି ଅପାକୁ ଡରୁଚ ନୁହେ ? ଅପା କିନ୍ତୁ ତୁମକୁ ଖୁବ୍‌ ଚାହେଁ–ତମ ପ୍ରଶଂସା କରେ, ତମକୁ ଭଲ ପାଏ ।

 

–ଦୁର୍‌ ବୋକୀ । ତୁ କିଛି ବୁଝୁନା–ଖାଲି ଯାହା ପାଟିକୁ ଆସିଲା ଗପୁ । କହିଦେବୁ ଗୋଟେ ଜରୁରୀ କାମରେ ଯିବା ଆଗରୁ ସ୍ଥିର ହୋଇ ସାରିଚି । ସୁବିଧା ହେଲେ ସେଇ କାମକୁ ନ ଯାଇ ବି ଆସିବେ ।

 

–ହେଇ–ନ ଆସିଲେ, ଇଚ୍ଛା କଲେ ଟ୍ୟୁସନ ଚାକିରିଟା ନଟ କରିଦେବ ଅପା–ସେ ଯାହା କହେ, ତାଡ଼ି ଶୁଣନ୍ତି–

 

–ନଟ୍‌ ହେବା ଆଗରୁ ମୁଁ ଏଇ ସହର ଛାଡ଼ି ଚାଲି ଯାଇଥିବି–ଜାଣୁ ?

 

–ମିଛରେ ଏମିତି କହିଦେଲିନା–ତମେ ସହର ଛାଡ଼ି ସତରେ ଚାଲିଯାଉଛ ? ଅପା ଜାଣିଲେ ଖୁବ୍‌ ଦୁଃଖ ଅନୁଭବ କରିବ ।

 

–ଆଉ ତୁ ?

 

–ମୁଁ ଘରେ କିଏ ? ସବୁ ଅପା କଥାରେ ଚଳନ୍ତି ।

 

–ତୋର ଦୁଃଖ ହେବ ତ ?

 

–ତା ହେବ ।

 

ପ୍ରକୃତରେ ଶୋଭାଦି ଠିକ୍ କହିଛନ୍ତି । ଜାଣିଚନ୍ତି ଯେ ସେ ଏଇ ସହରରେ ଥାଇ ବି ଆସିନାହିଁ । ତାର ପ୍ରଶ୍ନର ଉତ୍ତର ନ ପାଇଥିବା ହେତୁ ଶୋଭାଦି ପୁଣି ପଚାରିଲେ–ଅରୁଣ ତମେ ସତ କରି କୁହ । ତମେ ମତେ ଟିକେ ଭୟ କର କାହିଁକି ? ମୁଁ ତମକୁ କେତ ସ୍ନେହ କରେ, କେତେ ଭଲ ପାଏ ଜାଣ ?

 

–ତମେ ଦିଦି–ତମେ ଅଳକାଠୁ ବୟସରେ ଖୁବ୍‌ ବଡ଼ ନା ମତେ ଟିକେ ଭୟ ଲାଗେ । ଅରୁଣ ଅଣ୍ଡାଳି ଅଣ୍ଡାଳି କିଛି ଶବ୍ଦ ସଂଗ୍ରହ କରି ଯେମିତି କହିଲା ।

 

–ବୋଗସ୍‌–ନା, ଆଉ କିଛି କୁହ ତମେ ବୁଫ ଦେଉଚ ।

 

–ଓଃ–ଦିଦି । ତମେ ମତେ ଚାହା କି କଫି ଖୁଆଅ ତ । ମୁଁ ଏଇ ସମୟ ଭିତରେ ଭାବିଚିନ୍ତି କହିବି ।

 

–ଆରେ ସତତ । ଏଯାଏଁ ମୁଁ ବି ଭୁଲିଯାଇଚି ।

 

–ଚାଲ ସେଇ ଶୋଇବା ଘରକୁ–ସେଠି ହିଟର ଅଛି । କଫି କରି ଖାଇବା ।

 

ଅରୁଣକୁ ଶୋଇବା ଘର ଆଡ଼େ ଆଗେଇ ନେଇ ହିଟରରେ ପାଣି ବସେଇ ଶୋଭାଦି କହିଲେ–ମୁଁ ଟିକେ ବାଥ ରୁମରୁ ଆସେ–ଗୋଟାଏ ମିନିଟ୍‌ । ଟିକିଏ ଧୁଆ ଧୋଇ ନହେଲେ ଭଲ ଲାଗିବନି–

 

ଶୋଭାଦି ଉଠି ଚାଲିଯିବା ବେଳେ ଅରୁଣ ସେଇ ଆଡ଼େ ଦେଖି ଭାବିଲା ଶୋଭାଦିର ବୟସ ପ୍ରାୟ ତିରିଶ ହୋଇ ଆସିଥିଲେ ହେଁ ଏବେବି ଶରୀରଟା ଶ୍ରାବଣର ଭରା ନଈଭଳି । ଟିକିଏ ଭାରି ଅବଶ୍ୟ, କିନ୍ତୁ ଦେହର ପ୍ରତି ରେଖା ସୁସ୍ପଷ୍ଟ, ଚେହେରା, ରଙ୍ଗପୁର ଯଥେଷ୍ଟ ଉଜ୍ଜଳ ଓ ଅମଳିନ ।

 

ହଠାତ୍‌ ଚମକି ଉଠେ ଅରୁଣ । ଶୋଭାଦି ତାକୁ ବସେଇଥିବା, ସୁବାସରେ ମୁହଁକୁ ଥିବା ଖଟ ଉପରେ ନବକୋଇଙ୍କ ‘‘ଲୋଲିଟା’’ ବହି ଅଧା ପଢ଼ା ହୋଇ ଥିୁଆ ହୋଇଚି । ଅରୁଣ ଭାବିଲା-। ସମୟ କଟେଇବା ପାଇଁ ପୃଥିବୀର ସାହିତ୍ୟ ରାଜ୍ୟରେ ଏତେ ବଡ଼ ବଡ଼ ଥାଉ ଥାଉ ଏଇ ନିଃସଙ୍ଗ ସମୟଟାରେ ଏଭଳି ବହି ପଡ଼ୁଚି କାହିଁକି ଶୋଭାଦି ?

 

ବାଥରୁମର କବାଟ ବନ୍ଦ ହେବା ଅରୁଣ ଶୁଣି ପାରିଲା ସେ ନିଜକୁ କେମିତି ଟିକିଏ ଏକାକୀ ଓ ଅସହାୟ ମନେ କଲା । ଗୁଣୁ ଗୁଣୁ ହୋଇ ଗୋଟେ ସ୍ୱର ମନେ ମନେ ଧରିଲା । କବାଟ ପାଖେ ଶୋଭାଦିର ପଦଶବ୍ଦ ତା କଣ୍ଠରେ ସ୍ୱର ପୁଣି ବନ୍ଦ କରିଦେଲା ।

 

ଶୋଭାଦି ଆସି ଦଣ୍ଡେ ଠିଆ ହେଲା ଅରୁଣର ମୁହାଁ ମୁହିଁ ହୋଇ, ତା ଆଖିରେ, ମୁହଁରେ ମୁକ୍ତାଭଳି ଜଳବିନ୍ଦୁ–ଦେହରେ ଭିଜା ଶାଢ଼ି । ଅରୁଣର ମନ ଭିତରେ ସେଇ ଭୟଟା ପୁଣି ଜାଗି ଉଠିଲା–କି ସର୍ବନାଶୀ ସୌନ୍ଦର୍ଯ୍ୟ !

 

ଶୋଭାଦି ସେମିତି ଭିଜାଶାଢ଼ିରେ ହିଁ କଫିକଲା । କେଇଟା ଅଣ୍ଡା ଆର ଘରୁ ଆଣି ଭାଙ୍ଗିଲା–କ’ଣ କଲା ଅରୁଣ ଜାଣେନା–ଆମଲେଟ ହୋଇଥିବ । ଅରୁଣର ଆଖି କେତେବେଳେ ସ୍ଥିର, କେତେବେଳେ ଶୋଭାଦିର ଚଳମାନ ଶରୀରକୁ ହିଁ ଅନୁସରଣ କରୁଥିଲା ।

 

ତାପରେ ଶୋଭାଦି ଓଦା ଲୁଗା ପାଲଟି ଦେଇ ପତଳା ଶାଢ଼ି ପିନ୍ଧି, କସ୍‌ମେଟିକସ ମାଖି ମୁଣ୍ଡାଇ ଖୋଲା ବାଳ ପିଠିରେ ସେମିତି ଉଡ଼ି ଉଡ଼ି ଖେଳିବାକୁ ଛାଡ଼ିଦେଇ ଅରୁଣ ସାମ୍ନାରେ ଦୁହିଁଙ୍କ ପାଇଁ ଆମଲେଟ ଓ କଫି ଆଣି ଥୋଇଲା ।

 

–ନେ ଉଠା । ଚଞ୍ଚଳ ଖାଇ ଦିଅ । କିନ୍ତୁ ମୋ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ହେବ ଅରୁଣ । ଆଜି ମୁଁ ତତେ ଏମିତି ଛାଡ଼ି ଦେବିନି । ଉତ୍ତର ଯଦି ଠିକ୍‌ ନ କରିଚୁ, ତାହେଲେ ଏଇନେ ଭାବିଚିନ୍ତି ଠିକ୍‌ କରିଦେ ।

 

–ହଁ, ମୁ ଭାବୁଚି । ଅରୁଣ କହିଲା–

 

ଖାଇବା ଶେଷ ହୋଇଯିବା ପରେ ଶୋଭାଦି ଆସି ଅରୁଣ ସାମ୍ନାରେ ଖଟଉପରେ ବସି ଯାଇ ପଚାରିଲା–କହ ତୁ, ଏମିତି ଭୟ କରୁ କାହିଁକି ? ଅଳକା ସହ ତ ଖୁବ୍‌ ଫ୍ରି–

 

–ସେଇଟା ବୋକିଟାଏତ ଖୁବ୍‌ ଫ୍ରି–

 

–ଆଉ ମୁଁ ? ମୋଠି ଭୟ କରିବା କ’ଣ ଅଛି ?

 

–ସତ କହିବାକୁ ଗଲେ ଶୋଭାଦି–ତମ ରୂପ ଦେଖିଲେ ମୁଁ ଅବାକ୍‌ ହୋଇଯାଏ–ଏତେ ରୂପ ! ମୋର ଭୟ ହୁଏ, ସୂର୍ଯ୍ୟ କୀରଣରେ ଶିଶିର ବିନ୍ଦୁ ଯେମିତି ଅଦୃଶ୍ୟ ହୋଇଯାଏ, ସେମିତି ମୋ ଭିତରର ନିଜତ୍ୱଟି କାଳେ ଉଭେଇଯିବ ତମ ସାମ୍ନାରେ ବସି ତମକୁ ଚାହିଁ ରହିଲେ । ଭୟରେ ମୁଁ ଉଠି ଚାଲିଯାଏ ।

 

–ବାଃ, ତୁ ବଡ଼ ଅଦ୍‌ଭୁତ ପିଲାତ । ରୂପରେ ସିନା ପତଙ୍ଗ ଭଳି ଝାସ ଦେବାକୁ ସଭିଏ ଦଉଡ଼ନ୍ତି ତୁ ତ ଠିକ୍‌ ଓଲଟା । ତୁ ବୋଧେ ଖୁବ୍‌ ସେଲଫ୍‌–କନସିଅସ ।

 

–ନିଜକୁ ଟିକେ ଜଗିବାକୁ ହେଉଚି, ଆଉ କଣ ?–ତମେ ଚଞ୍ଚଳ ବାହା ହୋଇପଡ଼ ଶୋଭାଦି ।

 

ଶୋଭାଦି ଖିଲି ଖିଲି ହସି ଶେଯରେ ଗଡ଼ିଗଲା ଏବଂ ଖଟରେ ବସିଥିବା ଅରୁଣର ହାତ ଧରିନେଇ–କହିଲା ଏଇ ଦେହର ଏତେ ରୂପ ହିଁ ମତେ ଏଯାଏଁ ବାହା କରେଇ ଦେଉନି–ଅରୁଣ–ଜାଣିବାକୁ ଚାହୁଁ କେମିତି ? ଶୁଣ । ସ୍କୁଲ କଲେଜରେ ପଢ଼ିବା ବେଳେ ପୁଅପିଲାଙ୍କୁ ଜଳେଇ ଜଳେଇ ମାରିବା ଖେଳ ଅତି ନିଷ୍ଠୁର ଭାବେ ମୁଁ ଖେଳିଚି । କିଏ ପ୍ରକୃତରେ ଭଲ ପାଉଥିଲା, କିଏ ନୁହେ, ଏକଥା ବି ନଭାବି ସମସ୍ତଙ୍କ ଜ୍ୱାଳା ଯନ୍ତ୍ରଣା ଦେଖି ଖିଲ ଖିଲ ହସିଚି–ମନରେ ଖୁବ୍‌ ଗର୍ବ ଥିଲାତ । ଗୋଟେ ପୁଅ ଆତ୍ମହତ୍ୟା କଲା–ପ୍ରଥମେ ତାକୁ ଭଲ ପାଇବା ଭଳି ଦେଖେଇ ହୋଇ ପରେ ଅନ୍ୟ ଜଣକୁ ଭଲ ପାଇବା ଅଭିନୟ କରି ତାକୁ ତାତ୍ସଲ୍ୟ କରିଥିବାରୁ । ଆଜି ଏଇ ବୟସରେ ତାରି କଥା ଭାବିଲେ ଦୁଃଖ ହୁଏ–କିନ୍ତୁ ସେତେବେଳେ ଯେମିତି ଚଣ୍ଡାଶୋକ ଭଳି ନିର୍ଦ୍ଦୟୀର ବିଜୟ ଚାହୁଁଥିଲି । ସେଦିନ ବାପା ଧମକେଇବାରୁ ମୁଁ ବି ଚିଡ଼ିଗଲାଭଳି କହିଥିଲି–ମୁଁ କଣ ଆଉ ରାସ୍ତାରେ ଯାଆସ କରିବିନି ନା କାହାସଙ୍ଗେ ପଦେ କଥା ହେବିନି । ଏଥିପାଇଁ ଯଦି କିଏ ମରିବ, ମୁଁ କଣ କରିବି ବାପା ? ତମେ ବରଂ ମତେ ଆଉ କଲେଜରେ ପଢ଼ାଅ ନାହିଁ । ଦଣ୍ଡେ ଅଟକି ଯାଇ ଶୋଭାଦି ପୁଣି କହିଲା–ତାପରେ ତ ଅରୁଣ, ଅଧ୍ୟାପିକା ହେଲି ଦୁଇ ବର୍ଷ–ବାପା ଖୋଜିଲେ ମୋ ରୂପ ଓ ଆମ ଷ୍ଟାଟସ୍‌ ପାଇଁ ଉପଯୁକ୍ତ ବର । ଯାହା ତାଙ୍କ ମନକୁ ପାଇଲା ତାହା ମୋ ମନକୁ ପାଇଲାନି, ଯାହା ମୋ ମନକୁ ପାଇଲା ତାହା ମାଁ ବାପାଙ୍କ ମନକୁ ପାଇଲାନି । ଆଉ ଏଇନେ ତ ବେଙ୍କରେ ଏତେ ବଡ଼ ଚାକିରି । ମନ ଲାଖି ବର କେଉଁଠି ମିଳୁଚି କହ ? ତାଛଡ଼ା କେହି କେହି ବରପକ୍ଷ ବି କହିଲେଣି ମତେ କୁଆଡ଼େ ଅଧିକ ବୟସ ହୋଇ ଗଲାଣି ।

 

ଶୋଭାଦିର ହାତ କେବଳ ଅରୁଣର ହାତ ଧରି ସାରି ନଥିଲା, ଦେହ ମଧ୍ୟ ବସିଥିବା ଅରୁଣର ଦେହ ସହ ଏଇ ଭିତରେ ଲାଗି ଆସିଥିଲା । ଅଧିକ ଉଷ୍ମ ମନେ ହେଉଥିଲା ଶୋଭାଦିର ଦେହ–ଅଧିକ ନରମ ମଧ୍ୟ । ଶାୟିତା ଶୋଭାଦିର ଶାଢ଼ି ଅନେକ ଜାଗାରୁ ଖସି ଆସିଥିଲା । ସବୁ ଯେମିତି ଅବିନ୍ୟସ୍ତ ଖୋଲା ଖିଲି ଖିଲି ହସରେ । ପୂରା ଘୁରୁଥିବା ଫେନତଳେ ବସିବି ଅରୁଣର ଦେହ ଘର୍ମାକ୍ତ ହୋଇ ଆସୁଥିଲା–

 

–ଇଫ୍‌ ୟୁ ଡୋଣ୍ଟ ମାଇଣ୍ଡ ଅରୁଣ, ମୋ କପାଳରେ ଟିକେ ହାତ ଦେଲୁ । ବୋଧେ ଗାଧୋଇ ଓଦା ଦେହରେ ଅଧିକ ସମୟ ରହିଯିବା ଫଳରେ ମୁଣ୍ଡ ଟିକେ ଜୋର୍‌ରେ ଧରିଚି ।

 

ଯନ୍ତ୍ରଣାକାତର ଶୋଭାଦିର କଥା ଗୁଡ଼ିକ ନିପୁଣ ଭାବେ ଅରୁଣକୁ ଆହତ କଲା । ସେ ଭାବିଲା ଏଇନେତ ଶୋଭାଦିର ଦେହ ଖରାପ–ଚାଲିଯାଇ ହେବନି । ସେ ହାତ ରଖିଲା ଶୋଭାଦିର କପାଳରେ । ଶୋଭାଦିର ଦେହରୁ ଏକ ସୁଗନ୍ଧ ଉଠି ଆସୁଥିଲା–ଯେମିତି ସୁଗନ୍ଧ ପ୍ରଥମ ବୃଷ୍ଟିପାତ ପରେ ଫସଲ କ୍ଷେତରୁ ଉଠି ଆସେ ।

 

–ଶୋଭାଦି ଖୁବ୍‌ ଉଷୁମ ତମ କପାଳ ।

 

ଶୋଭାଦି ତା ହାତଟା କପାଳରୁ ତଳକୁ ଖସାଇ ଦେଲା ବେକ ପାଖକୁ–ଦେଖିଲୁ କେତେ ଗରମ ।

 

–ହଁ, ଶୋଭାଦି । ଅରୁଣ ଯନ୍ତ୍ରବତ୍‌ କହିଲା ।

 

ତାପରେ ହଠାତ୍‌ ଶୋଭାଦିର ହାତର ଏକ ଧକ୍‌କାରେ ଯେପରି ଅରୁଣର ହାତ ନରମ ଶେଯର ସେଇ ସମୁଦ୍ର ଉପରେ ଉଙ୍କି ମାରୁଥିବା ପାହାଡ଼ ଭଳି ଜାଗ୍ରତ ଉନ୍ନତ ସ୍ତନଚୁଡ଼ା ଉପରେ ପଡ଼ିଲା । ଶୋଭାଦିର ନିମିଳୀତ ଆଖି ଜଳିଉଠିଲା । ତା ମୁହଁ, ସାଗ ଶରୀର ମଧ୍ୟ ଏକ ଅଦମ୍ୟ ଆକାଙକ୍ଷାରେ । ଦୂରରୁ–ବହୁ ଦୂରରୁ–ଶୋଭାଦିର ଅବଚେତନ ମନ ଭିତରୁ ତା ଇଚ୍ଛା ଅନିଚ୍ଛାକୁ ଅପେକ୍ଷା ନକରି କିମ୍ବା ତା ଅଜାଣରେ ଭାସି ଆସୁଥିଲା କେଇ ପଦ–ଅରୁଣ, ଆଇ ଏମ୍‌ ଟାୟର୍ଡ ଅଫ ବିଲଙ୍ଗ ଲୋନ୍‌ଲି ଏଣ୍ଡ ଅନହ୍ୟାପି–ପ୍ଲିଜ–ଅରୁ–ପ୍ଲିଜ–

 

ଅରୁଣର ଦେହ ଭିତରେ ଯେପରି ବିସ୍‌ଫୋରଣ ଘଟିଲା । ସ୍ୱପ୍ନର ପାହାଡ଼, ଅଟାଳିକା ଯେପରି ଭାଙ୍ଗିଗଲା ଏକ ଭୂମିକମ୍ପରେ । ଯେପରି ପତଙ୍ଗ–ଫୁଲର ଆମନ୍ତ୍ରଣ ନ ରଖି ରହି ପାରୁନି-। ତା ଆଖି ସାମ୍ନାରେ ଯେପରି ଶୋଭାଦିର ଶରୀର ଦୁଇ ଭାଗ ହୋଇଯାଇଛି । ଏବଂ ଅରୁଣ ଦେଖୁଛି ଅସଂଖ୍ୟ ଅଂଧକାରର ଜଟିଳ ପାହାଚ-। ତା ଭିତର ଦେଇ ତା ଗତି ଶେଷତମ ପାହାଚକୁ । ସେଇଠି ଏକ କବାଟ । ସେଇଠି ଆଘାତ କଲା–କିଏ ? କବାଟ ଭାଙ୍ଗିଯାଏ–ଫାୟାର ବ୍ରିଗେଡର ଘଣ୍ଟା ପାଗଳ ଭଳି ବାଜେ ଠଣ–ଠଣ–ଠଣ । କାହିଁକି ଏଇ ଏଲାରମ ? ଅରୁଣର ମନେ ପଡ଼ିଯାଏ ଆରତୀ ଯେପରି ତାକୁ ଛାଡ଼ି ଚାଲି ଯାଉଚି–ନା, ନା, ଭୟଙ୍କର ଅସୁରମାନେ ଯେପରି ଆରତୀକୁ ଟାଣି ନେଉଚନ୍ତି । ସେ ଚିତ୍‌କାର କରୁଚି–ଅରୁଣ ଅରୁ–

 

ଗୋଟାଏ ଝଟ୍‌କାରେ ଅରୁଣ ଚାଲିଗଲା ସେଇ ଶୟନ କକ୍ଷରୁ ବାରଣ୍ଡାକୁ । ସେଇଠୁ ବାଥ୍‌ରୁମକୁ–ଭିତରୁ କବାଟ କିଳି ଦେଲା । ଶୋଭାଦି ଯେପରି ସ୍ୱର୍ଗର ପ୍ରଥମ ପାହାଚରୁ ହିଁ ତଳକୁ ଗଡ଼ି ଗଲ । ଶୁଣି ପାରିଲା ବାଥ୍‌ରୁମରେ ଧଡ଼୍‌କରି କବାଟ ଦିଆ ହେବା । ଶୋଭାଦି ବାସ୍ତବ ଜଗତକୁ ଫେରି ଆସିଲା–ଅରୁଣ କାହିଁ ? ବାଥ୍‌ରୁମରେ ? ଶୋଭାଦି ନିଜକୁ ଠିକ୍‌ କରି ସମ୍ଭାଳି ନେଲା । ବାଥରୁମ୍‌ ନିକଟକୁ ଗଲା । କବାଟ ବନ୍ଦ–ଡାକିଲା–ଅରୁଣ–ଅରୁ–ତୋର କଣ ହେଇଚି କି-?

 

–ଶୋଭାଦି, ମତେ ମାଫକିର ଦିଅ ।

 

–ଆରେ କୁହ–କଣ ହୋଇଚି ?

 

–ଆରତୀ ମନେ ପଡ଼ୁଚି–ପ୍ଲିଜ–ଶୋଭାଦି

 

–ଆରତୀ ? ଓଃ–ସେଇ ଝିଅଟା ? ଅଳକା ଯାହା କଥା ଅନେକ କହେ–ତୋର ଆଉ ମୋ ରୁମକୁ ଏତେ ଭୟ କରିବା କାରଣ ନାହିଁରେ । ସେଇ ଝିଅଟା ତତେ ଗୋଡ଼େ ଗୋଡ଼େ ଜଗିଚି-। ଯିବା ବେଳେ ମତେ କହିଯିବୁ । ସେମିତି କିଛି ହୋଇ ଯାଇନି ଯେ ଲାଜରେ ମୁହଁ ଦେଖେଇବୁ ନାହିଁ । ଆଉ ମାଫ କରିଦେବି କଣ ? ତୁ ସିନା ଓଲଟା ମାଫ କରିବୁ–ଠିକ ଅଛି, ମାଫ କରିଦେଲି–

 

ଅରୁଣ ବାଥ୍‌ ରୁମରୁ ଫେରିଲା ବାଥରୁମକୁ ଯିବାର ପ୍ରାୟ ଅଧ ଘଣ୍ଟା ପରେ । ସେ ଯାଇ ଶୋଭାଦି ସାମ୍ନାରେ ଠିଆ ହେଲା । ଶୋଭାଦି କହିଲା–ତୁ ତ ପକ୍‌କା ମଣିଷଟିଏ । ତତେ କେହି ଠକି ଦେଇ ପାରିବନି । ତୁ ଯାହା ଭାବିଥିବୁ ସେଇୟା କରିବୁ, ସେଇୟା ହେବ ମୁଁ ଜାଣେ । ଏ କଥା କାହାକୁ କହିବୁନି–ଅଳକାକୁ ବି ନୁହେ । ଆଜିଠୁ ପ୍ରକୃତରେ ମୁ ତୋର ବଡ଼ ଭଉଣୀ ହେଲି–ତା ଆଗରୁ ତତେ ମନେ ମନେ ଭଲ ପାଇ ବସିଥିଲି–ଅନ୍ୟ ରୂପେ ଦେଖିଥିଲି–ସେଇଟା ମୋ ଭୁଲ–ଏଣିକି ତୋର ଯେତେବେଳେ ଯାହା ଲୋଡ଼ା ହେବ ମତେ କହିବୁ–

 

–ଶୋଭାଦି ମୋର କିଛି ଦରକାର ହେବନି ।

 

–ଚୋପ୍‌ । ମୁଁ ଜାଣେ ତୋର କିଛି ଲୋଡ଼ା ନାହିଁ । ଆଜି ଯାଏଁ ଯଦି ମାଗିନୁ କିଛି–ମୁଁ ତତେ ଏତେ ଚାହୁଁଥିବା ସତ୍ୱେ–କେବେ ତୁ କିଛି ମାଗିବୁନି ମୁଁ ଜାଣେ । ତଥାପି ହିଁ କହିଦେ–କହ ଦର୍କାରବେଳେ ନିଶ୍ଚୟ ମାଗିବି । ତାହା ଶୁଣି ମୋ ମନଟା ସନ୍ତୁଷ୍ଟ ହୋଇ ଯାଉ ।

 

ଅରୁଣ ହଁ କହି ମୁଣ୍ଡ ହଲାଇ ଦେଲା । ସେ ସିଡ଼ିରେ ଓହ୍ଲାଉ ଓହ୍ଲାଉ ଶୋଭାଦି ତା ସହ ଓହ୍ଲାଇ କହିଲା–ଆଜିଠୁ ଯେତେ ଦିନ ଅଳକାକୁ ପଢ଼ାଇ ଆସିବୁ ମତେ ଦେଖା କରିବୁ ଆମ ସହ ବସି ସାନ ଭାଇଟିଏ ଭଳି ଖାଇପିଇ ଯିବୁ–ମୋର କି ଅଳକାର ଭାଇଟିଏ ହେଲେ, ଜାଣୁଚ ? ଅରୁଣ ଚୁପ୍‌ ରହିଲା–

 

–ଏ ଅରୁଣ, ଯିବା ଆଗରୁ ହଁ କରି ଯା–

 

–ହଁ । ଅରୁଣ କହିଲା ।

 

–ଏମିତି ଜୋର୍‌ ଜବରଦସ୍ତିର ହଁ ମତେ ଭଲ ଲାଗୁନି । ଖୋଲାମନରେ କହିବୁ ହଁ, ନ ହେଲେ ନାହିଁ ।

 

–ହଁ ଖୋଲା ମନରେ କହୁଚି ଶୋଭାଦି । ଅରୁଣ କହିଲା ।

 

ଅରୁଣ ସିଡ଼ିରୁ ଓହ୍ଲାଇ ଚାଲି ଯାଉଥିଲା । ଶୋଭାଦି ତା ଯିବା ପଥକୁ ଚାହିଁ ରହିଥିଲା ।

 

ବନ୍ଧୁଗଣ ! ଆପଣମାନେ ଜାଣନ୍ତି ଆମେ ଦୀର୍ଘ ଦିନ ଧରି କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନାରେ ବସିବା ପାଇଁ ଚାହିଁଛୁ । କିନ୍ତୁ କର୍ତ୍ତୃପକ୍ଷ ଆମ ପ୍ରସ୍ତାବକୁ ଆଗ୍ରାହ୍ୟ କରି ଦେଇଛନ୍ତି । ଫଳତଃ ପ୍ରତ୍ୟକ୍ଷ୍ୟ ସଂଗ୍ରାମ ଛଡ଼ା ଆମ ଆଗରେ ଅନ୍ୟ କିଛି ବାଟ ନାହିଁ । ଆମ ଦାବୀ ଗୁଡ଼ିକର ସୁବିଚାର ନହେବା ଯାଏଁ ଆମ ଆନ୍ଦୋଳନ ଚାଲୁ ରହିବ । ପ୍ରତିକ୍ରିୟାବାଦୀମାନେ ଆମ ଆନ୍ଦୋଳନ ପିଠିରେ ପଛରୁ ଛୁରା ମାରିଦେବା ଉଦ୍ୟମ କରିଛନ୍ତି କରୁଛନ୍ତି ଓ କରିବେ । ତା ସତ୍ୱେ ବି ଆମର ଦାବୀ ଗୁଡ଼ିକ ହାସିଲ କରିବା ପାଇଁ ଆମେ ଐକ୍ୟବଦ୍ଧ ରହିଛୁ ଓ ରହିବୁ । ବିପ୍ଳବ ଦୀର୍ଘଜୀବୀ ହେଉ–ଇନ୍‌କିଲାବ–ଜିଂଦାବାଦ–

 

ସହର ତଳିର ଏକ ଶସ୍ତା ମଦ ଦୋକାନର ସାମ୍ନାରେ ବସିଥିବା ରତନର ମନେ ପଡ଼ୁଥିଲା ଆଜି ସଂଜବେଳେ ସଚିବାଳୟ ସାମ୍ନା ପଡ଼ିଆରେ ତା କାନରେ ପଡ଼ିଥିବା ଏଇ ଭାଷଣ । ରତନର କାହିଁକି ମନେ ହେଲା ଅତି ପୁରୁଣା ଏକ ଗ୍ରାମୋଫୋନ୍‌ରେ ଚାବି ଦିଆ ହେବା ପରେ,ଏକ ପୁରୁଣା ରେକର୍ଡ ବଜେଇ ଦିଆ ଯାଇଚି । ବକ୍ତା ମହାଶୟଙ୍କ ବାପାଙ୍କ ଅମଳରେ ବି ଠିକ୍‌ ଏଇଭଳି ଭାଷଣ ଚାଲିଥିଲା–ଏଇନେ ବି ଚାଲିଛି । ଏହା ପରେ ସେଇ ଏକ ଭାଷଣର ପୁରୁଣା ରେକର୍ଡ ବାଜିବା ଆଉ କେତେ ପୁରୁଷ, କିଏ ଜାଣେ ? ଏବଂ ଆଶ୍ଚର୍ଯ୍ୟ ହେବାର ହୁଏତ କିଛି କାରଣ ନାହିଁ ଯେ ଏଇ ପୁରୁଣା ରେକର୍ଡର ପୁରୁଣା ଶବ୍ଦ ଗୁଡ଼ିକ ବହୁବାର ଶୁଣିଥିବା, ରାସ୍ତା ସେପାଖ ଥିବା ସଚିବାଳୟର ସର୍ବୋଚ୍ଚ ନିର୍ବାଚନ କର୍ତ୍ତୃପକ୍ଷମାନଙ୍କ ମନରେ କିଛି ପ୍ରଭାବ ପକେଇ ପାରୁନାହିଁ । ପ୍ରକୃତ କଥା ହେଉଚି ଗତାନୁଗତିକତାର ବାହାରକୁ ଯିବା କେହି ଚାହାନ୍ତି ନାହିଁ । ସାହସ ନାହିଁ । ଥରିଲା ପାଣିରେ ଗୋଡ଼ ଦେବା ପାଇଁ କେହି ଗଳି ନୁହେ ।

 

କି ଲାଭ ଏସବୁ ଭାଷଣ ଶୁଣି ? ଭାଷଣର ବର୍ଷଣ ଶେଷ ହେବା ଆଗରୁ ହିଁ ରତନ ଚାଲି ଆସିଲା ସହର ତଳିର ଏଇ ମଦ ଦୋକାନକୁ । ସଞ୍ଜ ଆସି ରାତି ହୋଇ ସାରିଥିଲା । ତଥାପି ଭାଷଣ ଚାଲିଥିଲା ଏବଂ ସେ ଆସିବା ବେଳେ ପଛରୁ ବି ଶୁଣାଯାଉଥିଲା । ସମସ୍ତ ବକ୍ତାଙ୍କ ଭାଷଣ ପ୍ରାୟ ଏକା ଭଳି । ପ୍ରସ୍ତୁତି ନାହିଁ ଚିନ୍ତା ନାହିଁ । ଯାହା ମନକୁ ଆସିଲା କହିଦେଲେ ହେଲା । ଯିଏ ଯେତେ ଅଧିକ ସମୟ ମାଇକ୍‌ ଆଗରେ ଠିଆ ହୋଇ ଆବୁରୁ ଜାବୁରୁ ଗୁଡ଼ାଏ କହିପାରେ ସେ ବଡ଼ ବକ୍ତା ହେବାର ବାହାବା ନେବ । ଏଇତ ? ବୋର୍‌–ସବୁଠି ଜୋର୍‌ କରି ଦିଆ ଯାଉଚି ଲୋକଙ୍କୁ । ଏଇ ବୋର୍‌ଡମ୍‌ରୁ ରକ୍ଷା ପାଇବା ପାଇଁ ଏଇ ଦୋକାନଟାର ଏକ ନିରୋଳା କୋଣ ଖୋଜି ରତନ ନିଜ ଜାଗା ବାଛି ନେଲା । ଏବଂ ତାକୁ ଦେଖିବା କ୍ଷଣି ତାର ପ୍ରିୟ ପରିଚିତ ପାନୀୟ ଓ ଖାଦ୍ୟ ତା ଟେବୁଲରେ ଆସି ପହଞ୍ଚିଗଲା ।

 

ଦ୍ୱିତୀୟ ପେଗ୍‌ ଶେଷ କରି ତୃତୀୟ ପେଗ୍‌ ଆରମ୍ଭ କରିବା ବେଳକୁ ରତନ ଅନୁଭବ କଲା ତା ସ୍ନାୟୁ କ୍ରମଶଃ ଶିଥିଳ ହୋଇ ଆସୁଚି । ଅଦ୍‌ଭୁତ ଏକ ଉଦାସୀନତା ତାକୁ ଘୋଟି ଆସୁଚି । ଏତିକିବେଳେ ଆଗରେ ତା ନଜର ପଡ଼ିବାରୁ ସେ ଦେଖିଲା ଗୋଟାଏ କୋଣରୁ ଜଣେ ତରୁଣୀ ତାରିଆଡ଼େ କେତେବେଳୁ ଚାହିଁ ରହିଚି । ମୁହଁରେ ହାଲୁକା ପ୍ରସାଧାନ । ଦେହରେ ଶସ୍ତା ଛାପା ଶାଢ଼ି । ହାତରେ ହେଣ୍ଡବ୍ୟାଗ କିମ୍ବା ଘଡ଼ି ନାହିଁ । ଏମାନଙ୍କୁ ଚାହିଁଦେଲେ ରତନ ସହଜରେ ଚିହ୍ନି ଦେଇପାରେ । ଆଜିକାଲି ବଡ଼ ବଡ଼ ସହର ଗୁଡ଼ିକରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଚି । ସ୍ୱୀଧୀନତା ଲାଭର ଏଇ ତିରିଶ ପଞ୍ଚତିରିଶ ବର୍ଷ ଭିତରେ ଏମାନଙ୍କ ସଂଖ୍ୟା କାହିଁକି ଏମିତି ବଢ଼ି ଚାଲିଚି ତାହା ସମାଜ–ବିଜ୍ଞାନୀମାନେ ଚିନ୍ତା କରନ୍ତୁ । କିନ୍ତୁ ରତନ ଭଲ ରୂପେ ଜାଣେ ଯେ ସହରମାନଙ୍କରେ ଏଭଳି ପାର୍ଟଟାଇମ ଓ ହୋଲ୍‌ଟାଇମ ଧନ୍ଦା ବଢ଼ି ଚାଲିଥିବାର ଏକ ପ୍ରଧାନ କାରଣ ବଂଚିବା ପାଇଁ ଉତ୍କଟ ଜୀବନ–ସଂଗ୍ରାମ ।

 

ରତନ ତରୁଣୀଟିକୁ ଆଖିଠାରି ଡାକେ । ସେ ଆସି ରତନର ଟେବୁଲ ଆଗରେ ଠିଆ ହୋଇଯାଏ । ରତନ ତାକୁ ବସିବା ପାଇଁ କହେ । ଏବଂ ମଦ ବୋତଲଟା ବଢ଼େଇ ଦିଏ । ତରୁଣୀଟି ଅଳପ ହସି ଦିଏ । ରତନ ଟେବୁଲ ଉପରେ ଥିବା ଗୋଟାଏ ପାତ୍ରରେ ବୋତଲରୁ କିଛି ଅଜାଡ଼ି ତାକୁ ବଢ଼ାଇ ଦିଏ । ତରୁଣୀଟି ଓଠ ଲଗେଇ ଦେଇ ଆସ୍ତେ ଆସ୍ତେ ଢୋକେ ।

–ତୋର ନା’ଟି କ’ଣରେ ? ରତନ ପଚାରେ ?

–ଆଭା ।

–ଆଃ, ତୋ ନା’ଟା ଶୋଭା ହୋଇଥାନ୍ତା କି ମୁଁ ଏଇନେ ଚୁମାଟିଏ ଦେଇଥାଆନ୍ତି ।

ତରୁଣୀଟି ରତନ ଆଡ଼େ ଚାହିଁ । ଦେଖେ ଲୋକଟା ଅତି ତୀକ୍ଷ୍‌ଣ ଭାବେ ତାରି ଆଡ଼େ ଚାହିଁ ତା ମୁହଁରେ କିଛି ଖୋଜୁଚି । ତାପରେ ସେ ହଠାତ୍‌ ଯେମିତି ଉଦାସୀନ ହୋଇଯାଇ କହେ–ନା ତୁ ତ ଶୋଭା ନୁହ । ଲୋକଟା ତା ମୁହଁଟିକୁ ତାରିଆଡ଼ୁ ବୁଲେଇ ନିଏ ।

ରତନର ମନେପଡ଼ିଯାଏ ତା ତରୁଣ ବୟସର ଦିନଗୁଡ଼ାକ । ସେତେବେଳେ ସେ କଲେଜର ପ୍ରଥମ ବର୍ଷର ଛାତ୍ରଥିଲା । ପ୍ରଥମ ପର୍ଯ୍ୟାୟରେ ରାସ୍ତାରେ ଭେଟ, ଭେଟ ହେବା ଡେରି ହେଲେ ପ୍ରତୀକ୍ଷା । ଖଣ୍ଡେ ଦିଖଣ୍ଡ ଚିଠି ଦିଆନିଆ । ତାପରେ କିଛି ସମୟ ସୁଯୋଗ ଦେଖି କେଉଁଠି ନିରୋଳା ଜାଗାରେ ଅନେକ ସମୟ ଧରି ଗପ । ମନେ ପଡ଼େ ଦିନେ ସେମାନେ ନନ୍ଦନକାନନ ଚାଲିଯାଇଥିଲେ । ଖୁବ୍‌ ସାହସ କରି–ନିରୋଳାରେ ଟିକିଏ ବୁଲିବା ପାଇଁ । କ୍ରମେ ସାହସ ବଢ଼ି ଯାଇଥିଲା । ଏଠି ସେଠି ଅନେକ ଦେଖା ସାକ୍ଷାତ, ଆଳାପ ଆଲୋଚନା, ମଝିରେ ମଝିରେ କ୍ଲାସରେ ହାଜିରା ଦେଇ ସିନେମା ।

ଏମିତି କଟିଲା ତିନି ଚାରି ବର୍ଷ । ସେ ପ୍ରଥମ ବର୍ଷର ଛାତ୍ରରୁ ଚତୁର୍ଥ ବର୍ଷର ଛାତ୍ର ହେଲା-। ଏବଂ ଶୋଭା ଦଶମ ଶ୍ରେଣୀରୁ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ । ଗଳିଟା ପାରି ହେଲେ ଶୋଭା ଘର । ତା ବାପା ଏକ ଉଚ୍ଚ ଅଫିସର । ଗାଡ଼ି, କମ୍ପାନୀ ଭଡ଼ା ଦେଉଥିବା ଏକ ବଡ଼ କୋଠା, ବଗିଚା, ମାଳି ଚାକର । ଏସବୁ ଦେଖି ଦେଖି ରତନ ସେଇ ବାଟେ ସାଇକଲ ଘଣ୍ଟି ଠଣ ଠଣ କରି ଯା ଆସ କରୁଥିଲା । ତା ଡାଡି ନଥିବା ସମୟରେ ଶୋଭା ସେ ଯା’ଆସ କରୁଥିବା ବେଳେ ଉପରୁ ଚାହିଁ ରହୁଥିଲା ।

ରତନ ଥିଲା ଖୁବ୍‌ ସ୍ୱାସ୍ଥ୍ୟବାନ, ଗୋରା ତକତକ ସୁନ୍ଦର ଯୁବକ ଓ କଲେଜର ଭଲ ଖେଳାଳୀ, ଏବଂ ଶୋଭା ଆଧୁନିକା ଧନୀର ଦୁଲାଳୀମାନଙ୍କ ଭଳି ସ୍ପୋର୍ଟସ ଓ ସିନେମା ପ୍ରିୟ । ଥରେ ଶୋଭା କହିଥିଲା–ଜାଣ ରତ୍ନ, ପୁଅମାନଙ୍କ ଭଲ ପାଇବା ସହ ମୁଁ ଖେଳେ ବୋଲି ମୋର ବଦନାମ ଅଛି ?

–ମୁଁ ସେସବୁ ବିଶ୍ୱାସ କରେନା ।

–ବିଶ୍ୱାସ କରେନା, ମାନେ ?

–ମାନେଟା ଅତି ସହଜ । ଧର ଉପରେ ପଡ଼ି ଯଦି ତମ ସହ ଦି, ଚାରିଥର କଥା ହୁଏ ଏବଂ ତା ପରେ କହେ ସେ ତମକୁ ନ ପାଇଲେ ଆତ୍ମହତ୍ୟା କରିବି, ଏହା କଣ ଭଲ ପାଇବା ? ତା’ ଛଡ଼ା–

–ତା ଛଡ଼ା କଣ ?

–ଖୋଲା ଖୋଲି କହିବାକୁ ଗଲେ ତମ ଚେହେରାଟି ଏମିତି ଲୋଭନୀୟ ଓ ଆକର୍ଷଣୀୟ ଯେ ଉପରେ ପଡ଼ି କଥା ନ କହିବା ପୁଅ ପିଲା ଖୁବ୍‌ କମ୍‌ ମିଳିବେ ।

–ଯେମିତି ତମେ ।

–ନା, ମୁଁ ଆଉ ବାଦ ପଡ଼ିଲି କେମିତି ? ଦୁଇ ତିନିବର୍ଷ ହେଲା ତ ହାବୁଡ଼ୁବୁ ଖାଉଚି । ରତନ ହସି ହସି କହିଲା ।

–ବର୍ଷେଖଣ୍ଡେ କିନ୍ତୁ ଖୁବ୍‌ ଗମ୍ଭୀରତା ଦେଖାଇ ହେଲି । ବୋଧେ ତମ ଏଥେଲଟିକ୍‌ ଚେହେରା ଓ ଖେଳ ପାଇଁ ଗର୍ବ ହେତୁ । ଶୋଭା ରତନକୁ ଚିଡ଼େଇବା ଉଦ୍ୟମ କଲା ।

–ମୋଟେ ନୁହେ । ବରଂ କହ ତମର ନିଜ ରୂପ ଉପରେ ଥିବା ଆତ୍ମବିଶ୍ୱାସ ଓ ଅଭିମାନ ଏବଂ ଧନୀର ଦୁଲାଳୀ ହୋଇଥିବା ହେତୁ–

–ଚୁପ୍‌ । ଏଠି ତମ ମୋ ଭିତରେ ଆଉ ଅର୍ଥନୀତିକୁ ଆଣି ଥୁଅ ନାହିଁ । ଭଗବାନ କଲେ, ତମେ ବି ଦିନେ ବଡ଼ ହୋଇପାରିବ ।

କିନ୍ତୁ ଶେଷରେ ଅର୍ଥନୀତି ହିଁ ଶେଷ କଥା ହୋଇ ରହିଲା । ଏବଂ ଭଗବାନ ତ ସମାଜର ଏକ ପାଳିତ ପଶୁ; ପଇସାବାଲା ବ୍ୟବସାୟୀ ଓ ମାରୁବାଡ଼ି, ତଥା ଭଗବାନଙ୍କ ନାମକୁ କ୍ଷମତାପ୍ରାପ୍ତି ପାଇଁ ଅସ୍ତ୍ର କରି କ୍ଷମତାକୁ ଆସୁଥିବା ଟାଉଟରମାନଙ୍କ କ୍ରିଡ଼ାପୁତ୍ତଳିକା–ସେଇଟା ଆଉ କଣ କରିବ ? ହଠାତ୍‌ ତା ଦିଲ୍‌ଦାର ଓ ବଦଖର୍ଚ୍ଚୀ ବାପାଙ୍କ ହୃଦ୍‌ରୋଗରେ ମୃତ୍ୟୁ ପରେ ଘରଟାର ସମସ୍ତ ଦାୟିତ୍ୱ ଆସି ତା ଉପରେ ଭୁତ ଭଳି ମାଡ଼ି ବସିଲା । ସେତେବେଳେ ଫାଇନାଲ ପରୀକ୍ଷା ମୁଣ୍ଡ ଉପରେ ଥିଲା । ସାରା ପରିବାର ଏମିତି ଆଘାତ ପାଇଥିଲେ ଯେ, ସେମାନଙ୍କୁ ସମ୍ଭାଳୁ ସମ୍ଭାଳୁ ରତନ ପରୀକ୍ଷା ବି ଦେଇ ପାରିଲା ନାହିଁ । ଘରେ ଅଭାବ, ବାହାରେ ବେକାର ଜୀବନ । ଗୋଟାଏ କିଛିତ କରିବାକୁ ହେବ । ସେତେବେଳକୁ ନିର୍ବାଚନ ବେଳ ପାଖେଇ ଆସିଥାଏ । ତାରି ଭଳି ଅନେକ ଅଧାପାଠୁଆ ଟୋକା ଗୋଟେ ନା ଗୋଟେ ଦଳ ପାଇଁ କାମ କରି କେଇ ମାସ ସୁରୁଖୁରୁରେ ଚଳିବାର ଏକ ସୁଯୋଗ । ତା ସାଙ୍ଗମାନେ, ପରିଚିତ ମାନେ ତାକୁ ଟାଣିଲେ । ଏଇ ଲାଇନର ପୁରୁଖାମାନେ କହିଲେ–ଆରେ ରାଜନୀତି କର । ପାଠପଢ଼ି ପାସ୍‌ କଲେ ବି କିରାଣୀ ଚାକିରିଟିଏ ଆଜିକାଲି ମିଳିବନି । କିନ୍ତୁ ଏଇ ଭିତରେ ପଶିଦେଖ । ଥରେ ପଶିଲେ ଆଉ ଫେରିବାକୁ ଇଚ୍ଛା ହେବନି । ତୁ ଏଇନେ ସାହାଯ୍ୟ କରିଥିବା ଦଳ ଯଦି ସରକାର ଗଢ଼େ ତ ତୋର ଆଉ କିଛି ଅଭାବ ରହିବ ନାହିଁ । ଯାହାକଲେ ବି ସାତ ଖୁନ୍‍ ମାଫ୍‌ ହୋଇଯିବ । ତାପରେ ତ ତୁ ସବୁ ଜାଣଯିବୁ । ଗୋଟାଏ ଦଳରେ ରହିଲେ ଭଲ । ନ ହେଲେ ଯେଉଁ ଦଳ ଯେତେବେଳେ ଜିତିବା ସମ୍ଭାବନା ଥିବ ସେଇ ଆଡ଼େ ଛତା ଧରିବୁ । ନେତାମାନେ ତ ପୁଣି ଦଳ ବଦଳାଉଛନ୍ତି ତା ଛଡ଼ା ତୋର ତ ଆଥେଲିଟିକ୍‌ ଚେହେରା । ଟକିଏ ପାଟିତୁଣ୍ଡ କରି ଛୁରୀଟିଏ ଦେଖାଇ ଦେବୁ ତ ଦାଦା ବନିଯିବୁ । ହଁ ତଳକୁ ଯିବୁନାହିଁ । କେବଳ ରାଜନୀତିରେ ଦାଦାଗିରି ।

ଶେଷରେ ସେଇୟା ହିଁ ହୋଇଥିଲା । ଗୋଟାଏ ନିର୍ବାଚନ ପରେ ପରେ ହିଁ ରତନ ହୋଇଗଲା ସରକାରୀ ଦଳର ସପୋର୍ଟର ଏବଂ ତା ଭଳି ଅନେକ ଯୁବକଙ୍କ ନେତା । ଏଇନେ ପ୍ରକୃତରେ ତାର କି ତା ଦଳର କିଛି ଅଭାବ ଅସୁବିଧା ନାହିଁ । କିନ୍ତୁ ଶୋଭା ? ଶୋଭା ସହ ସମ୍ପର୍କ ରଖିବା ଉଦ୍ୟମ ସେ କରିନି । କିଛିଦିନ ପରେ ଶୋଭାର ଡାଡିଙ୍କ ଅଫିସ ଓ ରହିବା ଘର ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରିତ ହୋଇଗଲା । ଦିନେ ସେ ଶୁଣିଥିଲା ଶୋଭା ଏମ୍‌.ଏ. ପଢ଼ିବା ପାଇଁ ଦିଲ୍ଲୀ ଚାଲିଗଲା । ତାପରେ ଆସି କେଉଁଠି ଅଧ୍ୟାପିକା ହେଲା । ସେଇ ଚାକିରି ଛାଡ଼ି ଦେଇ ଏବେ କୁଆଡ଼େ ଏଇ ସହରରେ ବଡ଼ ଚାକିରି କରୁଚି, କଣ ଗୋଟେ ପରୀକ୍ଷାରେ ପାସ କରି । କିନ୍ତୁ ତା ସହ ଦେଖା କରିବା ପାଇଁ ତାର ଆଉ ଇଚ୍ଛା ହୁଏନି । କେବଳ ଅନେକ ସମୟରେ ତା କଥା ମନରେ ଆସିଯାଏ ।

ରତନକୁ ଏମିତି ଅନ୍ୟମନସ୍କ ଭଳି ଦେଖି ଆଭା ଅବାକ୍‌ ହୋଇ ତାରି ଆଡ଼େ ଚାହୁଁଥିଲା-। ଆଚ୍ଛା ଲୋକତ ! ଏମିତି ଅଜବ କାଷ୍ଟମାର ସେ ତ ଦେଖିନି । ତାର ଅତୀତର ଅନୁଭୁତିରେ ଯେମିତି ଆଘାତ ଲାଗିଲା । ତାକୁ ଡାକି ଆଣି ବସେଇ ଏଇ ଅବହେଳା କାହିଁକି ? ତଥାପି ନିଜ କଣ୍ଠସ୍ୱରକୁ ଅଧିକ ମୂଲାୟମ କରି ରତନର ପ୍ରାୟ କାନ ପାଖରେ ମୁହଁ ଥୋଇ ପଚାରିଲା–

–ଶୋଭା ବୋଲି ଜଣେ ଝିଅ ବୋଧେ ତମକୁ ଠକି ଦେଇଚି ନା ?

–ରତନ ହଠାତ୍‌ ଚମକି ପଡ଼ିଲା । ତାର ଚିନ୍ତାରେ ବାଧା ପଡ଼ିଲା । ସେ ଆଉ ଆଡ଼େ ଚାହିଁ ପଚାରିଲା–କଣ ?

–କେହି ଜଣେ ଝିଅ ତମକୁ ଠକି ଦେଇଚି ।

 

–ନା, ନା । ତା ରାସ୍ତା ତ ଆରମ୍ଭରୁ ହିଁ ଅଲଗା ଥିଲା । ଠକିବ କାହିଁକି ? ମୋର ତା ସହ ବାହାଘରର କଳ୍ପନା କରିବା ତ ହାସ୍ୟାସ୍ପଦ ।

–ଏହା ଜାଣି ମଧ୍ୟ ତମେ ତାକୁ ଖୁବ୍‌ ଭଲ ପାଇଥିଲ ? ଏମିତି ଭଲ ପାଇଥିଲ ଯେ ଏଯାଏଁ ତାକୁ ଭୁଲି ପାରିନ ?

–ହଁ । କିନ୍ତୁ ତୁ କେମିତି ଜାଣିଲୁ ?

–ଏଇ ଦୁନିଆଟାକୁ ଆଉ ଜାଣିବାକୁ ବାକି ଅଛିନା ?

–ମାନେ ?

–ମୁଁ ବି ଏମିତି ଜଣେ ବଡ଼ ଘର ପୁଅକୁ ଭଲ ପାଇ ବସି ଆଜି ଏଇୟା ଭୋଗୁଚି ।

–ତୁ ବୋଧେ ଗୋଟେ ସରଳା ଝିଅ ଥିଲୁ । ତା ମିଛ ପ୍ରତିଜ୍ଞାରେ ଭୁଲିଗଲୁ । ସେଇଟା ଏଇନେ କଣ କରୁଚି ?

–ବଡ଼ ଘରେ ବାହା ହୋଇ ବଡ଼ ଚାକିରି କରି କଲିକତାରେ ଏଇନେ ରହୁଚି ।

–ତୁ କିଛି କରି ପାରିଲୁନି, ଗାଁ ଛାଡ଼ି ଚାଲି ଆସିଲୁ ?

–ଗାଁରେ ମୁହଁ ଦେଖାଇବା ସାହସ ନଥିଲା । ବାପା ମାଁ ତ ନାହାନ୍ତି, ମାଉସୀ ମୁହଁରେ କାଳି ବୋଳିବା ଅପେକ୍ଷା ଚୁପ୍‌ ଚାପ୍‌ ସେଇ ଗାଁ ଛାଡ଼ି ଦେଇ ପଳାଇ ଆସିଲି ଏଇ ଦୂର ସହରକୁ ।

–ତୋର ବୋଧେ ପୁଅ ଝିଅ କିଛି ହୋଇଥିବ । ନହେଲେ ଗାଁ ଛାଡ଼ି ଚାଲି ଆସନ୍ତୁ କାହିଁକି ?

–ନା, ଝିଅଟିଏ ହୋଇ ମଲା ।

–ଏଠି ରହୁଚୁ କେଉଁଠି ଐ ।

–ତମର

ସେସବୁ ଜାଣି କଣ ହେବ କହିଲ ? ତମେ ବଡ଼ ଚଲାକ । ଶୋଭା କଥା ତ କହିଲନି–

–ସେଇଟା ତ ଏଇ ସହରରେ ଅଛି–ଭଲରେ ଅଛି ବୋଲି ଶୁଣୁଚି ।

–ହଁ, ଆଜିକାଲି ଯିଏ ଠକେ ସିଏତ ଭଲରେ ରହେ ।

–ନା, ଠକିବ କାହିଁକି ? କିଛି ଗୋଟେ ଫଇସଲା ହେବା ଆଗରୁ ତ ଦୁହିଁଙ୍କ ରାସ୍ତା ଅଲଗା ହୋଇଗଲା ।

–ବଡ଼ ଚାକିରି କରି, ବାହା ହୋଇ, ପୁଅଝିଅ ଧରି ଅଛି ତ ?

ନା, ବାହା ହୋଇନି ବୋଲି ମୁଁ ଶୁଣିଚି ।

–ଶୁଣୁଚି କ’ଣ ମ ? ଯାଇ ଦେଖୁନା–

–ଦେଖି କ’ଣ ଲାଭ ଅତୀତକୁ ଖୋଳି ? ତାର ଗୋଟେ ଷ୍ଟାଟସ ଅଛି ତ, ତାର ଆଉ ମୋ ଭିତରେ ଏଇନେ ଅନେକ ତଫାତ୍‌ ।

–ଭଲ ପାଇବାରେ ଷ୍ଟାଟସ କଥା ଲେଖା ହୋଇ ନଥାଏ ।

–ଥାଏ । ତୁ ଗୋଟେ ବୋକୀ ହୋଇଥିବୁ । ଏଇକଥା ବିଶ୍ୱାସ କରି ବୋଧେ ସେଇ ଟୋକାଟା ପାଲରେ ପଡ଼ିଗଲୁ ।

–ମୋ ଭାଗ୍ୟରେ ଠକଟାଏ ପଡ଼ିଗଲା । କିନ୍ତୁ ମୁଁ ଯାହା କହୁଚି ସତ ।

–ହଉ ତୋ ସତକୁ ଧରି ତୁ ରହ । ବୋତଲଟା ଟିକିଏ ବଢ଼େଇଲୁ । ଆଗ ବୋତଲଟା ବଢ଼େଇ ଦେଲା । ରତନ ନିଜ ପାନପତ୍ର ଭରି ଦେଇ ଏକା ନିଶ୍ୱାସରେ ଶେଷ କରି ଦେଇ କହିଲା–ତୁ ମିଛରେ ଆସି ଶୋଭା କଥା ମନେ ପକେଇ ଦେଲୁ । ଶୋଭା କଥା ମନେ ପଡ଼ିଲେ ମନର ଭାବିବା ଶକ୍ତି ଶେଷ ହୋଇଯିବା ଯାଏଁ ବୋତଲପରେ ବୋତଲ ଖାଲି କରିବାକୁ ହେବ । ଠିକ୍‌ ଅଛି, ମୁଁ ଏଠି ଅରୁଣ ବୋଲି ଜଣକୁ ଅପେକ୍ଷା କରିଚି । ତୁ ଯଦି ବସିବୁ ତୁ ଏଥିରୁ ଟିକେ ଟିକେ ପିଇ ବସ, ଆଉ କ’ଣ ଖାଇବୁ କହ ?

–ବାଃ ତମେ ଭାରୀ ଅଦ୍‌ଭୁତ ଗରାଖତ । ରାତି କେତେ ହେଲା ଜାଣ ? ମୋ ସଙ୍ଗେ ଯିବ ଯଦି ଆସି–

–ଆଃ, ରାଗୁଚୁ କାହିଁକି ? ତୋର ଅନେକ ସମୟ ବରବାଦ କରି ଦେଇଚି ନା ? ପକେଟରେ ହାତ ପୁରାଇ ରତନ ପୁଳାଏ ନୋଟ ବାହାର କଲା । ତାପରେ ପୁଣି କହିଲା–ହଉ ଏତକ ନେଇଯା । ପୁଣି ଆଉଥରେ ଦେଖା ହେବ ଯା–

–ଆଉ ଥରେ ଦେଖା ହେବ ନା, ଛେନାଗୁଡ଼ ହେବ । ନା, ମୁଁ ଏ ପଇସା ନେବିନି । ଏଇଟା ମୋ ହକ ପଇସା ନୁହେ । ମୁଁ ଚାଲିଲି–

ଆଭା ଚାଲି ଯାଉଥିବା ବେଳେ ରତନ ଚଟ୍‌ କରି ତା ହାତ ଧରି ପକାଇ କହିଲା–ଗୋଟାଏ ମିନିଟ୍‌ ବସିଯା । ମୁଁ ତତେ ସବୁ ବୁଝେଇ ଦେବି । ମୁଁ ତୋ ମନ କଥା ବୁଝିଚି । କିନ୍ତୁ ତୁ ବିଶ୍ୱାସ କରେ ନକରେ, ଶୋଭା ଛଡ଼ା ମୁଁ ଆଉ କାହାକୁ ଭଲ ପାଇପାରିନି ଏଯାଏଁ । ମୋର କେବଳ ଗୋଟେ ଦୁର୍ବଳତା ଏଇ ବୋତଲ ଏବଂ ବେଳେବେଳେ ନିତାନ୍ତ ଅସହ୍ୟ ହୋଇ ପଡ଼ିଲେ କିଛି ଖୁନ୍‌ ଖରାବୀ ବି କରିଦିଏ । ଗୋଟେ ଦିଟା ସଇତାନକୁ ଶେଷ ବି କରି ଦେଇଚି । ହଁ, ସେଇ ବୋତଲଟା ଟିକେ ଦେଲୁ । ସେଇଟାକୁ ଚଞ୍ଚଳ ସାରିବାକୁ ହେବ । ତୁ ସେଆଡ଼େ କାହିଁକି ଚାହୁଁଚୁ ଆଭା–ସେଇ ଲୋକଟା ଏଇ ଟେବୁଲ ଯାଏଁ ଯାଆସ କରୁଚିତ ? ହଁ, ସେ ସେଇୟା କରିବ । କାରଣ ତାକୁ କୁହାଯାଇଚି ଯେ ଗୋଟେ ବୋତଲ ସରୁ ସରୁ ସେ ଆଉ ଗୋଟେ ବୋତଲ ଆଣି ଥୋଇ ଦେବ । ନହେଲେ ତା ମୁଣ୍ଡ ଛାଡ଼ । ଜାଣୁ ମୁଁ କିଏ ? ମୁଁ ଜଣେ ବଡ଼ ଦାଦା–ସରକାରୀ ଦଳ ଆମର । କେହି କିଛି କରି ପାରିବ ନାହିଁ । ରତନଦି କହିଲେ ସଭିଏ ଜାଣନ୍ତି । ଆରେ ଦେ, ସେଇ ବୋତଲଟା ଦେ–

 

ଆଭା ବିରକ୍ତ ହେବା ଭଳି ବୋତଲଟା ବଢ଼େଇ ଦେଲା । ରତନ ବୋତଲଟାକୁ ନିଟ୍‌ ପୂରା ଶେଷ କରି ନ ଦେଉଣୁ ସେଠି ଆଉ ଗୋଟେ ବୋତଲ ଆସି ହାଜର ହୋଇଗଲା । ରତନ ସେଇଟାକୁ ହାତରେ ଧରି କହି ଚାଲିଲା–ହଁ, କଣ କହୁଥିଲୁ ? ପଇସା ନେବୁନି ? କାହଁକି ନେବୁନି ମତେ ଟିକେ ବୁଝେଇଦେ, ତାହେଲେ ତୁ ନନେଲେ ବି ମୁଁ ତତେ ଛାଡ଼ି ଦେବି । ମତେ ନ ବୁଝେଇ ପାରିଲେ କିନ୍ତୁ ତତେ ନେବାକୁ ହେବ । ଶୁଣ ଦେଶଟାରେ ଯେମିତି ନୀତି ଚାଲିଚି ସମସ୍ତଙ୍କୁ ସେମିତି ହେବାକୁ ପଡ଼ିବ । ମୁଁ ଏଇ ଯେଉଁ ପଇସା ତତେ ଦେଉଚି, ତାହା ମୋ ଝାଳବୁହା ପଇସା ନୁହେଁ । ଦେଶକୁ ଯେଉଁମାନେ ଠକି ଲକ୍ଷ ଲକ୍ଷ ଟଙ୍କା ମାରି ନେଉଛନ୍ତି, ଭାଗବଣ୍ଟା ହିସାବରେ ତାର କଣିକାଏ ହିଁ ଆମ ପାଖକୁ ଆସିଯାଏ–କଣିକାଏ ମାନେ ଶହ ଶହ ହଜାର ହଜାର ଟଙ୍କା । ଏହା ଛଡ଼ା କେଉଁ ବ୍ୟବସାୟୀକୁ ଡରେଇଲେ ଆଉ କିଛି ଝଡ଼େ, ଟାଉଟରକୁ ଦବେଇଲେ ଆଉ କିଛି । ଆମମାନଙ୍କର ଖୁବ୍‌ ସୁଖରେ ଚଳିଯାଏ । ଚଳିଯାଇ ବଳେ । ସେଇ ବଳକା ପଇସା ଅନେକ ଅଯଥା କାମରେ ଖର୍ଚ୍ଚ ହୁଏ । ତା ଦେହରୁ କିଛି ଯଦି ତୁ ନ ନେବୁ–ମୋ ପଇସାତ ନୁହେ, ଦେଶର ପଇସା ଦେଶର ଲୋକ ହୋଇ ତ ନେବୁ, ତା ହେଲେ ମୁଁ କଣ କରିବି ଜାଣୁ ? ଦାଦାଗିରି ଆରମ୍ଭ କରିଦେଲ ଦି ଚଟକଣା ତୋ ଗାଲରେ ଥୋଇଦେବି । ମୁଁ ମୋଟେ ଭଲ ମଣିଷ ନୁହେ– ମନେରଖେ-। ରତନ ପୁଣି ପୁଳାଏ ନୋଟ ପକେଟରୁ ବାହାର କରି ବଢ଼ାଇ ଦେଲା । ଆଜି କିଛି ଅଧିକା ମିଳିଯାଇଚି–ନେ ଆଉ ନେଇଯା–

 

ଆଭା ତା ଭିତରୁ ଗୋଟେ ଦଶଟଙ୍କା ନୋଟ ଧରି କହିଲା–ତମେ ଭଲ ମଣିଷ ନୁହନା-? ଆଉ କାହାକୁ କହିବ, ମତେ ନୁହେ । ମୁଁ ସେତିକି ନେଲି ଯେତିକି ମୋ ରେଟ୍‌–

 

ରତନ ପ୍ରଚଣ୍ଡ ଏକ ଚଟକଣା ବୁଲେଇ ଆଣି ଆଗର ମୁଣ୍ଡ ପାଖରୁ ଫେରାଇ ନେଇ ଚିତ୍କାର କଲା–ତୁ ଆଜି ମୋଠୁ ଖାଇବୁ । ତୋର ରେଟ୍‌ କଣ ଜାଣୁ ? ଏମିତି ପ୍ରହାର । ରେଟ୍‌ କଥା ଉଠେଇବାକୁ ତତେ କିଏ କହିଲା ? ମୁଁ ତ ଆଜିଯାଏ ? କାହା ଗରାଖ ହୋଇନି । କେବଳ ଖଟିଲେ ମୋ ନିକଟକୁ କୌଣସି ଝିଅ ଆସିଲେ ତା ଦୁଃଖ ଶୁଣିବାକୁ ଇଚ୍ଛାହୁଏ । କାରଣ ମୁଁ ଭଲଭାବେ ଜାଣେ ଯେ କୌଣସି ଝିଅ ଅନ୍ୟ ବଞ୍ଚିବା ଉପାୟ ଥିଲେ, ଏଇ ଧନ୍ଦା ଧରେନି । ଆଉ ତୁ-? ତୁ ତ ମୋ ଭଳି ଗୋଟାଏ ବିଫଳ ପ୍ରେମର ଜଳନ୍ତା ଜାହାଜରେ ବସି ଏଇ ସଂସାର–ସମୁଦ୍ରରେ ହାବୁ୍ଡ଼ୁବୁ ଖାଉଚୁ । ତୁ ତ ଆଜି ମୋ ସମଧର୍ମୀ, ମୋ ଭଉଣୀଟିଏ ହୋଇଗଲୁ ଆଜ୍ଞା । ମୁଁ ତତେ କେତେ ବୁଝେଇଲି, ଦେଶର ଏଇ ଫାଲତୁ ପଇସାରୁ କିଛି ନେଇଯା–କିଛିଟା ଦିନ ଖୁସିରେ ଚଳ–ନେ ଆଭା ନେ ।

 

ରତନର ପ୍ରଚଣ୍ଡ ଚଟକଣା ତା ମୁଣ୍ଡଯାଏଁ ଆସି ଫେରି ଯାଇଥିବା ଅନୁଭବ କରିବା ପରେ ବି ଆଭା, ବିଶ୍ୱାସ କରି ପାରୁ ନଥିଲା ଯେ ସେଇ ଚଟକଣାଟି ପୁଣି କେତେବେଳେ ତା ମୁଣ୍ଡରେ ନ ପଡ଼ିବ । ଏଣୁ ଟଙ୍କା ପୁଳାକ ଭୟରେ ଧରି ଥରି ଥରି ଆଭା କହିଲା–ରତନ ଭାଇ, ତମର ଯେଉଁ ପ୍ରକାଣ୍ଡ ଚେହେରା ନା, ତମେ ଯଦି ସତରେ ସେଇ ପ୍ରହାରଟା ଦେଇ ଥାଆନ୍ତ, ତିନିଥର ପଡ଼ିବା ପରେ ମୁଁ ବୋଧେ ଅଚେତ ହୋଇ ଯାଆନ୍ତି । ଭାଇ ହୋଇ କ’ଣ ଭଉଣୀକୁ ମାରନ୍ତି ?

 

ରତନ ହୋ, ହୋ ହୋଇ ହସି କହିଲା–ଭଉଣୀ ବୋଲିତ ଚଟକଣାଟା ତୋ ମୁଣ୍ଡ ପାଖରେ ଅଟକି ଗଲା ଆଭା । ତୁ ବୋଧେ ଖୁବ୍‌ ଡରି ଗଲୁନା ? ନହେଲେ କଣ ଏଇ ଟଙ୍କାଗୁଡ଼ିକ ସହଜରେ ନେଇ ଥାଆନ୍ତୁ । ହଁ, ଶୁଣ କାଲିଠୁ ଆଉ ଏଇ ଧନ୍ଦାରେ ବାହାରିବୁ ନାହିଁ । କିଛି ଦରକାର ହେଲେ ଏଇଠି ମତେ ଜଣେଇବୁ । ଆମର ଗୋଟେ ଦଳ ଅଛି । ଆମେ ତୋ ପାଇଁ କିଛି ଭଲ କାମ ଯୋଗାଡ଼ କରିବୁ ।

 

ଆଭା ନିଜ ମନର ଭୟ ଦୂର କରି ରତନ ଆଡ଼େ ଚାହିଁ ଆସ୍ତେ ଆସ୍ତେ ହସିଲା । ରତନର ହୋ ହୋ ହସ ବନ୍ଦ ହୋଇ ନଥିଲା । ଏତିକି ବେଳେ ଅରୁଣ ପଛରୁ ଆସି ଡାକିଲା–ରତନଦା, ଯାହେଉ ଅନେକ ଦିନ ପରେ ତତେ ଏମିତି ଖୋଲା ଖୋଲି ହସୁଥିବା ମୁଁ ଦେଖିଲି ।

 

ରତନ ପଛକୁ ବୁଲି ପଡ଼ି କହିଲା–ଆରେ ଅରୁ । ବୋଧେ ଟିକେ ଡେରି କରି ଦେଲୁ । ଏଇ ଆଭାଟାକୁ ଚିହ୍ନେ । ଏଇଟା ଆଜିଠୁ ମୋ ଭଉଣୀ, ମାନେ ତୋ ଭଉଣୀ ମଧ୍ୟ । ବଡ଼ ଦୁଃଖିନୀ ଭଉଣୀଟା । ଏହାର ଥଇଥାନ କଥା ଦେଖିବାକୁ ହେବ । ମୁଁ ସବୁ କହିବି ୟାରି କଥା । ଆଗ ତୁ ବି ୟାକୁ ଚିହ୍ନିବା ଦରକାର । ଇଏ ହେଉଚି ଅରୁଣ । ୟା’ ବଡ଼ଭାଇ ମୋ ଘନିଷ୍ଠ ସାଙ୍ଗ । ସମାଜର ଦୁର୍ନୀତି ବିରୁଦ୍ଧରେ ଆବାଜ ଉଠାଇ, ୟା ବଡ଼ ଭାଇ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିଚି । କିନ୍ତୁ ମୁଁ ବୋକାଟା ଅନ୍ୟରାସ୍ତାରେ ଚାଲିଗଲି । ଏଇଟା ମୋ ସାନ ଭାଇ, କିନ୍ତୁ ଆମ ସମସ୍ତଙ୍କ ଦିଗଦର୍ଶକ ।

 

–ରତନ ଭାଇ, ତୁ କ’ଣ ଯେ କହୁ । ଅନେକ ରାତି ହେଲାଣି । ଉଠିବୁ ଯଦି–

 

–ଆରେ ହଁ । ମତେ କିନ୍ତୁ ତୋ କାନ୍ଧରେ ଭରା ଦେଇ ନେବାକୁ ହେବ ବୋଧେ । ଏଇ ଆଭାଟା ଆସି ଶୋଭା କଥା ଆଜି ମନେ ପକାଇ ଦେଲା । ଶୋଭା କଥା ମନେ ପଡ଼ିଲେ ତ ତୁ ଜାଣୁ–

 

–ରତନ ଦା, ତୋର ଓ ଶୋଭାଦିର ଆଉ କେବେ ଦେଖା ନ ହେଉ, ତୁ କଣ ଏଇୟା ଚାହୁଁ ? ମୁଁ ଶୋଭାଦିକୁ ଖୁବ୍‌ ଭଲଭାବେ ଜାଣେ । ସେ ଖୁବ୍‌ ଭଲ–

 

–ହଉ ଚାଲ ଦେଖାଯିବ–ଭାଗ୍ୟଂ ଫଳତି ସର୍ବତ୍ରଂ । ରତନ ଉଠିପଡ଼ି ପୁଣି ଆରମ୍ଭ କଲା–ତୋ ଶୋଭାଦିକୁ ତ ମୁଁ ସେଇ କେଉଁ ଯୁଗରୁ ଦେଖିନାହିଁ । ଖାଲି ତୋ ଦେଇ ଯାହା ଖବର ପାଏ ମଝିରେ ମଝିରେ । କିନ୍ତୁ ମୁଁ ତ ଗୋଟେ ମାତାଲ, ଗୁଣ୍ଡା । ସେ ଏଇନେ ଜଣେ ଉଚ୍ଚ ଅଫିସର-। ତା ପରେ ଆଭା ଆଡ଼େ ଚାହିଁ–କଣ କହୁଚୁ ଆଭା, ଦେଖା ହୋଇ ଆଉ କ’ଣ ଟେ ହେବ ?

 

–ହଁ ହେବ । ମୁଁ ତାଙ୍କ ଘରକୁ ଯିବି ।

 

–ସାବଧାନ ଆଭା । ମତେ ନ ପଚାରି ସେଇମାନଙ୍କୁ ତୁ ଦେଖା କରିବୁନି । ତୋର ଅପମାନ ବି ହୋଇପାରେ । ତା ବାପଟା ଅତି ଅହଂକାରୀ ।

 

–ହଁ, ଆଭା ଭଉଣୀ । ଅରୁଣ ଆଭାସହ ଆଳାପ ଆରମ୍ଭ କରି କହିଲା–ରତନ ଭାଇ ଏଇ ବିଷୟରେ ଅତି ଅସହିଷ୍ଣୁ ବୋଲି ମନେ ହୁଏ । ଏବଂ ଏଇହେତୁ ମୁଁ ରତନ ଭାଇ ବିଷୟରେ ଶୋଭାଦିକୁ କୌଣସି ଖବର କେବେ ଦେଇ ନାହିଁ–ଯେମିତି ରତନ ଭାଇ କିଏ ମୁଁ ଜାଣେନି ।

 

–ଅସହିଷ୍ଣୁ ନୁହେରେ ଅରୁ । ରତନ କହିଲା–ତାର ସେଇ ବାପାଟା ଅତି ପ୍ରେଷ୍ଟିଜ–କନ୍‌ସିଅସ । ଆମର ସେଇ ଅତୀତର ଦିନ ଗୁଡ଼ିକରେ ମୁଁ ତାକୁ ଖୁବ୍‌ ଚିହ୍ନିଚି । ହଉ ଚାଲ । ଯାହା ହେବ ଦେଖାଯିବ । ରତନ ଟଳମଳ ହୋଇ ଆଗକୁ ପାଦ ବଢ଼ାଇଲା । ଅରୁଣ ରତନର ହାତଟା ଧରି ତା ଦେହକୁ ଲାଗି ଚାଲିଲା ।

 

ଚାଲୁ ଚାଲୁ ରତନ କହିଲା–ଆଭା, ମୁଁ ଏମିତି ଟଳମଳ ହେଉଚି ବୋଲି ତୁ ଭାବେନା ଯେ ମୋର ହୋଶ ନାହିଁ । ଫାଲତୁ ପଇସା ତ ମିଳେ ଟିକେ ଟିକେ ମଦ ଗିଳି । କିନ୍ତୁ ଆଜି ଭଳି ନୁହେ । କିନ୍ତୁ, ଏଇ ଅରୁଣଟା ଏଇ ସବୁର ବାହାରେ । ଦାମିକା ସିଗାରେଟ ଦେଲେ ବି ଖାଇବ ନାହିଁ । ତାର ନିରାଡ଼ମ୍ବର ବେଶ ପୋଷାକ, ମୁଣ୍ଡର ଫୁରୁଫୁରୁ ବାଳ ଦେଖୁଚୁତ ? ଆଉ ତା ଆଗରେ ତାର ପ୍ରଶଂସାଟାଏ କ’ଣ କରିବି ? ସେଇଟା ତ ମୋ ସାନ ଭାଇ । ହେଇ ସେଦିନ ତାଙ୍କ ଘରେ ତା ବଡ଼ ଭାଇ ସହ ଆଡ଼ଡ଼ା ଜମେଇବା ବେଳେ ସେଇଟା ଏତିକି ବକଟେଥିଲା । ସେ କଥା ଛାଡ଼, ଏଇନେ କୁହ ଏତେ ଗତିରେ ତୁ ଘରକୁ ଯାଇ ପାରିବୁତ ? ନ ହେଲେ ଅରୁ–

 

–ନା ରତନ ଭାଇ, ମୁଁ ଚାଲିଯିବି ।

 

–ହଁ, ଆଭା ଶୁଣ ! ଅରୁଣ କହିଲା–ତୁ କିଛି ପାଠଶାଠ ପଢ଼ିଚୁ ?

 

–ମାଉସୀ ଘରେ ରହି ନଅ କ୍ଲାସ ପଢ଼ୁଥିଲି–ତା ପରେ ଯାହା ସୁବ ଘଟିଲା ରତନ ଭାଇ ଜାଣିଚନ୍ତି ।

 

–ହଉ ତୁ ଯା । ଆମେ ଗୋଟେ ଜାଗାଦେଇ ଯିବୁ–ରତନ କହିଲା–ଆଭା ଅଧାରରେ କ୍ରମେ ଅଦୃଶ୍ୟ ହୋଇଗଲା ।

 

–ହଁଭେ ଅରୁ । ତୋର ଯିବାଟା ଯେ ଦଶ ପନ୍ଦର ଦିନ ଅଛି ବୋଲି କହୁଥିଲୁ । ଏଇ ଭିତରେ କ’ଣ ସିପ୍ରାର ବାହାଘର ହୋଇଯିବ ?

 

–ହଁ, ରତନ ଦା । ମୁଁ ତ ସେଇ ଚେଷ୍ଟାରେ ଅଛି ।

 

–ସେଇ ଶୁଭେନ୍ଦୁଟା କ’ଣ କରୁଚି ?

 

–କ’ଣ ଆଉ କରିବ । ଟ୍ୟୁସନ କରି ଘର ଚଳାଉଛି । ଘରେ ଅବଶ୍ୟ ମାଁ ଟିଏ ହିଁ ଅଛି । ଗୋଟାଏ ମାତ୍ର ପୁଅ ହେବା ପରେତ ଶୁଭେନ୍ଦୁର ବାପା ଇହଧାମ ତ୍ୟାଗ କରିଥିଲେ । ଅତି କଷ୍ଟରେ ବିଧବା ମାଁଟି ତାକୁ ପାଠ ପଢ଼େଇଚି । ତାଛଡ଼ା ଶୁଭେନ୍ଦୁ ଓ ସିପ୍ରା ତ ଅନେକ ଦିନ ଧରି ପରସ୍ପରର ଜଣାଶୁଣା । ପରସ୍ପରକୁ ଭଲପାଇ ବାହା ହେଉଚନ୍ତି । ଦି ଜଣ ପାଠ ତ ପଡ଼ିଚନ୍ତି । ଚାକିରି କିମ୍ବା ଟ୍ୟୁସନ କରିବେ । ଖଟି ଖାଇବା ତ ଆମମାନଙ୍କ ଆଦର୍ଶ । ଶୁଭେନ୍ଦୁଟା ତ ଟ୍ୟୁସନ କରି ଘର ଚଳଉଚି । ଦର୍କାର ହେଲେ ସିପ୍ରା ବି କିଛି କାମ କରିବ । ବାପା ମନା କରୁଥିଲେ । କିନ୍ତୁ ସେମାନେ ପରସ୍ପର ଯଦି ରାଜି ତମେ କେତେଦିନ ତାଙ୍କୁ ରୋକି ପାରିବ ବାପା ? –ମୁଁ ବାପାଙ୍କୁ ପଚାରିଥିଲି । ଏମାନଙ୍କର ଗୋଟେ ଚାକିରି ହେଲେ ଭଲ ହୁଅନ୍ତା । କିନ୍ତୁ ଦିଟା ଚାକିରିତ ମିଳିବା ଆଶା । ତୁତ ଜାଣୁ ରତନଦା–ଦେବନାଥର ଖାଠା କାରଖାନାର ଚାକିରିଟା, ଆଉ ସେଇ ମାରବାଡ଼ିର ପ୍ଲାଷ୍ଟିକ କାରଖାନାର ଚାକିରିଟା । ସରକାରୀ ଚାକିରିତ ନିଲାମ ହେଉଚି–ଆମକୁ କିଏ ଦବ ?

 

–ୟା ଭିତରୁ ଗୋଟେ ଜାଗାରେ ସିପ୍ରାର ବରକୁ ଥୋଇ ଦେଉନୁ । ତୁତ ଚାକିରି କରିବୁନି । ନହେଲେ କୋଉଁଦିନୁ କରି ସାରନ୍ତୁଣି–

 

–କିନ୍ତୁ ରତନଦା ତୁତ ଜାଣୁ, ମାନୁ ଅପାର ଅବସ୍ଥା । ତତେ କହିଥିଲି ନା ଦେବନାଥର କାରଖାନାର ଚାକିରିଟା ମାନୁଅପାର ବର ନିଶାନାଥକୁ ଦେବା ବୋଲି । ଶଳା ସେଦିନ ଗତିରେ ଏତେ ଅନୁତାପ କଲା । ଯାହା କହିଲି ହଁ ଭରିଲା । କାଲି ଶୁଣିଲି ପୁଣି ସେଇ ବାଦାମୀ ଦୁଆରେ ଗଡ଼ୁଚି । ଶଳା କହୁଚି–ମତେ ତୋ ସହ ଗାଁ ଗହଳିକୁ ନେଇ ଯା ଏଇ ଡାଆଣୀ ସହରରୁ । ଡାଆଣୀ ବାଦାମୀ ପାଖରୁ ନ କହି କହୁଚି ଡାଆଣୀ ସହରରୁ ଜାଣୁ ? ସେଇଟା କଣ ସଂଗଠନରେ କାମ କରି ପାରିବ ?

 

–ଥରେ ନେଇ ଚେଷ୍ଟା କର । ଯଦି ମନ ଲାଗିଯାଏ ।

 

–ତାହେଲେ ତୁ ବଡ଼ ସେଇୟା ଭାବୁଚୁ । ଦେବନାଥ କାରଖାନାର ଚାକିରି ମାନୁ ଅପାର ହେଉ । ଦେବନାଅଟା ପଚାରୁଥିଲା ପଅରି ଦିନ–ଆରେ ଅରୁଭାଇ, କାରଖାନା ତ ଚାଲୁ ହେଲାଣି, ତୋ ଚାକିରି ତୁ ସମ୍ଭାଳ । ତାହେଲେ ମୁଁ ବାହାର ଦିଗଟା ଦେଖିଚି–କାରଖାନାକୁ କାଠଗଣ୍ଡି ସପ୍ଲାଇ ଠାରୁ ବାହାରକୁ ମାଲ ସପ୍ଲାଇ ଯାଏଁ । ମୁଁ ମାନୁ ଅପା କଥା କହି ଦେଇଚି । ସେ ବି ରାଜି ।

 

–ଆଉ ସେଇ ପ୍ଲାଷ୍ଟିକ କାରଖାନା ?

 

–ସେଇ ପରାମର୍ଶ ପାଇଁ ତ ତତେ ଖୋଜି ଆସିଚି ରତନଦା–ସେଇ ଯେଉଁ ଲିପିକାର କଥା ମୁଁ ତତେ କହିଥିଲି, ତା ପାଇଁ ଗୋଟେ ଚାକିରି ବ୍ୟବସ୍ଥା କରିବାକୁ ହେବ; କିମ୍ବା ତା ବସ୍‌କୁ ସେଠୁ ହଟାଇ ଦବାକୁ ପଡ଼ିବ ।

 

ତାପରେ ଦୁହେଁ ଚାଲିଲେ ଏକ ଜନହୀନ ରାସ୍ତାରେ । ଯାଉ ଯାଉ ରତନ ପଚାରିଲା–ହଁ କହ ଲିପିକା କଥା ।

 

–ସେଇ ଭାବନାଟାତ ତା ଉପରେ ଏମିତି ପ୍ରେସର ପକେଇ ଚାଲିଚି ଯେମିତି ତାକୁ ପୂରା ନିଃଶେଷ କରି ଦେବ । ଥରେ ଶଳା ନେକେଡ଼ ଛବି ଗୁଡ଼ାଏ ଉଠାଇ ଦେଲେତ ସମାଜରେ ଆଉ ମୁହଁ ଦେଖାଇବା ପାଇଁ ଲିପିକାର ସ୍ଥାନ ନଥିବ । କିନ୍ତୁ ଘରେ ପିତୃହୀନ ପରିବାର ଭିତରେ ରୋଗିଣୀ ମାଁ ଓ ସାନ ଭଉଣୀଙ୍କୁ ନେଇ ସେ ଯେମିତି ଚଳୁଚି ନା, ସେ ଚାକିରିଟା ଛାଡ଼ି ପାରିବ ନାହିଁ । ତୁ କଣ ଚାହୁଁ ରତନଦା ଆଗରୁ ଅନେକଙ୍କ ଭଳି ଲିପି ବି ସେମିତି ତାର ସବୁ ଅତ୍ୟାଚାର ମାନିଯିବ, ଆଉ ଏଇ ସମାଜରେ ତୋ ଭଳି ଦାଦା ଓ ଆମମାନଙ୍କ ଭଳି ତରୁଣମାନେ ଥାଇ ଏଭଳି ଅନ୍ୟାୟ ଅନାଚାର ଆଖିମେଲି ଚାହିଁ ଦେଖୁଥିବା ? ଏମିତି ଆଉ କେତେ ଦିନ ଦେଖି ବସିଥିବା ? ସହରର ଅନେକ ଝିଅ ଏପରିକି ଦିନେ ନା ଦିନେ ମୋ ଭଉଣୀ, ତୋ ସମ୍ପର୍କୀୟମାନେ ବି ତା ଅଙ୍ଗୁଳି ନିର୍ଦ୍ଦେଶରେ ନାଚିବା ଯାଏଁ ? ରତନଦା ଏଇଟାକୁ ହଟାଇ ଦେବାକୁ ପଡ଼ିବ ।

 

–ପୂରା ଏଇ ଦୁନିଆରୁ ହିଁ ହଟାଇ ଦେବା ଦରକାର । କିନ୍ତୁ ଦିନେ ଦିଦିନ ସମୟ ନେଇ ବସି ଯୋଜନା କରିବା–ଏମିତି ହଟାଇବାକୁ ପଡ଼ିବ ଯେମିତି କୁଆଡ଼େ ଗଲା ତା ଚିହ୍ନବର୍ଣ୍ଣ ରହିବନି-

 

ଗୋଟେ ନିରୋଳାଜାଗା ଅଛି–ଚାଲେ, ଆମେ ଆଜି ସେଇବାଟେ ଯିବା–ସେଦିନ ସେଇଠିକି ଲିପିକା ଆସିବ । କାରଣ ତା ବସ ସେଇଠି ଆଗରୁ ଥିବ । ମୋ ମନରେ ଗୋଟେ ପ୍ଲାନ ଅଛି–

 

–କୁହ ।

 

–ଲିପିକା ବସର ନିର୍ଦ୍ଦେଶକୁ ମାନିନେବ ସେଇ ରାତିରେ ସେଇ ଜାଗାକୁ ଆସିବା ପାଇଁ–ଅଥଚ ଆସିବନି ।

 

–ତା’ପରେ ?

 

–ବାବୁତ ଅପେକ୍ଷା କରିଥିବେ, ଆମେ କିଛି ସମୟ ପରେ ଏମିତି ଘେରିଯିବା ଯେ ଦେଖିବା ମାତ୍ରେ ପିଳେହି ପାଣି । ତା ପରେ ତ ଖତମ । ସେଇ ଶଳାଟା ଏଇ ଦୁନିଆରେ ରହିବା ଯୋଗ୍ୟତା କେଉଁ ଦିନୁ ହରାଇ ସାରିଲାଣି ରତନଦା ।

 

–ହଁ ଠିକ୍‌ ଅଛି ଯେ ସେଇ ନିରୋଳା ଜାଗାରେ ହିଁ ଖତମ କରିଦେବା ଠିକ୍‌ ହେବନି । ସହରର ପାଖଆଖ ଟାତ । ତାକୁ ଶଳା କିଚକ ବଧ କଲାଭଳି ବିନାରକ୍ତରେ ମୃତ୍ୟୁଦଣ୍ଡ ଦେଇ, ଏମିତି ଏକ ବଣଜଂଗଲର ଅଜଣା ଅଶୁଣା ଜାଗାରେ ମଣିଷ ଉଞ୍ଚ ମାଟିତଳେ–

 

–ଠିକ୍‌ ଅଛି । ତୁତ ଆମ ସର୍ଦ୍ଦାର । ରବିବାର ରାତିରେ ଭୁବନ କିନ୍ତୁ ବଞ୍ଚିଗଲେ ସୋମବାର ଦିନ ସକାଳୁ ଅଫିସକୁ ନଯାଇ ଲିପିକାକୁ ବୋଧେ ରେଜିଗ୍‌ନେସନ ଲେଖି ପଠେଇ ଦେବାକୁ ହେବ ଜାଣୁତ ?

 

–ପ୍ରଶ୍ନ ଉଠୁ ନାହିଁ–କିନ୍ତୁ ଲିପି ବିଶ୍ୱସ୍ତତ ?

 

–ମୁଁ ଆଉ ସେସବୁ ନ ପରଖି ଏକଥା କହୁଚିନା ?

 

–ଠିକ୍‌ ଅଛି ରବିବାରତ ଏଇନେ ଦୁଇ ଦିନ ଅଛି । ସମସ୍ତେ ଗୋପନରେ ବସି ଯୋଜନା କରିବାକୁ ହେବ ।

 

ଆକାଶରେ କଳାମେଘ ବ୍ୟାପି ଯାଇଥିଲା । ହୁ, ହୁ ପବନ ବହୁଥିଲା । ବର୍ଷା ଝରୁଥିଲା-। ମଝିରେ ମଝିରେ ଘଡ଼ଘଡ଼ି ସହ ବିଜୁଳି । ବର୍ଷାର ଧାରା ପାତ ସହ ଯେମିତି ତାଳରଖି ଅରୁଣ ଲେଖି ଚାଲିଥିଲା । ଝର୍କାଦେଇ ପଢ଼ୁଥିବା ଜଳକଣାମାନଙ୍କ ଦ୍ୱାରା ତାର ଆଣ୍ଠୁ ତଳର ପୋଷାକ ପ୍ରାୟ ଭିଜି ଆସିଥିଲା–ତଥାପି ତାର ସେଥିପ୍ରତି ନଜର ନଥିଲା । ତାକୁ ଅନେକ ଗୁଡ଼ିଏ ଚିଠି ଲେଖିବାକୁ ହେବ ।

 

ଅରୁଣ ଲେଖିଲା ଆରତୀକୁ–ଆରତୀ ! ଏଇ ବର୍ଷା ସମୟରେ ତମ କଣ୍ଠରୁ ଗୀତ ଶୁଣିଥିଲେ ଭଲ ହୁଅନ୍ତା । ଶୁଣିଥିବା ତମ ଗୀତରେ ଅନେକ ପଦ ଏଇନେ ମୋ ଭିତରେ ଗୁଣୁ ଗୁଣୁ ହେଉଚନ୍ତି । ମୁଁ ସେଗୁଡ଼ାକ ଆବୃତ୍ତି କରି କରି ଏଇ ଚିଠି ଲେଖୁଚି । ଏହାପରେ ଗୋଟେ ଦୁଇଟି ଚିଠି ବି ଲେଖିବାକୁ ହେବ ।

 

ତମେ ଯେତେବେଳେ ମୋ ନିକଟରେ ଥାଅ ମୁଁ ବୋଧେ ତମ ଅଭାବ ସେତେଟା ବୁଝିପାରେ ନାହିଁ । ଅଥଚ ତମେ ମୋ ନିକଟରୁ ଚାଲିଯିବା ସଙ୍ଗେ ସଙ୍ଗେ ମୁଁ ତମ ବିଷୟରେ ଅନେକ ଭାବେ । ସେଦିନ ରାତିରେ ତମେ ଚାଲିଯିବା ପରେ ସାରା ରାତି ମୁଁ ତମ କଥାହିଁ ଭାବିଚି ।

 

ତମର ନିଶ୍ଚୟ ମନେଥିବ ଆମେ ଅନେକ ଗତିରେ ସପ୍ତର୍ଷି ନକ୍ଷତ୍ରକୁ କେନ୍ଦ୍ର କରି ଅନେକ ସମୟ କଟେଇଛେ । ପ୍ରଥମଥର ସପ୍ତର୍ଷି ନିକଟରେ ଥିବା ଅରୁନ୍ଧତୀ ନକ୍ଷତ୍ରଟିକୁ ତମେ ଦେଖାଇ ପାରି ନଥିଲ । ମୁଁ ତମକୁ ଦେଖାଇ କହିଥିଲି ଅରୁନ୍ଧତୀଙ୍କୁ ଖୋଜି ବାହାର କରିବା କାମ ମୋର ତମର ନୁହ ଆରତୀ । ମୁଁ ଜାଣେନା ସାରା ଜୀବନ ତମେ ମୋ ଜୀବନାକାଶରୁ ଦୂରରେ ବହୁ ଦୂରରେ–ଅରୁନ୍ଧତୀ ଭଳି ହିଁ ରହିଯିବକିନା । ମୁଁ ଜାଣେ, ତମେ ଟିକେ ଜିଦ୍‌ଖୋର ଝିଅ–ଅନ୍ୟ କଥାରେ କହିଲେ ଯାହା ବୁଝିଥିବ ସେଇୟା । କିନ୍ତୁ ତାହା ଗୋଟାଏ ଦୃଷ୍ଟିରୁ ଭଲ ମଧ୍ୟ । କାରଣ ନିଜେ ଯାହା ଠିକ୍‌ ମନେ କରିବ, ସେଥିରେ ପୁଣି ଟଳମଳେଇ ଗଲେ ଆଉ ଲାଭ କଣ ?

 

ବର୍ଷଣ ମୁଖର ଏଇ ଗତିଟାରେ ଏଇନେ ତମେ କ’ଣ କରୁଚ ? ଶୋଇ ଗଲାରି ? ନା ମୋଭଳି ଝର୍କା ପାଖେ ବସିଚ–ବର୍ଷାକୁ ଦେଖୁଚ–ଗୁଣୁ ଗୁଣୁ କିଛି ଗାଉଚ ? ହଁ, ଶୁଣ । ମୁଁ କେଉଁଦିନ ମୋ ମନର କେଉଁ କଥା ତମଠୁ ଛପେଇ ରଖିନି । ଆରତୀ, ତମେ ଯଦି ସବୁଦିନ ପାଇଁ ଆକାଶର ସେଇ ଅରୁନ୍ଧତୀ ହୋଇ ମୋଠୁ ଦୁରେହିଁ ରହିଯିବା ତମପାଇଁ ଉଚିତ ମନେ କରିବ–ମୁଁ ତମ ଇଚ୍ଛାର ବିରୁଦ୍ଧରେ ଗୋଟାଏ ବି ଶବ୍ଦ ଉଚ୍ଚାରଣ କରିବା ପାଇଁ ନିଜ ମନକୁ ସୁଯୋଗ ଦେବି ନାହିଁ । ତମେ ସୁଖୀ ତ ମୋ ପାଇଁ ଦୁନିଆ ସୁଖୀ ।

 

ମୁଁ ଯିବାର ଅର୍ଥ ଏହି ନୁହେ ଯେ ଶେଷଥର ପାଇଁ ଚାଲି ଯାଉଚି । ଯାଆସତ ଲାଗି ରହିବ, କିନ୍ତୁ ସେଠି କଟିବ ଅଧିକ ସମୟ । ମୋ ସଂପର୍କରେ କେବେ କିଛି ଜାଣିବା ଦରକାର ମନେକଲେ ମାନୁ ଅପାଙ୍କଠୁ ଖବର ନେବ । ଏଇ ଚିଠି ବି ତ ସେ ତମକୁ ଦେବେ । ହଁ, ମାନୁ ଅପା ଦେବନାଥର ଫ୍ୟାକ୍‌ଟରିରେ ଏବଂ ସିପ୍ରାର ବର ଶୁଭେନ୍ଦୁ ସେଇ ମାରୁଆଡ଼ି ପ୍ଲାଷ୍ଟିକ କାରଖାନାରେ ଚାକିରି ପାଇଛନ୍ତି ବେସରକାରୀ ଚାକିରି । ହଁ ଜାଣେନା ତମେ କଣ ଠିକ୍‌ କରିବ–ଆମ ପାଇଁ । ଦୁନିଆରେ ଅନେକ କିଛି ସହିବାକୁ ତ ପଡ଼ିବ, ଆରତୀ । ଯଦି ମୋର ସମସ୍ତ ସଦିଚ୍ଛା ସତ୍ୱେ ତମ ମନରେ କେବେ କଷ୍ଟ ଦେଇଥାଏ, କ୍ଷମା କରିଦେବୁ । ଅରୁ ।

 

ଚିଠିଟାକୁ ଦୁଇ ତିନିଥର ପଢ଼ି ଅରୁଣ ଏକ ଲଫାଫା ଭିତରେ ରଖିଦେଲା । ତାପରେ ଆଉ ଏକ ଚିଠି ଲେଖି ବସିଲା–ରତନ ଦା । ମୁଁ କାଲି ଚାଲି ଯାଉଚି ଆମର ପୂର୍ବ ଯୋଜନା ଅନୁଯାୟୀ । ଏଇ ବର୍ଷାରାତିଟାରେ ଆଉ ତୋ ସହ ଦେଖା କରିବା କଣ ଦର୍କାର ? ତଥାପି ମନ ମାନୁନି ବୋଲି ଏଇ ଚିଠିଟା ଲେଖୁଚି । ମାନୁଅପା ନେଇ ତୋ ହାତରେ ଏଇଠି ଦେବ ।

 

ଯେମିତି ସବୁ ଚାଲିଚି ସେମିତି ଆଉ କେତେଦିନ ଚାଲିବ ଚିନ୍ତାକରେ । ମଣିଷ ସହି କ’ଣ ଶେଷରେ ମାଟିରେ ମିଶିଯିବ ? ତାର କଥା କହିବା ଶକ୍ତି ପ୍ରତିରୋଧ କରିବା ଶକ୍ତି ପୂରା ନଷ୍ଟ ହୋଇଯିବ ? ଉଚ୍ଚ ଅତ୍ୟୁଚ୍ଚ ଶ୍ରେଣୀର ଲୋକଙ୍କ ଜୀବନଯାପନ ରୀତି ଦେଖିଲେ ମନେ ହେଉଚି–ଅତ୍ୟାଧୁନିକ ଚକମକ ସଭ୍ୟତା ନାମରେ ସେମାନେ ପୁଣି ଆଦିମ ଗିରିଗୁହା ସଭ୍ୟତା ଆଡ଼େ ଅଗ୍ରସର ହେବା ଭଲ ପାଉଛନ୍ତି । ମଧ୍ୟବିତ୍ତ ଶ୍ରେଣୀରୁ ଅନେକଙ୍କ ଜୀବନର ଲକ୍ଷ୍ୟ କୌଣସି ମତେ ଅର୍ଥ ଓ କ୍ଷମତା ବଢ଼ାଇ ଉଚ୍ଚ ଶ୍ରେଣୀର ଲୋକଙ୍କ ଭଳି ବଂଚିବା । ଆଉ ଅନେକେ ଅଛନ୍ତି ଯେଉଁମାନେ ଉପର ଶ୍ରେଣୀର ପଦଲେହନ କରନ୍ତି କିଛି ଫାଇଦା ପାଇଁ ଏବଂ ସେମାନଙ୍କ ଆଗରେ ନଥିବାବେଳେ ଦଳିତ ନିପୀଡ଼ିତ ଜନତା ଏକଜୁଟ୍‌ ହୁଅ ବୋଲି ଚିତ୍‌କାର କରନ୍ତି । ମୋର ମନେ ହୁଏ ଦେଶର ଓ ମଣିଷ ଜୀବନର ଏଇ ଭଳି ଘଡ଼ିସଂଧି ମୁହୂର୍ତ୍ତରେ କେବଳ ଅବଶିଷ୍ଟ ନିମ୍ନବିତ୍ତ ଜନତା ହିଁ ଆଶା ଭରସାର କେନ୍ଦ୍ରସ୍ଥଳ । ଆଉ ମଧ୍ୟ ଦେଶ ଓ ଲୋକଙ୍କ କଥା ଆନ୍ତରିକ ଭାବେ ଚିନ୍ତା କରୁଥିବା ମୁଷ୍ଟିମୟ ମଧ୍ୟବିତ୍ତ ଓ ଉଚ୍ଚ ଶ୍ରେଣୀର କର୍ମଠ ବ୍ୟକ୍ତି, ଦେଶର ଛାତ୍ର ସମାଜ ତଥା ଛୋଟବଡ଼ ସହରର ସମସ୍ତ ଶିକ୍ଷିତ ଶ୍ରମଜୀବୀମାନଙ୍କ ଦାୟିତ୍ୱ–ଅଭାବରେ ଅଂଧକାରରେ ଏଯାଏଁ: ସଢ଼ୁଥିବା ଦେଶର ସବୁଠୁ ଅଧିକ ସଂଖ୍ୟକ ନିମ୍ନବିତ୍ତ ତଥା ବିତ୍ତହୀନ ଲୋକଙ୍କୁ ଦେଶର ଅବସ୍ଥା ଅବହିତ କରାଇବା । ତରୁଣ ଭାଇ ବହୁବାର କହିଥିବା ତମେ ବି ଜାଣ ଯେ ଏମାନେ ଜାଗରିତ ହୋଇଗଲେ ହିଁ ଦେଶର ପଟ ପରିବର୍ତ୍ତନ ହେବ ଏବଂ ସେଥିପାଇଁ ସେ ନିଜର ଜୀବନ ବି ଦେଇଛନ୍ତି । ସେ କହୁଥିଲେ ପ୍ରଥମେ ନିଜ ଜୀବନଟା ଜନ୍ମଭୂମିକୁ ଦେବା ପାଇଁ ପ୍ରସ୍ତୁତ ରହ–ଏବଂ ତାପରେ କଳେବଳେ କୌଶଳେ ତୁମ ସ୍ୱପ୍ନ ସାର୍ଥକ କରିବା ଉଦ୍ୟମ କର । ଅୟସ, ଆରାମରେ ରହି ଭାଷଣ ଦ୍ୱାରା, ଶୁଖିଲା ଚିନ୍ତା ଦ୍ୱାରା କିଛି କରି ହେବନି । ଜଣେ ଭୁବନବାବୁକୁ ସଫା କରିଦେଲେ କାମ ଶେଷ ହୋଇ ଗଲାନାହିଁ । ଏମିତିତ ଅନେକେ ଅଛନ୍ତି ।

 

ରାଜନୀତିର କଥା ଉଠେଇ ଲାଭ କ’ଣ ? କାହାର ତ ନୀତି ନାହିଁ ଆଉ ରାଜନୀତି ? ସବୁ ସୁବିଧାବାଦୀ, କେବଳ ଦଳବାନ୍ଧି ଗାଦିଟା ପାଇଁ ଲଢ଼ିବା, ତାପରେ କେଇ ଶହ, କେଇ ହଜାର ଲୋକ ଦେଶର ସମ୍ପଦକୁ ନିଜ ନିଜ କ୍ଷମତା ଅନୁଯାୟୀ ବାଣ୍ଟି ଖାଇବାତ ରାଜନୀତିର ପରିଭାଷା ହୋଇ ସାରିଚି । ନୀତିହୀନ ମଣିଷ ବା ମଣିଷପଣିଆ ନଥିବା ମଣିଷ ଯୌବନ, ଧନସମ୍ପତ୍ତି, ପ୍ରଭୃତ୍ୱ ଓ ଅବିବେକିତା ପ୍ରମତ୍ତ ହେଲେ ଯାହା ହୁଏ । ମଣିଷପଣିଆ ଥିଲେ ସିନା ମଣିଷମାନଙ୍କ ସୁଖ ଦୁଃଖ କଥାକେହି ଭାବିବ । ଜନତା, ମହାତ୍ମାଗାନ୍ଧୀ, ଭାରତମାତା ଇତ୍ୟାଦି ସ୍ଲୋଗାନ ମାଇକ୍‌ ଦେଇ କମ୍ପମାନ କରି ଏସବୁର ପରଦା ଅନ୍ତରାଳରେ ଅଜ୍ଞ ମଣିଷର କାନ୍ଧ ଉପରେ ଠିଆ ହୋଇ ଦେଶ ଓ ଲୋକଙ୍କ ଭବିଷ୍ୟତର ଲୁଣ୍ଠନ ତ ଚାଲିଚି । କ’ଣ ସବୁ ଏଇ ପରିସ୍ଥିତିରେ କରାଯିବ, ସମସ୍ତେ ଚିନ୍ତାକର । ଆମକୁ ତ ଆମର ସିଦ୍ଧାନ୍ତ ମୁତାବକ କାମ କରିଯିବାକୁ ହେବ । ଲୋକେ କ୍ରମଶଃ କୁହାକୁହି ହେଲେଣି ଆମ ଚିନ୍ତାଧାରାରେ । ତଥାପି କେତେଦିନ ଲାଗିବ କିଏ ଜାଣେ ? ବଡ଼ିଭୋରରୁ ଯାଉଚି । ସେଇଆଡ଼ର ହାଲଚାଲ ପରଖି ଆସିବି ପ୍ରତ୍ୟକ୍ଷ ଅଭିଜ୍ଞତା ନେଇ । ଏଠିକା ହାଲଚାଲ ଲାଗିଲା । ଆମମାନଙ୍କୁ ଲୋକଙ୍କ ନିକଟରେ ପହଞ୍ଚିବାକୁ ହେବ–ଯିଏ ଯେଉଁ ପରିସ୍ଥିତିରେ ଅଛି ସେଇଠି ତାକୁ ସାହାଯ୍ୟ କରି, ହୃଦୟରୁ ଭଲ ପାଇ ଏବଂ ପ୍ରକୃତରେ କିଛି କାମ ସେମାନଙ୍କ ପାଇଁ କରି । ସାକ୍ଷାତରେ ଅନ୍ୟାନ୍ୟ । ସସ୍ନେହ ତରୁଣ ।

 

ଚିଠିଟାକୁ ଥରେ ପଢ଼ି ଲଫାଫା ବନ୍ଦ କରିଦେବା ବେଳକୁ ସିପ୍ରା ଆସି କପେ ଚାହା ଥୋଇ ଦେଲା ଅରୁଣ ଆଗରେ–ତା ଲେଖା ଟେବୁଲ ଉପରେ । ସେ ଦେଖିଲା ଅରୁଣର ଆଣ୍ଠୁଠାରୁ ତଳକୁ ସବୁ ପୋଷାକ ଭିଜି ଯାଇଚି ।

 

–ଭାଇମ, କଣ ଏମିତି ଚିଠି ଲେଖୁଚୁ ଯେ ଅଧା ଭଳି ଯାଇବି ଜ୍ଞାନ ନାହିଁ ?

 

–ଆରେ–ସତେତ । ଅରୁଣ ଗୋଡ଼ ଆଡ଼େ ଚାହିଁ କହିଲା ।

 

–ତୁ ଯେ କେମିତି ଲୋକ ଜାଣି ହେଉନି–ଧୋତିଟା ବଦଳାଇନେ, କହି କୋଠରୀର ଝର୍କା ଦେବା ପର୍ଦ୍ଦା ପକେଇବା, ଟେବୁଲ ଘୁଞ୍ଚେଇବା ଇତ୍ୟାଦି କାମରେ ସିପ୍ରା ଲାଗିଗଲା ।

 

ଅରୁଣ କାମ କରୁଥିବା ଭଉଣୀକୁ ଦଣ୍ଡେ ଚାହିଁ ରହିଲା । ତାପରେ ମନେ ମନେ କଣ ଭାବି ଟିକେ ହସିଲା । ଡାକିଲା–ଏଇ ସିପ୍ରା ଶୁଣ ।

 

–ରୁହ–ତତେ ମନେ ପକେଇ ଦେବା ପାଇଁ, କିମ୍ବା ତୋ ରହିବା ଘରଟିକୁ ସଜାଇବା ପାଇଁ ତ ପାଞ୍ଚଜଣ ଦରକାର–କଣନା ଦେଶସେବା ।

 

–ଏମିତି କାହିଁକି ହୁଏ ଜାଣୁ ?

 

–ନା ।

 

କେବଳ ଗୋଟେ ଚିନ୍ତା, ଗୋଟେ କାମରେ ଯିଏ ନିଜକୁ ହଜାର ଦେଇଥାଏ ତାର ଏଭଳି ହୁଏ । ଘରର କାମତ ସବୁବେଳେ କରୁଚୁ ମୋ କଥାଟା ଟିକେ ଶୁଣ–

 

–ହଉ କହ । ସିପ୍ରା ଅରୁଣ ନିକଟରେ ଆସି ଠିଆ ହେଲା ।

 

–ଶୁଭେନ୍ଦୁ ପିଲାଟା କେମିତିରେ ?

 

–ମୁଁ ଜାଣେନା ।

 

–ବାଃ–ଏବେ ଦିନ ସାଙ୍ଗ ହେଲୁ–ଶେଷରେ ସବୁ ଜାଣି ଶୁଣି, ଭଲ ପିଲା ବୋଲି ବାଛି ବାହା ହେଲୁ । ଆଉ କେବେ ଜାଣିବୁ ? କହ, ତୁ ଖୁସିତ ? କେବଳ ଏତିକି ମୁଁ ତୋଠୁ ଶୁଣିବା ଚାହେଁ । ଏଠି ତ ଆଉ କେହି ନାହିଁ । ତୋ ଭାଇଟାକୁ କହିବୁ–ଭଲ ପିଲାଟେ, ନା ସିପ୍ରା ?

 

–ହଁ ଭାଇ । ସିପ୍ରା ମୁହଁ ତଳକୁ ପୋତି ଦେଲା ।

 

–ଆଉ ଶୁଣ । କିଛି କାମ କରିବା ଯଦି ଚାହୁଁଚ ଅଳକାର ଟ୍ୟୁସନ୍‌ଟା ତୁ କରେ । ଶୋଭାଦିକୁ ମୁଁ କହିଦେବି । ତୋ ସାର୍ଟିଫିକେଟ ଗୁଡ଼ାକ କପି କରି ରଖିଥା–ସୁବିଧା ହେଲେ ଗୋଟେ ଚାକିରି ବାକିରି ଦେଖିବା । ଆଗ ଶୁଭେନ୍ଦୁଠୁ ବୁଝ । ସେ କଣ କହୁଚି–ତୋ ଚାକିରି କରିବା ସେ ଚାହେଁ କି ନା ।

 

ଅରୁଣ ଥଣ୍ଡା ଚାହାଟା ଢୋକି ଦେଇ ଉଠି ପଡ଼ିଲା ।

 

–ଥଣ୍ଡା ଚାହାଟା ଗିଳି ଦେଇ ଏଇ ଗତିରେ କୁଆଡ଼େ ଅରୁ ଭାଇ ? ଆଉ ଗୋଟେ ଚାହା କରିଦେବି ବସେ–ଲୁଗାଟା ବଦଳାଇ ଦେ–

 

–ନା, ଥାଉ । ବର୍ଷାରେ ତ ବାହାରିବାକୁ ହେବ ।

 

–କେତେବେଳେ ଫେରିବୁ ?

 

–ଆଜି, କାଲି, ପଅର ଦିନ ବି ହୋଇପାରେ । ଏଇ ଗତିରେ ବି ଫେରିପାରେ–ମାଙ୍କୁ କିଛି କହିବୁନି ।

 

ଚିଠି ଦୁଇଟି ପକେଟରେ ପୂରାଇ ଗୋଟେ ଛତା ହାତରେ ଧରି ଝଡ଼ ବେଗରେ ଅରୁଣ ସେଇ ବର୍ଷାରେ ବାହାରି ପଡ଼ିଲା । କାମ ଯେ କରି ଯିବାକୁ ହେବ–ଶୀତ, ବର୍ଷା ଖରା ତ ଲାଗି ରହିଚି–ସେ ମନେ ମନେ ଭାବିଲା ।

 

ରାସ୍ତାସାରା ଜଳ । ଗୋଟାଏ ଘଣ୍ଟାଏ ବର୍ଷାରେ ସହର ଜଳମଗ୍ନ । ଅରୁର ଆଣ୍ଠୁଯାଏଁ ଲୁଗା ଉଠେଇ ଅନ୍ୟ ଏକ ରାସ୍ତାରେ ବାହାରିଲା । ସେଇ ରାସ୍ତାରେ ଗୋଟାଏ ଦୁଇଟି ଦୋକାନ ଅନେକ ରାତି ଯାଏଁ ଖୋଲାଥାଏ । ସେଠୁ ଗୋଟାଏ ଡବା କ୍ୟାଡବରି ଚକଲେଟ୍‌, କିଛି ବିସ୍କୁଟ କିଣିଲା । ଦେଖିଲା ପାଖ ଫୁଲ ଦୋକାନଟା ବି ଖୋଲା ଅଛି । ଗୋଟେ ଫୁଲତୋଡା ଧରିଲା । ତାପରେ ଚାଲିଲା ମାନୁଅପା ଘରକୁ । କବାଟ ଠକ୍‌ ଠକ୍‌ ହେବାରୁ ମାନୁଅପା ଘର ଭିତରୁ ପଚାରିଲା–କିଏ ? ମୁନ୍ନା ଚୁଲି ମୁଣ୍ଡେ ମାଁ ପାଖରେ ବସିଥିଲା । କହିଲା–ମାଁ, କାକୁ–ଅରୁ କାକୁ ।

 

–ହଁ, ଯିଏ ଯେତେବେଳେ ଡାକିବ ସବୁ ତୋ ଅରୁ କାକୁ–ସେଟା କୁଆଡ଼େ ଯେ ବୁଲୁଥିବ–କହି ମାନସୀ ଉଠିଗଲା ।

 

ବାହାରେ ମେଘର ଗର୍ଜନ, ଅଗଣାରେ ବିଜୁଳିର ଚମକ–ବର୍ଷା । ମାନସୀ ଭାବିଲା ନିଶାନାଥ ତ ଯାଇ ପଡ଼ିଥିବ ବାଦାମୀ ଖଟରେ । ସେ କାହିଁକି ଏଇ ବର୍ଷାରେ ଆସିବ ? ମାନସୀ ଆଉ ଥରେ ପଚାରିଲା–କିଏ ?

 

–ମୁ ଅରୁଣ ମାନୁଅପା ।

 

–ଆରେ ଅରୁ ! ଯା ହେଉ ମୁନ୍ନାଟା ଠିକ୍ କହିଚି, ମାନସୀ କବାଟ ଖୋଲି ଦେଲା ।

 

–ଆରେ ଯା ପୂରା ତିନ୍ତି ଯାଇଚୁତ । ଏଇ ବର୍ଷାଟାରେ ନ ବାହାରି ଟିକେ ଆଗରୁ କି ଟିକେ ପରେ ତ ଘରୁ ବାହାରି ଥାଆନ୍ତ ।

 

–ମାନୁ ଅପା, ଭାଇ କହିଥିବା ସେଇ ଗପଟା ଜାଣୁଚ ? ଯିଏ ଶୋଇ ରହେ ତା ଭାଗ୍ୟ ଶୋଇରହେ । ଯିଏ ଉଠି ବସେ ତା ଭାଗ୍ୟ ଉଠି ବସେ । ଯିଏ ଆଗେଇ ଚାଲେ, ତା କାମ ବି ଆଗେଇ ଚାଲେ । ଯିଏ ହଜେଇ ଦିଏ, ତା ଭାଗ୍ୟ ବି ତାକୁ ହେଜେଇ ଦିଏ । କାମ ତ କରିବାକୁ ହିଁ ହେବ–ଏତେ କଥା ଦେଖିଲେ ଆଉ ଚଳିବ ? ନିଶା ଭାଇର ଧୋତୀଥିବ ଯଦି ଗୋଟେ ଆଣିଲୁ । ସାର୍ଟଟା ଠିକ୍‌ ଅଛି ଯେ–ଏପରି ବର୍ଷାକୁ ଛତାଟା ଆଉ ସମ୍ଭାଳନ୍ତା କେତେ ?

 

ମାନସୀ ଅରୁଣ ପାଇଁ ଧୋତୀ ଆଣିବାକୁ ଗଲା । ମୁନ୍ନା ରନ୍ଧାଘରୁ ଦଉଡ଼ି ଆସି ଡାକିଲା–କାକୁ । ଅରୁ ସେଇ ଫୁଲତୋଡ଼ା, ଚକଲେଟ୍‌, ବିସ୍କୁଟ ସବୁ ମୁନ୍ନାର ହାତରେ ଧରାଇ ଚଟ୍‌ କରି ତାକୁ ନିଜ କାନ୍ଧକୁ ଟେକି ଦେଲା । ତାପରେ ନିଜ ଦାଢ଼ିଆ ମୁହଁରେ ମୁନ୍ନାର ଗାଲ ଘସୁ ଘସୁ ମୁନ୍ନା ହାତରୁ ଚକଲେଟ ଡବାଟା ଖସିଗଲା । ଅରୁଣ ସେଟାକୁ ତଳୁ ଉଠେଇ ପୁଣି ମୁନ୍ନାକୁ ଧରେଇ ଦେଲା ।

 

–କାକୁ ତମ ଗାଲରେ ଏତିକି ଟିକେ ଟିକେ ଦାଢ଼ୀ–ମନ୍ଦିର ପାଖେ ବସିଥିବା ବାବାଜୀ ପରି ବଡ଼ ଦାଢ଼ୀ ରଖୁନା ?

 

–ତୋର ଯେଉଁଦିନ ଦାଢ଼ୀ ଉଠିବ, ସେତେବେଳକୁ ଏଇ ଦାଢ଼ୀ ବଡ଼ ହୋଇ ସାରିଥିବ ।

 

ଅରୁଣର କାନ୍ଧରୁ ଓହ୍ଲାଇ ଯିବା ବେଳକୁ ମୁନ୍ନା ବିସ୍କୁଟ ପକେଟଟା ଛିଣ୍ଡେଇ ସାରିଥିଲା । ଗୋଟେ ବିସ୍କୁଟ ଅରୁଣ ପାଟିରେ ପୁରାଇ କହି ସାରିଥିଲା–ଖାଅ, କାକୁ । ଓହ୍ଲାଇବା ମାତ୍ରକେ କ୍ୟାଡବରି ଡବାଟା ମୁଠେଇ ଧରି ଡେଇଁ ଡେଇଁ ଝର୍କା ଆଡ଼େ ଚାଲିଗଲା ।

 

ମାନସୀ ଗୋଟେ ଧୋତୀ ଆଣି ଅରୁଣ ଉପରକୁ ଫିଙ୍ଗି ଦେଇ କହିଲା–ଆଗ ଓଦାଟା ପାଲଟି ପକାଇଲୁ । ତାପରେ ମୁନ୍ନା ଆଡ଼େ ଚାହିଁ କହିଲା–ତାକୁ ବିସ୍କୁଟ, ଚକଲେଟ ତ ଦେଲୁ–ଏଇ ଫୁଲ ତୋଡ଼ାଟେ ଦେଲୁ କାହିଁକି ? ତତେ ଆଉ କେହି ମିଳିଲେନି ?

 

–ଆଉ କାହାକୁ ଦିଅନ୍ତି ? ତତେ–ଆରତୀକୁ–ସିପ୍ରାକୁ–ଲିପିକୁ ? ସବୁ ଭୀତୁ । ତମ ଦେଇ କିଛି ହେବନି । ବରଂ ଏଇ ଦେଶର ଏଇ ଆଗାମୀ ବଂଶଧର ମାନେ କିଛି କରିବେ । ଯା–ଗୋଟେ କପ ଚାହା ଦେବୁ ତ ଚଟପଟ ବସେଇଦେ–ସରି ଦୁଇ କପ । ଚାହାଟା ଖାଇବା ବେଳେ ଆଉ ଜଣେ–

 

–ସେଇ ଜଣକ କିନ୍ତୁ ଆରତୀ ହେବା ଉଚିତ । ମାନସୀ କହିଲା ।

 

–ସେଇଟା କଥା ଛାଡ଼–ଖୁବ୍‌ ଜିଦ୍‌ଖୋର ଝିଅ–ତା ଦେଇ ଆଉ କିଛି ହେବନି ।

 

–ତୁ ବି କିଛି କମ୍‌ ନୋହୁ । କହି ମାନସୀ ରୋଷେଇ ଘରେ ପଶିଲା ।

 

ଅରୁଣ ମୁନ୍ନାକୁ ସାଙ୍ଗରେ ନେଇ ରୋଷାଇଘର ବାରଣ୍ଡାରେ ବସିଲା ।

 

ଭିତରେ ବସି ମାନସୀ ଶୁଣି ପାରୁଥିଲା ଅରୁଣ ଓ ମୁନ୍ନାଙ୍କ ପ୍ରଶ୍ନ ଉତ୍ତର–

 

–କହ ତ ମୁନ୍ନା କାହାର ଅଧିକ ବଳ–ମଣିଷର ନା ବନ୍ଧୁକର ? ଅରୁଣ ମୁନ୍ନା ପାଖରେ ବସି ତା ପିଠି ଆଉଁସି ଆଉଁସି ପଚାରିଲା ।

 

–ମଣିଷର ।

 

–ସାବାସ୍‌ ।

 

–ବାଘ, ଭାଲୁ, ଗଧିଆ, ସାପଠୁ ଅଧିକ ଭୟଙ୍କର କିଏରେ ମୁନ୍ନା ?

 

–ଅମଣିଷ ।

 

–ସାବାସ୍‌ ।

 

ମାନସୀ ଦୁଇ କପ ଚାହା ନେଇ ଆସି ଅରୁଣ ସାମ୍ନାରେ ବସି ତାକୁ ଗୋଟେ କପ ବଢ଼ାଇ ଦଉ ଦଉ କହିଲା–ତୁ ଆଉ ପିଲା ଗୁଡ଼ାକୁ ଏସବୁ ସ୍ଲୋଗାନ୍‌ ଶିଖାନା ।

 

–ତୁ କଣଟେ ଜାଣିଚୁ ? ଏମାନଙ୍କ ଭବିଷ୍ୟତ ଏମାନଙ୍କୁ ହିଁ ଠିକ୍‌ କରିବାକୁ ହେବ । ଆଜି ତ ତୋ, ମୋ ଅବସ୍ଥା ଏଇଆ । ଆଉ ଗୋଟେ ପୁରୁଷ ଏଇ ଶାଗୁଣାମାନେ ନିର୍ବିଘ୍ନରେ ଦେଶଟାକୁ ଖାଇଲେ ଏମାନଙ୍କ ଅବସ୍ଥା ଯେ କଣ ହୋଇଥିବ ସେତେବେଳକୁ ଅନୁମାନ କରେ । ଏମାନଙ୍କୁ ମିୁଁ କଣ ଶିଖେଇବି ମୋର ବେଳ କାହିଁ ? କେହି ଜଣେ କିଛି କରିପାରେ ନାହିଁ । ଏସବୁ ତତେ ବି ଶିଖାଇବାକୁ ହେବ–ତୋ ଭଳି ମା ମାନଙ୍କୁ । ଗୋଟେ କଥା ମନେ ରଖିଥା । ଯେତେଦିନ ପର୍ଯ୍ୟନ୍ତ ଦେଶରେ ମା ମାନେ ଏହି ଅବସ୍ଥା ପ୍ରତି ଜାଗ୍ରତ ହୋଇ ନାହାନ୍ତି, ତରୁଣ ଭାଇଙ୍କ ଭଳି ଯେତେ ଶହୀଦ ହେଲେ ବି କିଛି ହେବନି । ଦେଶର ଅବସ୍ଥା ସୁଧୁରିବ ଯାଇ ମା’ମାନେ ବୁଝି ବୁଝାଇ ପାରିଲେ–ଘରେ ଘରେ ଦୁର୍ଗ ତିଆରି ହେଲେ–ତା ଆଗରୁ ନୁହେ । ସ୍ୱାଧୀନତା ସଂଗ୍ରାମବେଳେ ଯେପରି ଦେଶ ତମାମ ମାଡ଼ି ଯାଇଥିଲା, ସେଭଳି ଏହି ଆନ୍ଦୋଳନରେ ବି ଲୋକେ ମାତିଯିବା ଉଚିତ, ଦେଶର ପଂଝେ ଶାଗୁଣାଙ୍କଠାରୁ ଦେଶର ଜନତାକୁ ରକ୍ଷା କରିବା ଲାଗି–ଅର୍ଥନୈତିକ ଓ ନୈତିକ ସାମ୍ୟ ପ୍ରତିଷ୍ଠା ଲାଗି । ଏଇଟା ଆମ ଦେଶର ଆଭ୍ୟନ୍ତରୀଣ ସମସ୍ୟା–ଆମ ଲୋକେ ହିଁ ଏହାର ସମାଧାନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ । ମୁଖ୍ୟ ସମସ୍ୟା ହେଲା ନେତୃତ୍ୱର । ଉପଯୁକ୍ତ ଲୋକ ଏଥିପାଇଁ ନିଶ୍ଚୟ ଆସିବେ ପ୍ରକୃତିଗତ ନିୟମ ଭାବେ । କିନ୍ତୁ ଆନ୍ଦୋଳନ ଚାଲୁ ରହିବ–ତା ଭିତରୁ ହିଁ ଉପଯୁକ୍ତ ନେତୃତ୍ୱ ଆସିବ–ନେତୃତ୍ୱର ଆଉ ଆକାଶରୁ ଖସି ପଡ଼ିବ ନାହିଁ, ନିଷ୍କ୍ରିୟ ହୋଇ ରହିଲେ । ହଁ ଶୁଣ–ଏଇ ସଂପର୍କରେ ଅନେକ ଆଲୋଚନା ତ ହୋଇଚି । ଏଇନେ ମୁଁ ତୋ ପାଖକୁ ଆସିଥିଲି ଏଇ ଚିଠି ଦୁଇଟି ଦେବାକୁ–ଯାହାର ଚିଠି, ତାକୁ ଦେଇ ଦେବୁ । ଶୋଭାଦିକୁ ଗୋଟେ ଚିଠି ଦେବା କଥା । ସେ ବି ଦରକାର ବେଳେ ଆମକୁ ସାହାଯ୍ୟ କରିବ । ତାର ତ ଆଉ କିଛି କାମ ନାହିଁ । ବରଂ ଆମମାନଙ୍କୁ ସାହାଯ୍ୟ କରିବାରେ ଅବସର ସମୟରୁ କିଛି ଦେଉ । ତାକୁ ମୁଁ ପରେ ଲେଖିଚି–

 

–ତୋ ଠିକଣା ? ମାନସୀ ପଚାରିଲା ।

 

–ଠିକଣା, ଫିକଣା କିଛି ନାହିଁ–କେଉଁଦିନ ହୁଏତ କେଉଁଠି । ରତନଦା ପାଖରେ ସବୁ ଖବର ପହଞ୍ଚୁଥିବ । ସବୁ ତମମାନଙ୍କୁ ଲାଗିଲା । ନିଶା ଭାଇଟା ଶଳା ଆସିଲାନି । ତାକୁ ଟିକେ ଦେଖା କରି ଯାଆନ୍ତି ।

 

–ତାଙ୍କର କିଛି ଠିକ୍‌ ନାହିଁ । ତାଙ୍କ କଥା ତାଙ୍କ ଦାୟିତ୍ୱ ମତେ କିଛି ଦେନା–ତୁ ଜାଣୁ–ତୋ ପାଖରେ ଥିବା ଯାକେ ହିଁ ସେ ଭଲ ମଣିଷ–

 

–ତତେ ଗୋଟେ କଥା କହିବି ? ନିଶାଦାକୁ ମୋ ସାଙ୍ଗରେ ଛାଡ଼ିଦେ । ତାର କିଛି କ୍ଷତି ହେବାକୁ ମୁଁ ଦେବିନି । ସେଦିନ ରାତିରେ ତ ସେ କହୁଥିଲା–ମତେ ଏଇ ସହରରୁ କୁଆଡ଼େ ନେଇଯା ବୋଲି–

 

–ତାଙ୍କ ଇଚ୍ଛା ହେଲେ ସେ ଯାନ୍ତୁ–ମୁଁ ଧରି ରଖିଚିକି ?

 

–ହଁ ତୁ ଧରି ରଖିନୁ ଯେ, ମୁଁ ତାକୁ ହଁ କରି ପାରୁନି । ଏଠି ପିଇ ନିଜକୁ ଘୃଣା କରି ବାଦାମୀ ଦୁଆରରେ ମରିବା ଅପେକ୍ଷା ମୋ ସାଙ୍ଗରେ ଯାଇ ଆମର ଏଇ ସେତୁ ବନ୍ଧ ନିର୍ମାଣରେ ଗୋଟେ ବାଲି ଫିଙ୍ଗୁ । ଭଲ ପରିବେଶରେ ସେ ବଦଳି ଯିବ ।

 

–ତୋର ଇଚ୍ଛା ହେଲେ ନେ ଯା ।

 

–ନା, ତୁ ମୋଟେ ଫ୍ରି ନୁହ । ତତେ କହିବାକୁ ହେବ–ସେ ଯାଆନ୍ତୁ । ଏବଂ ତମେ ଦୁହେଁ ମିଶି କିଛି କର ।

 

–ବାଃ, ସେ କ’ଣ ନାବାଳକ କି ?

 

–ତୋ ଇଚ୍ଛାକଣ ଏଇନେ କହ–ନହେଲେ ମୁଁ ତାକୁ ସାଙ୍ଗରେ ନେଇ ଚାଲିଯିବି ।

 

–ନା, ଏଇନେ ନୁହେ । ଆଉ କିଛିଦିନ ଯାଉ ।

 

–ଠିକ୍‌ ଅଛି । ଯାହା କହିବା କଥା ବୁଲେଇ ବଙ୍କେଇ ନ କହି ଏମିତି ସ୍ପଷ୍ଟଭାବେ କହିଦେଲେ ଅସୁବିଧା କ’ଣ ?

 

–ନା, ସବୁ କଥା ସମସ୍ତଙ୍କ ଆଗରେ ସ୍ପଷ୍ଟଭାବେ କହି ହୁଏ ନାହିଁ ।

 

–ସେଇ ହେତୁ ହିଁ ଅନେକ ଅବୁଝାମଣା ହୋଇଥାଏ ସମାଜରେ ବିଶେଷତଃ ଘର ଭିତରେ ।

 

–ତୋ ଭଳି ସମସ୍ତେ ଏତେ ସ୍ପଷ୍ଟବାଦୀ ହୋଇ ପାରିବେ ନାହିଁ...ବିଶେଷତଃ ଝିଅମାନେ–

 

–ନ ହୁଅନ୍ତୁ–ଜୀବନ ସାରା ସେମିତି ଗୋଳେଇ ଘାଣ୍ଟି ହୋଇ ମରନ୍ତୁ ଓ ଅନ୍ୟମାନଙ୍କୁ ମାରନ୍ତୁ । ମୋର କ’ଣ ଯାଏ ଆସେ । ତୁ କିନ୍ତୁ ନିଶାଭାଇକୁ ଏଇଠି ରଖିବାକୁ ଯାଇ ବାଦାମୀ ଝୁମ୍ପୁଡ଼ିରେ ରଟ୍‌ କରିବା ଦୁର୍ଯୋଗଟା ବଢ଼େଇ ଦେଲୁ–

 

–ଭାବିଚିନ୍ତି କହିବି–ମୁଁ ଏଇନେ ରନ୍ଧା ଘରକୁ ଯାଇ କିଛି ରାନ୍ଧି ଦିଏ । ମାନସୀ ତରତରରେ ପୁଣି ରୋଷେଇ ଘରକୁ ଚାଲିଗଲା ।

 

–ବର୍ଷା ହେଉ ଯାହାହେଉ, ସକାଳ ହେବା ଆଗରୁ ମୁଁ ସେଠି ପହଞ୍ଚି ସାରିଥିବି ଯେମିତି-

 

–ଆରେ ଚାକିରିଟା ତ ଦେଲୁ । କହୁଥିଲୁ–ଖାଇବାକୁ କ’ଣ ଦେବୁ ? ଯାହା ଅଛି ଖାଇ ଦେଇ ଯା । ମାନସୀ ରୋଷେଇ ଘରୁ କହିଲା ।

 

–ଯେମିତି ମୁଁ ଆଉ ଆସିବି ନାହିଁ । ଯିବା ଆସିବା ତ ଲାଗି ରହିଥିବ । ଏଠିତ ରତନାଦା, ତୁ ଅନ୍ୟାନ୍ୟ ଅନେକେ–

 

–ତତେ କ’ଣ ବିଶ୍ୱାସ ଅଛି ? କେତେବେଳେ କେଉଁଠି–

 

–ମାନୁ ଅପା ଏଇନେ ରନ୍ଧାବଢ଼ା କରି ଖୁଆଇବୁ ତ ଭଲ କଥା । କିନ୍ତୁ ଅବିଶ୍ୱାସ କରିବା କଥା ଆଉ ମନରେ ଆଣିବୁନି । ତମେମାନେ ଅବିଶ୍ୱାସ କଲେ ଚଳି ହେବ କିପରି ? ଆନ୍ଦୋଳନ ବଂଚିବ କିପରି ? ମୁଁ ଜାଣେ ଯେ ତୁ ଖୁଆଇଲେ କହି ଦେଇଛୁ । –ଭଲ କଥା, ତୋ ହାତ ରନ୍ଧାଟା ଖାଇ ଯାଇଥାଏ । ଯାହାପାରୁ ଚଞ୍ଚଳ ରାନ୍ଧି ଥୋଇଦେ । ଏଠୁ ଆଉ ଗୋଟେ ଜାଗାକୁ ଯିବାକୁ ହେବ–ସକାଳ ହେବା ଆଗରୁ ମୁଁ ବାହାରି ସାରିଥିବି । କୁଆଡ଼େ ସନ୍ୟାସୀ, ବନବାସୀ ହୋଇ ଚାଲି ଯାଉନିମ କିଛି ନହେଲେ ମାସରେ ଥରେ ଅଇବତ ହେବା ଦେଖା ଚାହିଁ । ତରୁଣ ଭାଇଙ୍କ କାମଟା ତ କ୍ଷୁଦ୍ର ନୁହେ । ଏଣୁ ତାହା ସମସ୍ତଙ୍କୁ ନେଇ ହିଁ ହେବ ।

ଅରୁଣର କାମ ଶେଷ ହେବା ବେଳକୁ ରାତିର ଶେଷ ପ୍ରହର ହୋଇ ସାରିଥିଲା । ଅରୁଣ ଆଗେଇ ଚାଲିଲା । ପଛରେ ପଡ଼ି ରହିଲା ସହର କେଉଁ ଅପଦେବତାର ମାୟା ମରିଚିକାର ଶିବିର ଭଳି । ଅରୁଣ ଭାବି ଭାବି ଚାଲିଲା । ଅସ୍ଥିର ସ୍ନାୟବିକ ଆଗମ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଅଶାନ୍ତିପ୍ରସୁ ସହର । କୁଟୀଳ ପ୍ରତିଯୋଗୀତା ପ୍ରତିଦ୍ୱନ୍ଦ୍ୱିତା ତାର ସହର । ମନରେ ଅସାଧୁ ଅଥଚ ଓଠର ଅପ୍ରାକୃତ ହସ ସହ ଚତୁର ଭାଷା ପ୍ରୟୋଗର ସହର । ନୀତିହୀନ ଭ୍ରଷ୍ଟାଚାରୀ ଧନିକ, ଶାସକ ଗୋଷ୍ଠୀ କବଳରେ ଦୀର୍ଘଶ୍ୱାସର ଧୁମାଚ୍ଛାଦିତ ସହରଟା କେତେବେଳୁ ରହି ଗଲାଣି–ପଛରେ–ରହିଯାଉ । ଏଇ ସହର ସବୁକୁ ଚିହ୍ନିସାରି ଥିବା ହେତୁ ବୋଧେ ତରୁଣ ଭାଇ ତାଙ୍କ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ରୂପେ ପଲ୍ଲୀ ଅଂଚଳଙ୍କୁ ବାଛି ନେଇଥିଲେ । କାରଣ ଏ ସହରରେତ ସବୁ ବୁଜୁ’ଆ–ସୁବିଧା ବାଦୀ । କେହି କାମଟିଏ କରିଦେଲେ ଉପରେ ଉପରେ ଫାଇଦାଟା ମାରଦେବେ କିନ୍ତୁ ନିଜେ କିଛି କରିବେ ନାହିଁ । ଅନେକ ଚିତ୍‌କାର କରିବେ, କିନ୍ତୁ ଅସଲ କାମ ବେଳକୁ ଦେ ଦଉଡ଼ । ଯେତେ ବୁଦ୍ଧିଜୀବୀ ସବୁ ଏକ ଆରେକ ଚତୁର–ତରୁଣ ଭାଇ ଥରେ କହିଥିଲା ଚତୁରତା ଦ୍ୱାରା କିଛି ବଡ଼ କାମ କରି ହୁଏନାହିଁ–ଗୋଟେ କିଛି ଅଇଁଠା କେଉଁ ନିରୀହ ମୁହଁରୁ ଛଡ଼ାଇ ନେବା ବ୍ୟତୀତ । ଅଇଁଠା ମୁଆଁର ଲୋଭୀ ଏମାନେ । ଅଇଁଠା ମୁଆଁ ? –ଅରୁଣ ପଚାରି ଥିଲା । ଗୋଟେ ଗପ ତରୁଣ ଭାଇ ଶୁଣାଇଥିଲା । ଜଣେ ଚାରି ପାଞ୍ଚ ବର୍ଷର ପିଲା ମୁଆଁଟିଏ ଦାନ୍ତେଇ ଦାନ୍ତେଇ ଯାଉଥିଲା । ରାସ୍ତାରେ ବଗିଚାର ଫୁଲ ଗୁଡ଼ାକ ଦେଖୁ ଦେଖୁ ସେ ଅନ୍ୟମନସ୍କ ହୋଇ ପଡ଼ିବା ବେଳେ ଏକ ଚତୁର କୁଆ ସେଇ ଅଇଁଠା ମୁଆଁଟିକୁ ମାରିନେଲା ।

–ଶୁଣିଲୁତ ଅଇଁଠା ମୁଆଁ କଣ ? ତରୁଣ ଭାଇ କହିଲା । ଏଇ ହେଲା ଚତୁରତାର ଲକ୍ଷ୍ୟ । କୌଣସି ପ୍ରକାରେ ନିଜ ସଂକୀର୍ଣ୍ଣ ସ୍ୱାର୍ଥଟିକୁ ଚରିତାର୍ଥ କରିଦେଲେ ଗଲା–ଚତୁର ଲୋକର ଜୀବନ ସାର୍ଥକ । ତାପାଇଁ ୟାଠୁ ବଡ଼ କାମ ଆଉ କ’ଣ ହୋଇପାରେ ? ବୁଦ୍ଧିଜୀବୀ କିଏ ଜାଣୁ ? ତରୁଣ ଭାଇ ପଚାରିଥିଲା । ତାପରେ ଆପେ ଆପେ ସେ କହିଥିଲା–ଯିଏ ଅସତ୍ୟ ଅନ୍ୟାୟ ତଥା ଭସେଇ, ସାତ୍ର ଇତ୍ୟାଦି । ଏଇ ସହରମାନଙ୍କରେ କେବଳ ପଢ଼ୁଆ ଲୋକେ ଅଛନ୍ତି–ପ୍ରକୃତ ବୁଦ୍ଧିଜୀବୀ କେହି ନାହାନ୍ତି । ଏମାନଙ୍କଠୁ ବରଂ ଗାଆଁର ସେଇ ସରଳ ବିଶ୍ୱାସୀ ମଳିମୁଣ୍ଡିଆମାନେ ଯଥେଷ୍ଟ ଭଲ ।

ଅରୁଣ ବଡ଼ଭାଇଙ୍କ କଥା ଏଭଳି ଭାବି ଚାଲୁ ଚାଲୁ ବର୍ଷା କ୍ରମେ ତୀବ୍ର ହୋଇ ଆସିଲା । ସହରର ଅଶାନ୍ତ ଉତପ୍ତ ପରିବେଶ ଭିତରୁ ଗାଁ ମାଟି ମାଁ ଯେମିତି ତା ଶୀତଳ କୋଳ ଆଡ଼କୁ ତାକୁ ଟାଣି ନେଉଛି । ଯେମିତି କହୁଛି, ଗାଁରେ ରହି ଏଇ ଲୋକଙ୍କ ପାଇଁ କିଛି କର, ଯେମିତି ତୋ ଭାଇ ଅନେକ କିଛି କଲା ।

ହଁ, ଏଇ ବର୍ଷା ବି ତ ମା । କ୍ଷେତର ବୀଜ ସବୁ ଅଙ୍କୁରିତ ହୁଏ । ଅଂକୁରରୁ ଗଛ ହୁଏ, ଫଳ ଫଳି ଜନ ଜଗତକୁ ଖାଇବାକୁ ଦିଏ । ବର୍ଷାତ ପ୍ରେମମୟୀ ମା । ତାର ମନେ ହେଲା ବର୍ଷା ତ ଦେହରେ ପଡ଼ୁନି, ବର୍ଷା ମା ଯେମିତି ତା ମୁଣ୍ଡରେ, କପାଳରେ ଆଖିରେ ଗାଲରେ ସ୍ନେହର ଚୁମ୍ବନ ଅଜାଡ଼ି ଦେଉଚି–ଆସିବି ଆସିବି କହି ଏଯାବତ୍‌ ହେଳେଇ ଦେଇ ଶେଷରେ ଆଜି ଆସିପାରି ଥିବା ହେତୁ । ଆକାଶର ମେଘ ସବୁ ଯେମିତି ବର୍ଷାମାର କଳା ଶାଢ଼ି , ଝୁଲନ୍ତା ମେଘଖଣ୍ଡ ତା ପଣତକାନି-। ସେ ନିଜେ ଯେମିତି ବର୍ଷାମାର ସ୍ନେହର ଏକ ଧାରା । ସେ ଅନୁଭବ କଲା ନିଜେ ଯେମିତି କ୍ରମେ ଏକରୁ ଅନେକ ହୋଇ ଯାଉଚି, ତା ସହ ମାନସୀ ଅପା, ନିଶାନାଥ, ରତନଦା, ଆରତୀ, ସିପ୍ରା, ଶୁଭେନ୍ଦୁ, ଶୋଭାଦି, ଅଳକା, ଅନ୍ୟ ସାଂଥିମାନେ ଗାଁର ଚେମି ମାଉସୀ, ଦୀନୁ ଭାଇ, ସର ଭାଉଜ, କୁନା, ହାରୁ ନନ୍ଦ ଓ ଗାଁର ଅନ୍ୟମାନେ ବର୍ଷାର ଏଇ ଜଳସ୍ରୋତର ଅସଂଖ୍ୟ ବିନ୍ଦୁ ଭଳି କର୍ମର ସୁଅରେ ଏକ ହୋଇ ଚାଲିଛନ୍ତି । ତାପରେ ଗାଁ ପାଖ ଲୋକେ, ଆଖ ପାଖର ସମସ୍ତ ଜନଶକ୍ତି ମିଶି ସାରା ଅଂଚଳର ଅସତ ଓ ଅନ୍ୟାୟକୁ ଧୋଇ ଦେବା ପାଇଁ ଏକ ନଦୀର ପ୍ରଳୟଙ୍କରୀ ପ୍ଲାବନ ରୂପେ ବହି ଚାଲିଛନ୍ତି । ଅନେକ ଅଂଚଳରୁ ଏମିତି ଅନେକ ନଦୀ ବଳବତ୍ତର ହୋଇ ସମସ୍ତ ଅନାଚାରକୁ ଭସାଇ ନେଇ ଚାଲିଚି । ଅରୁଣ ସେଇ ପ୍ରବଳ ଜଳୋହ୍ୱାସ ଭିତରେ ବଡ଼ଭାଇଙ୍କ ଭଳି ଅନେକ ବିଜୟଦୀପ୍ତ ସାଫଲ୍ୟ ମଣ୍ଡିତ ସୁନ୍ଦର ଚଳମାନ ମୁଖ ଦେଖି ଉଲ୍ଲସିତ ହୋଇଯାଏ ।

ମେଘ ଜୋର୍‌ରେ ଗର୍ଜେ । ସେ ନିଜ ମୁହଁ, ଉପରକୁ ଉଠାଏ । ବର୍ଷା ତା ଆଖିରେ ପଡ଼େ । ଥଣ୍ଡା ଲାଗି ଆଖି ବନ୍ଦ ହୋଇ ଆସେ । ଇଚ୍ଛା ହୁଏ ସେ ଏଇ ବର୍ଷା ଭିତରେ ଆରାମରେ ଶୋଇ ଯାଆନ୍ତା । –ଏଇ ପ୍ରାକୃତିକ ଦୃଶ୍ୟ ଓ ଧାନକ୍ଷେତମାନଙ୍କ ଭିତରେ । ପର ମୁହୂର୍ତ୍ତରେ ଭିତରୁ କେହି ଯେମିତି ଚେତେଇ ଦିଏ–ଅନେକ ବାଟ ଚାଲିବା ପାଇଁ ଅଛି । ଶୋଇବାବେଳ ଆସି ନାହିଁ ।

ଅଦୂରରେ ବର୍ଷା ଭିତର ଦେଇ କୁହୁଡ଼ିଆ ଝାପ୍‌ସା ଦେଖାଦିଏ ସେଇ ଗାଁଟି; ଗାଁର ସମସ୍ତ ଲୋକେ ଯେମିତି ତାକୁ ଅପେକ୍ଷା କରିଛନ୍ତି–ସେଇ ଚେମୀ ମାଉସୀ ଦୀନୁ ଭାଇ, ସର ଭାଉଜ, ଦୀନୁ ଭାଇଙ୍କ ଛୋଟ ପୁଅ କୁନା, ହାରୁ, ନନ୍ଦ ଅନେକେ । ଏମାନଙ୍କ ଆତ୍ମିକ ପ୍ରତିନିଧି ଭଳି ଗାଁଟି ପ୍ରେମର ରହସ୍ୟମୟ ଆଖି ଅଳପ ଖୋଲି ତାରି ଆଡ଼େ ଚାହିଁ କହୁଛି–ହଇରେ ଏ, କୁଆଡ଼େ ବଣ ପାହାଡ଼, ଧାନ କିଆରି ସୁବ ଭିତରେ ବୁଲୁଚୁ ପାଗଳା ଭଳି ? ଆମେ ସବୁ ଅନେଇ ରହିଛୁ ତୋ ବାଟକୁ ।

ମୂଷକ ଧାରା ବର୍ଷା ଭିତରେ ଛପି ଛପି ଆସି ଦୀନୁ ଭାଇ ଘର ପାଖେ ଅରୁଣ ପହଞ୍ଚେ ଏବଂ ଝଙ୍କା ଆମ୍ବ ଗଛଟା ତଳେ ଦଣ୍ଡେ ଠିଆ ହୋଇଯାଏ । ତାର ମନ ପଡ଼ିଯାଏ ତରୁଣ ଭାଇ ଓ ଅନ୍ୟମାନେ ସେଇ ଗଛତଳେ ବସି କରିଥିବା ଅନେକ ଆଲୋଚନା । ଗତ କେତେଥର ଏଇ ଗାଁକୁ ଆସି ଏଇ ଗଛ ତଳ ଦେଇ ଯାଉ ଯାଉ ସେ ଯେମିତି ଅନୁଭବ କରିଥିଲା ପଛରୁ ଏକ ଆକର୍ଷଣ । ଏବଂ କେଇଥର ପଛକୁ ଫେରି ସେ ଚାହିଁଥିଲା ମଧ୍ୟ । ଆଜି ଏଇନେ ସେଇ ଗଛଟିକୁ ଛୁଇଁ ସେ ନୀରବରେ କହିଲା–ତୋ ଆକର୍ଷଣ ବୋଧେ ଅନେକ ଶକ୍ତି ।

ସେଠୁ ଯାଇ ଅରୁଣ କବାଟରେ ହାତମାରି ଡାକିଲା–ଦୀନୁ ଭାଇ ।

ଦୀନୁ ଭାଇ ତାକୁ ଅପେକ୍ଷା କରିଥିବା ଭଳି ଚଟ୍‌ କରି କବାଟ ଖୋଲି ଦେଲା । ତାକୁ ଉପରୁ ତଳକୁ ଦଣ୍ଡେ ଚାହିଁ କହିଲା–ଆରେ ବାବୁ–ଏ ବର୍ଷାଟାରେ ତିନ୍ତି ତିନ୍ତି–ପାଗଳା । ଏତେ ପାଠ ପଢ଼ିଲୁ, ପିଲାଟେ ପରି ବର୍ଷାଟାରେ ତିନ୍ତୁଚୁ ? ଏ ସର, ଦେଖ୍‌ ଦେଖ୍‌–ହଁ ଆଗେ ଗୋଟେ ଶୁଖିଲା ଲୁଗା ନେଇ ଆ–ଏଇ ଅରୁ ବାବୁଟା–

ଅପେକ୍ଷା କରି ନପାରି ଦୀନୁ ଭାଇ ଗୋଟେ ଗାମୁଛାରେ ଅରୁଣର ମୁଣ୍ଡ, ମୁହଁ, ହାତ, ଗୋଡ଼ ପୋଛି ଦେଉ ଦେଉ କହିଲା–କି କାଣ୍ଡ–ଦିହ ଖରାପ ହେଲେ–

ଦୁଆର ବଂଧ ପାଖେ ଠିଆ ହୋଇ ସର ଭାଉଜ ଗୋଟେ ଶୁଖିଲା ଲୁଗା ଅରୁଣ ଉପରକୁ ଫିଙ୍ଗି ଦେଲା ।

ସର ଭାଉଜ କାଖରେ ଥାଇ କୁନା ଅରୁଣ ଆଡ଼େ ଚାହିଁ–ହାତ ଗୋଡ଼ ଛଟ ଛଟ କଲା–

ଦୀନୁ ଭାଇ କହିଲା–

ଅରୁ ବାବୁ, କୁନା ତତେ ଚିହ୍ନି ପାରି କେମିତି ଛଟପଟ ହେଉଚି । ଯେମିତି ତୋ ଉପରକୁ ଡେଇଁ ପଡ଼ିବ ।

ଅରୁଣ କୁନା ଆଡ଼େ ଚାହିଁ ଆଙ୍ଗୁଠିରେ ଟାକରା ଫୁଟାଉ ଫୁଟାଉ କହିଲା–ହଁ ଦୀନୁ ଭାଇ, ଆମେ ସମସ୍ତେ ତ ଡେଇଁବା, ଏମାନେ ବି ଆମଠୁ ଶିଖିବେ । ଏମାନଙ୍କ ଭିତରେ ବି କେତେ ତରୁଣ ଭାଇ ଥିବେ–

–ସତରେ ଅରୁବାବୁ । ତରୁ ବାବୁର କଥା ମନେ ପଡ଼ିଗଲେ ମନଟା ଯାହା ଛଟପଟ ହୁଏ–ଏମିତି ଲୋକ ଯଦି ଶହେ ଜଣ ହେବେ, ଆଖ ପାଖରେ ସମସ୍ତ ଗାଁରେ କେହି କିଛି ଅନ୍ୟାୟ କରି ପାରିବନି–କେହି ବରଦାସ୍ତ ବି କରିବେ ନାହିଁ ଅନ୍ୟାୟ ।

–ଶହେ ନୁହେରେ, ଦୀନୁ ଭାଇ । ଶହ ଶହ ହେବା ଦରକାର–ଏବଂ ନିଶ୍ଚୟ ହେବେ ମୋର ବିଶ୍ୱାସ । ଅରୁଣର କଣ୍ଠସ୍ୱର ଗର୍ଜି ଉଠିଲା ।

ବର୍ଷା କମି ନଥିଲା । ଅରୁଣର କଣ୍ଠସ୍ୱର ସହ ତାଳ ମିଶାଇ ମେଘ ବି ଗର୍ଜି ଉଠିଲା ବଜ୍ର ନାଦରେ–କଡ଼ମଡ଼ ଚଡ଼ମଡ଼ ହୋଇ ଯେମିତି କିଛି ଭାଙ୍ଗିଯିବାର ସୂଚନା ମିଳୁଥିଲା ।

ବଜ୍ରସହ ବିଜୁଳି ଝଲସି ଉଠି ଚଉଦିଗ ଆଲୋକିତ କରି ଦେଉଥିଲା । ଅରୁଣ, ଦୀନୁ ଭାଇ, ସର ଭାଉଜ, କୁନା ସମସ୍ତଙ୍କ ଚେହେରା ସେଇ ଆଲୋକରେ ଉଦ୍‌ଭାସିତ ହୋଇ ଉଠୁଥିଲା-

Image